ପାଇକମାଳ,୨୩।୧୧(ବଡ ଶତପଥୀ): ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଚାଷୀଙ୍କ ବର୍ଷକର ଆହାର ଉଜୁଡି ଯାଇଛି। ଅମଳ ସମୟରେ ପ୍ରକୃତିର ଦାଉ ଯୋଗୁ ବିଲ ଓ ଖଳାରେ ପଡ଼ିଥିବା ଧାନ ଫସଲ ଏବେ ଗଜା ହୋଇ ନଷ୍ଟ ହେବାକୁ ବସିଛି ।
ବରଗଡ଼ ଜିଲା ପାଇକମାଳ ବ୍ଲକରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି ବିକଳ ଚିତ୍ର। ସେପଟେ ପ୍ରଶାସନିକ ଅବହେଳା ଅଭିଯୋଗ ପରେ ଏବେ ଚାଷୀଙ୍କ ପାଇଁ ବରିଷ୍ଠ ନାଗରିକ ସଂଘ ଅଣ୍ଟା ଭିଡ଼ିଛି । ଗତ କିଛି ଦିନ ହେବ ହୋଇଥିବା ଅକସ୍ମାତ ବର୍ଷା ଯୋଗୁ ବିଲରେ କଟା ହୋଇ ପଡ଼ିଥିବା ଧାନ ଏବଂ ଖଳାରେ ଗଦା ହୋଇଥିବା ଅମଳ ଧାନ ପାଣିରେ ଭିଜି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ବର୍ଷା ପାଣି ଜମି ରହିବା ଫଳରେ ଏବେ ଧାନ କେଣ୍ଡାରୁ ଗଜା ବାହାରି ଗଲାଣି। ବର୍ଷକର ଦାନା ହରାଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅଞ୍ଚଳର ଶହ ଶହ ଚାଷୀ । ଫସଲ ଉଜୁଡ଼ି ଯିବା ପରେ ଚାଷୀମାନେ ଏନେଇ ପାଇକମାଳ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ।
ଏଥିସହ ବୀମା କମ୍ପାନୀକୁ ମଧ୍ୟ ଫୋନ ଯୋଗେ ଅବଗତ କରାଯାଇଥିଲା। ହେଲେ ଦୁଃଖର ବିଷୟ, ଅଭିଯୋଗ ପରେ ବି ଏପର୍ଯ୍ୟନ୍ତ କୃଷି ବିଭାଗ କିମ୍ବା ରାଜସ୍ବ ବିଭାଗର କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିନାହାନ୍ତି କି କ୍ଷୟକ୍ଷତିର ଆକଳନ ହୋଇନାହିଁ । ପ୍ରଶାସନର ଏଭଳି ଉଦାସୀନତା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।
ଚାଷୀଙ୍କ ଏହି ଅସହାୟ ଅବସ୍ଥା ଦେଖି ଏବେ ସାମ୍ନାକୁ ଆସିଛି ପାଇକମାଳ ବ୍ଲକ ବରିଷ୍ଠ ନାଗରିକ ସଂଘ । ସଂଘର ସଭାପତି ବଳରାମ ସାହୁ ଓ ସଂପାଦକ ହାଡ଼ୁ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଦିଆଯାଇଛି । ତୁରନ୍ତ କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଏବଂ ବୀମା ରାଶି ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦୃଢ଼ ଦାବି ହୋଇଛି ।

