ଶାନ୍ତି ପାଇଁ ଯୁଦ୍ଧ

ରଞ୍ଜନ କୁମାର ଦାସ

ଶାନ୍ତିରେ ଶୋଇବାକୁ, ବସିବାକୁ ଚାହଁୁଥିବା ଲୋକଙ୍କର ସବୁଠୁ ବଡ଼ ଶତ୍ରୁ ହେଲା ମଶା। ଆପଣ କ’ଣ ଗୋଟେ କରିବାକୁ ମନସ୍ଥକରି ବସିଲାବେଳକୁ ଟେବୁଲ ଫାଙ୍କରୁ ଆସି ଗୋଡ଼କୁ କାମୁଡ଼ିଦେବ। ଦିନଯାକର କ୍ଳାନ୍ତି ପରେ ଖଟରେ ଟିକେ ଗଡ଼ିପଡ଼ିଲା ବେଳକୁ କାନ ପାଖରେ ଆସି ଗଣଗଣ କରି ତା’ର ବିରକ୍ତିକର ଗୀତ ଆରମ୍ଭ କରିଦେବ। ଶାନ୍ତିପ୍ରିୟ ମଣିଷ ବିଚରା ତାକୁ ଘଉଡ଼ାଇ ଦେବାକୁ ହାତଗୋଡ଼ ହଲାଏ। ମାତ୍ର ମଶାର ଜନ୍ମ ତ ନିଉଛୁଣା, ରକ୍ତ ଶୋଷିବା ତା’ କର୍ମ, ଅନ୍ୟକୁ କଷ୍ଟଦେବା ତା’ ଧର୍ମ। ସେ କ’ଣ ଏ ହାତଗୋଡ଼ ହଲାକୁ ଡରେ? ହାତଗୋଡ଼ ହଲେଇଲେ ଟିକେ ଉଡ଼ି ପଳେଇବ, ପୁଣି ଟିକିଏ ପରେ ଫେରିବ ତା’ର ଅଭ୍ୟାସଗତ ଉପଦ୍ରବ କରିବାକୁ। ମଶା ଯଦି ସେତେ କ୍ଷତିକାରକ ନ ହୋଇଥା’ନ୍ତା ତ ଚିନ୍ତା ନ ଥିଲା। କାହିଁକି ମିଛରେ ତା’ ପଛରେ କିଏ ପଡ଼ନ୍ତା? ବିଷାକ୍ତ ତା’ ରକ୍ତରେ ନିଜ ହାତକୁ ରଞ୍ଜିତ କରନ୍ତା? ମାତ୍ର ମଶାର ସାମାନ୍ୟ କାମୁଡ଼ା ଟିକକ ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ଭଳି ରୋଗ ଆଣିପାରେ। ତେଣୁ ତାକୁ ମାରିବାର ଆବଶ୍ୟକତା ପଡ଼େ। କେବେକେବେ ଗୋଟାଏ ଚାପୁଡ଼ାକୁ ତା’ର ଜୀବନ ନ ଥାଏ। କେବେକେବେ ଅଧିକ ଚାଲାକ ମଶାଙ୍କ ପାଇଁ ଇଲେକ୍ଟ୍ରିକ୍‌ ର଼୍ୟାକେଟ ଦରକାର ପଡ଼େ। ତହଁୁ ଅଧିକ ମଶା ହେଲେ ଧୂଅଁା, ଧୂପ ବା ହିଟ୍‌ ଭଳି ରାସାୟନିକ ସ୍ପ୍ରେ’ର ଆବଶ୍ୟକତା ପଡ଼େ। ବେଳେବେଳେ ଆପଣ ଭାବିବେ ମଶାଟାକୁ ମାରିଲେ ହାତରେ, କାନ୍ଥରେ ବା ମଶାରିରେ ରକ୍ତର ଦାଗ ଲାଗିବ। ତେଣୁ ତାକୁ ବରଂ ଘଉଡ଼ାଇ ଦିଅ ା ମାତ୍ର ମଶାର ଔଦ୍ଧତ୍ୟ ହିଁ ତା’ର ମୃତ୍ୟୁର କାରଣ ପାଲଟେ। ବିରକ୍ତିର ଚରମସୀମାରେ ପହଞ୍ଚିଲା ପରେ ମଣିଷ ଆଉ କରିବ କ’ଣ? ହାତରେ ରକ୍ତ ପଛେ ଲାଗୁ ମଶାଙ୍କର ମୃତ୍ୟୁହେବା ନିହାତି ଜରୁରୀ ବୋଲି ସେ ଭାବେ।
ମଶାଭଳି ରାତି ଅଧରେ କେବେକେବେ ବିରାଡ଼ି ବୋବାଏ। ବିରକ୍ତିକର ଏ ମାର୍ଜାରର ରାବ ଶୁଣିଲେ ଅଶୁଭ ବୋଲି ବିବେଚନା କରାଯାଏ। ତଥାପି ମଣିଷ ଧୈର୍ଯ୍ୟର ସହ ଅପେକ୍ଷା କରେ ସେ କେବେ ମନକୁମନ ଚାଲିଯିବ ବୋଲି। ନ ଗଲେ ବାଧ୍ୟହୋଇ ଟେକାପଥର ମାରି ତାକୁ ଘଉଡ଼ାଇବାକୁ ପଡ଼େ। ବଡ଼ ଧର୍ମସଙ୍କଟ। ଟେକାପଥର ମାରୁ ମାରୁ ବିରାଡ଼ି ମରିଗଲେ ବି ପାପ ହେବ। ଆଣ୍ଠୁକୁଡ଼ା ଦୋଷ ଲାଗିବ ବୋଲି ଲୋକେ କହନ୍ତି। କ’ଣ କରାଯିବ, ଗାଈ ମାରିଲେ ମଲି, ଗାଈକି ମାରିଲେ ମଲି।
ଏ ମଶା ଓ ମାର୍ଜାରମାନେ ଜୀବନର ସବୁ ସର୍ଗରେ କେଉଁଠି ନା କେଉଁଠି ଅନୁପ୍ରବେଶ କରନ୍ତି। ତାଙ୍କର ଉପସ୍ଥିତି କାହାରି କାମ୍ୟ ନୁହେଁ ବୋଲି ଜାଣି ମଧ୍ୟ ସେମାନେ ଏଭଳି କରନ୍ତି। ସେମାନଙ୍କୁ ଯେତେ ଅଣଦେଖା କଲେ ବି ସେମାନେ କୌଣସି ନା କୌଣସିମତେ ଶାନ୍ତି ବ୍ୟାହତ କରନ୍ତି। କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି। ଏ ମଶା ତ ଦିନରାତି ନାଳନର୍ଦ୍ଦମାରେ ଦିନ କାଟେ। ଏ ମାର୍ଜାର ତ ୟା’ ତା’ ଅଇଁଠା ଖାଇବାରେ, ଲୁଚିଛପି କାହା ଘରେ ପଶି ହାଣ୍ଡିଶାଳରେ ମୁହଁ ମାରିଦେବାରେ ଅଭ୍ୟାସ ରଖେ। ସେମାନଙ୍କଠାରୁ କ’ଣ ବା ଭଲ ଆଉ ଆଶା କରାଯାଇପାରେ? ଅତିବେଶିରେ ସେମାନେ ଅବହେଳା ଓ ଅବଜ୍ଞାର ଯୋଗ୍ୟ ବୋଲି ଆମେ ଭାବୁ। ମାତ୍ର ଯେତେବେଳେ ମଶାଙ୍କର ବ୍ୟବହାର ଅତିରିକ୍ତ ଅତିଷ୍ଠ କରେ, ଆମେ ବାଧ୍ୟହେଉ ଖବରକାଗଜ ମୋଡ଼ି ଅସ୍ତ୍ର ତିଆରି କରିବାକୁ, ହାତ ଉଠାଉ ତା’ର ନିପାତ କରିବାକୁ, ହିଟ୍‌ କିଣୁ ସ୍ପ୍ରେ କରିବାକୁ। ସେହିଭଳି ମାର୍ଜାର ନିଜକୁ ଯେତେ ବଡ଼ ଶିକାରୀ ଭାବୁ, ସିଂହ ଭଳି ଠାଣି ଦେଖାଉ ପଛେ, ମାର୍ଜାର ମାର୍ଜାର ହୋଇ ରୁହେ। ଗୋଟାଏ ଫୋପଡ଼ ତା’ଠି ବାଜିଗଲେ ସେ ଛୋଟେଇ ଛୋଟେଇ ପଳାଏ, ଆଉ ଦୁଆର ମାଡ଼େନି।
ସମାଜରେ ଥିବା ଅନେକ ମଣିଷଙ୍କ ଭିତରେ ବି ଏ ମଶକ ଓ ମାର୍ଜାର ପ୍ରକୃତି ଅଛି। ସେମାନେ ବିରକ୍ତ କରନ୍ତି, ଅତିଷ୍ଠ କରନ୍ତି, ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତି। ମାତ୍ର ଧୈର୍ଯ୍ୟର ବି ଗୋଟେ ସୀମା ଥାଏ। ସେ ସୀମା ଅତିକ୍ରମ କଲେ ଆଉ ବନ୍ଧବାଡ଼ ମାନେନି କ୍ରୋଧର ବନ୍ୟା। ସାଧାରଣ ମଣିଷର ନୀରବତାକୁ ଓ ସହିଷ୍ଣୁତାକୁ ଯେତେବେଳେ ଏ ମଶକ ଓ ମାର୍ଜାରମାନେ ଆହ୍ବାନ ଦିଅନ୍ତି, ବେଳେବେଳେ ସେ ଆହ୍ବାନକୁ ଗ୍ରହଣ କରିବାକୁ ପଡ଼େ। ନୀରବତା ଭାଙ୍ଗି ଉଠିବାକୁ ପଡ଼େ। ଶାନ୍ତଶିଷ୍ଟ ଲୋକଙ୍କୁ ମଧ୍ୟ ଅସ୍ତ୍ର ଧରିବାକୁ ପଡ଼େ। ବାସ୍ତବରେ ଶାନ୍ତ ଲୋକେ ଯେତେବେଳେ ଅସ୍ତ୍ର ଧରିବାର ପ୍ରୟୋଜନୀୟତା ଅନୁଭବ କରନ୍ତି, ସେତେବେଳେ ତାଙ୍କର କ୍ରୋଧ କମିବାର ନଁା ଧରେନି ।
ଶାନ୍ତଶିଷ୍ଟ, ସରଳ, ଅମାୟିକ ବୁଦ୍ଧିଜୀବୀ ଲୋକେ ସବୁବେଳେ ନିଜ କାମରେ ବ୍ୟସ୍ତ ଥାଆନ୍ତି। ସେମାନେ ମଶକ, ମାର୍ଜାର, ମର୍କଟଙ୍କ କଥାରେ ମୁଣ୍ଡ ଖେଳାନ୍ତି ନାହିଁ। ମାତ୍ର ଏ ପୃଥିବୀର ବୁଦ୍ଧିଜୀବୀମାନଙ୍କ ନିଷ୍କ୍ରିୟତା ଓ ନିରାସକ୍ତି ହିଁ ମଶାଙ୍କର ବଂଶବୃଦ୍ଧି ପାଇଁ ଦାୟୀ, ମାର୍ଜାର ଓ ମର୍କଟମାନଙ୍କ ଦୌରାମତ୍‌ୟ ପାଇଁ ଦାୟୀ।
ଅତଃ ବୁଦ୍ଧିଜୀବୀମାନଙ୍କୁ ଏ ମଶାବିନାଶ ଅଭିଯାନର ଦାୟିତ୍ୱ ନେବାକୁ ହେବ। ନଚେତ୍‌ ସମାଜ ରୋଗଗ୍ରସ୍ତ ହୋଇଯିବ। ଖାଲି ମଶାରି ଭିତରେ ନିଜେ ନିଜକୁ ସୁରକ୍ଷିତ ରଖିଲେ ହେବନାହିଁ। ବରଂ ମଶାରି ବାହାରେ ଉଡ଼ିବୁଲୁଥିବା ମଶାମାନଙ୍କୁ ନିପାତ କରିବାର ଦାୟିତ୍ୱ ନେବାକୁ ହେବ। ସେଥିପାଇଁ କୁହାଯାଏ, ଶାନ୍ତି ପାଇଁ ବେଳେବେଳେ ଯୁଦ୍ଧର ଆବଶ୍ୟକତା ଅଛି। ଶାନ୍ତି ପାଇଁ ଅତୀତରେ, ଇତିହାସରେ ଅନେକ ଯୁଦ୍ଧ ହୋଇଛି। ଅନେକ ରକ୍ତପାତ ହୋଇଛି। ମହାଭାରତ ଯୁଦ୍ଧ ତ ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିଲା ବୋଲି କୁହାଯାଏ। ଅତୀତରେ ଦୁଇ ଦୁଇଥର ବିଶ୍ୱଯୁଦ୍ଧ ମଧ୍ୟ ସେଇ ଶାନ୍ତି ପ୍ରତିଷ୍ଠା ପାଇଁ, ସମାଜର ଶତ୍ରୁମାନଙ୍କୁ, ଶାନ୍ତି ବ୍ୟାହତକାରୀମାନଙ୍କୁ ଦମନ କରିବା ପାଇଁ ହୋଇଛି। ପ୍ରତି ଯୁଗରେ ଏଭଳି ମହାଭାରତ ଲଢ଼ାଯାଏ ଏ ଦୁର୍ଯ୍ୟୋଧନ ଓ ରାବଣମାନଙ୍କ ନିଧନ ପାଇଁ। ଏ ଶକୁନି ଓ ମନ୍ଥରାମାନଙ୍କର ମୂଳୋପତ୍ାଟନ ପାଇଁ। ଏମାନଙ୍କ ନିଧନ ପାଇଁ ଅସ୍ତ୍ରୋତ୍ତଳନ କରିବା, ରକ୍ତପାତ କରିବା ପାପ ନୁହେଁ। ବରଂ ଧର୍ମ ସଂସ୍ଥାପନ ପାଇଁ ଯୁଗେଯୁଗେ ଅପେକ୍ଷା ଥାଏ କେବେ ଜଣେ କେହି ଅବତାରୀ ପୁରୁଷ ଆସିବ ଓ ଅସୁରମାନଙ୍କୁ ନିପାତ କରି ପୁଣି ପୃଥିବୀକୁ ସୁନ୍ଦରତର କରିବ।
ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri