ପ୍ରାଣୀ ଚିକିତ୍ସାକୁ ଦିଆଯାଉନି ପ୍ରାଧାନ୍ୟ

ଖମାର,୧୮ା୨:  ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ପ୍ରାଣୀଧନଙ୍କ ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାଣୀଧନ ପାଳନ ନିମନ୍ତେ ବିଭିନ୍ନ ଯୋଜନାରେ ଯୁବତୀ ଯୁବକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଅଳ୍ପ ସୁଧରେ ବ୍ୟାଙ୍କରୁ ଋଣ ପ୍ରଦାନ ସହ ସ୍ବାବଲମ୍ବୀ କରିବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ପ୍ରାଣୀଧନଙ୍କ ଚିକିତ୍ସା ଦିଗରେ ସରକାର ପ୍ରାଧାନ୍ୟ ଦେଉ ନ ଥିବାରୁ ଅନେକ ଅଞ୍ଚଳରେ ଯୋଜନା ଫଳପ୍ରଦ ହୋଇପାରୁ ନାହିଁ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳ ଏହାର ଏକ ଉଦାହରଣ। ଏଠାରେ ଥିବା ଖମାର ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ୫ଟି ଉପ କେନ୍ଦ୍ରରେ ଜଣେ ହେଲେ ଡାକ୍ତର ନାହାନ୍ତି। ଫଳରେ ପ୍ରାଣୀଧନଙ୍କ ଚିକିତ୍ସା ସେବା ଏକପ୍ରକାର ଠପ୍‌ ହୋଇଯାଇଛି।
ଖମାର ପ୍ରାଣୀ ଚିକିତ୍ସାକେନ୍ଦ୍ର ଅଧୀନରେ ଶଙ୍ଖମୁର, ସିଆରିମାଳିଆ, ଇଞ୍ଜିଡ଼, ଖେମଳା ଓ ବଡ଼ସଡ଼ା ଉପ ଚିକିତ୍ସାକେନ୍ଦ୍ର ରହିଛି। ଏସବୁ ଉପ କେନ୍ଦ୍ରରେ ଆଦୌ ଡାକ୍ତର ନ ଥିବାବେଳେ ଖମାରରେ ଥିବା ଜଣେ ଡାକ୍ତର ଓ ଏଲ୍‌ଆଇ (ଲାଇଭ୍‌ ଷ୍ଟକ୍‌ ଇନ୍ସପେକ୍ଟର)ଙ୍କ ଗତ ଜାନୁୟାରୀ ମାସରେ ବଦଳି ହୋଇଯାଇଛି। ଫଳରେ ହଜାର ହଜାର ପ୍ରାଣୀଧନଙ୍କୁ ଚିକିତ୍ସାସେବା ମିଳିପାରୁ ନାହିଁ। ପୂର୍ବରୁ ଖମାରରେ ଥିବା ଏଲ୍‌ଆଇ ଡିଲେଶ୍ୱର ସାମଲଙ୍କ ୧୮ ଜାନୁୟାରୀ ୨୦୨୧ରେ ଓ ପ୍ରାଣୀଧନ ଚିକିତ୍ସକ ନିରୋଦ ସାହୁଙ୍କ ସେହି ମାସ ୨୧ ତାରିଖରେ ବଦଳି ହୋଇଛି। ତେଣୁ ଚାଷୀମାନେ ପାଳନ କରିଥିବା ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା ଆଦିଙ୍କ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉପଯୁକ୍ତ ସମୟରେ ଚିକିତ୍ସା ଓ ପରାମର୍ଶ ମିଳୁ ନ ଥିବାରୁ ବହୁ ପ୍ରାଣୀଧନଙ୍କ ଜୀବନହାନି ମଧ୍ୟ ଘଟୁଛି। ଫଳରେ ବ୍ୟାଙ୍କରୁ ଋଣ କରି ପ୍ରାଣୀ ପାଳନ କରିଥିବା ଚାଷୀମାନେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅନୁଗୋଳ ଜିଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉ ନ ଥିବାରୁ ଖମାର ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଏବେ ଜଣେ ମାତ୍ର ପିଅନ ଅଛନ୍ତି। ସେହିପରି ବଡ଼ସଡାଠାରେ ଥିବା ଉପ ଚିକିତ୍ସାକେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ନୂଆ କୋଠା ନିର୍ମାଣ ହେବା ଦିନଠାରୁ ଏଠାରେ ଜଣେ ହେଲେ ଡାକ୍ତର କି କର୍ମଚାରୀ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଉକ୍ତ କୋଠାରେ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ଭିତ୍ତିଭୂମି ନିର୍ମାଣ କରାଯାଉଥିଲେ ମଧ୍ୟ ତାହାକୁ କାର୍ଯ୍ୟରେ ଲଗାଯାଉ ନ ଥିବାରୁ ସରକାର ଅର୍ଥର ଅପବ୍ୟୟ ହେଉଛି। ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ନ ଦେଲେ ଖମାର ଅଞ୍ଚଳର ଚାଷୀ, ଯୁବତୀ ଯୁବକମାନେ ପ୍ରାଣୀଧନ ପାଳନରୁ ମୁହଁ ଫେରାଇ ନେବେ ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଶାସନର ଅବହେଳା ଦାୟୀ
ଖମାର ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଗୋରୁ, କୁକୁଡ଼ା, ଛେଳି ଅଛନ୍ତି। କିନ୍ତୁ ପ୍ରଶାସନର ଅବହେଳା କାରଣରୁ ପ୍ରାଣୀଧନଙ୍କୁ ଚିକିତ୍ସା ସେବା ମିଳିପାରୁ ନାହିଁ। ଦୀର୍ଘ ଦିନ ହେବ ଏଠି ପ୍ରାଣୀଧନ ଚିକିତ୍ସକ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।
-ମୀନା ପ୍ରଧାନ, ଓଡ଼ଶ

ଗୋ ପାଳନ ପ୍ରତି ଆଗ୍ରହ କମୁଛି
ଗାଈ ପାଳନ ପାଇଁ ପୂର୍ବରୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଥିଲା। କିନ୍ତୁ ଚିକିତ୍ସା ବ୍ୟବସ୍ଥା ନେଇ ଲୋକେ ବର୍ଷ ବର୍ଷ ଧରି ହଇରାଣ ହେଉଥିବାରୁ ସେଥିପ୍ରତି ଆଉ ମନ ବଳାଉ ନାହାନ୍ତି। ବିଶେଷକରି ଗାଈମାନଙ୍କ ପ୍ରଜନନ କ୍ଷେତ୍ରରେ ଅସୁବିଧା ହେଉଛି। ବ୍ୟାଙ୍କରୁ ଗୋ ପାଳନ ପାଇଁ ଋଣ ମଧ୍ୟ ଠିକ୍‌ ଭାବେ ପ୍ରଦାନ କରାଯାଉ ନାହିଁ।
-ଅନସୂୟା ଦେହୁରୀ, ଶଙ୍ଖମୁର

କ୍ଷତି ସହୁଛନ୍ତି ଚାଷୀ
ପୂର୍ବରୁ ଯୋଗାଯୋଗ କ୍ଷେତ୍ରରେ ଅସୁବିଧା ଯୋଗୁ ପ୍ରାଣୀଧନଙ୍କ ଚିକିତ୍ସାରେ ବିଳମ୍ବ ହେଉଥିଲା। ହେଲେ ଏବେ ସେହି ସମସ୍ୟା ନ ଥିଲେ ମଧ୍ୟ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି। ଫଳରେ ଗୋରୁ, ଛେଳି, ମେଣ୍ଢା ରଖିଥିବା ଚାଷୀ ହଇରାଣ ହେବା ସହ କ୍ଷତି ସହୁଛନ୍ତି। ସରକାର ଡାକ୍ତର ନିଯୁକ୍ତି ନ ଦେଲେ ଗୋ ପାଳନରୁ ନିବୃତ୍ତ ରହିବୁ।
-ଭୂୟାଁ ସେଠୀ, ଶଙ୍ଖମୁର

ସମସ୍ୟା ବଢ଼ି ଚାଲିଛି
ଖେମଳା ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଚିକିତ୍ସକ ନାହାନ୍ତି। ପ୍ରାଣୀଧନଙ୍କ ଚିକିତ୍ସା ଆବଶ୍ୟକ ପଡ଼ିଲେ ଖମାରରୁ ଡାକ୍ତର ଆସୁଥିଲେ। କିନ୍ତୁ ଖମାରରେ ଏବେ ଉକ୍ତ ପଦବୀ ଖାଲି ପଡ଼ିଥିବାରୁ ସେହି ସୁବିଧା ଆଉ ଚାଷୀଙ୍କୁ ମିଳିପାରୁ ନାହିଁ। ଫଳରେ ସମସ୍ୟା ବଢ଼ି ଚାଲିଛି।
-କ୍ଷିତୀସ ଗଡ଼ନାୟକ, ଖେମଳା

ଆମ ହାତରେ କିଛି ନାହିଁ
ଆମ ହାତରେ କିଛି ନାହିଁ। ସରକାର ଚାହିଁଲେ ହିଁ ସବୁ ଖାଲି ପଦବୀ ପୂରଣ ହେବ। ଏବେ ୨ଜଣ ଏଲ୍‌ଆଇଙ୍କୁ ଅସ୍ଥାୟୀ ଭାବେ ଖମାର ଅଞ୍ଚଳର ପ୍ରାଣୀଧନଙ୍କ ଚିକିତ୍ସା ଦାୟିତ୍ୱ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଉପରିସ୍ଥ ପ୍ରଶାସନ ଚାହିଁଲେ ଉତ୍ତମ ସେବା ଯୋଗାଇ ଦିଆଯିବ।
-ଜିତେନ୍ଦ୍ର ସାହୁ,
ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ...

ନିୟମ ମାନୁନାହାନ୍ତି କର୍ମଚାରୀ: ପୌର କାର୍ଯ୍ୟାଳୟକୁ ନେଇ ବଢ଼ୁଛି ଅଭିଯୋଗ

ଅନୁଗୋଳ ଅଫିସ, ୨୨।୧ – ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ ଅନେକ ସମୟରେ ନିଜ ସିଟ୍‌ରେ ରହୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ବିଭିନ୍ନ...

ଜମିକୁ ମାଡ଼ିବ ଜଳ

ବଇଣ୍ଡା,୨୧।୬(ଡି.ଏନ.ଏ.) ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ନ ଥିଲେ ମଧ୍ୟ ଚାଷ ଜମିକୁ ମାଡ଼ୁଥିଲା ଝରଣା ପାଣି। ନିର୍ମାଣ କରାଯାଇଥିବା ୭ କିଲୋମିଟର କେନାଲ...

୧୭ ଜାନୁୟାରୀରେ ବିଶାଳ ଗଣ ବିକ୍ଷୋଭ

ଅନୁଗୋଳ ଅଫିସ, ୨୭ା୧୨: ଅନୁଗୋଳ ଜିଲାର ୯୨ଟି ରାଜସ୍ବ ଗ୍ରାମକୁ ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ...

୨୯ରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା

ତାଳଚେର, ୧୦ା୪(ନି.ପ୍ର.) – ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବି ଜୋର୍‌ଧରିଛି। ଏହାର ପ୍ରତିବାଦରେ ଆସନ୍ତା ଏପ୍ରିଲ୍‌ ୨୯ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ...

ନିଜାମୁଦ୍ଦିନ ଯାଇଥିଲେ ମାଧପୁର ଦମ୍ପତି

ଆଠମଲ୍ଲିକ, ୪ା୪- ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଦମ୍ପତି ଯୋଗ ଦେଇଥିବା ନେଇ ଶନିବାର ଅଞ୍ଚଳବାସୀ ପୋଲିସକୁ...

ପ୍ରଥମ ଥର ବାୟାଣୀ ପୀଠରୁ ବାହାରିବ ମଶାଲଯାତ୍ରା

ଅନୁଗୋଳ ଅଫିସ, ୧୨ ।୩ କଳା, ସଂସ୍କୃତି, ଐତିହ୍ୟ ଏବଂ ଲୋକକଳାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଅନୁଗୋଳ ଜିଲାରେ ଆୟୋଜିତ ହେବାକୁ ଯାଉଛି ୯ମ ଜିଲା ମହୋତ୍ସବ।...

ସୋଲଡ଼ାରେ ପ୍ରଶାସନ ପକ୍ଷରୁ ପଲ୍ଲିସଭା: ଧଉରାଗୋଠ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ବଇଣ୍ଡା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଧଉରାଗୋଠ ଗ୍ରାମରେ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏହାକୁ...

Advertisement
Archives

Model This Week