ଚେନ୍ନାଇ, ୪।୧୦: ଅଭିନେତା-ରାଜନେତା ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କାଜଗମ’ (ଟିଭିକେ) ଦଳ ଇଣ୍ଡି ମେଣ୍ଟରେ ସିଇସିଙ୍କ ଇସ୍ତଫା ଦାବି ଅଭିଯାନରେ ସାମିଲ ହୋଇଛି ବୋଲି ଶନିବାର ତାମିଲନାଡୁ କଂଗ୍ରେସ କମିଟି(ଟିଏନ୍ସିସି) ସଭାପତି ମାଣିକମ ଟାଗୋର୍ କହିଛନ୍ତି। ଚେନ୍ନାଇସ୍ଥିତ ଟିଏନ୍ସିସି କାର୍ଯ୍ୟାଳୟରେ ଟାଗୋରଙ୍କ ନେତୃତ୍ୱରେ ଅନୁଷ୍ଠିତ ଇଣ୍ଡି ମେଣ୍ଟର ଏକ ବୈଠକରେ ଟିଭିକେ ନେତା ଆଧବ ଅର୍ଜୁନ ଏବଂ ମାରିଆ ୱିଲସନ ଯୋଗଦେଇଥିଲେ। ଏହି ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳ ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍)କୁ ନେଇ ଚିନ୍ତା ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସେପ୍ଟେମ୍ୱର ୩୦ ତାରିଖରେ ଇଣ୍ଡି ମେଣ୍ଟର ଶୀର୍ଷ ନେତାମାନେ ଏକାଠି ହେବାର କିଛି ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ତାମିଲନାଡୁରେ ଇଣ୍ଡି ମେଣ୍ଟର ଦଳଗୁଡ଼ିକ ଆସନ୍ତା ଅକ୍ଟୋବର ୧୩ ଏବଂ ୧୪ ତାରିଖରେ ଜିଲାସ୍ତରରେ ମୁଖ୍ୟ ନିର୍ୱାଚନ କମିଶନରଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଅକ୍ଟୋବର ୧୫ ତାରିଖରେ ଚେନ୍ନାଇରେ ଏକ ମିଳିତ ପ୍ରତିବାଦ ସଭା କରାଯିବ।

