ଯୁଦ୍ଧ: ଆର୍ଥିକ କଷ୍ଟ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୧୧ ଦିନ ଅତିକ୍ରମ କରିଯାଇଛି। ଇତିମଧ୍ୟରେ ଦୁଇ ଦେଶ ଭିତରେ ଦୁଇଟି ଶାନ୍ତି ଆଲୋଚନା ବିଫଳ ହୋଇସାରିଛି। କେହି ଭାବି ନ ଥିଲେ ଯେ, ୟୁକ୍ରେନ୍‌ ଏତେଦିନ ପର୍ଯ୍ୟନ୍ତ ବିରୋଧ କରି ତିଷ୍ଠିପାରିବ। ସମ୍ଭବତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ତାଙ୍କର ଏବେ ଦେଖାଦେଉଥିବା ପରାମର୍ଶଦାତାମାନେ ମଧ୍ୟ ଭାବି ନ ଥିଲେ ଯେ, ୟୁକ୍ରେନ୍‌ ଦୀର୍ଘ ୧୧ ଦିନ ଧରି ଲଢ଼ିପାରିବ। ପୂର୍ବରୁ ପୁଟିନ୍‌ଙ୍କ ଯେତେ ଛବି ଗଣମାଧ୍ୟମରେ ବାହାରୁଥିଲା, ସାଧାରଣତଃ, ସେଥିରେ ପୁଟିନ୍‌ ଏକୁଟିଆ ଥିଲେ। ବର୍ତ୍ତମାନ ହୁଏତ ପରିବର୍ତ୍ତିତ ପରିସ୍ଥିତି ଯୋଗୁ ପୁଟିନ୍‌ଙ୍କ ପରାମର୍ଶଦାତାଙ୍କ ଛବି ମଧ୍ୟ ବିଶ୍ୱବ୍ୟାପୀ ଦେଖାଦେଲାଣି। ୟୁକ୍ରେନ୍‌ର କ୍ୱିଭ୍‌, ଖାର୍କିଭ୍‌ରେ ଧ୍ୱଂସଲୀଳା ରଚିବା ପରେ ରୁଷିଆ ସୈନ୍ୟ ଶତ୍ରୁପକ୍ଷର ଅନ୍ୟତମ ବୃହତ୍‌ ଅଞ୍ଚଳ ଓଡେଶା ଆଡ଼େ ମୁହାଁଇଲେଣି। ନାଟୋର କେତେକ ସଦସ୍ୟ ରାଷ୍ଟ୍ର ରୁଷିଆ ବିରୋଧୀ ଆଭିମୁଖ୍ୟ ପୋଷଣ କରିଥିବା ବେଳେ ଭିଜା ଓ ମାଷ୍ଟରକାର୍ଡ ଭଳି ଅନ୍ତର୍ଜାତୀୟ କାର୍ଡ ପେମେଣ୍ଟ ସଂସ୍ଥା ମସ୍କୋ ସହ ବ୍ୟବସାୟ ନ କରିବାକୁ ଘୋଷଣା କରିବା ପରେ ପୁଟିନ୍‌ ଏବେ ବ୍ୟସ୍ତ ହୋଇପଡ଼ିଛନ୍ତି। କାରଣ ରୁଷବାସୀ ବୁଝିବାକୁ ଆରମ୍ଭ କଲେଣି ଯେ, ତାଙ୍କ ରାଷ୍ଟ୍ର ଯୁଦ୍ଧରେ ଆଗରେ ଥିବା ସତ୍ତ୍ୱେ ଆର୍ଥିକ କଟକଣା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏପର୍ଯ୍ୟନ୍ତ ରୁଷିଆର ଗଣମାଧ୍ୟମ ବାସ୍ତବ ଚିତ୍ର ସେଠାକାର ନାଗରିକଙ୍କୁ ଦେଉନାହିଁ। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ବୁଝିଗଲେଣି ଯେ, ନାଗରିକଙ୍କୁ ପରିସ୍ଥିତି ସମ୍ପର୍କରେ ସୂଚାଇବାର ସହଜ ଉପାୟ ହେଉଛି ଅର୍ଥନୈତିକ ସ୍ଥିତିରେ କଟକଣା ଲାଗୁ କରିବା। ଉଲ୍ଲେଖଯୋଗ୍ୟ ଯେ, ରୁଷିଆ ଭଳି ଭାରତରେ ମଧ୍ୟ ତଥାକଥିତ ଜାତୀୟ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର କରାଯାଉଥିବା ଯୋଗୁ ଅନେକ ନାଗରିକ ଅସତ୍ୟର ଶିକାର ହେଉଛନ୍ତି।
ଅନ୍ୟପଟେ ପୁଟିନ୍‌ କହିଛନ୍ତି ଯେ, ଅର୍ଥନୈତିକ କଟକଣାର ଅର୍ଥ ରୁଷିଆ ବିରୋଧରେ ଯୁଦ୍ଧ ଘୋଷଣା। ଏଥିସହିତ ଯେଉଁ ଦେଶଗୁଡ଼ିକ ରୁଷିଆ ବିମାନକୁ ସେମାନଙ୍କ ଦେଶର ଆକାଶମାର୍ଗରେ ଉଡ଼ିବାକୁ ବାରଣ କରୁଛନ୍ତି ବା କରିବେ, ସେମାନେ ବିଶ୍ୱକୁ ଘୋର ବିପଦ ଆଡ଼କୁ ଟାଣି ନେଉଛନ୍ତି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ରୁଷିଆ ବିରୋଧରେ ଆର୍ଥିକ କଟକଣା ବଢ଼ୁଥିବାରୁ ତାହା ସମଗ୍ର ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ସତର୍କ କରାଇଲାଣି। ବର୍ତ୍ତମାନ ସ୍ଥିତିରେ ରୁଷିଆ ଆକ୍ରମଣକୁ ୟୁକ୍ରେନ୍‌ ପ୍ରତିହତ କରିଚାଲୁଥିବାରୁ ମସ୍କୋ ଚିନ୍ତିତ ହୋଇପଡ଼ିଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯେତେ ଶକ୍ତିଶାଳୀ ହେଉଥିଲେ ମଧ୍ୟ ରୁଷୀୟ ସୈନ୍ୟଙ୍କ ପ୍ରାଣହାନି ଓ ଅର୍ଥନୀତି ଉପରେ ଘୋର ପ୍ରଭାବ ପକାଇଚାଲିଛି। ଏବେ ଯେହେତୁ ୟୁକ୍ରେନ୍‌ବାସୀଙ୍କ ପ୍ରତିରୋଧ ଚାଲୁ ରହିଛି, ପୁଟିନ୍‌ ଅନନ୍ୟୋପାୟ ହୋଇ ଯୁଦ୍ଧ ଜାରି ରଖିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ରୁଷିଆର ବନ୍ଧୁରାଷ୍ଟ୍ର ବେଲାରୁଷ୍‌ ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟକରି ଯୁଦ୍ଧରେ ସାମିଲ ହେବ ନାହିଁ ବୋଲି ଏହାର ନେତା ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ପ୍ରକାଶ କରିବା ପରେ ଲଢ଼େଇର ସମୀକରଣ ବଦଳିବାରେ ଲାଗିଛି। ଉଲ୍ଲେଖ କରାଯାଇପାରେ ଯେ, ବେଲାରୁଷ୍‌ରେ ରୁଷିଆ କ୍ଷେପଣାସ୍ତ୍ର, ହେଲିକପ୍ଟର ଓ ରକେଟ୍‌ ରଖି ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଥିବାରୁ ସେଠାରେ ମସ୍କୋ ସହ ଆଲୋଚନା କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିରି ଜେଲେନ୍‌ସ୍କି ପ୍ରଥମେ ରାଜି ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ୟୁକ୍ରେନ୍‌ ପ୍ରତିନିଧିଙ୍କ ଯାତାୟାତ ବେଳେ ବେଲାରୁଷ୍‌ରେ ରୁଷିଆର କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନରୁ ଆକ୍ରମଣ ହେବ ନାହିଁ ବୋଲି ଲୁକାଶେଙ୍କୋ ସରକାର ପ୍ରତିଶ୍ରୁତି ଦେବା ପରେ ଉଭୟ ପକ୍ଷ ଆଲୋଚନାରେ ସାମିଲ ହୋଇଥିଲେ। ତେବେ ଆଉ ଏକ ଘଟଣାକ୍ରମରେ ପୁଟିନ୍‌ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାଇପ୍‌ ଏର୍ଡୋଗାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ଦିଆଯାଇପାରେ ଯେ ରୁଷିଆ ଓ ୟୁକ୍ରେନ୍‌ର ସାମୁଦ୍ରିକ ସୀମାନ୍ତରେ ତୁର୍କୀ ରହିଛି। ୭ ମାର୍ଚ୍ଚରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ତୃତୀୟ ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ପୁଟିନ୍‌ଙ୍କ ଏଭଳି ସଙ୍କେତ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି। ରୁଷ୍‌ବାସୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପୁଟିନ୍‌ ସମ୍ଭବତଃ ବିଚଳିତ ହୋଇ ନାଟୋ ସଦସ୍ୟଭୁକ୍ତ ତୁର୍କୀର ସାହାରା ନେବାକୁ ଚେଷ୍ଟା କରୁଥାଇପାରନ୍ତି। ଅପରପକ୍ଷରେ ଆଫଗାନିସ୍ତାନରୁ ଆମେରିକା ଯେଭଳି ଭାବେ ପଳାୟନ କଲା, ସେଥିରୁ ଉପଲବ୍ଧି ହୋଇଛି ଯେ ଏକ ଛୋଟିଆ ରାଷ୍ଟ୍ର ମଧ୍ୟ ଆମେରିକାକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁନାହିଁ। କାରଣ ସ୍ବାର୍ଥସାଧନ ଲାଗି ଓ୍ବାଶିଂଟନ ଡିସି ଯେକୌଣସି ସ୍ତରକୁ ଯାଇପାରେ। ପ୍ରଥମେ ଚିନ୍ତା କରାଯାଉଥିଲା ଯେ, ଚାଇନାର ତା’ ପଡ଼ୋଶୀ ଦେଶଗୁଡ଼ିକ ସହ ବିବାଦ ଲାଗି ରହିଥିବାରୁ ରୁଷିଆ ସହିତ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଥିଲା। ସେଥିପାଇଁ ଗତ ଶୀତକାଳୀନ ଅଲିମ୍ପିକ୍ସ ସମୟରେ ପୁଟିନ୍‌ଙ୍କୁ ମୁଖ୍ୟ ଅତିଥି ଭାବେ ବେଜିଂ ନିମନ୍ତ୍ରଣ କରିଥିଲା। କିନ୍ତୁ ବ୍ୟବସାୟରେ କ୍ଷତି ଆଶଙ୍କା କରି ଚାଇନା ମଧ୍ୟ ଏବେ ଏପାଖ ସେପାଖ ଖେଳ ଖେଳିବାକୁ ଆରମ୍ଭ କଲାଣି। ଏଥିରୁ ବୁଝିବାକୁ ହେବ ଯେ, ପୁଟିନ୍‌ଙ୍କର ଜୁଆଖେଳ କାମ ଦେଇ ନ ପାରେ ବୋଲି ବିଶ୍ୱବ୍ୟାପୀ ଏକ ଧାରଣା ସୃଷ୍ଟି ହେଲାଣି। ବିଶେଷକରି ପୃଥିବୀକୁ ଗହମ ଯୋଗାଉଥିବା ୟୁକ୍ରେନ୍‌ ଓ ରୁଷିଆ ଉଭୟ ଏହାର ରପ୍ତାନି କରିବାରେ ବିଫଳ ହେଲେଣି। ସେହିଭଳି ମୁଖ୍ୟତଃ ଖାଇବା ତେଲର ସଙ୍କଟ ଭାରତ ଭଳି ଦେଶକୁ ମଧ୍ୟ ଗ୍ରାସ କଲାଣି। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଲାଣି। ରୁଷିଆକୁ ସମର୍ଥନ କରି ଭାରତୀୟ କୂଟନୈତିକ ଚିନ୍ତାଧାରା ବିଫଳ ହେବା ସହିତ ଏହି ଯୁଦ୍ଧ ଫଳରେ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri