ଜଳ ସନ୍ଧାନୀ

ଭୂପୃଷ୍ଠରେ ଜଳର ସ୍ତର କେଉଁଠି କେତେ ପରିମାଣରେ ରହିଛି, ତା’ର ସନ୍ଧାନ ଦେଉଥିବା ଜଳ ସନ୍ଧାନୀଙ୍କ ସମ୍ପର୍କରେ..

 

ଭୌଗୋଳିକ ସ୍ଥିତି ଅନୁଯାୟୀ ତିନିଭାଗ ଜଳ ଏକ ଭାଗ ସ୍ଥଳ ଥିଲେ ହେଁ ପ୍ରାୟ ୦.୫ ପ୍ରତିଶତ ଜଳ ପାନୀୟଭାବେ ଉପଯୋଗୀ। ଯାହା ସାଧାରଣତଃ ନଦୀ, ପୋଖରୀ ଓ ଭୂତଳଜଳରୁ ମିଳିଥାଏ। କିନ୍ତୁ ଭୂତଳ ଜଳର ମାତ୍ରା ସବୁଠି ସମାନ ନ ଥାଏ। ଏମିତି ଅନେକ ଯାଗା ଅଛି, ଯେଉଁଠି ଜଳର ସ୍ତର ବହୁତ ଗଭୀରକୁ ଚାଲି ଯାଇଥାଏ। ସାଧାରଣତଃ ଏହି ସ୍ତର ସେହି ଅଞ୍ଚଳର ମୃତ୍ତିକା ଉପରେ ହିଁ ନିର୍ଭର କରିଥାଏ। ନଦୀ ଅବବାହିକାରେ ହୁଏତ କମ୍‌ ଗଭୀରରେ ମାଟି ଖୋଳିଲେ ଜଳ ମିଳିପାରେ ମାତ୍ର ଶୁଷ୍କ ଅଞ୍ଚଳରେ ଜଳର ସନ୍ଧାନ ମିଳିବା କଷ୍ଟକର। ପୁଣି ଏମିତି କେତେକ ଅଞ୍ଚଳ ଅଛି, ଯେଉଁଠାରେ କେବଳ ନିର୍ଦ୍ଦିଷ୍ଟ କେତେକ ଋତୁରେ ହିଁ ଭୂଭାଗରେ ଗଛିତ ରହୁଥିବା ଜଳ ମିଳିଥାଏ। ସେହିପରି ଗ୍ରୀଷ୍ମଋତୁରେ ଜଳପରିମାଣ କମିବା ସହିତ ହଠାତ୍‌ ଶୁଷ୍କ ହୋଇଯାଏ। ତେଣୁ ଯେତେବେଳେ କୌଣସି ଲୋକ ପାନୀୟ ଜଳ ପାଇଁ ଖନନ କଥା ଚିନ୍ତା କରନ୍ତି, ସେମାନେ ଚିନ୍ତାରେ ପଡ଼ି ଯାଆନ୍ତି, ଯେ କେତେ ମାଟି ଖୋଳିବା ପରେ ଜଳର ସନ୍ଧାନ ମିଳିବ। ଅବଶ୍ୟ ଏହି ସମସ୍ୟାର ସମାଧାନ କରିଥାନ୍ତି ଜଳ ସନ୍ଧାନୀମାନେ। ଜଳସନ୍ଧାନ ସମ୍ପର୍କରେ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କ ଅନୁଭବ ଓ ଅନୁଭୂତିକୁ ନେଇ ବିଭିନ୍ନ ପାରମ୍ପରିକ ସୂତ୍ର ଓ ବୈଜ୍ଞାନିକ ପଦ୍ଧତିକୁ ଭିତ୍ତିକରି କହିଥାନ୍ତି ଭୂତଳ ଜଳଉତ୍ସର ଠିକଣା। ସେମିତି କେତେଜଣ ବ୍ୟକ୍ତିଙ୍କ ସମ୍ପର୍କରେ….
ଦୁଇଟି ବାଡ଼ି ସାହାଯ୍ୟରେ ଭୂତଳ ଜଳଉତ୍ସ ବାରିପାରେ: ଦିନକୁ ଦିନ ଭୂପୃଷ୍ଠରେ ମଧୁର ଜଳର ଅଭାବ ପରିଲକ୍ଷିତ ହେଉଛି। ବିଶେଷକରି ଖରାଦିନେ ବିଭିନ୍ନ ସ୍ଥାନରେ ଜଳସଙ୍କଟ ଦେଖାଦେଉଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଗାଁ ହେଉ କି ସହର ଘରୋଇଭାବେ ଜଳସଂଗ୍ରହ ପାଇଁ କେହି କେହି ନଳକୂପ, କୂପ ଆଦି ଖନନ କରିଥାନ୍ତି। ତେବେ କୂପ ଖନନ ପୂର୍ବରୁ ଭୂତଳରେ ଜଳସ୍ତର କେଉଁଠାରେ କେତେ ପରିମାଣରେ ଗଚ୍ଛିତ ରହିଛି ତାହା ଜାଣିବା ପାଇଁ ଜଳଉତ୍ସ ସମ୍ପର୍କରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଆଯାଏ। ସେମିତି ଜଣେ ବ୍ୟକ୍ତି ହେଲେ ଅତୁଲ କୁମାର ରାଉତ, ଯେକି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଘର କେନ୍ଦୁଝର ଜିଲାର ଘଟଗାଁ ବ୍ଲକ ଅନ୍ତର୍ଗତ ତରା ଗ୍ରାମରେ। ସେ କୁହନ୍ତି, କେନ୍ଦୁଝର ଜିଲା ସମେତ ରାଜ୍ୟର ଅନେକ ସ୍ଥାନରେ ଜଳ ଉତ୍ସର ସନ୍ଧାନ ପାଇଁ ଯାଇଛି। ଥରେ ଘର ପାଖରେ ଏକ କୂପ ଖନନ ପାଇଁ ଚିନ୍ତା କରିଥିଲି। ଏଠାକାର ଭୂମି ପଥୁରିଆ ହୋଇଥିବାରୁ ଉପଯୁକ୍ତ ସ୍ଥାନ ଚୟନ କରିବା ପାଇଁ ମୁଁ ଆନନ୍ଦପୁର ଅଞ୍ଚଳରେ ରହୁଥିବା ଜଣେ ବୈଷ୍ଣବ ସାଧୁଙ୍କ ଆଶ୍ରିତ ହୋଇଥିଲି। ସେହି ସାଧୁ ମତେ ଏକ ବାଡ଼ି ସହାୟତାରେ ଭୂତଳ ଜଳସନ୍ଧାନର ରହସ୍ୟ ଜଣାଇଥିଲେ। ସାଧୁଙ୍କ କାର୍ଯ୍ୟଧାରା ମୋତେ ବେଶି ପ୍ରଭାବିତ କରିଥିଲା। ସେହି ଦିନଠାରୁ ସେହି ସାଧୁଙ୍କ ପାଖରୁ ଶୁଣିଥିବା ଜଳଉତ୍ସ ରହସ୍ୟର କଥା, କୌଶଳକୁ ଶିଖିବା ପାଇଁ ମନ ବଳାଇଥିଲି। ତା’ପରେ ଏହି କାର୍ଯ୍ୟକୁ ପରୀକ୍ଷା କରିବା ପାଇଁ ଗୋଟିଏ ସ୍ଥାନରେ ଜଳଉତ୍ସର ସନ୍ଧାନ କରିଥିଲି, ଏଥିରେ ସଫଳତା ମିଳିଥିଲା। ତା’ପରେ ଧୀରେ ଧୀରେ ଯାହାର କେଉଁଠି କୂପ ଖନନ ହେଲା ସେଠାରେ ଜଳଉତ୍ସର ସନ୍ଧାନ ପାଇଁ ପରାମର୍ଶ ଦେବା ଆରମ୍ଭ କଲି। ତେବେ ଗୁରୁବାର ଓ ଏକାଦଶୀ ଦିନ ଜଳଉତ୍ସ ନ ଖୋଜିବା ପାଇଁ ବାରଣ କରିଥାଏ। ଅନ୍ୟଦିନରେ ଏହି କାର୍ଯ୍ୟ କରେ। ସାଧାରଣ ଭାବେ ଦୁଇଟି ବାଡ଼ି ସାହାଯ୍ୟରେ ଭୂତଳର ଜଳଉତ୍ସ କେଉଁଠି ଅଛି ତାହା ମୁଁ ଜଣାଇଥାଏ। ତେବେ ଜଳ ଉତ୍ସ ସନ୍ଧାନକୁ ନେଇ ମୁଁ କେତୋଟି ଉପାୟ ଅବଲମ୍ବନ କରିବା ସହ ନିୟମ ମାନି ଥାଏ। ଯେମିତିକି ଯେଉଁ ବ୍ୟକ୍ତିଙ୍କ ବାଡ଼ିରେ ଗଭୀର କୂପ ପାଇଁ ଜଳଉତ୍ସ ସନ୍ଧାନ କରାଯିବ ସେହି ବ୍ୟକ୍ତିଙ୍କ ଘରେ ସେ ଅନ୍ନଭୋଜନ କରେ ନାହିଁ। ଗଭୀର ଜଳଉତ୍ସ ଚିହ୍ନଟ ପାଇଁ ସବୁଠାରୁ ବିଶ୍ୱସନୀୟ ବସ୍ତୁ ହେଉଛି ମୋ ପାଇଁ ବାଡ଼ି। ଏହି ବାଡ଼ି ପେନ୍‌ସିଲ ମୋଟେଇର, ଏହାର ଲମ୍ବ ପ୍ରାୟ ୧ଫୁଟ। ଜଳଉତ୍ସ ସନ୍ଧାନରେ ଯେଉଁଠିିକୁ ଯାଏ ବାଡ଼ିଧରି ଚାଲିଲାବେଳେ ଜଳଉତ୍ସ ଦେଖିଲେ ବାଡ଼ି ହାତରେ ବୁଲିଥାଏ। ସେହିପରି ନଡ଼ିଆକୁ ପାପୁଲିରେ ରଖି ଜଳଉତ୍ସ ଖୋଜିବା ସମୟରେ ତାହା ଛିଡ଼ା ହୋଇଯାଇଥାଏ। ବିଗତ ୨୨ବର୍ଷ ମଧ୍ୟରେ ପ୍ରାୟ ୬ହଜାରରୁ ଊର୍ଦ୍ଧ୍ୱ ଗଭୀର ନଳକୂପ ପାଇଁ ଜଳଉତ୍ସର ସନ୍ଧାନ ମୁଁ ଦେଇସାରିଛି। ଏମିତିରେ ନଳକୂପ ଓ କୂପ ପାଇଁ ସ୍ଥାନ ନିରୁପଣ କରିବାରେ ଅନେକ ଅନୁଭୂତି ରହିଛି। ଜଳ ସନ୍ଧାନ ପାଇଁ ମୋର ନିଆରା ପରିଚୟ ସୃଷ୍ଟି ହୋଇପାରିଛି। ସେ ଜଳସନ୍ଧାନ କରିଥିବା ଜଣେ ବ୍ୟକ୍ତି ହେଲେ କେନ୍ଦୁଝର ଜିଲାର ମହେନ୍ଦ୍ର ଦାସ। ସେ କୁହନ୍ତି, ଆମର ଏକ ପଡ଼ିଆ ଜାଗାରେ ଏକ ବୋରଓ୍ବେଲ ଖୋଳିବାର ଥାଏ। ଏଥିପାଇଁ ଆମେ ଅତୁଲ ରାଉତଙ୍କୁ ଡ଼ାକିଥିଲୁ। ତାଙ୍କର ପରାମର୍ଶରେ ଜଳର ସନ୍ଧାନ ପାଇ ସ୍ଥାନ ନିରୁପଣ କରାଯାଇଥିଲା। ଆଉ ଜଳର ଭଲ ଉତ୍ସ ମିଳିଥିଲା।
ଅଲୌକିକ ଅନୁଭୂତିରେ ଦୃଶ୍ୟମାନ ହୁଏ ଜଳଉତ୍ସ: ବଲାଙ୍ଗୀର ଜିଲାରେ ବହିଯାଇଛି ଉନ୍ଦେର, ଲାନ୍ଥ, ସୁକ୍‌ତେଲ, ତେଲ ଓ ଅଙ୍ଗ ଭଳି କେତେକ ନଦୀ। ମାତ୍ର କୌଣସି ନଦୀରେ ଜଳ ଗଚ୍ଛିତ ହୋଇ ରହେ ନାହିଁ। ବର୍ଷାଦିନେ ନଦୀର ପାଣି ସ୍ରୋତରେ ବୋହିଯାଇ ସମୁଦ୍ରରେ ମିଶିଥାଏ। ଖରାଦିନେ କ୍ରମଶଃ ନଦୀଗୁଡ଼ିକ ଶୁଷ୍କ ହୋଇପଡ଼େ, ଯାହାର ପ୍ରତିକୂଳ ପ୍ରଭାବ ଭୂତଳ ଜଳ ଉପରେ ପଡ଼ିଥାଏ। ଏଭଳି ପରିସ୍ଥିତିରେ ମଧୁର ଜଳର ଆବଶ୍ୟକତା ପୂରଣ ପାଇଁ ପାରମ୍ପରିକ ଜଳଉତ୍ସ ଗୁଡ଼ିକର ଆବଶ୍ୟକତା ପଡ଼ିଥାଏ। ତେବେ ମାଟିତଳେ ସବୁସ୍ଥାନରେ ଜଳଉତ୍ସ ସମାନ ନ ଥାଏ। କେଉଁଠାରେ ଅଧିକ ପରିମାଣରେ ଜଳଉତ୍ସ ରହିଛି ତାହା ଜାଣିବା ପାଇଁ କେହି କେହି ଜଳ ସନ୍ଧାନୀଙ୍କ ପରାମର୍ଶ ନେଇଥାନ୍ତି। ଏମିତି ଜଣେ ଜଳ ସନ୍ଧାନୀ ହେଲେ ବଲାଙ୍ଗୀର ଜିଲାର ରମାଇ ଟକିଜ୍‌ ରୋଡ଼ରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ଟିକମ୍‌ ଚାନ୍ଦ ଜୈନ। ସେ କୁହନ୍ତି- ଭୂତଳରେ ଜଳସନ୍ଧାନ କରିବା ଭାରି କଷ୍ଟକର । ୨ହଜାର ମସିହାରେ ମା’ ବୈଷ୍ଣୋଦେବୀଙ୍କ ପୀଠକୁ ଯାଇଥିଲି। ସେଠାରେ ଜଣେ ସାଧୁଙ୍କ ଚରଣ ସ୍ପର୍ଶ
କରିବାରୁ ସେ ମୋତେ ଆଶୀର୍ବାଦ ଦେଇଥିଲେ। ଗାଁରେ କିନ୍ତୁ ପାନୀୟଜଳର ସମସ୍ୟା ଥିଲା । ସେକଥା ସାଧୁଙ୍କୁ ଜଣାଇଥିଲି। ସେ କହିଥିଲେ ତୁ ଯା, ତୋତେ ପାଣି ଦେଉଛି, ଜଗତର କଲ୍ୟାଣ କରିବୁ। ସେତେବେଳେ ସାଧୁଙ୍କ ଏହି କଥାର ଖିଅକୁ ଠିକ୍‌ରେ ଜାଣିପାରିନଥିଲି। ମାତ୍ର ବୈଷ୍ଣୋଦେବୀଙ୍କ ପୀଠରୁ ଗାଁକୁ ଫେରିବା ପରେ ଗାଁ ନିକଟସ୍ଥ ଏକ ବାଳାଶ୍ରମକୁ ଯାଇଥିଲି। ସେଠାରେ ପିଲାଙ୍କ ପାଇଁ ପାନୀୟଜଳ ନିମନ୍ତେ ଏକ ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଲି। ପରିଚାଳନା କମିଟିର ସଦସ୍ୟମାନେ ଏହି ବାଳାଶ୍ରମ ପରିସରରେ ନଳକୂପ ଖୋଳିବା ପାଇଁ ସ୍ଥାନ ଖୋଜୁଥିଲେ, ଯେଉଁଠାରେକି ଅଧିକ ପରିମାଣରେ ପାଣି ମିଳିପାରିବ। ସେଥିପାଇଁ ଏହି ପରିସରରେ ଘୂରିବୁଲୁଥାଏ। ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ମୋର ଆଖି ହଠାତ୍‌ ବନ୍ଦ ହୋଇଗଲା। ସେହି ମୁଦ୍ରିତ ନୟନରେ ମତେ ପ୍ରଚୁର ପାଣି ଥିବାର ଦୃଶ୍ୟ ଅନୁଭବ କରୁଥିଲି। ସେହି ସ୍ଥାନରେ ନଳକୂପ ଖନନ ପାଇଁ ପରାମର୍ଶ ଦେବାରୁ ତାହା ସଫଳ ହୋଇଥିଲା। ତେବେ ମା ବୈଷ୍ଣୋଦେବୀଙ୍କ ପୀଠର ସେହି ସାଧୁଙ୍କ କଥାକୁ ସ୍ମରଣକରି ସେହିଦିନ ଠାରୁ ବିଭିନ୍ନ ସ୍ଥାନରେ ଜଳଉତ୍ସର ସନ୍ଧାନ ସମ୍ପର୍କରେ ସୂଚନା ଦେଇଆସୁଛି। ଏଯାଏ ପ୍ରାୟ ୨ହଜାରରୁ ଅଧିକ ନଳକୂପ ପାଇଁ ଜଳଉତ୍ସର ସନ୍ଧାନ କରିସାରିଲାଣି। ପୁଣି ବରଗଡ଼ ଜିଲାର ପାଇକମାଳସ୍ଥିତ ବାଲନିକେତନଠାରେ ଏକ ନଳକୂପ ଖନନ ପାଇଁ ଜଣେ ବ୍ୟକ୍ତି ଏକ ନଡ଼ିଆ ସାହାଯ୍ୟରେ ଜଳର ସନ୍ଧାନ କିପରି ମିଳିବ କହିଥିଲେ। ସେହି କଥାର ବିଶ୍ୱାସକୁ ପରୀକ୍ଷା କରି ସେହି କୌଶଳରେ ମଧ୍ୟ ଜଳଉତ୍ସର ସନ୍ଧାନ କରିପାରୁଛି। ଏହି ଜଳଉତ୍ସର ସନ୍ଧାନ ପାଇଁ ଆଜି ସୁଦ୍ଧା କାହାରିଠାରୁ ପଇସା କିଛି ନେଇନାହିଁ। ଏହା ଏକ ଜନସେବା ବୋଲି ଭାବିଛି। ତେବେ ଜଳସନ୍ଧାନ ପାଇଁ ସ୍ବତନ୍ତ୍ର ଭାବେ କୌଣସି ପୂଜାବିଧି ନାହିଁ,
କିନ୍ତୁ ଯେଉଁପରିବାରଙ୍କ ଜଳଉତ୍ସ ପାଇଁ କାର୍ଯ୍ୟ କରେ ତାଙ୍କ ଘରର ସଦସ୍ୟମାନେ ପବିତ୍ରତା ପାଇଁ ଶୁଦ୍ଧ ଶୌଚ ହୋଇ ଈଶ୍ୱରଙ୍କୁ ସ୍ମରଣ କରିଥାନ୍ତି। ଜଳ ସନ୍ଧାନରେ ଲାଗିପଡ଼ନ୍ତି। ସେଦିନ ସେଠାରେ କାହାରିଠାରୁ ଚା’ କି ପାଣି ମଧ୍ୟ ପିଇ ନ ଥାଏ। ଯେତେବେଳେ ଜଳ ସନ୍ଧାନ ମିଳେ ତା’ପରେ ଭୋଜନ କରିଥାଏ। ସକାଳବେଳା ଜଳ ସନ୍ଧାନ କଲେ ଭଲ। ନଡ଼ିଆ ହାତରେ ଧରି ଏକ କୌଶଳକୁ ଅବଲମ୍ବନ କରି ଜଳସନ୍ଧାନ କରିଥାଏ। ଯେତେବେଳେ ନଡ଼ିଆଟି ହଲିବାକୁ ଲାଗେ ସେଠାରେ ଜଳଉତ୍ସ ଥିବାର ଅନୁମାନ କରିଥାଏ। ପାଣିର ସ୍ରୋତ ଯେତେ ଅଧିକ ଥାଏ ନଡ଼ିଆ ସେତେ ବେଗରେ ହଲିଥାଏ। ଯେବେ ନଡ଼ିଆ ହାତରୁ ଖସିପଡ଼େ ସେହି ସ୍ଥାନରେ ନଳକୂପ ଖନନ ପାଇଁ କହିଥାଏ। ସିଧେଶ୍ୱର ମିଶ୍ର କୁହନ୍ତି ଏକ ନଳକୂଅ ପାଇଁ ପ୍ରଥମେ ନିନୋଟି ସ୍ଥାନକୁ ନିରୁପଣ କରାଯାଇଥିଲା । ମାତ୍ର ସେହିସେହି ସ୍ଥାନରେ ଜଳ ପଡ଼ିଲା ନାହିଁ। ଏକଦା ଟିକମଚାନ୍ଦ ଜୈନଙ୍କୁ ଡ଼ାକି ତାଙ୍କ ପରାମର୍ଶରେ ଆଉ ଏକସ୍ଥାନକୁ ନିରୁପଣ କରାଯାଇଥିଲା, ଯାହା କି ଉକ୍ତସ୍ଥାନରେ ଏବେ ଭଲପାଣି ମିଳୁଛି।
ବୈଦ୍ୟୁତିକ ଉପକରଣ ଜରିଆରେ ଭୂତଳ ଜଳଉତ୍ସ ଜାଣିହୁଏ: ଆର.ଡ଼ବ୍ଲୁ .ଏସ.ଏସର ଜଣେ ଅବସରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ହେଲେ ଲକ୍ଷ୍ମୀ ଧର ଦାଶ ସେ କୁହନ୍ତି ଭୂତଳ ଜଳ ଉନ୍ନୟନ ବିଭାଗ -ଭୂତଳ ଜଳସ୍ତର ଅନୁଧ୍ୟାନ କରିବା ଏକ ବୈଜ୍ଞାନିକ ପଦ୍ଧତି। ବିଭିନ୍ନ ବୈଦ୍ୟୁତିକ ଉପକରଣ ଜରିଆରେ ପରୀକ୍ଷଣ ପରେ ହିଁ ଭୂତଳ ଜଳଉତ୍ସ ସମ୍ପର୍କରେ ଜାଣିହୁଏ। ଏଥିପାଇଁ ଆଜିକାଲି ଭୂତଳ ଜଳ ଉନ୍ନୟନ ବିଭାଗ ଅତ୍ୟାଧୁନିକ ବୈଦ୍ୟୁତିକ ଉପକରଣ ରଖିଥାନ୍ତି। ଉକ୍ତ ଯନ୍ତ୍ର ସାହାଯ୍ୟରେ ପ୍ରାୟ ୨ମିଟର ଗଭୀର ପର୍ଯ୍ୟନ୍ତ ଭୂତଳ ଜଳସନ୍ଧାନ କରିହୁଏ। ଶବ୍ଦ ପରୀକ୍ଷଣ ପ୍ରକ୍ରିୟାରେ ଜଳସ୍ତରକୁ ମାପ କରାଯାଇଥାଏ। ମିଟର ଯେଉଁ ସ୍ଥାନରେ ରଖାଯାଏ ସେଠାରେ ଅର୍ଦ୍ଧଚନ୍ଦ୍ରାକାର ପରିଧିରେ ଭୂତଳ ସର୍ବେକ୍ଷଣ ରିପୋର୍ଟ ଆସିଥାଏ। ସେହି ରିପୋର୍ଟ ଆଧାରରେ ଉକ୍ତ ସ୍ଥାନରେ ପାଣି ଅଛି କି ନା ଜାଣିହୁଏ। ମାତ୍ର ସରକାରୀସ୍ତରରେ ବିଭିନ୍ନ ପଦ୍ଧତିକୁ ବ୍ୟବହାର କରାଯାଇଥାଏ। ତେବେ ବିଭିନ୍ନ ସ୍ଥାନରେ ଜଳଉତ୍ସ ଭିନ୍ନ ଥାଏ । ତେବେ କେତେକ ପାରମ୍ପରିକ କୌଶଳକୁ ଅବଲମ୍ବନକରି ଜଳ ସନ୍ଧାନ କରିବା ପୂର୍ବରୁ ପ୍ରାୟ ସବୁ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପୂଜାର୍ଚ୍ଚନାର ବିଧି ବିଭିନ୍ନ ସ୍ଥାନରେ ଭିନ୍ନ ହୋଇଥାଏ।ଆକାଶିଆ, ଜଝାଙ୍ଗି,ଅଥବା ଫାଶି ଗଛର ‘ଭି’Vପରି ରହିଥିବା କାଠିକୁ ନେଇ ଜଳଉତ୍ସ ଅଛି କି ନା ଖୋଜାଯାଏ। ଭି ପରି କାଠିଟି ସ୍ପ୍ରଙ୍ଗିପରି ଯେପରି କାମକରୁଥିବ ସେଥିପ୍ରତି ନଜର ଦେବାକୁ ପଡ଼ିଥାଏ। ଏହି ଭି ପରି କାଠିର ଅଗ୍ରଭାଗରେ ଦୁଇମୁଣ୍ଡକୁ ଦୁଇ ହାତରେ ଧରି ଉତ୍ତର ଦକ୍ଷିଣ ଦିଗ ଓ ପୂର୍ବ ପଶ୍ଚିମ ଦିଗ କୁ ଯିବାକୁ ପଡ଼ିବ। ଯେଉଁଠି ଜଳ ଉତ୍ସ ଥିବ ସେଠାରେ କାଠିଟି ଭି ପରି ଉପରକୁ ଉଠିଯିବ। ଜଳଉତ୍ସର ୫ଫୁଟ କିମ୍ବା ୧୦ଫୁଟ ପୂର୍ବରୁ ଲକ୍ଷଣ ଜଣାପଡ଼ିବ। ଅନ୍ୟପକ୍ଷେ ଉତ୍ତର ଦକ୍ଷିଣ ଦିଗ ଓ ପୂର୍ବ ପଶ୍ଚିମ ଦିଗକୁ ଜଳଉତ୍ସ ଜଣାପଡ଼ିଲେ ତାହା ସେଠାରେ କ୍ରସ କରିବ। ଭଲପାଣି ପଡ଼ିବ। ମୋ ଚାକିରି କାଳ ଭିତରେ ପ୍ରାୟ ୧୩୨ଟି ଜଳଉତ୍ସ ଚିହ୍ନଟ କରିସାରିଛି। ଆଜିକାଲି ଅନେକ ବ୍ୟକ୍ତି ଘରୋଇ ଭାବେ ପାରମ୍ପରିକ କୌଶଳକୁ ନେଇ ଜଳଉତ୍ସର ସନ୍ଧାନ କରିଥାନ୍ତି ।
ଦୁଇଟି ପାରମ୍ପରିକ ପ୍ରଣାଳିରେ ଜଳଉତ୍ସର ସନ୍ଧାନ ଜାଣେ:ସେହିପରି ଜଣେ ଜଳସନ୍ଧାନୀ ହେଲେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗାଁର ବୈକୁଣ୍ଠ ବିହାରୀ ମିଶ୍ର। ବୃତ୍ତିରେ ସେ ଜଣେ ଶିକ୍ଷାବିତ୍‌ ମାତ୍ର ନିଶା ଭୂତଳ ଜଳଉତ୍ସର ସଂନ୍ଧାନ କରିବା। ସେ କୁହନ୍ତି, ୧୯୯୫ ମସିହାଠାରୁ ଭୂତଳ ଜଳଉତ୍ସ ସନ୍ଧାନରେ ଲାଗିଛି। ଶିକ୍ଷକତା ବୃତ୍ତିରୁ ୨୦୦୪ରୁ ଅବସର ନେଇସାରିଛି। ଜଳଉତ୍ସ ସନ୍ଧାନକୁ ଅଧିକ ଗୁରୁତ୍ୱ ଦେଉଛି। ସେତେବେଳେ ବଲାଙ୍ଗୀର ଜିଲାର ଜଣେ ସୁନାମଧନ୍ୟ ଡାକ୍ତର ସୁବାସ ଚନ୍ଦ୍ର ରଥଙ୍କଠାରୁ ଏହି ଜଳଉତ୍ସ ସନ୍ଧାନ ବିଷୟରେ କିଛି ଜାଣିଥିଲି। ଏହାକୁ ପରୀକ୍ଷା କରି ସଫଳତା ପାଇଲି । ସ୍ବର୍ଗତ ରଥ ଜଣେ ଡାକ୍ତର ଥିଲେ ମଧ୍ୟ ସେ ବିଭିନ୍ନ ବିଷୟରେ ଗବେଷଣା କରୁଥିଲେ। ତାଙ୍କଠାରୁ ଶୁଣିଥିଲି ସେ ଏକ ଇଂରାଜୀ ପତ୍ରିକାରୁ ଜଳସନ୍ଧାନ ବିଷୟରେ ଗବେଷଣା ପାଇଁ ଆଗ୍ରହୀ ହୋଇଥିଲେ। ତେବେ ଇଂଲିଶ ଓ୍ବାଇ(y) ଅକ୍ଷର ଭଳି ଦେଖାଯାଉଥିବା ଏକ ବାଡ଼ି ସାହାଯ୍ୟରେ ସେ ଜଳସନ୍ଧାନ କରୁଥିଲେ। ଏହା ତାଙ୍କଠାରୁ ଦେଖିଦେଖି ଗବେଷଣା ପ୍ରତି ଆକୃଷ୍ଟ ହୋଇ ଏହି କାର୍ଯ୍ୟରୁ ମତେ କିଛି ସଫଳତା ମିଳିଥିଳା। ଡ. ରଥଙ୍କ ପରଲୋକରେ ନିଜେ ଏହି ଗବେଷଣା କରି ଜଳସନ୍ଧାନର ଉପାୟ ଖୋଜି ବାହାର କରିଥିଲି। ଜଳର ସନ୍ଧାନ ପାଇଁ ଓ୍ବାଇ ଅକ୍ଷର ଆକୃତିର ଏକ ବାଡ଼ିକୁ ଗଭୀର ମାଟିତଳେ ରଖି ପରୀକ୍ଷା କରିଥାଏ। ଏମିତିକି ନଡ଼ିଆର ସାହାଯ୍ୟ ନେଇଥାଏ। ବାଡ଼ି ଓ ନଡ଼ିଆ ଏହି ଦୁଇଟି ପଦ୍ଧତିରେ ଜଳଉତ୍ସ ସନ୍ଧାନ କାର୍ଯ୍ୟ କରିଆସୁଛି। ପ୍ରାୟ ୮ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ଏମିତି ଜଳଉତ୍ସର ସନ୍ଧାନ କରିସାରିଲାଣି।ଏହା ଦ୍ୱାରା ଲୋକଙ୍କ ପାଇଁ ପାଣି ମିଳିବାର ଠିକଣା ମିଳିପାରୁଛି। ଟିକିରାପଡ଼ାର ଆଶୁତୋଷ ତ୍ରିପାଠୀ କୁହନ୍ତି ବଳାଙ୍ଗୀର ରେଳ ଷ୍ଟେଶନ ନିକଟସ୍ଥ ଅଞ୍ଚଳରେ ଆମର ଏକ ପ୍ଲଟରେ ନୂତନ ଘର ତିଆରି କରିଥିଲୁ ଏବଂ ବୋରଓ୍ବଲ ଖନନ ପାଇଁ ପାଣିର ସନ୍ଧାନ ନିମନ୍ତେ ବୈକୁଣ୍ଠ ମିଶ୍ରଙ୍କ ପରାମର୍ଶ ନେଇଥିଲୁ। ସେ ଜଳର ସନ୍ଧାନ କରିଥିଲେ।ଏବେ ଭଲରେ ପାଣିମିଳୁଛି। ତେବେ ପାରମ୍ପରିକ କେତେକ କୌଶଳକୁ ଭିତ୍ତିକରି ଜଳଉତ୍ସର ସନ୍ଧାନ କରାଯାଉଥିବା ବେଳେ ଏହା ଅନେକଙ୍କ ବିଶ୍ୱାସ ଓ ଅନ୍ଧବିଶ୍ୱାସ ମନେହେଉଥିବା ବେଳେ ବୈଜ୍ଞାନିକ ସୂତ୍ରରେ ଆଧୁନିକ ପ୍ରଣାଳିରେ ମଧ୍ୟ ଭୂତଳ ଜଳର ସ୍ଥାନ ନିରୁପଣ ହୋଇପାରୁଛି। ତେବେ ଏମିତି କାଯ୍ୟରେ ଏମାନଙ୍କ ବ୍ୟତିତ୍‌ ଅନେକ ବ୍ୟକ୍ତି ରହିଛନ୍ତି।
-ବନବିହାରୀ ବେହେରା,ବିରେନ୍ଦ୍ର ଝାକର, ଲୋକନାଥ ମିଶ୍ର, ରାଜେନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?