କୃଷି ଶିକ୍ଷା ଘରୋଇକରଣର ପ୍ରଭାବ

ପ୍ରଫେସର ଚିନ୍ତାମଣି ପଣ୍ଡା

 

କୃଷି ଶିକ୍ଷାର ପ୍ରସାର ନିମିତ୍ତ ଯୁକ୍ତରାଷ୍ଟ୍ର ଆମେରିକା ଓ ଚାଇନା ପରେ ଭାରତ ବିଶ୍ୱର ତୃତୀୟ ଦେଶ, ଯହିଁରେ ତିନୋଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଚାରୋଟି ମାନ୍ୟତାପ୍ରାପ୍ତ କୃଷି ବିଶ୍ୱବିଦ୍ୟାଳୟ ଓ ୬୩ଟି ରାଜ୍ୟସ୍ତରୀୟ କୃଷି ବିଶ୍ୱବିଦ୍ୟାଳୟ ଅହରହ ଶିକ୍ଷାଦାନରେ ବ୍ରତୀ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ, ଯାହାର ପ୍ରତିଷ୍ଠା ୧୯୯୨ ମସିହାରୁ ଉତ୍କଳ କୃଷି ମହାବିଦ୍ୟାଳୟ ନାମରେ ହୋଇଅଛି। ରାଜ୍ୟର ଚାହିଦା ମୁତାବକ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଚିପିଲିମା ଓ ଭବାନୀପାଟଣାରେ ଆଉ ଦୁଇଟି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇ କୃଷି ସ୍ନାତକମାନଙ୍କୁ ବିବିଧ କ୍ଷେତ୍ରରେ କର୍ମନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି।
ଏପରିସ୍ଥଳେ ଆବଶ୍ୟକତାର ଆଳ ଦେଖାଇ କୃଷି ଶିକ୍ଷା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କୁ ଓଡ଼ିଶା ସରକାର ଅନୁମତି ପ୍ରଦାନ କରିବା ପରେ ଅନ୍ୟ ବୈଷୟିକ ଶିକ୍ଷା ପାଇଁ ଯଥେଷ୍ଟ ଛାତ୍ରୀଛାତ୍ର ନ ପାଇ ସେମାନେ କୃଷି ମହାବିଦ୍ୟାଳୟ ଖୋଲିବାରେ ଲାଗିପଡ଼ିଲେ। ରାଜ୍ୟରେ ଛତୁ ଫୁଟିବା ପରି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ଆବଶ୍ୟକ ମୁତାବକ କର୍ମନିଯୁକ୍ତି ଯୋଗାଇ ନ ପାରିବାରୁ ଏ କ୍ଷେତ୍ରରେ ଘୋର ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିଲେ। ବିରାଡ଼ି କପାଳକୁ ଶିକା ଛିଡ଼ିଲା ପରି ଏ ସୁଯୋଗର ହାତଛଡ଼ା କରନ୍ତେ ବା କିପରି? ଫଳତଃ କୃଷିକୁ ଶିଳ୍ପର ମାନ୍ୟତା ପଛେ ନ ମିଳୁ, କୃଷି ଶିକ୍ଷା ଏକ ଶିଳ୍ପରେ ପରିଣତ ହୋଇଗଲା । ତେଣିକି ଶିକ୍ଷାର ମାନ ଯାହା ଥାଉନା କାହିଁକି, ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ କୃଷିସ୍ନାତକ ଉତ୍ପନ୍ନ ହୋଇ କର୍ମସଂସ୍ଥାନ ଅନ୍ବେଷଣରେ ବାହାରିପଡ଼ିଲେ। ଅଧୁନା ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ସରକାରଙ୍କ କୌଣସି ସ୍ପଷ୍ଟ ଯୋଜନା ନାହିଁ। ବ୍ୟାଙ୍କଗୁଡ଼ିକ ସମ୍ମିଶ୍ରଣ ଫଳରେ ନିଯୁକ୍ତି ସୁଯୋଗ ପୁନଃ ସଙ୍କୁଚିତ ହୋଇଗଲା। ସୀମିତ ସଂଖ୍ୟାରେ ସରକାରୀ ନିଯୁକ୍ତି ବାହାରିଲା ସତ, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପରି। ବାଧ୍ୟ ହୋଇ କୃଷି ସ୍ନାତକମାନେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମକୁମାତ୍ର ଦାଖଲ ହୋଇ ସାଧାରଣ ସ୍ନାତକଙ୍କ ପରି ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଲେ। ଏଣୁ ଧୀରେ ଧୀରେ କୃଷି ଶିକ୍ଷା ବୈଷୟିକ ଶିକ୍ଷାର ମାନ୍ୟତା ହରାଇ ବସିଲା କେବଳ ସରକାରଙ୍କ ଏ ପ୍ରକାର ଦୂରଦୃଷ୍ଟିହୀନ ପଦକ୍ଷେପ ପାଇଁ। ଅନ୍ୟପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟବସାୟିକ ଭିତ୍ତିରେ ବର୍ଷକୁ ବର୍ଷ ଅଧିକରୁ ଅଧିକ ଛାତ୍ରୀଛାତ୍ର ଗ୍ରହଣ କରୁଛନ୍ତି। ଏବେ ସରକାର କୃଷି ସ୍ନାତକମାନଙ୍କୁ ସ୍ବରୋଜଗାର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହେବାକୁ ଉପଦେଶ ଦେଉଛନ୍ତି। ପୂର୍ବତନ କୃଷିମନ୍ତ୍ରୀ ମଧ୍ୟ ଲଘୁ ପରିହାସ ଛଳରେ ଛାତ୍ରମାନଙ୍କୁ ଚାକିରି ପଛରେ ନ ଧାଇଁ ଚାଷ କରିବାକୁ କହିଥିଲେ। କୃଷି ଉଦ୍ୟୋଗରେ ସର୍ବାଧିକ ନିଯୁକ୍ତି ସୁଯୋଗ ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା କହି ଆମେ ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷାନବିସଙ୍କୁ ଜମି ଚଷିବାକୁ କହିବା ସମୀଚୀନ କି? ପୁଣି ଆଜିର ଯୁଗରେ ବ୍ୟୟବହୁଳ ବୈଷୟିକ କୃଷି ଶିକ୍ଷା ସମାପ୍ତି ପରେ କୌଣସି ଛାତ୍ର ବା ଅଭିଭାବକ କୃଷି କାର୍ଯ୍ୟ ପାଇଁ ଆଗଭର ହୋଇ ଆସିବେ କି? କୃଷିକୁ ଅମର୍ଯ୍ୟାଦାଜନକ କହି ସରକାର ଏହି ବିଭାଗର ଦାୟିତ୍ୱ ନେବାକୁ ଅନିଚ୍ଛୁକ ଥିବା ବେଳେ କୃଷି ସ୍ନାତକଙ୍କୁ ଧନ୍ଦାମୂଳକ କାର୍ଯ୍ୟ ପାଇଁ ପ୍ରେରିତ କରିବା କେତେଦୂର ଯୁକ୍ତିଯୁକ୍ତ। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ କେତେଜଣ କୃଷିସ୍ନାତକ କୃଷି ଉଦ୍ୟୋଗପତି ହୋଇପାରିଛନ୍ତି? ଅତଏବ, ଏ ପ୍ରକାର ସ୍ଥିତିକୁ ଆକଳନ ନ କରି କୃଷି ଶିକ୍ଷାକୁ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କ ହାତରେ ସମର୍ପିଦେବା ଏକ ଅଦୂରଦର୍ଶୀ ପଦକ୍ଷେପ ନୁହେଁ କି?
ଚାରିଆଡ଼େ ଖାଲି କୃଷି ମହାବିଦ୍ୟାଳୟ ଖୋଲିଦେଲେ ଆମେ କୃଷି ଶିକ୍ଷାର ପ୍ରସାର କରିପାରିବା ସିନା, କିନ୍ତୁ ବେକାରି ସମସ୍ୟାକୁ ଅଧିକରୁ ଅଧିକତର ଉତ୍କଟ କରାଇବାରେ ସାହାଯ୍ୟ କରିବାନିକି? ଉପଯୁକ୍ତ ଭିତ୍ତିଭୂମି ନ ଥାଇ ଶିକ୍ଷକ ମରୁଡ଼ି ପ୍ରବଣ ଶିକ୍ଷାୟତନରେ ଲାଭଖୋର ମନୋବୃତ୍ତି ରଖି ଯଦି ଶିକ୍ଷାଦାନ ଚାଲେ, ତା’ହେଲେ ଯେଉଁ ଶୈକ୍ଷିକ ବିକଳାଙ୍ଗ ଛାତ୍ରଗୁଡ଼ିଏ ସୃଷ୍ଟି ହେବେ, ଏମାନେ ନା ଘରକୁ ହେବେ ନା ଘାଟକୁ। ଏହାକୁ ଆମେ ଯଦି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବୋଲି କହିବା, ତେବେ ଆଗାମୀ ସଙ୍କଟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ ଦାୟବଦ୍ଧ ରହିପାରିବା ତ? ଏବେଠାରୁ ଆଖିଦୃଷ୍ଟିଆ ପଦକ୍ଷେପ ନ ନେଲେ ବିଧାନସଭା ସମ୍ମୁଖରେ ଇଞ୍ଜିନିୟରିଂ ଛାତ୍ରଙ୍କ ସହିତ ମିଶି ଭବିଷ୍ୟତରେ କୃଷି ଛାତ୍ରମାନେ ମଧ୍ୟ ଚାକିରି ଦାବିରେ ଜୋତା ପଲିସି କରିବା ଭଳି ପଦକ୍ଷେପ ନେଇପାରନ୍ତି। ଅତଏବ, ଏ ଦିଗରେ ଚିନ୍ତାନାୟକମାନେ ସରକାରଙ୍କୁ ବିଧିବଦ୍ଧ ଭାବେ ପରାମର୍ଶ ଦେବା ଉଚିତ ହେବ।
ପୂର୍ବତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri