ଗଞ୍ଜାମ, ୨୩।୧୧(ବିଦ୍ୟାଧର ସାହୁ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ୩ ଜଣ ବିଜେଡି ନେତାଙ୍କୁ ଉଠାଇ ନେଲା ଗଞ୍ଜାମ ଥାନା ପୋଲିସ। ସୋମବାର ସକାଳେ ପୋଲିସ ସେମାନଙ୍କୁ ନେଇଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ୩୦ରେ ଛାଡ଼ିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ଆଶଙ୍କାରେ ପୋଲିସ ଏହି ପଦକ୍ଷେପ ନେଇଥିବା ନେଇ ସହରରେ ଚର୍ଚ୍ଚା ହେଉଛି।
ପୋଲିସ ଉଠାଇ ନେଇଥିବା ବିଜେଡି ନେତାମାନେ ହେଲେ ସୁଦାମ ଚରଣ ଜେନା, ସୁଦାମ ଚରଣ ପଲାଇ ଓ ଶ୍ରୀରାମ ଦାସ। ମୁଖ୍ୟମନ୍ତ୍ରୀ ଛତ୍ରପୁରରେ ପହଞ୍ଚିବା ପୂର୍ବରୁ ଗଞ୍ଜାମ ଥାନା ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା। ପରେ ଅପରାହ୍ନ ସାଢ଼େ ୨ଟାରେ ଛାଡ଼ି ଦେଇଥିଲା।
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲା ଗସ୍ତରେ ଆସି ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ନିଜେ ଚାଷ ଜମିକୁ ଯାଇ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ଅଞ୍ଚଳ ବୁଲିଥିଲେ। ଏହାସହ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ପୋଲିସ ଉଠାଇ ନେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Dharitri – Odisha’s No.1 Odia Daily

