ପରିବା ଚିନ୍ତା

ଆଷାଢ଼ ଶେଷ ହେବାକୁ ବସିଲାଣି, ହେଲେ ପରିବା ଦର କମୁନାହିଁ। ଏହା ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇନାହାନ୍ତି। ମୁଖ୍ୟତଃ ପନିପରିବା ଦରବୃଦ୍ଧି ଯୋଗୁ ଓଡ଼ିଶାରେ ମୁଦ୍ରାସ୍ଫୀତି (ଇନ୍‌ଫ୍ଲେଶନ) ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ରହିଛି। ଏବେ ଏକ ପଦକ୍ଷେପ କ୍ରମେ ଏଭଳି ସମସ୍ୟା ଦୂର କରିବା ଲାଗି ସବୁ ଜିଲାରେ ପରିବା ମଣ୍ଡି ଖୋଲିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ପ୍ରଥମେ ଏହା କଟକ ଓ ଭୁବନେଶ୍ୱରରେ ଓ ପରେ ଅନ୍ୟ ଜିଲାରେ ଖୋଲାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ସହ ଦୋକାନ ଆଗରେ ରେଟ୍‌ ଚାର୍ଟ ଲଗାଇବା ଲାଗି ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କେବଳ ଏତିକି ନୁହେଁ, ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆଳୁ ଓ ପିଆଜ ଉତ୍ପାଦନ ବଢ଼ାଇବା ପାଇଁ ସରକାରଙ୍କ ଲକ୍ଷ୍ୟ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ପରିବା ଦରବୃଦ୍ଧି ସମସ୍ୟା ନୂଆ ନୁହେଁ, ବିଗତ ବର୍ଷଗୁଡ଼ିକରେ ବହୁ ସମୟରେ ଏହି ସମସ୍ୟା ଦେଖାଯାଇଛି। ତାହା କୌଣସି ଯୋଜନା କାରଣରୁ ନୁହେଁ, ବରଂ ବଜାରରେ ଅଧିକ ପରିବା ଉପଲବ୍ଧ ହେବା ପରେ ତାହା ଦୂର ହୋଇଛି। ପରିବା ବାହାର ରାଜ୍ୟରୁ ଆମଦାନୀ ହୋଇ ଏଭଳି ସମସ୍ୟା ଦୂରହେବା କଥା ସମସ୍ତେ ଜାଣନ୍ତି। ବର୍ତ୍ତମାନ ସରକାରଙ୍କ ଘୋଷଣାରୁ ବୁଝାପଡ଼ୁଛି ଯେ, ମଣ୍ଡି ତିଆରି ହେବ ଓ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ କୃଷକମାନେ ସେଠାରେ ପରିବା ବିକ୍ରି କରିବା ଫଳରେ ଖାଉଟି ଉଚିତ ମୂଲ୍ୟରେ ତାହା ପାଇପାରିବେ। କିନ୍ତୁ ସବୁ ବିଷୟ ନିର୍ଭର କରେ ଉତ୍ପାଦନ ଉପରେ। ଉତ୍ପାଦନ ଯଦି କମ୍‌ ରୁହେ, ତେବେ ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ରହିବାକୁ ବାଧ୍ୟ ହେବା। ଏ କ୍ଷେତ୍ରରେ ମଣ୍ଡିର ଆବଶ୍ୟକତା କେତେ ତାହା ଅନୁଭବ କରାଯିବା ଦରକାର। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରେ ଯେଉଁ ମଣ୍ଡି ରହିଛି, ସେଠାରେ ଚାଷୀମାନେ ପରିବା ଓ ଫଳଜାତୀୟ ଫସଲ ବିକ୍ରି କରିବା ସହ ଅନ୍ୟ ରାଜ୍ୟକୁ ରପ୍ତାନି କରିଥାନ୍ତି। କିନ୍ତୁ ଏବେ ସରକାର ଯେଉଁ ପ୍ରକାର ମଣ୍ଡି କଥା କହୁଛନ୍ତି, ସେଠାରେ କେବଳ ଖାଉଟିଙ୍କୁ ଚାଷୀ ପରିବା ବିକ୍ରି କରିବା ବ୍ୟତୀତ ରପ୍ତାନି ସୁବିଧାର ସୂଚନା ମିଳୁନାହିଁ। କାରଣ ଆଳୁ, ପିଆଜ, ରସୁଣଠାରୁ ଆରମ୍ଭକରି ପ୍ରାୟ ଅଧିକାଂଶ ପରିବା ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏହାର କାରଣ ସେଠାରେ ଉତ୍ପାଦନ ଅଧିକ ଓ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ସୁବିଧା ଅଛି। ଓଡ଼ିଶାରେ ପୂର୍ବ ସରକାରଙ୍କ ଅମଳରୁ ଶୀତଳଭଣ୍ଡାର ଖୋଲିବା ସମ୍ପର୍କରେ ଯୋଜନା ହୋଇଥିଲା ଓ ନିକଟରେ ସବୁ ବ୍ଲକରେ ତାହା ଖୋଲାଯିବ ବୋଲି ଏବକାର ସରକାର ଘୋଷଣା କରିଛନ୍ତି। ତେବେ ସରକାରଙ୍କ ଉଭୟ ଘୋଷଣାରୁ ମଣ୍ଡି ଆଗ କି ଶୀତଳଭଣ୍ଡାର ଆଗ ତାହା ଚିନ୍ତା କରି କାର୍ଯ୍ୟ ଆରମ୍ଭ କରାଯିବା ଦରକାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୭୦ ଦଶନ୍ଧିର ଆରମ୍ଭରେ ତତ୍‌କାଳୀନ ଓଡ଼ିଶା ସରକାର ଶୀତଳଭଣ୍ଡାର କଥା ଚିନ୍ତା କରିଥିଲେ ଏବଂ ରାଜ୍ୟର ବିଭିନ୍ନ ବ୍ଲକରେ ଶୀତଳଭଣ୍ଡାର ସ୍ଥାପନ ମଧ୍ୟ କରାଯାଇଥିଲା। ସେତେବେଳେ ପ୍ରଯୁକ୍ତି ବିକାଶ ହୋଇ ନ ଥିବା ଫଳରେ ଶୀତଳଭଣ୍ଡାର କାର୍ଯ୍ୟକ୍ଷମତା ଆଖିଦୃଶିଆ ଭାବେ ସଫଳ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସର ୧୫ ବର୍ଷ ଏବଂ ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନ କାଳରେ ଶୀତଳଭଣ୍ଡାର ଏବଂ ଜଳସେଚନ ଭଳି କୃଷିକୁ ସବୁଠାରୁ ଅଧିକ ସାହାଯ୍ୟ କରୁଥିବା କାର୍ଯ୍ୟ ପ୍ରାୟତଃ ବନ୍ଦ କରିଦିଆଯାଇଥିଲା। ଯାହାଫଳରେ ଓଡ଼ିଆ ଚାଷୀ ତାହାର ଜମିକୁ ପଡ଼ିଆ ପକାଇବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲା। ଏବେ ପ୍ରଯୁକ୍ତି ଜ୍ଞାନ ବୃଦ୍ଧି ପାଇବା ପରେ ଆଧୁନିକ ଶୀତଳଭଣ୍ଡାର ନିର୍ମାଣ କରାଯାଇପାରିବ, ଯେଉଁଥିରେ ବିଭିନ୍ନ ପ୍ରକାରର ପରିବାକୁ ଭିନ୍ନ ଭିନ୍ନ ତାପମାତ୍ରାରେ ବହୁଦିନ ରଖାଯାଇପାରିବ।
ପରିବା ମଣ୍ଡି ଓ ଶୀତଳଭଣ୍ଡାର ନିର୍ମାଣ କାର୍ଯ୍ୟ ପୂର୍ବରୁ ଉତ୍ପାଦନ ବୃଦ୍ଧି ଲାଗି ଯୋଜନା କେତେ କାର୍ଯ୍ୟକ୍ଷମ ହୋଇପାରିଛି ତାହାର ସମୀକ୍ଷା ହେବା ଜରୁରୀ। କେବଳ ସମସ୍ୟାକୁ ଦେଖି ଘୋଷଣା କରାଗଲେ ତାହା ପରିଣାମ ‘ଆଳୁ ମିଶନ’ ଭଳି ହୋଇପାରେ। ଏକଥା ବି ସତ ଯେ, ଆଳୁ ଦର ଏବେ କେ.ଜି. ପ୍ରତି ୩୦ ଟଙ୍କାରେ ବିକ୍ରି ହେଉଛି। ପରିବା ମଣ୍ଡି କଥା ଶୁଣିବାବେଳକୁ ଗାଁର ସାପ୍ତାହିକ ହାଟ ମନେପଡ଼ିଯାଏ। ଯିଏ ଗାଁ ହାଟକୁ ଯାଇଥିବେ, ସେମାନେ ଏହା ନିଶ୍ଚୟ ଦେଖିଥିବେ ଯେ, ସେଠାରେ ଆଖପାଖ ଗାଁର କୃଷକମାନେ ସେମାନଙ୍କ କୃଷିଜାତ ଶସ୍ୟ ବିକ୍ରି କରିବାକୁ ଆସନ୍ତି। ମୁଖ୍ୟତଃ ହାଟର ଆକର୍ଷଣ ଥାଏ ତଟକା ପରିବା। ଖାଉଟିଙ୍କ ବ୍ୟତୀତ ବ୍ୟବସାୟୀ କିମ୍ବା ମଧ୍ୟସ୍ଥମାନେ ଚାଷୀଙ୍କଠାରୁ ପରିବା କିଣି ଥାଆନ୍ତି। ପ୍ରକୃତରେ ଲାଭ ସେମାନେ ପାଆନ୍ତି, କାରଣ କମ୍‌ ମୂଲ୍ୟରେ ଚାଷୀ ସେମାନଙ୍କୁ ପରିବା ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ଚାଷୀଙ୍କୁ ତାଙ୍କର ଉପତ୍ାଦ ରଖିବାକୁ ଶୀତଳଭଣ୍ଡାର ଭଳି କୌଣସି ବ୍ୟବସ୍ଥା ନାହିଁ। ଏମିତିକି ବହୁ ସମୟରେ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ପରିବାକୁ ହାଟ ବାହାରେ ଫିଙ୍ଗି ଦେବା ଦୃଶ୍ୟ ଦେଖିବାକୁ ମିଳେ। ଦୁଃଖର ବିଷୟ ହେଉଛି, ରାଜ୍ୟରେ ପଞ୍ଜୀକୃତ ୧୫ ହଜାରରୁ ଊର୍ଦ୍ଧ୍ୱ ଗାଁ ହାଟ ଅବ୍ୟବସ୍ଥିତ ହୋଇ ରହିଛି। ଏହାର ଭିତ୍ତିିଭୂମି ସମ୍ପୂର୍ଣ୍ଣ ଦୁର୍ବଳ। ସାଙ୍ଗଠନିକ ଓ ପରିଚାଳନାଗତ ଏକକ ବ୍ୟବସ୍ଥା ନାହିଁ। ସରକାର ହାଟର କାର୍ଯ୍ୟ, ପରିଚାଳନା ଓ ବଜାର ଚାପ ସମ୍ମୁଖୀନ ହେବା ପାଇଁ ଯେଉଁସବୁ ଆଧୁନିକୀକରଣ ଦରକାର ସେଗୁଡ଼ିକୁ ପ୍ରଥମେ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିବା ଉଚିତ। ଏହାବ୍ୟତୀତ ହାଟଗୁଡ଼ିକରେ ପାନୀୟ ଜଳ ସମସ୍ୟାଠାରୁ ଆରମ୍ଭ କରି ପରିବା ବିକ୍ରି ପାଇଁ ଶେଡ୍‌ ଓ ବିଶ୍ରାମାଗାର ଅଭାବ ରହିଛି। ଫଳରେ ଖରା ଓ ବର୍ଷାରେ କୃଷକମାନେ ବାହାରେ ବସି ପରିବା ବିକ୍ରି କରୁଛନ୍ତି। ଉଲ୍ଲେଖନୀୟ ଯେ, ୮୦ ଦଶକରେ ରାଜ୍ୟରେ ଖୋଲା ଯାଇଥିବା ସମନ୍ବିତ କୃଷକ ବଜାର ଅନେକ ସ୍ଥାନରେ ସ୍ଥିତି ହରାଇ ସାରିଲାଣି। ତେବେ ଚାଷୀଙ୍କ ସମସ୍ୟାକୁ ଅଣଦେଖା କରି ଯଦି ଖାଉଟି ସୁବିଧା ପାଇଁ ନୂଆ କରି ପରିବା ମଣ୍ଡି ବ୍ୟବସ୍ଥା କରାଯାଉଥାଏ, ତେବେ ସୁଫଳ ମିଳିବା କଷ୍ଟକର। ଚାଷୀ ସମସ୍ୟା କହିଲେ, ଜଳସେଚନ ଓ କୃଷି ଶ୍ରମିକ ଅଭାବ ରହିଛି। ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରେ ପରିବା ଚାଷ କରୁଥିବା କ୍ଷୁଦ୍ର, ନାମମାତ୍ର ତଥା ଭାଗଚାଷୀମାନେ କ୍ଷତିର ସମ୍ମୁଖୀନ ହେଲେ ସେମାନେ କ୍ଷତିପୂରଣ ପାଇବାରେ ବିଳମ୍ବ ହେବା ଏକ ଚିରାଚରିତ ଧାରା। ମୃତ୍ତିକା ପରୀକ୍ଷଣ କେନ୍ଦ୍ର ବିଷୟରେ ପ୍ରାୟତଃ ଅଧିକାଂଶ ଚାଷୀ ଜାଣିନାହାନ୍ତି। ବ୍ଲକସ୍ତରର କୃଷି ଅଧିକାରୀମାନେ ରୋଗ ପୋକ କିମ୍ବା ଉନ୍ନତ ଜ୍ଞାନକୌଶଳ ଭିତ୍ତିକ ଚାଷ ସମ୍ପର୍କରେ ଚାଷୀଙ୍କୁ ନିୟମିତ ସାହାଯ୍ୟ ସହଯୋଗ କରିବାକୁ କ୍ଷେତ୍ରକୁ ପ୍ରାୟତଃ ଯାଇନଥା’ନ୍ତି। କେବଳ ଯୋଜନାରେ କିଛି ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଅଧିକାରୀମାନେ ଚାଷୀମାନଙ୍କଠାରୁ ଦୂରେଇ ରହିଲେ ଉଉତ୍ପାଦନ ବଢ଼ିବ ନାହିଁ କି ମଣ୍ଡିକୁ ପରିବା ଆସିବ ନାହିଁ, ଦର କମିବା ତ ଦୂରର କଥା।

 


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri