ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ):ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗଞ୍ଜାମ ଜିଲାର ଗିଡ଼ିପାବାଲି ଓ ତଡ଼ମା ଏବଂ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ଼ ଗ୍ରାମର ବନ୍ୟା ଓ ଭୂସ୍ଖଳନ ପୀଡ଼ିତ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ତାଙ୍କ ସହଯୋଗରେ ସୋମବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ ସ୍ବେଚ୍ଛାସେବୀ, ବିପଦର ବନ୍ଧୁ ସଂଗଠନର କର୍ମକର୍ତ୍ତା ଏବଂ ଈଶ୍ୱର କୋଲ୍ଡ ପାର୍ଲର ମାଲିକ ଈଶ୍ୱର ଆଚାରୀ ପ୍ରମୁଖ ଉକ୍ତ ଗ୍ରାମଗୁଡ଼ିକରେ ପହଞ୍ଚି ପୀଡ଼ିତ ପରିବାରଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ।
ଏହି ଅବସରରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଭିଡିଓ କଲ ମାଧ୍ୟମରେ ପୀଡ଼ିତ ପରିବାରଙ୍କ ସହ କଥା ହୋଇ ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିଥିଲେ। ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ଆଶ୍ୱାସନ ଦେଇଥିଲେ। ତାଙ୍କ ଏହି ମାନବିକ ପଦକ୍ଷେପକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମରେ ଭୟାବହ ଭୂସ୍ଖଳନ ଘଟିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି ୬ ଜଣ ନିଖୋଜ ରହିଛନ୍ତି। ଅନ୍ୟ ୧୦ ଜଣ ଅଳ୍ପକେ ରକ୍ଷା ପାଇଥିଲେ। ଗିଡ଼ିପାବାଲି ନିକଟସ୍ଥ ଏକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଦୁଇଟି ପୀଡ଼ିତ ପରିବାରକୁ ସେୱଚ୍ଛାସେବୀମାନେ ସହାୟତା ପ୍ରଦାନ କରିଥିଲେ। ସେହିପରି ଗିଡ଼ିପାବାଲିର ପଡ଼ୋଶୀ ଗ୍ରାମ ତଡ଼ମା ମଧ୍ୟ ବନ୍ୟା ଓ ଭୂସ୍ଖଳନରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାର ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ, କନ୍ଧମାଳ ଜିଲାର ଇନ୍ଦ୍ରଗଡ଼ ଗ୍ରାମର ନଦୀକୂଳରେ ଥିବା ୧୭ଟି ଘର ବନ୍ୟାଜଳରେ ଭାସିଯାଇଥିଲା। ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ମଧ୍ୟ ସୋମବାର ସହାୟତା ପ୍ରଦାନ କରାଯାଇଥିଲା।
ଏହି ସହାୟତା କାର୍ଯ୍ୟକ୍ରମରେ ଭଞ୍ଜନଗର ଏନ ସିର ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରା, ଈଶ୍ୱର ଆଚାରୀ, ବିପଦର ବନ୍ଧୁ କର୍ମକର୍ତ୍ତା ବିଶ୍ୱମ୍ବର ଜେନା, ସୁଲପାଣି ଶତପଥୀ, ଅରକ୍ଷିତ ପରିଚ୍ଛା, ଅଧ୍ୟାପକ ତ୍ରିନାଥ ବେହେରା ଏବଂ ଜାତୀୟ ସେବା ଯୋଜନା କୋ-ୟୁନିଟ ଅଧିକାରୀ ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

