ଜଳ ପ୍ରଦୂଷଣ: ଏକ ସାମୂହିକ ଚିନ୍ତନ

ଡା. ଜୀବନ କୃଷ୍ଣ ମିଶ୍ର

ଭୂପୃଷ୍ଠର ସମୁଦାୟ ଜନବସତି ଓ ଉନ୍ନତ ସଭ୍ୟତାକୁ ସୁବିସ୍ତୃତ ଜଳରାଶି ସଦାସର୍ବଦା ଜାଗ୍ରତ ପ୍ରହରୀ ସଦୃଶ ଚାରିପଟୁ ଘେରି ରହିଛି। ସମ୍ପ୍ରତି ସ୍ଥଳଭାଗ ଓ ଆକାଶମାର୍ଗ ପରି ଅମାପ ଜଳରାଶି ମଧ୍ୟ ଅଧୁନା ପ୍ରଦୂଷିତ ହେବାରେ ଲାଗିଛି। ଜଳକୁ ପ୍ରଦୂଷିତ କରିବା ପ୍ରକ୍ରିୟା ହେଉଛି ଜଳ ପ୍ରଦୂଷଣ; ଜନସଂଖ୍ୟାର ବିସ୍ଫୋରଣ ସହିତ ଜଳ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ, ଜନସମାଜ ପାଇଁ ଜୀବନ ଧାରଣ କରିବା କାଠିକର ପାଠ ହୋଇ ଯାଇଛି। ପରିବେଶରୁ ବାହାରୁଥିବା ଆବର୍ଜନା ଓ ଅପରିଚ୍ଛନ୍ନ ବସ୍ତୁ ବିଶେଷଗୁଡ଼ିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପରିଚ୍ଛନ୍ନ ନ କରି ସିଧାସଳଖ ଜଳାଶୟଗୁଡ଼ିକୁ ନିଷ୍କାସନ କରିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଜଳ ପ୍ରଦୂଷଣ ହେତୁ ପ୍ରାଣୀ ଓ ଉଦ୍ଭିଦଜଗତ ଉଭୟ ପ୍ରଭାବିତ ହୁଅନ୍ତି। ଜନବହୁଳ ଚାଇନା ଦେଶରେ ପ୍ରାୟ ୭୦%-୮୦% ପାଣି ପ୍ରଦୂଷିତ ହୋଇ ରହିଛି। ଆମେରିକାରେ ୩୨% ନଦୀ ଓ ସମୁଦ୍ର ଜଳ ପ୍ରଦୂଷିତ। ଜଳ ବାସ୍ତବରେ ଜୀବନ ଧାରଣ କରିବା ପାଇଁ ଏକ ବହୁମୂଲ୍ୟ ସମ୍ପଦ। ପାନୀୟ ଜଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆମକୁ ସହଜରେ ଉପଲବ୍ଧ ହେଉନାହିଁ; ବିଶ୍ୱ ଜନସଂଖ୍ୟା ଆଜିକା ତାରିଖରେ ୮୦୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜାତିସଂଘ ସୂଚନା ଅନୁଯାୟୀ ଲୋକସଂଖ୍ୟା ସହିତ ଜଳ ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି। ବିଭିନ୍ନ ପ୍ରକାରର ଜୈବିକ ଓ ଅଜୈବିକ ପଦାର୍ଥର ଅପମିଶ୍ରଣ ହେତୁ ଜଳର ଭୌତିକ ଓ ରାସାୟନିକ ଧର୍ମ ନଷ୍ଟ ହୋଇଥାଏ; ବ୍ୟବହାର ଅନୁପଯୋଗୀ ମଧ୍ୟ ହୋଇଥାଏ।
ମନୁଷ୍ୟ ତା’ର ଦୈନନ୍ଦିନ ଜୀବନଯାତ୍ରାରେ ଜଳପାନ କରିବା ପାଇଁ, ବସ୍ତ୍ର ସଫା କରିବା ପାଇଁ ଓ ପାକଶାଳାରେ ଖାଦ୍ୟ ପ୍ରସ୍ତୁତି ପାଇଁ ଜଳ ବ୍ୟବହାର କରିଥାଏ। ପୋଖରୀ, ଜଳାଶୟ ଓ ନଦୀ ପାଣିରେ କପଡ଼ା ପରିଷ୍କାର କରିବା, ନଳିତା ଶଢ଼ାଇବା, ଗୋଜାତିଙ୍କୁ ଅବିଚାରିତ ଭାବେ ଅବଗାହନ କରାଇବା ହେତୁ ଜଳ ପ୍ରଦୂଷଣର ମାତ୍ରା ବେଶ୍‌ କିଛି ବଢ଼ି ଯାଇଥାଏ। ତୀର୍ଥକ୍ଷେତ୍ରଗୁଡ଼ିକରେ ଥିବା ମାତ୍ରାଧିକ ଜଳାଶୟମାନଙ୍କରେ ଆମ୍ବପତ୍ର, ବିଭିନ୍ନ କିସମର ପୁଷ୍ପ, ନାରିକେଳ, ଅସଂଖ୍ୟ ଦୀପ, ଅମାପ ଚାଉଳ ଓ ରନ୍ଧାଅନ୍ନ ମଧ୍ୟ ଭସା ଯାଇଥାଏ। ଏଗୁଡ଼ିକ ନଷ୍ଟ ହୋଇଗଲେ, ଜଳରେ ପଚିଗଲେ ଜଳ ଦୁର୍ଗନ୍ଧ ହେବା ସହିତ ଭୀଷଣ ଆକାରରେ ଦୂଷିତ ହୋଇଥାଏ। ଆମ ଦେଶରେ ଅଦ୍ୟାବଧି ପୋଖରୀ ଘାଟରେ, ବ୍ୟକ୍ତି ବିଶେଷ ନିଷ୍କାସନ ପ୍ରକ୍ରିୟା ଜାରି ରଖିଥାଆନ୍ତି; ପରିଣାମ ସ୍ବରୂପ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇଥାଏ। ବିପଣିରେ ବିକ୍ରି ହେଉଥିବା ପଲିଥିନ୍‌, ସୋଲୋ ଓ ଥର୍ମୋକୁଲ ଆଦି ଆଣି ପବନରେ ଉଡ଼ି ପାଣି ସଂସ୍ପର୍ଶରେ ଆସି ଅତି ଜଘନ୍ୟ ଭାବେ ଜଳକୁ ପ୍ରଦୂଷିତ କରିଥାଏ, ବିଷାକ୍ତ କୀଟନାଶକ ଔଷଧ ଓ କଳକାରଖାନାରୁ ନିର୍ଗତ ତରଳ ପଦାର୍ଥ ନିକଟସ୍ଥ ନଦୀରେ ନିର୍ଗତ ହୋଇ ଜଳ ପ୍ରଦୂଷିତ କରିଥାଏ; ଏତଦ୍‌ବ୍ୟତୀତ ମହୋଦଧି ନିକଟସ୍ଥ ପଞ୍ଚତାରକା ଭୋଜନାଳୟ ଓ ଯାତ୍ରୀ ନିବାସର ପୂତି ଗନ୍ଧମୟ ଜଳ ସିଧାସଳଖ ମହୋଦଧିର ରମଣୀୟ ନୀଳ ଜଳରାଶିକୁ ନଷ୍ଟ କରି ଦେଇଥାଏ। କାଗଜକଳ, ଲୁଗାକଳ, ଚମଡ଼ା କାରଖାନା ଓ ତୈଳ କାରଖାନାର ବର୍ଜ୍ୟ ପଦାର୍ଥ ଦ୍ୱାରା ମଧ୍ୟ ଜଳ ବିଶଦ ଭାବରେ ପ୍ରଦୂଷିତ ହୋଇଥାଏ। ପ୍ରଦୂଷିତ ଜଳରେ ଜୀବାଣୁ ଓ ଭୂତାଣୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥାଏ। ‘ସାଲମୋନେଲା ଟାଇଫି’, ‘ନୋରା’ ଭାଇରସ୍‌, ‘ପାରାସାଇଟିକ’ ଜୀବାଣୁ, ‘ଜିଆଡିଆ’ ଲାମ୍ବଲିଆ ଇତ୍ୟାଦି ଜୀବାଣୁମାନଙ୍କର ସଂଖ୍ୟା ହୁ ହୁ ପରିମାଣରେ ପ୍ରଦୂଷିତ ଜଳରେ ବଢ଼ି ଯାଇଥାଏ। ନଦୀ ବା ସମୁଦ୍ରରେ ତୈଳକୂପ ଖନନ ଦ୍ୱାରା ମଧ୍ୟ ଜଳ ପ୍ରଦୂଷିତ ହୋଇଥାଏ। ପ୍ରଦୂଷିତ ପାଣି ହେତୁ ମତ୍ସ୍ୟ ସମୁଦାୟର ଉପତ୍ାଦକ ହାର ଯଥେଷ୍ଟ ପରିମାଣରେ ସଙ୍କୁଚିତ ହୋଇଥାଏ। ପରିଣାମ ସ୍ବରୂପ ଉତ୍ତମ ମାଛ, ଜିଅନ୍ତା କଙ୍କଡ଼ା ଓ ମନଲୋଭା ଚିଙ୍ଗୁଡ଼ିର ମୂଲ୍ୟ ଅତ୍ୟଧିକ ହୁଏ। ଗ୍ରାହକମାନେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କିଣାବିକା ମଧ୍ୟ କମ୍‌ ହୋଇଥାଏ। ସୁତରାଂ ମସ୍ୟଜୀବୀମାନଙ୍କର ପେଟପାଟଣା ଦୁଃଖଦାୟକ ହୋଇଥାଏ। ଅନିର୍ମଳ ପାଣି ହେତୁ ମନୁଷ୍ୟସମାଜ, ‘ଟାଇଫଏଡ୍‌’, ‘ଡିସେଣ୍ଟ୍ରି’, ଫୁଡ୍‌ ପଏଜନିଂ ଓ ଜଆଡିଆସିସ ରୋଗ ଇତ୍ୟାଦିର ଶିକାର ହୋଇଥାନ୍ତି।
ଜଳ ପ୍ରଦୂଷଣ ଏକ ଜାଗତିକ ଓ ଚିନ୍ତନୀୟ ସମସ୍ୟା ହେତୁ ଏହାର ନିରାକରଣ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ନିହାତି ଯୁକ୍ତିଯୁକ୍ତ ବୋଲି ମନେହୁଏ। କଡ଼ାକଡ଼ି ଆଇନ ପ୍ରଣୟନ ଦ୍ୱାରା ଜଳ ପ୍ରଦୂଷଣକୁ ରୋକାଯାଇପାରେ; ପ୍ରଦୂଷଣ ଆଇନକୁ ବିରୋଧାଚରଣ କରୁଥିବା କଳକାରଖାନା ଓ ବ୍ୟକ୍ତି ସମୁଦାୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏକ ଯଥାର୍ଥ ପଦକ୍ଷେପ ହେବ। କୃଷି କ୍ଷେତ୍ରରେ ରାସାୟନିକ ସାରର ନିୟନ୍ତ୍ରଣ ଆବଶ୍ୟକ। ଦୂଷିତ ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରାଗଲେ ପ୍ରଦୂଷଣର ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଯିବ। ତୈଳ ବିଶୋଧନ, ତୈଳକୂପ ଖନନ ଏବଂ ସର୍ବୋପରି ଜାହାଜ ଦ୍ୱାରା ପେଟ୍ରୋଲିୟମ ତୈଳର ପ୍ରେରଣ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଜଳାଶୟରେ ବୃଦ୍ଧି ପାଉଥିବା ଜଳଜ ଉଦ୍ଭିଦ, ଶୈବାଳ ଓ ଦଳ ପ୍ରଭୃତିକୁ ବାହାର କରି ନଷ୍ଟ କରିଦେଲେ ଜଳାଶୟର ପ୍ରଦୂଷଣ ନିୟନ୍ତ୍ରିତ ହୋଇଥାଏ। ବିଶୁଦ୍ଧ ଜଳର ଉପାଦେୟତା ଓ ଜଳପ୍ରଦୂଷଣର ନିୟନ୍ତ୍ରଣ ଉପରେ ଜନସଚେତନା ସୃଷ୍ଟି କଲେ ଜଳ ପ୍ରଦୂଷଣକୁ ପ୍ରତିରୋଧ କରିବା ଅସମ୍ଭବ ହେବ ନାହିଁ। ପୃଥିବୀରେ କ୍ରମଶଃ ବିଶୁଦ୍ଧ ଜଳର ପରିମାଣ କମିକମି ଯାଉଛି; ଏହା ମାନବ ସଭ୍ୟତା ପାଇଁ ଏକ ସଙ୍କଟଜନକ ସ୍ଥିତି। ତେଣୁ ଜଳ ପ୍ରଦୂଷଣର ଭୟାବହତାକୁ ସର୍ବସାଧାରଣ ଉପଲବ୍ଧି କରିବା ଉଚିତ; ସୁତରାଂ ଜଳ ସଂରକ୍ଷଣ ଓ ପ୍ରଦୂଷଣ ନିରାକରଣ କ୍ଷେତ୍ରରେ ସାମୂହିକ ପଦକ୍ଷେପ ସର୍ବାନ୍ତକରଣରେ ଏକ ସ୍ବାଗତଯୋଗ୍ୟ ପନ୍ଥା। ତେଣୁ ସମସ୍ତଙ୍କର ମନେରଖିବା ଉଚିତ ଯେ, ‘ଜଳ ପ୍ରଦୂଷଣେ ଜୀବନ ନିରସ : ଜଳ ବିଶୋଧନେ ଜୀବନ ସରସ’।
ମନ୍ଦିର ମାର୍ଗ, ଭୁବନେଶ୍ୱର,
ମୋ:୯୯୩୮୬୫୮୭୫୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମା’ ଛେଉଣ୍ଡ ନବଜାତ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଲେ ବିଚାରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ...

ଅସୁରକ୍ଷିତ ଈଶ୍ୱର

ଡ. ବାସନ୍ତୀ ମହାନ୍ତି ‘ଆମତ୍ପରିତ୍ୟାଗେନ ପରରକ୍ଷଣଂ ନ କର୍ତ୍ତବ୍ୟମ୍‌’। ‘ଆପେ ବଞ୍ଚିଲେ ବାପର ନାଁ ’ ବୋଲି ଆମ ସମାଜଶାସ୍ତ୍ରୀମାନେ ଆମକୁ ସତର୍କ କରିଦେଇ ଯାଇଛନ୍ତି।...

ବର୍ଜନ ଗର୍ଜନ

କରୋନା ଭାଇରସ୍‌ ବ୍ୟାପିବା ଯୋଗୁ ଭାରତୀୟ ଅର୍ଥନୀତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହା ପୂର୍ବରୁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭାଙ୍ଗିପଡ଼ିିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଚାପରେ ବିଦ୍ୟାର୍ଥୀ ଓ ଆତ୍ମହତ୍ୟା

ଡା. ସମ୍ରାଟ କର ଭାରତୀୟ ଛାତ୍ରୀଛାତ୍ରମାନେ ଆଜିକା ସମୟରେ ନିଜର ସଫଳତାର ମାତ୍ରାକୁ ପୂରଣ କରିବା ପାଇଁ ସ୍ବାଭାବିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେଥିରେ ଆଉ...

ଅବହେଳିତଙ୍କ ସ୍ବର ଆଜି ନିଷ୍ପ୍ରଭ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ବିଶ୍ୱରେ ଉଭୟ ରାଜନୈତିକ, ଅର୍ଥନୈତିକ ଦୃଶ୍ୟପଟରେ ଯେଉଁ ବଡ଼ ପରିବର୍ତ୍ତନ ଘଟୁଛି ସେଥିରେ ଧନୀ ଅଧିକ ଧନୀ, କ୍ଷମତାଶାଳୀ...

ଅପେକ୍ଷାରତ

ଉତ୍ତରପ୍ରଦେଶର ଜାଲାଉନ୍‌ ଜିଲାରେ ୧୬ ଜୁଲାଇରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସଓ୍ବେ ଉଦ୍‌ଘାଟନ କରିବା ପରେ ଏକ ଜନସଭାରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ...

ଜନସେବାର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ବିଧାୟକ ବା ସାଂସଦ ହେବାକୁ ଚାହୁଁଥିବା ପ୍ରାର୍ଥୀମାନେ କହୁଛନ୍ତି, ସେମାନେ ନିର୍ବାଚନରେ ଜିତିଲେ ଜନସେବା କରିବେ। ମାତ୍ର ସେମାନେ ଭୁଲିଯିବା...

ଦାୟିତ୍ୱ ଖସାଇବାର ପ୍ରୟାସ

ବିଚିତ୍ର ବିଶ୍ୱାଳ ବୁଢ଼ାଲୋକ ଜଣକ ଜୀବନସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ। ସେହି ସମ୍ପତ୍ତିି ମଧ୍ୟରେ ଜମି,...

Advertisement
Archives

Model This Week