ଅପେକ୍ଷା କର, ବଛାଚାଲିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୯ ସେପ୍ଟେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି ବା ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକକୁ ୨୮ ସେପ୍ଟେମ୍ବରରେ ସ୍ବଳ୍ପ ସୂଚନାରେ ସ୍ଥଗିତ କରିଦିଆଯାଇଛି। ଏହି କମିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହାର ନିଷ୍ପତ୍ତି ଦ୍ୱାରା ଆର୍‌ବିଆଇର କାର୍ଯ୍ୟଶୈଳୀ ସ୍ଥିର ହୋଇଥାଏ। ସେଥିପାଇଁ ଏଭଳି ଏକ ବୈଠକକୁ ହଠାତ୍‌ ସ୍ଥଗିତ କରିଦେବା ଅନେକ ଦିଗକୁ ଇଙ୍ଗିତ କରୁଛି। ସ୍ଥଗିତର କାରଣ ଭାବେ ଦର୍ଶାଯାଇଛି ଯେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବା ୩ ଜଣ ସ୍ବାଧୀନ ସଦସ୍ୟଙ୍କ ନାମ ଚୂଡ଼ାନ୍ତ ହୋଇପାରି ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆର୍‌ବିଆଇ ଆଇନ, ୧୯୩୪କୁ ସଂଶୋଧନ କରାଯାଇ ବିତ୍ତୀୟ ଆଇନ (ଭାରତ), ୨୦୧୬ ଅଣାଯିବା ପରେ ମୁଦ୍ରାନୀତି ସ୍ଥିର କରିବା ଲାଗି ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଏମ୍‌ପିସି ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଥିଲାଗି ୬ ଜଣିଆ ପ୍ୟାନେଲକୁ ନିଷ୍ପତ୍ତି ନେବାକୁ ଦାୟିତ୍ୱ ଦିଆଯାଇଥିଲା। ଏଥିରେ ୩ ଜଣ ସଦସ୍ୟ ଆର୍‌ବିଆଇରୁ ରହିଥିବା ବେଳେ ଆଉ ୩ ଜଣ ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞଙ୍କୁ ଉକ୍ତ ପ୍ୟାନେଲକୁ ପଠାଯାଇଥିଲା। ନିକଟ ଅତୀତରେ ସେହି ସ୍ବାଧୀନ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂଆ ବ୍ୟକ୍ତିଙ୍କ ନାମ ସରକାର ସ୍ଥିର କରିପାରି ନ ଥିବାରୁ ୨୯ ସେପ୍ଟେମ୍ବର ବୈଠକକୁ ସ୍ଥଗିତ ରଖାଯାଇଛି। ବିଭିନ୍ନ ଆର୍ଥିକ ସଂସ୍କାର ଆଣି ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ୩ ଜଣ ସ୍ବାଧୀନ ସଦସ୍ୟଙ୍କୁ ବାଛିବାରେ ବିଳମ୍ବ କରିଛନ୍ତି। ସମ୍ଭବତଃ ସରକାରଙ୍କୁ ସୁହାଇଲା ଭଳି ବିଶେଷଜ୍ଞ ମିଳୁ ନ ଥିବାରୁ ନାମ ଚୂଡ଼ାନ୍ତ ହୋଇପାରୁ ନାହିଁ।
ଆଜିର କେନ୍ଦ୍ର ସରକାର ପ୍ରତି ପଦକ୍ଷେପରେ ବିଭିନ୍ନ କ୍ଷେତ୍ର ଉପରେ ନିଜର ସରକାରୀ ପ୍ରଭାବ ପକାଇବାକୁ ଉଦ୍ଦେଶ୍ୟ ରଖୁଥିବାରୁ ଅସଙ୍ଗତି ଦେଖାଦେଉଛି। କିଏ କେତେ ମ୍ୟାନେଜ୍‌ ବା ପରିଚାଳନା କରି ସରକାରକୁ ସୁରକ୍ଷା ଦେଇପାରିବ ସତେ ଯେମିତି ହୋଇଯାଇଛି ନିଉ ନର୍ମାଲ ବା ନୂଆ ସ୍ବାଭାବିକତା। ଆର୍‌ବିଆଇ ଏକ ସ୍ବାଧୀନ ସଂସ୍ଥା ବୋଲି କୁହାଯାଉଥିଲେ ମଧ୍ୟ ଗତ କିଛି ବର୍ଷର କାର୍ଯ୍ୟଧାରାକୁ ଦେଖିଲେ ସେଥିରେ ଅତ୍ୟଧିକ ସରକାରୀ ହସ୍ତକ୍ଷେପ ଏହାର ମୁଦ୍ରାନୀତି ଢାଞ୍ଚାକୁ ଦୁର୍ବଳ କରିଦେଲାଣି। ୨୦୧୯ ଅଗଷ୍ଟରେ ଆର୍‌ବିଆଇ ତା’ର ବଳକା ଅର୍ଥ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା କଥା। ଏହି ଅର୍ଥରୁ ସରକାର କେତେ ନେଇ କେଉଁ ଦିଗରେ ବ୍ୟୟ କଲେ ତାହାର ବିବରଣୀ ସାଧାରଣରେ ଜାଣିବା କଷ୍ଟକର। ସେହି ବଳକା ଅର୍ଥ ଥିଲେ ଆଜି ଅର୍ଥନୀତି ଯେଉଁଭଳି ଚାପରେ ରହିଛି ତାହାକୁ ହ୍ରାସ କରିବାରେ ଯଥେଷ୍ଟ ସହାୟକ ହୋଇପାରିଥାନ୍ତା। ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇଠାରୁ ଅଧିକ ଅର୍ଥ ମିଳିଥିଲେ ତାହା ବଜାର ଅର୍ଥନୀତିକୁ ବିଭିନ୍ନ ମାଧ୍ୟମରେ ଚଳଚଞ୍ଚଳ କରିପାରିଥାଆନ୍ତା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କଥାକୁ ଆଲୋଚନାକୁ ଅଣାଯାଇପାରେ। ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ ଜିଏସ୍‌ଟି ଅଂଶ ନ ପାଇବା ପରେ ଯେତେବେଳେ କେନ୍ଦ୍ର ନିକଟରେ ଫେରାଦ ହେଲେ, ସେତେବେଳେ ପ୍ରସ୍ତାବ ଦିଆଗଲା ଋଣ କରି ସରକାର ଚଳାଅ। ଏ ପ୍ରକାର ପରାମର୍ଶ ସମ୍ଭବତଃ ଅନ୍ୟ କୌଣସି ଦେଶର ସଂଘୀୟ ଅର୍ଥ ବ୍ୟବସ୍ଥାରେ ଦେଖାଦେଉ ନ ଥିବ। ଅପାରଗତାକୁ ଲୁଚାଇବାକୁ ଯାଇ ରାଜ୍ୟ ସରକାରଗୁଡ଼ିକୁ ଏଭଳି ପ୍ରସ୍ତାବ ଦିଆଯିବା ଅର୍ଥ ତା’ର ଲୋକଙ୍କ ଉପରେ ମୁଣ୍ଡ ପିଛା ବୋଝ ବଢ଼ାଇବା ସକାଶେ ବାଟ ଦେଖାଇ ଦିଆଯାଉଛି।
ଭାରତୀୟ ଅର୍ଥନୀତି ଅନ୍ତର୍ଜାତୀୟ ସ୍ତରରେ ତା’ର ସ୍ଥିତି ସୁଦୃଢ଼ କରିପାରିଛି ବୋଲି ଆଜିର ଶାସକ ବିଭିନ୍ନ ବିଶ୍ୱ ମଞ୍ଚରେ କହିବା ଗୋଟେ ଘୋଷାରେ ପରିଣତ ହୋଇଯାଇଛି। ହେଲେ ନିକଟରେ ଭୋଡାଫୋନ୍‌ ମାମଲାରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ‘ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ’ ଭାରତକୁ ଭର୍ସନା କରିବା ଦେଶର ମର୍ଯ୍ୟାଦାକୁ ଅନ୍ତର୍ଜାତୀୟ ସ୍ତରରେ ଯେଭଳି ନୂ୍ୟନ କରିଦେଲା, ତାହା ଉପରେ ସରକାରଙ୍କଠାରୁ ଆଉ କୌଣସି ମନ୍ତବ୍ୟ ପ୍ରକାଶ ପାଉ ନାହିଁ। ଭୋଡାଫୋନ୍‌କୁ ଟିକସ ସହ ସୁଧ ମିଶାଇ ୨୦,୦୦୦ କୋଟି ଟଙ୍କା ଦେୟ ଦେବା ଲାଗି ମୋଦି ସରକାର ଯେଉଁ ନୋଟିସ୍‌ ଦେଇଥିଲେ ତାହା ଅନ୍ତର୍ଜାତୀୟ କୋର୍ଟରେ ଖାରଜ ହୋଇଗଲା। କେବଳ ସେତିକି ନୁହେଁ, ନୋଟିସ ଦିଆଯାଇଥିବା ଅର୍ଥ ବୁଡ଼ିବା ସହ ଭୋଡାଫୋନ୍‌ ମକଦ୍ଦମା ଲାଗି ବ୍ୟୟ କରିଥିବା ଅର୍ଥ ଦେବା ଲାଗି ଭାରତ ସରକାରଙ୍କୁ କୁହାଯାଇଛି। ଫଳରେ ଭାରତର ସମ୍ମାନ ଗଲା ଓ ଜରିମାନା ଦେବାକୁ ପଡ଼ିବ। ଏଥିରୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପରିଚାଳନା କରୁଥିବା ମୁଣ୍ଡଗୁଡ଼ିକ କେଉଁ ସ୍ତରରେ ଅଛନ୍ତି ବୁଝି ହେଉଛି।
ଆର୍‌ବିଆଇ କଥାକୁ ଫେରିବା। ପ୍ୟାନେଲରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନ ଥିଲେ ବୈଠକ ବସିପାରିବ ନାହିଁ ବୋଲି ଆର୍‌ବିଆଇ ଓ ସରକାର ଜାଣିିଛନ୍ତି। ତେବେ ସ୍ବାଧୀନ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂତନ ବ୍ୟକ୍ତିଙ୍କ ନାମ ବଛା ନ ଯିବା ସୂଚାଇ ଦେଉଛି ଯେ ସରକାର ସେହି କେନ୍ଦ୍ରୀୟ ବ୍ୟଙ୍କକୁ ସିଧାସଳଖ ନିୟନ୍ତ୍ରଣ କରୁଛନ୍ତି। ଛୋଟିଆ ଛୋଟିଆ କଥାରେ ସରକାର ଓ ପ୍ରଶାସକ ଆଗ୍ରହର ସହ ପଶି ସମାଧାନ ଆଣିପାରୁଥିବା ବେଳେ ଦେଶର ଅର୍ଥନୀତିକୁ ଦିଶା ଦେଖାଉଥିବା ଆର୍‌ବିଆଇ ବିଷୟ ପାସୋରି ଦିଆଯିବା ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ବର୍ତ୍ତମାନ ଦେଶ ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଓ ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୋହଲି ଯାଇଛି ସେତେବେଳେ ମୁଦ୍ରାନୀତି ନେଇ ନିଶ୍ଚିତତା ଆସି ନ ପାରିବା ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି। ସୁଧ ହାର ସୂଚାଇବାରେ ଡେରି ହେବା ମାନେ ବ୍ୟବସାୟ ଓ ବିତ୍ତୀୟ କ୍ଷେତ୍ରକୁ ଭୁଲ ବାର୍ତ୍ତା ପହଞ୍ଚିବ। ଆର୍ଥିକ ଦୁଃସ୍ଥିତି ଦେଇ ଭାରତ ଗତି କରୁଥିବା ବେଳେ ଯଦି ସଙ୍କଟ ସର୍ବନିମ୍ନ ସ୍ତରକୁ ଚାଲିଯାଏ, ସେତେବେଳେ କୌଣସି ‘ଆତ୍ମନିର୍ଭର ଭାରତ’ ଦେଶକୁ ବଞ୍ଚାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri