ଆଗ୍ନେୟ ଆହ୍ବାନ

ଉପେନ୍ଦ୍ର ବିଶ୍ୱାଳ

 

ଗାନ୍ଧିଜୀଙ୍କୁ ଥରେ ପଚରାଯାଇଥିଲା- ଆପଣଙ୍କ ଦୃଷ୍ଟିରେ ଭାରତର ଆଶା ଓ ନିରାଶାର ଉତ୍ସ କ’ଣ? ତାଙ୍କର ମତ ଏମିତି ଥିଲା- ”ନାନାଦି ଶାସନ, ଶୋଷଣ, ଷଡ଼ଯନ୍ତ୍ର ସତ୍ତ୍ୱେ ଆଜି ବି ଆଧ୍ୟାତ୍ମିକତା ଆମ ସମାଜରେ ଅକ୍ଷୁଣ୍ଣ ରହିଛି, ଯାହାକି ଆଶା ଓ ଆଶ୍ୱାସନାର ବିଷୟ। ମାତ୍ର ଦିନକୁ ଦିନ ଭାରତୀୟ ଯୁବସମାଜ ବିପଥଗାମୀ ହୋଇ ଭୁଲିଚାଲିଛି ତା’ର ସ୍ବାଭିମାନ ଓ ଆତ୍ମପ୍ରତ୍ୟୟକୁ। ଯୁବସମାଜର ଅଧୋଗତି ହିଁ ନିରାଶାର ପ୍ରମୁଖ କାରଣ।“ ଯେକୌଣସି ଦେଶର ଉତ୍ଥାନ-ପତନର ସୂତ୍ରଧର ହେଉଛନ୍ତି ଯୁବସମାଜ। ଏମାନେ ହେଉଛନ୍ତି ଦେଶର ଭାଗ୍ୟ ଓ ଭବିଷ୍ୟତ ଗଠନର ମୂଳାଧାର। ଯେଉଁ ଦେଶର ଯୁବସମାଜ ଯେତେ ଶୃଙ୍ଖଳିତ ଓ ମାର୍ଜିତ, ସେଦେଶ ସେତିକି ସମୃଦ୍ଧ ଓ ମହିମାନ୍ବିତ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଟିକେ ନିରୀକ୍ଷଣ କରିବା ଆମ ଭାରତୀୟ ଯୁବ ମାନସକୁ, ଯେଉଁମାନଙ୍କ ଉପରେ ନିର୍ଭର କରୁଛି ଏ ଭୂମିର ଭବିଷ୍ୟତ। ତଥ୍ୟ କୁହେ, ଭାରତରେ ମାଦକଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ଶତକଡ଼ା ପ୍ରାୟ ୮୦ଭାଗ। ୧୮ରୁ ୨୫ବର୍ଷ ବୟସର ପ୍ରାୟ ୨୫ଭାଗ ଯୁବା ଆଜି ଡ୍ରଗ୍ସ ପଞ୍ଝାରେ। ଏପରି କି ସ୍କୁଲ ପିଲାମାନେ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ମେସ୍‌, ହଷ୍ଟେଲରେ ରହି ପାର୍ସଲରେ ଡ୍ରଗ୍ସ ମଗେଇ ସେବନ କରିବା କଲେଜ ପିଲାଙ୍କ ପାଇଁ ଆଜି ସହଜପନ୍ଥା ପାଲଟିଛି। ପୋଲିସର ଅଚାନକ ଚଢ଼ାଉବେଳେ ୨୦୧୯ରେ ୬୦ଟି ପାର୍ସଲ ଜବତ ହୋଇଥିଲା ବେଳେ ୨୦୨୧ରେ ୩୦୦ଟି। ଗତବର୍ଷ ୩୨୦୦ କୋଟି ଟଙ୍କାର କେବଳ କୋକେନ୍‌ ଜବତ ହୋଇଥିଲାବେଳେ ଗତ ମେ’ ମାସରେ କୋକେନ୍‌ ଜବତ ହୋଇଛି ୫୦୦ କୋଟି ଟଙ୍କାର। ୨୦୨୨ର କେଇମାସ ଭିତରେ ଦେଶର ବିଭିନ୍ନ ସ୍ଥାନରୁ ପୋଲିସ ଜବତ କରିଛି ୪୧୭୨ କୋଟି ଟଙ୍କାର ଡ୍ରଗ୍ସ। ଗତ କେଇବର୍ଷ ଭିତରେ ଦେଶର ଯୁବାବର୍ଗଙ୍କ ମଧ୍ୟରେ କେମିତି ବଢ଼ିଚାଲିଛି ନିଶାସେବନ ଓ ଡ୍ରଗ୍ସ କାରବାର, ଆସନ୍ତୁ ଟିକେ ଜାଣିବା ନିମ୍ନୋକ୍ତ ତଥ୍ୟରୁ। ଦେଶର ଭିନ୍ନ ଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ୨୦୧୭ରେ ୨୧୪୬ କିଲୋ ହେରୋଇନ ଜବତ ହୋଇଥିଲାବେଳେ ୨୦୨୧ରେ ଜବତ ହୋଇଥିଲା ୬୪୦୦ କିଲୋ। ୨୦୧୭ରେ ୨୫୫୧ କିଲୋ ଅଫିମ ଜବତ ହୋଇଥିଲାବେଳେ ୨୦୨୧ରେ ୪୩୮୬ କିଲୋ। ୨୦୧୭ରେ ୩୫୨୫୩୯ କିଲୋ ଗଞ୍ଜେଇ/ଭାଙ୍ଗ ଜବତ ହୋଇଥିଲାବେଳେ ୨୦୨୧ରେ ୬୭୫୬୩୧ କିଲୋ। ପ୍ରଶ୍ନ ଉଠେ, ଏପରି ବିପୁଳ ପରିମାଣର ଜବତ ହେଉଥିବା ଡ୍ରଗ୍ସସବୁ ଆସୁଛି କେଉଁଠୁ? ଚାଇନା, ପାକିସ୍ତାନ, ତୁର୍କୀ ଆଦି ଦେଶଗୁଡ଼ିକରୁ ଚୋରାରେ ଡ୍ରଗ୍ସ ଆସି କେମିତି ପହଞ୍ଚୁଛି, ତାହା ତ ବେଶ୍‌ ଜଣାପଡ଼େ ନିମ୍ନୋକ୍ତ ଦୃଷ୍ଟାନ୍ତରୁ।
୨୦, ସେପ୍ଟେମ୍ବର ୨୦୨୦ ପ୍ରତ୍ୟୁଷରେ ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ସୀମା ସୁରକ୍ଷା ବଳର ଯବାନମାନେ ଜବତ କଲେ ୬୨ କିଲୋ ହେରୋଇନ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଓ କିଛି ଚାଇନା ପତ୍ରିକା। ଶତ୍ରୁଦେଶଗୁଡ଼ିକ ସୀମା ଦେଇ ଏମିତି ବ୍ୟାପକ ମାଦକ ଦ୍ରବ୍ୟ ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିବାର ଜଣାପଡ଼େ ବିଭିନ୍ନ ଘଟଣାରୁ। ସେମିତି ବି ୨୦୨୧ ସେପ୍ଟେମ୍ବରର ଏକ ଘଟଣା। ଗୁଜରାଟର ମୁନ୍ଦ୍ରା ଉପକୂଳରୁ ଅତି ଉଚ୍ଚମାନର ଡ୍ରଗ୍ସ ଭର୍ତ୍ତି ବଡ଼ ବୋଟ୍‌କୁ ଜବତ କରିବା ସହିତ ପୋଲିସ ଗିରଫ କରିଥିଲା ସେଥିରେ ଥିବା ୭ଜଣ ଇରାନୀ ନାଗରିକଙ୍କୁ। ଆଇଏସ୍‌ଆଇର ନିର୍ଦ୍ଦେଶରେ କାନ୍ଦାହାରରୁ ଆସିଥିଲା ଦୁଇଟି କଣ୍ଟେନରରେ ପ୍ରାୟ ୩୦୦୦ କିଲୋ ଡ୍ରଗ୍ସ, ଯାହାର ମୂଲ୍ୟ ଥିଲା ୨୧ ହଜାର କୋଟି ଟଙ୍କାରୁ ଅଧିକ। ମୁମ୍ବାଇର ଲାମିଙ୍ଗଟନ ରୋଡ଼ରେ ଥିବା ୬୦ ମହଲା ବିଶିଷ୍ଟ ‘ନାଥାନି ହାଇଟ୍ସ’ର ଆପାର୍ଟମେଣ୍ଟର ୨୫ତମ ମହଲାରେ ମାସିକ ୭୦ହଜାର ଟଙ୍କା ଘରଭଡ଼ା ଦେଇ ରହୁଥିଲେ ଟ୍ୟାକ୍ସି ଚାଳକ ନବା ଶେଖ। ଅଣ୍ଡରୱାର୍ଲଡ ସହିତ ସମ୍ପର୍କ ଏବଂ ଚୋରା ଡ୍ରଗ୍ସ କାରବାର ଅଭିଯୋଗରେ ୩୦, ନଭେମ୍ବର ୨୦୨୦ରେ ପୋଲିସ ଚଢ଼ାଉ କରି ତାଙ୍କଠୁ ଜବତ କରେ କୋଟି କୋଟି ଟଙ୍କାର ଡ୍ରଗ୍ସ। ଏହିଭଳି ଟନ୍‌ ଟନ୍‌ ପରିମାଣରେ ଯେଉଁ ନିଶାସାମଗ୍ରୀ ଏଠାରେ ଆସି ପହଞ୍ଚୁଛି, ତାହା କ’ଣ ଭାରତର ସମୃଦ୍ଧ ଭବିଷ୍ୟତ ପାଇଁ ନା ଭାରତୀୟ ଯୁବ ସମାଜର ଉଜ୍ଜ୍ବଳ ଭବିଷ୍ୟତ ପାଇଁ?
ଏ ପ୍ରସଙ୍ଗରେ ଏଇଠି ମନେପଡ଼େ ଗୌତମ ବୁଦ୍ଧଙ୍କ ବାଣୀଟିଏ-”ତୁମେ ବରଂ ଶକ୍ତିଶାଳୀ ସିଂହ ବା ତୀକ୍ଷ୍‌ଣ ଖଡ୍ଗକୁ ଭୟ ନକର, କିନ୍ତୁ ନିଶାଠାରୁ ନିହାତି ସହସ୍ର ଯୋଜନ ଦୂରରେ ରୁହ। କାରଣ ସିଂହ ବା ଶସ୍ତ୍ର ଦ୍ୱାରା କିଛି କ୍ଷତି ହେଉ ବା ନହେଉ, କିନ୍ତୁ ନିଶା ଦ୍ୱାରା ତୁମର ସର୍ବନାଶ ହେବ ହିଁ ହେବ। ବରଂ ସିଂହ ବା ଖଡ୍ଗ ତୁମ ବୀରତ୍ୱ ବା ବଳିଦାନର ପରୀକ୍ଷା ନେଇଥାଏ; ମାତ୍ର ଭ୍ରଷ୍ଟାଚାରର ଜନନୀ, ପତନର କାରଣ ହେଉଛି ମାଦକ ଦ୍ରବ୍ୟ।“ ସେଇଥିପାଇଁ କୁହାଯାଇଥାଏ, ”ଯଦି କୌଣସି ଜାତିକୁ ଧ୍ବଂସ କରିବାକୁ ଚାହଁ, ତେବେ ନିଶା ହେଉଛି ଶ୍ରେଷ୍ଠ ଶସ୍ତ୍ର।“ ଯେଉଁଥିପାଇଁ କି ଉପରୋକ୍ତ ଭାରତ-ବିରୋଧୀ ଶକ୍ତିଗୁଡ଼ିକ ବିଭିନ୍ନ ଉପାୟରେ ଭାରତ ଭିତରକୁ ବିପୁଳ ପରିମାଣର ମାଦକଦ୍ରବ୍ୟ ଠେସି ଦେଉଛନ୍ତି ଭାରତର ବିଶାଳ ଯୁବାବର୍ଗଙ୍କୁ ଟାର୍ଗେଟ କରି।
ନିଶା ସେବନକୁ ଦୃଢ଼ଭାବେ ବିରୋଧ କରୁଥିଲେ ମହାତ୍ମା ଗାନ୍ଧୀ। ମାତ୍ର ଆଜି ଯେଉଁଭଳି ଭାବେ ନିଶା କାରବାର କାୟାବିସ୍ତାର କରିସାରିଲାଣି, ସେଥିରୁ ଏ ଭୂମିକୁ ବଞ୍ଚେଇବା ଏକପ୍ରକାର ଅସମ୍ଭବ ବୋଲି ମନେହୁଏ। ସେମିତି ବି ଯେଉଁଭଳି ଢଙ୍ଗରେ ନିଶାର ଆଁରେ ଯୁବ ସମାଜ ଆଜି କବଳିତ, ସେଥିରୁ ତାଙ୍କୁ ମୁକୁଳାଇବା ମଧ୍ୟ ଏକ ଦୁରୂହ ବ୍ୟାପାର। ବାରାକ୍‌ ଓବାମାଙ୍କ ଭାଷାରେ, ”କୌଣସି ରାଷ୍ଟ୍ର ଯଦି ତା’ର ଶକ୍ତିର ଉତ୍ସ/ଯୁବ ସମାଜକୁ ଆଜି ନିୟନ୍ତ୍ରଣ ନ କରୁଛି, କାଲି ସେ ତା’ର ଭୂମିକୁ ମଧ୍ୟ ନିୟନ୍ତ୍ରଣ କରିପାରିବ ନାହିଁ।“ ଅତଏବ ଦେଶକୁ ବଞ୍ଚାଇବାକୁ ହେଲେ ଯୁବସମାଜକୁ ଆଗେ ବଞ୍ଚାଇବାକୁ ହେବ, ଯାହାକି ଏକ ଆଗ୍ନେୟ ଆହ୍ବାନ। ସେଥିପାଇଁ ଆଜି ଲୋଡ଼ା ଅତ୍ୟନ୍ତ ଦୃଢ଼ ଓ ଦୂରଦର୍ଶୀ ପଦକ୍ଷେପ। ଏକ ଦୃଢ଼ ଓ ଦୂରଦର୍ଶୀ ନେତୃତ୍ୱ କ୍ଷମତା ନିଶାରେ ୫ ବର୍ଷକୁ ଆଖିଆଗରେ ରଖି କିଛି ନିଷ୍ପତ୍ତି ବା ପଦକ୍ଷେପ ନିଏନି। ଅତିକମ୍‌ରେ ସେ ୫ ପିଢ଼ି ପାଇଁ ଚିନ୍ତାକରି ପଦକ୍ଷେପ ନିଏ, ପାଞ୍ଚବର୍ଷ ପରେ କ୍ଷମତା ରହୁ ବା ନ ରହୁ। କୌଣସି ସଂସ୍କାରଧର୍ମୀ ପରିବର୍ତ୍ତନ ବା ସାହସିକ ପଦକ୍ଷେପ ପାଇଁ କାହାରିକୁ ହାତଯୋଡ଼ି ସେ ସମର୍ଥନ ମାଗେନି କି କାହାରି ନିନ୍ଦା ପ୍ରଶଂସାକୁ ଖାତିର କରେନି। ରାଷ୍ଟ୍ରୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅତି ଦୃଢ଼ତା ଓ ସାମର୍ଥ୍ୟର ସହିତ ନିର୍ଣ୍ଣୟ ନିଏ ସେ। ‘ଅଗ୍ନିପଥ’ ସେହିଭଳି ଏକ ସୁଦୂରପ୍ରସାରି, ସୁଚିନ୍ତିତ ପଦକ୍ଷେପ ବୋଲି ପ୍ରତୀୟମାନ ହୁଏ, ଯୁବାବର୍ଗଙ୍କୁ ବଞ୍ଚେଇବା ସହିତ ଦେଶକୁ ବଞ୍ଚେଇବା ଲକ୍ଷ୍ୟରେ। ଜୀବନର ଅତି ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ୧୫ରୁ ୨୫ବର୍ଷ ବୟସ। ଏହି ସମୟ ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ, ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଉଭୟ ବ୍ୟକ୍ତିପାଇଁ ଓ ଦେଶପାଇଁ। ଏହି ସମୟର ଜୀବନଚର୍ଯ୍ୟା ହିଁ ନିର୍ଦ୍ଧାରିତ କରିଥାଏ ବ୍ୟକ୍ତିର ଭବିଷ୍ୟତ ମାର୍ଗକୁ। ବ୍ୟକ୍ତିକୁ ବାଟ କଢ଼େଇ ନେଇଥାଏ ଉଜ୍ଜ୍ୱଳ ଭବିଷ୍ୟତକୁ ଅବା ଠେଲି ଦେଇଥାଏ ସଂକଟର ଗହ୍ବରକୁ। ଏହି ସମୟରେ ଶୃଙ୍ଖଳା ଓ ଅନୁଶାସନ ଏକାନ୍ତ ଉପଯୋଗୀ। ଅଗ୍ନିପଥ ଯୋଜନାରେ କେତେ ପଇସା ମିଳିବ ତାହା ବଡ଼କଥା ନୁହଁ, ବଡ଼କଥା ହେଉଛି ଭବିଷ୍ୟତ ଭାରତ ବର୍ତ୍ତିଯିବ ଭୟଙ୍କର ବିପର୍ଯ୍ୟୟରୁ।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri