ସେମାନେ ବି ମନ୍ତ୍ରୀ ଥିଲେ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ସେଦିନ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ଆମେ କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିକଟସ୍ଥ ଏକ ଚା’ ଦୋକାନରେ ପଡ଼ିଥିବା ବେଞ୍ଚରେ ବସି ଚା’ ପାନ ସଙ୍ଗେ ସଙ୍ଗେ ଥକା ମେଣ୍ଟାଉଥିଲୁ। ବେଞ୍ଚ୍‌ରେ ପଡ଼ିଥିବା ଖବରକାଗଜକୁ ଦେଖି ସେଥିରେ ପ୍ରକାଶ ପାଇଥିବା ଖବରର ଦୃଷ୍ଟି ଆକର୍ଷଣ କରି ରମେଶ ବାବୁ ହଠାତ୍‌ କହିଲେ, ବୁଝୁଛନ୍ତି ଆଜ୍ଞା! କେନ୍ଦ୍ର କୃଷିମନ୍ତ୍ରୀ ପଦ୍ମପୁରର ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରି କହିଥିଲେ ଯେ, ରାଜ୍ୟ ସରକାର ବୀମା ପାଇଁ ଟଙ୍କା ଦେଇନଥିବାରୁ ବୀମା କମ୍ପାନୀ ଚାଷୀମାନଙ୍କୁ ସାହାଯ୍ୟ କରୁନାହିଁ। ସେ ସାଙ୍ଗେ ସାଙ୍ଗେ କହିଲେ, ଜଣେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏପରି କଥା ଶୋଭା ପାଏ ନାହିଁ। ତାଙ୍କ କହିବାର କଥା, ବୀମା କମ୍ପାନୀକୁ କେନ୍ଦ୍ର ସରକାର ହିଁ ଟଙ୍କା ଦେଇଥା’ନ୍ତି ଏବଂ ବୀମା କମ୍ପାନୀକୁ କେବଳ ରାଜ୍ୟ ସରକାର ଚୟନ କରିଥା’ନ୍ତି। ବୀମା କମ୍ପାନୀ ଯଦି ଚାଷୀଙ୍କୁ ବୀମା ବାବଦ ଅର୍ଥ ସାହାଯ୍ୟ ନ କଲା, ସେଥିରେ କେନ୍ଦ୍ର ସରକାର ହିଁ ଉତ୍ତରଦାୟୀ। ଏଥିରେ ରାଜ୍ୟ ସରକାରଙ୍କର କିଛି କହିବାର ନାହିଁ। ସଙ୍ଗେ ସଙ୍ଗେ ଉମାକାନ୍ତ ବାବୁ କହିଲେ, ଭାଇ! ସେ ବକ୍‌ବାସ୍‌ ବନ୍ଦ କର। ସେ ଭାଜପା ହୁଅନ୍ତୁ କିମ୍ବା ବିଜେଡି ହୁଅନ୍ତୁ ଅଥବା କଂଗ୍ରେସ, କୌଣସି ରାଜନେତା ସତିଆ ନୁହନ୍ତି। ସେଦିନ ଇନ୍ଦିରା ଗାନ୍ଧୀ ଗରିବ ହଟାଓ ଧ୍ୱନି ଦେଇ ଶାସନ କ୍ଷମତାକୁ ଆସିଲେ। ଇତିମଧ୍ୟରେ ଢେର ବର୍ଷ ବିତିଯାଇଥିଲେ ମଧ୍ୟ ଦାରିଦ୍ର୍ୟ ବଢ଼ିଛି ନା କମିଛି ସେ କଥା ଆପଣମାନେ ବେଶ୍‌ ଭଲଭାବେ ଜାଣିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଛେ ଦିନ୍‌ କହି କ୍ଷମତାକୁ ଆସିଲେ। ବର୍ତ୍ତମାନ ତାଙ୍କ ଶାସନର ଏକଦଶନ୍ଧି ପୂରିବାକୁ ଯାଉଛି। ଭଲଦିନ କିପରି ଆସିଲା ତାହା ବେକାରି, ଦରଦାମ୍‌ ବୃଦ୍ଧି ଇତ୍ୟାଦି ବିଭିନ୍ନ କଥାରୁ ଜଣାପଡ଼ିବ। ଏହା ଅନୁଭବୀ ହିଁ କେବଳ କହିପାରିବ। ଆଉ ଆମ ଓଡ଼ିଶାରେ ବିଜେଡ଼ିର ୨୨ ବର୍ଷ ଶାସନ କେତେ ଅଧୁରା ସ୍ବପ୍ନ ପୂରଣ କରିଛି; ସେକଥା କାହାକୁ ଅଛପା ନାହିଁ। ଉମେଶ ବାବୁ କେବଳ କହିଲେ, ସେ ନେତା ହୁଅନ୍ତୁ ବା ମନ୍ତ୍ରୀ, ସେମାନେ ଯାହା କୁହନ୍ତି ତାହା କରନ୍ତି ନାହିଁ।
ମୁଁ କିନ୍ତୁ ବନ୍ଧୁମାନଙ୍କ କଥାରେ ଏକମତ ନ ହୋଇ କହିଲି, ଭାଇ! ମୁଁ ଆମ ସମୟର ଆମ ଓଡ଼ିଶାର କିଛି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିବି। ସେମାନେ କିନ୍ତୁ ବର୍ତ୍ତମାନର ରାଜନେତାଙ୍କଠାରୁ ଭିନ୍ନ ବୋଲି କହିପାରିବି। ସେଦିନ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେ ବିଧାନସଭାରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେଲେ। ଆସ୍ଥା ଭୋଟ୍‌ରେ ମଧ୍ୟ ବିଜୟ ଲାଭ କଲେ। କିନ୍ତୁ ଜଣେ ବା ଦୁଇଜଣ ବିଧାୟକ ତାଙ୍କ ସପକ୍ଷରେ ଭୋଟ ନ ଦେବାରୁ ସେ କହିଲେ, ଗୃହର ନେତା ହିସାବରେ ଯଦି ମୁଁ ସବୁ ସଦସ୍ୟଙ୍କୁ ଏକାଠି ନେଇ ଚାଲିପାରିଲି ନାହିଁ; ମୁଖ୍ୟମନ୍ତ୍ରୀ ପଦରେ ରହିବା ମୋର ଉଚିତ ନୁହେଁ। ଏହା କହି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅନୁରୋଧ ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତାଙ୍କ କର୍ମସ୍ଥଳୀ ବାଜିରାଉତ ଛାତ୍ରାବାସକୁ ଚାଲିଗଲେ। ଏହା ପରେ ନବବାବୁ କେବେ କ୍ଷମତା ରାଜନୀତିକୁ ଆସିନାହାନ୍ତି କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ବୋଧହୁଏ ୧୯୮୦ ମସିହାର କଥା। ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଚାଲି ଚାଲି ଯାଉଥିଲେ। ପଛରୁ ମତେ ଜଣେ ଚିହ୍ନେଇଦେଲେ ଯେ, ସେ ହେଉଛନ୍ତି ନବବାବୁ। ହାୱାନି ଓ ଧୋତି ପିନ୍ଧିଛନ୍ତି। ହାୱାଇ ସ୍ଲିପରଟି ଘୋରି ହୋଇ ମୁଣ୍ଡା ହୋଇଗଲାଣି। ନବବାବୁ ବେଡିଂ କାନ୍ଧେଇ ଚାଲିଛନ୍ତି। ୟା’ଙ୍କୁ ଦେଖିଲେ କିଏ କହିବ ଦୀର୍ଘ ୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମଙ୍ଗ ଧରିଥିଲେ? କେବଳ ନବବାବୁ ନୁହନ୍ତି, ତାଙ୍କ ପରିବାରର ସବୁ ସଦସ୍ୟ ଏପରିକି ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ, ଭାଉଜ ରମାଦେବୀ, ନବବାବୁଙ୍କ ସ୍ତ୍ରୀ ଓ ଝିଆରୀ ଅନ୍ନପୂର୍ଣ୍ଣା ମହାରଣାଙ୍କର ଭାରତୀୟ ସ୍ବାଧୀନତା ସଂଗ୍ରାମ ପାଇଁ ତ୍ୟାଗ ଓ ତିତିକ୍ଷାର ଅନ୍ତନାହିଁ। ତାଙ୍କୁ ଦେଖି ମୋ ମୁଣ୍ଡ ଶ୍ରଦ୍ଧାରେ ନଇଁଗଲା।
ସେଦିନ ଆଜିଭଳି ମଧ୍ୟ ନିର୍ବାଚନ ରଣାଙ୍ଗନରେ ନିତ୍ୟାନନ୍ଦ କାନୁନ୍‌ଗୋ ଅବତୀର୍ଣ୍ଣ ହୋଇଥିଲେ। ନିର୍ବାଚନ ବେଳେ ତାଙ୍କର କର୍ମୀମାନଙ୍କୁ କଡ଼ା ନିର୍ଦ୍ଦେଶ ଥିଲା ଯେ, ସେମାନେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ବିଷୟରେ କିଛି କୁତ୍ସାରଟନା କରିବେ ନାହିଁ। କେବଳ ଭୋଟରଙ୍କୁ କହିବେ ଯେ, ନିତ୍ୟାନନ୍ଦବାବୁ କ୍ଷମତାକୁ ଆସିଲେ ସେମାନଙ୍କ ପାଇଁ କ’ଣ କରିବେ। ଏହି ପଦିଏ କଥାରେ ନିତ୍ୟାନନ୍ଦବାବୁ ନିର୍ବାଚନ ଜିତିକରି ଆସିଲେ।
ସେହିପରି ବିନୋଦ କାନୁନ୍‌ଗୋ ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ, କିନ୍ତୁ ପରାଜୟ ବରଣ କଲେ। ଏହାପରେ ବନ୍ଧୁମାନଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟରେ ପ୍ରଭାବିତ ହୋଇ ‘ଜ୍ଞାନମଣ୍ଡଳ’ ପ୍ରଣୟନ ଭଳି ଏକ ବିରାଟ କାର୍ଯ୍ୟ ହାତକୁ ନେଲେ ଏବଂ ସେ ବିନୋଦ କାନୁନ୍‌ଗୋରୁ ବିଦ୍ୟା ବିନୋଦ ପାଲଟିଗଲେ। ଏହା ପରେପରେ ମୁଁ ଆମ ସମୟର ତିନିଜଣ ମୁଖ୍ୟମନ୍ତ୍ରୀଙ୍କ କଥା କହିଲି। ସେମାନେ ହେଉଛନ୍ତି ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଏବଂ ଜାନକୀ ପଟ୍ଟନାୟକ। ଏମାନେ ସମସ୍ତେ ପରଲୋକଗତ।
ସେଦିନ ଅବିଭକ୍ତ ବାଲେଶ୍ୱର ଜିଲାର କୌଣସି ଏକ ସ୍ଥାନକୁ ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକ ଯାଉଥା’ନ୍ତି। ରାସ୍ତାଟି ଅଣଓସାରିଆ ଥାଏ। ପୋଲିସ ବିଜୁ ପଟ୍ଟନାୟକଙ୍କ ଗାଡ଼ିକୁ ଅଟକାଇଲେ ଏବଂ କହିଲେ, ସାର୍‌! ସାମ୍ନାପଟୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି। ପ୍ରୋଟୋକଲ ଦୃଷ୍ଟିରୁ ସେ ଆଗ ଯିବେ, ଆପଣ ଟିକେ ବାଟ ଛାଡ଼ିଦିଅନ୍ତୁ। ଏକଥା ଶୁଣି ବିଜୁବାବୁ କିଛି ପ୍ରତିବାଦ କଲେ ନାହିଁ। କିନ୍ତୁ ସାମ୍ନାପଟୁ ଆସୁଥିବା ଜାନକୀବାବୁ ତାଙ୍କୁ ଦେଖିପାରି କାର୍‌ରୁ ଓହ୍ଲାଇ ଆସି ବିଜୁବାବୁଙ୍କୁ କହିଲେ, ଆପଣ ଯାଆନ୍ତୁ ମୁଁ ପରେ ଯିବି। ବିଜୁବାବୁ ହସିହସି କହିଲେ, ତୁମେ ତ ମୁଖ୍ୟମନ୍ତ୍ରୀ ଅଛ; ରାସ୍ତାକୁ ଆଉଟିକେ ଓସାରିଆ କରିଦିଅ; ସୁତରାଂ ଯିବା ଆସିବାରେ କିଛି ଅସୁବିଧା ହେବ ନାହିଁ। କୁହନ୍ତୁ ତ ଦେଖି ଏପ୍ରକାର ଭଦ୍ରାମି ବା ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ଆଜିର ନେତାମାନଙ୍କ ପାଖରେ ଦେଖିବାକୁ ମିଳିବ କି?
ସେହିପରି ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନନ୍ଦିନୀ ଶତପଥୀ ବିରୋଧୀ ଦଳରେ ଥାଆନ୍ତି। ସେଦିନ ବାସନ୍ତୀ ବାରା ଘଟଣାରେ ବିଜୁବାବୁଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଦାମୋଦର ରାଉତଙ୍କ ବିରୋଧରେ ଅଭିଯୋଗ ଆସିଲା। ବିଜୁବାବୁ ନିଜର ମହାନତା ସ୍ବରୂପ ବିରୋଧୀ ଦଳର ସଦସ୍ୟା ନନ୍ଦିନୀ ଶତପଥୀଙ୍କୁ ଏ ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ନନ୍ଦିନୀ ଶତପଥୀ ମଧ୍ୟ ଘଟଣାର ନିରପେକ୍ଷ ତଦନ୍ତ କରି ଦାମବାବୁଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ।
ଆମର କହିବାର କଥା ହେଲା ନନ୍ଦିନୀ ଶତପଥୀ, ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ବିଭିନ୍ନ ଦଳରେ ଥିଲେ ମଧ୍ୟ ସମସ୍ତେ ସଂସ୍କୃତିସମ୍ପନ୍ନ ଥିଲେ। ବିଧାନସଭାରେ ପରସ୍ପର ମଧ୍ୟରେ କଥା କଟାକଟି ହୋଇଛି। ନିର୍ବାଚନ ବେଳେ ମଧ୍ୟ ବିରୋଧାଭାସ ଉଠିଛି। କିନ୍ତୁ ବର୍ତ୍ତମାନ ରାଜନୀତିରେ ନିର୍ବାଚନ ହେଉ ବା ଅନ୍ୟବେଳେ ଯେପରି ନିମ୍ନମାନର କଥା ରାଜନେତାଙ୍କ ପାଟିରୁ ବାହାରୁଛି, ତାହା ଆମ ଚିନ୍ତା ଓ ଚେତନାର ଊର୍ଦ୍ଧ୍ୱରେ। ଆମର କେବଳ ଏତିକି ନିବେଦନ, ସମସ୍ତେ ପରସ୍ପର ମଧ୍ୟରେ କୁତ୍ସାରଟନା ନ କରି ଅନ୍ତତଃପକ୍ଷେ ତଥ୍ୟଭିତ୍ତିକ ଆଲୋଚନା ବା ସମାଲୋଚନା କରନ୍ତୁ। ସେଥିରେ କାହାର କିଛି କହିବାର ନାହିଁ।
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?