ନୂଆଦିଲ୍ଲୀ,୨୩।୧୧: ଚାକିରିଆ ଏବଂ ଭବିଷ୍ୟନିଧି (PF) ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ନିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଆଧୁନିକ କରିବାକୁ ଯାଉଛି। ଏହାର ନାମ ରଖାଯାଇଛି EPFO 3.0। ରିପୋର୍ଟ ଅନୁଯାୟୀ, ଏହି ବଡ଼ ପରିବର୍ତ୍ତନ ଅଧୀନରେ ଡିସେମ୍ବର ସୁଦ୍ଧା UPI (ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ) ଜରିଆରେ PF ଟଙ୍କା ଉଠାଣ ସୁବିଧା ଆରମ୍ଭ ହୋଇପାରେ। ଏଥିପାଇଁ ଆବଶ୍ୟକ ଟେକ୍ନୋଲୋଜି ପ୍ରସ୍ତୁତ ହୋଇସାରିଛି ଏବଂ ଟ୍ରାଏଲ ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ EPFO 3.0 ପ୍ଲାଟଫର୍ମ ଫେବୃଆରୀ ସୁଦ୍ଧା ଲାଗୁ ହେବାର ଆଶା ରହିଛି।
ଏହି ବ୍ୟବସ୍ଥା ଲାଗୁ ହେବା ପରେ PF ଟଙ୍କା ଉଠାଇବା ପାଇଁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି କିମ୍ବା କାଗଜପତ୍ର ଜନିତ ଜଟିଳତାର ସାମ୍ନା କରିବାକୁ ପଡ଼ିବନି। ଆସନ୍ତୁ ଜାଣିବା EPFO 3.0ରେ କେଉଁ ସବୁ ନୂଆ ପରିବର୍ତ୍ତନ ଆସୁଛି, କେତେ ଶୀଘ୍ର କ୍ଲେମ ସେଟେଲମେଣ୍ଟ ହେବ ଏବଂ ଅବସର ନେଉଥିବା କର୍ମଚାରୀଙ୍କ ସହ ଗିଗ ୱାର୍କର୍ସଙ୍କୁ ଏଥିରୁ କ’ଣ ଫାଇଦା ମିଳିବ।
ଜରୁରୀ ସମୟରେ ନିଜ PF ଟଙ୍କା ଉଠାଇବା ପାଇଁ ଏଣିକି ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି। UPI ଜରିଆରେ PF ଟଙ୍କା ଉଠାଣ ପାଇଁ ଆବଶ୍ୟକ ଟେକ୍ନୋଲୋଜି ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଡିସେମ୍ବର ସୁଦ୍ଧା ଏହି ସୁବିଧା ଆରମ୍ଭ ହେବାର ଆଶା ରହିଛି। ଏହା ସହିତ ATM ଜରିଆରେ ମଧ୍ୟ ତୁରନ୍ତ PF ଟଙ୍କା ଉଠାଣ ବ୍ୟବସ୍ଥା ଆରମ୍ଭ କରିବାର ଯୋଜନା ରହିଛି।
ନୂଆ ବ୍ୟବସ୍ଥାରେ ଯେଉଁ କେ୍ଲମ୍ଗୁଡ଼ିକ ଆବଶ୍ୟକ ରିସ୍କ ମ୍ୟାନେଜମେଣ୍ଟ ଯାଞ୍ଚ ଏବଂ ଭାଲିଡେସନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହେବ, ସେଗୁଡ଼ିକ କୌଣସି ମାନବୀୟ ହସ୍ତକ୍ଷେପ ବିନା ସ୍ବୟଂଚାଳିତ ଭାବେ ପ୍ରୋସେସ ହୋଇଯିବ। ଫଳରେ ବର୍ତ୍ତମାନର ୨୦ ଦିନ ପରିବର୍ତ୍ତେ ୩ ଦିନରୁ କମ ସମୟ ମଧ୍ୟରେ କ୍ଲେମ ସେଟେଲମେଣ୍ଟ ହୋଇପାରିବ।
ବର୍ତ୍ତମାନ EPFO ୩୬ କୋଟିରୁ ଅଧିକ ସକ୍ରିୟ ସଦସ୍ୟଙ୍କୁ ସେବା ଯୋଗାଇ ଦେଉଛି। ନୂଆ EPFO 3.0 ପ୍ଲାଟଫର୍ମକୁ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୦୦ କୋଟି ସଦସ୍ୟଙ୍କ ତଥ୍ୟ ପରିଚାଳନା କରିବା କ୍ଷମତା ସହ ପ୍ରସ୍ତୁତ କରାଯାଉଛି। ଏଥିରେ କୋର୍ ବ୍ୟାଙ୍କିଂ ସଲ୍ୟୁସନ (CBS) ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଏକାଧିକ ସେବା ଉପଲବ୍ଧ ହେବ।
ଅବସର ନେଉଥିବା କର୍ମଚାରୀଙ୍କ ପାଇଁ EPFOର ସେଣ୍ଟ୍ରାଲ ବୋର୍ଡ ସିଷ୍ଟମାଟିକ ୱିଡ୍ରଲ ପ୍ଲାନ (SWP)କୁ ମଧ୍ୟ ଅନୁମୋଦନ ଦେଇଛି। ଏହି ସୁବିଧା ଅନୁଯାୟୀ, ଯୋଗ୍ୟ ଅବସରପ୍ରାପ୍ତ କର୍ମଚାରୀ ନିଜର PF ଜମା ରାଶିକୁ ଏକାଥରକେ ଉଠାଇବା ପରିବର୍ତ୍ତେ ନିୟମିତ ବ୍ୟବଧାନରେ କିସ୍ତି ଆକାରରେ ପାଇପାରିବେ। ଫଳରେ ଅବସର ପରେ ମଧ୍ୟ ନିୟମିତ ଆର୍ଥିକ ସହାୟତା ମିଳିବାର ସୁଯୋଗ ସୃଷ୍ଟି ହେବ।

