
ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ସହ କୋଭିଡ ଗାଇଡଲାଇନ ଅନୁସାରେ ଭୋଟ ଗ୍ରହଣ କରାଯାଉଛି । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଗୋଟିଏ ଲେଖାଏ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ କରାଯାଉଛି। ମହାମାରୀ କୋଭିଡ୍କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିର୍ତ୍ତୋଲରେ ୨ ଲକ୍ଷ ୩୭ ହଜାର ୨୮୨ ଓ ବାଲେଶ୍ୱରରେ ୨ ଲକ୍ଷ ୩୦ ହଜାର ୨୯୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ପ୍ରତି ବୁଥ୍ରେ ଭୋଟର ସଂଖ୍ୟା ୧୫୦୦ ପରିବର୍ତ୍ତେ ୧ ହଜାର କରାଯାଇଛି। ଭୋଟରଙ୍କ ସୁବିଧା ପାଇଁ ତିର୍ତ୍ତୋଲରେ ବୁଥ୍ ସଂଖ୍ୟା ୨୬୫ରୁ ୩୭୩ ଓ ବାଲେଶ୍ୱରରେ ୧୯୮ରୁ ୩୪୬କୁ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ ବୋଲି ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଥିଲେ।