ବନ୍ଦେ ମାତରମ୍‌: ପ୍ରେରଣାର ଉତ୍ସ

କ’ଣ ଗୋଟିଏ ଗୀତର ଏତେ ଶକ୍ତି ଅଛି? ଜଣେ ସଂଗ୍ରାମୀ ଏହି ଗୀତକୁ ଖୁସିରେ ଗାଇ ଗାଇ ମୃତ୍ୟୁଦଣ୍ଡ ଭୋଗିବା ପାଇଁ ଫାଶିଖୁଣ୍ଟରେ ଝୁଲିପଡ଼ିବ? କ’ଣ ଗୋଟିଏ ଗୀତର ଏତିକି ତାକତ ଅଛି, ଯାହାର ଶବ୍ଦର ପ୍ରେରଣା ନିଜ ଜୀବନକୁ ତିଳ ତିଳ ଦଗ୍ଧ କରି ନିଜ ଦେଶମାତୃକାର ଚରଣ କମଳରେ ସମର୍ପି ଦେବ? ସ୍କୁଲ କଲେଜରେ ପଢ଼ୁଥିବାବେଳେ ଖୁଦିରାମ ବୋଷଙ୍କ ବଳିଦାନ କାହାଣୀ ମୋତେ ବେଶ୍‌ ଆକର୍ଷିତ କରୁଥିଲା। ଖୁଦିରାମ ବୋଷ ବନ୍ଦେ ମାତରମ୍‌ ଗାଇ ଗାଇ ନିଜ ଜୀବନକୁ ମା’ ଭାରତୀର ପାଦପଦ୍ମରେ ସମର୍ପି ଦେବାର କଥା ଇତିହାସ କହେ। ହୁଏତ ଆମ ଦେଶର ମହାନ୍‌ ସ୍ବାଧୀନତା ସଂଗ୍ରାମର ଶ୍ରେୟ କେବଳ କେତୋଟି ପରିବାରରେ ସୀମିତ କରିବା ପାଇଁ ଅପଚେଷ୍ଟା କରାଯାଇଥାଇପାରେ। ମାତ୍ର ଆମର ସ୍ବାଧୀନତା ସଂଗ୍ରାମ ଥିଲା ବିରାଟ ଜନ ଆନ୍ଦୋଳନ। କେତୋଟି ପରିବାର ନୁହେଁ, ଆମ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନର ଭିତ୍ତିଭୂମି ଉପରେ ଠିଆ ହୋଇଛି ଆମର କଷ୍ଟଲବ୍ଧ ସ୍ବାଧୀନତା।
ମୋର ମନେଅଛି ୩ ଅକ୍ଟୋବର ୨୦୧୪। ଏହି ଦିନ ଥିଲା ପବିତ୍ର ବିଜୟା ଦଶମୀ। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ତାଙ୍କର ରେଡିଓଭିତ୍ତିକ ଜନ ସମ୍ବାଦର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’। ପ୍ରଥମ ଅଧ୍ୟାୟକୁ ସଦ୍ୟତମ ୧୨୭ତମ ଅଧ୍ୟାୟ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଏମିତି କୌଣସି ‘ମନ୍‌ କୀ ବାତ୍‌’ ନାହିଁ, ଯାହାକୁ ମୁଁ ମନଧ୍ୟାନ ଦେଇ ଶୁଣିନାହିଁ। ମୋଦୀଜୀ ତାଙ୍କ ‘ମନ୍‌ କୀ ବାତ୍‌’ରେ ଉଠାଉଥିବା ଅନେକ ପ୍ରସଙ୍ଗ ମୋ ଭଳି ଦେଶର କୋଟି କୋଟି ସାଧାରଣ ଜନତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ମାତ୍ର ତାଙ୍କର ସଦ୍ୟତମ ‘ମନ୍‌ କୀ ବାତ୍‌’ରେ ଆମର ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ନଭେମ୍ବର ୭ ତାରିଖ ଦିନ ପାଳନ କରାଯିବ ବୋଲି କହିଥିଲେ। ଏହା ସହ ‘ବନ୍ଦେ ମାତରମ୍‌’ର ବିଶେଷତା, ଭାରତୀୟ ସଭ୍ୟତା, ସଂସ୍କୃତି ଏବଂ ଦେଶ ପାଇଁ ନିଜକୁ ସମର୍ପି ଦେବାର ପ୍ରେରଣା ପ୍ରସଙ୍ଗରେ କହିଥିଲେ। ଏହି ସମୟରେ ମୋ ମନ ଭିତରେ ପିଲାଦିନୁ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ କାମରୁ ଶିଶୁ ମନ୍ଦିରରେ ଗୁରୁଜୀରୁ ରାଜନୀତିର ସାର୍ବଜନୀନ ଜୀବନରେ, ବ୍ୟକ୍ତି-ସମାଜ ଓ ରାଷ୍ଟ୍ର ପାଇଁ କାର୍ଯ୍ୟକର୍ତ୍ତାମାନଙ୍କ ମନରେ ଭାବନା ଜାଗରଣ କରିବା ଲାଗି ଆମେ କରୁଥିବା ଉଦ୍ୟମ ସବୁ ମୋ ମନରେ ନାଚି ଉଠୁଥିଲା।
ମୋଦୀଜୀଙ୍କ ସଦ୍ୟତମ ମନ୍‌ କୀ ବାତ୍‌ର କିଛି ଦିନ ପରେ ଆମ ଦେଶର ମହିଳା କ୍ରିକେଟ୍‌ ଦଳ ପ୍ରଥମ ଥର ପାଇଁ ବିଶ୍ୱ କପ୍‌ ଜିତି ରେକର୍ଡ କଲା। ଦିନ ଥିଲା, ୨ ନଭେମ୍ବର ୨୦୨୫, ଡିଓ୍ବାଇ ପାଟିଲ ଷ୍ଟାଡିୟମ୍‌। ଠିକ୍‌ ମଧ୍ୟରାତ୍ରରେ ଆମ ଝିଅମାନେ ମ୍ୟାଚ୍‌ ଜିତି ଆମ ଛାତିକୁ କୁଣ୍ଢେମୋଟ କରିଥିଲେ। ଏହି ସମୟରେ ସାରା ଷ୍ଟାଡିୟମରେ ସମବେତ ହଜାର ହଜାର ଜନତା ଏକ ସ୍ବରରେ ବନ୍ଦେ ମାତରମ୍‌ ସଙ୍ଗୀତ ଗାନ କରୁଥିଲେ। ମୋ ଭଳି ଆପଣମାନେ ବି ସେଇ ମୁହୂର୍ତ୍ତର ଗୌରବ ମନେମନେ ଅନୁଭବ କରିଥିବେ। ମୋର ମନେଅଛି, ୨୦୧୧ ମସିହାରେ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଭାରତ ଶ୍ରୀଲଙ୍କାକୁ ହରାଇ ବିଶ୍ୱ କପ୍‌ କ୍ରିକେଟ୍‌ ଜିତିଥିଲା। କ୍ରିକେଟ୍‌ପ୍ରେମୀ ଭାବରେ ଉତ୍କଣ୍ଠାର ସହ ଏହି ଖେଳକୁ ଉପଭୋଗ କରୁଥିଲି। ପୂରା ଷ୍ଟାଡିୟମ୍‌ ହଜାର ହଜାର ଦର୍ଶକଙ୍କ ବନ୍ଦେ ମାତରମ୍‌ ସଙ୍ଗୀତ ସ୍ବରରେ କମ୍ପି ଉଠୁଥିଲା। ଅନୁଭବ ହେବା ସ୍ବାଭାବିକ ଏ ଗୀତ ଗୀତ ନୁହେଁ, ଏହା ଭାରତର ହୃଦୟର ସ୍ପନ୍ଦନ। ଆପଣମାନେ ୟୁଟ୍ୟୁବ୍‌କୁ ଯାଆନ୍ତୁ ସଦ୍ୟ ମହିଳା ଦଳର ବିଜୟ ଓ ଭାରତର ବିଶ୍ୱ କପ୍‌ ବିଜୟର ଅବ୍ୟବହିତ ପୂର୍ବରୁ ବନ୍ଦେ ମାତରମ୍‌ ହଜାର ହଜାର ଭାରତୀୟଙ୍କ ସଙ୍ଗୀତ ଗାନକୁ ପୁଣି ଥରେ ଶୁଣନ୍ତୁ। ଦେଖନ୍ତୁ ଭାରତୀୟ ଭାବରେ ଆପଣମାନଙ୍କ ମନରେ କିପରି ଭାବନା ସୃଷ୍ଟି ହେଉଛି।
ମୋଦୀଜୀଙ୍କ ୨୬ ଅକ୍ଟୋବର ‘ମନ୍‌ କୀ ବାତ୍‌’ରେ ‘ବନ୍ଦେ ମାତରମ୍‌’ର ଅବତାରଣା ଓ ପରେ ୨ ନଭେମ୍ବରରେ ଆମ ମହିଳା କ୍ରିକେଟ୍‌ ଟିମ୍‌ରେ ମଧ୍ୟରାତ୍ରିରେ ବିଜୟ ଅବସରରେ ହଜାର ହଜାର ଦର୍ଶକଙ୍କ ମିଳିତ ବନ୍ଦେ ମାତରମ୍‌ ଗାନ ମୋତେ ବନ୍ଦେ ମାତରମ୍‌ର ମହନୀୟତାକୁ ନେଇ ମୋର ଭାବନାକୁ ବ୍ୟକ୍ତ କରିବାକୁ ପ୍ରେରଣା ଯୋଗାଇଲା।
ମୋଦୀଜୀ ତାଙ୍କ ମନ୍‌ କୀ ବାତ୍‌ରେ କହିଥିଲେ, ବନ୍ଦେ ମାତରମ୍‌ ଆମ ଦେଶ ଭକ୍ତି ଓ ରାଷ୍ଟ୍ରୀୟ ଗୌବର ଚିରନ୍ତନ ପ୍ରତୀକ। ଦେଶ ପାଇଁ କଠିନ ସମୟରେ ବନ୍ଦେ ମାତରମ୍‌ରେ ଉଦ୍‌ଘୋଷ ୧୪୦ କୋଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ। ହୁଏତ ମହାନ୍‌ ଦେଶଭକ୍ତ, ସାରସ୍ବତ ସାଧକ ବଙ୍କିମ୍‌ଚନ୍ଦ୍ର ଚଟୋପାଧ୍ୟାୟ ଊନବିଂଶ ଶତାବ୍ଦୀରେ ବନ୍ଦେ ମାତରମ୍‌ ରଚନା କରିଯାଇଛନ୍ତି। ମାତ୍ର ଏହି ଗୀତ ହଜାର ହଜାର ବର୍ଷର ଆମର ସଭ୍ୟତା, ସଂସ୍କୃତି ଓ ପରମ୍ପରାର ପ୍ରତିନିଧିତ୍ୱ କରେ। ବେଦରେ ଲିଖିତ ‘ମାତା ଭୂମିୟାଃ ପୁତ୍ରୋହମ୍‌ ପୃଥ୍ବାଃ’ ଅର୍ଥାତ୍‌ ଏହି ଭୂମି ଆମର ମାତା ଏବଂ ଆମେ ସମସ୍ତେ ତାଙ୍କର ସନ୍ତାନ। ଏହା ଭାରତର ମୂଳ ବିଚାର ଏବଂ ଏହି ବିଚାର ବଙ୍କିମ୍‌ଚନ୍ଦ୍ର ଚଟୋପାଧ୍ୟାୟ ତାଙ୍କର ବନ୍ଦେ ମାତରମ୍‌ ସଙ୍ଗୀତରେ ପ୍ରତିଫଳନ ବୋଲି ମୋଦୀ ବ୍ୟାଖ୍ୟା କରିଥିଲେ। ତଥ୍ୟ କହୁଛି, ନଭେମ୍ବର ୭ ତାରିଖ ୧୮୭୫ ମସିହା, ଏହା ଥିଲା ଦୁର୍ଗାପୂଜାର ମହାସପ୍ତମୀ ତିଥି। ଏହି ଦିନ ଏହି ମହାନ୍‌ ସଙ୍ଗୀତକୁ ରଚନା କରିଥିଲେ ବଙ୍କିମ୍‌ଚନ୍ଦ୍ର। ୧୯୦୫ରେ ବ୍ରିଟିଶ୍‌ ଡିଭାଇଡ୍‌ ଆଣ୍ଡ୍‌ ରୁଲ୍‌ ନୀତିରେ ବଙ୍ଗ ଭାଷାଭାଷୀ ଅଞ୍ଚଳକୁ ବିଭାଜନ କଲେ। ବଙ୍ଗ ଭଙ୍ଗ ବିରୋଧରେ ଆରମ୍ଭ ହୋଇଥିବା ବ୍ରିଟିଶ୍‌ ବିରୋଧୀ ଜନ ଆନ୍ଦୋଳନର ସୂତ୍ରଧର ସାଜିଥିଲା ବଙ୍କିମ୍‌ଚନ୍ଦ୍ରଙ୍କ ବନ୍ଦେ ମାତରମ୍‌ ସଙ୍ଗୀତ। ଏହି ଆନ୍ଦୋଳନ ଜାତି, ବର୍ଣ୍ଣ, ଧର୍ମ, ଭାଷା, ଅଞ୍ଚଳ ଭିତ୍ତିରୁ ଉପରକୁ ଉଠି ସମସ୍ତଙ୍କୁ ଏକ କରିବାରେ ଉତ୍‌ପ୍ରେରକର ଭୂମିକା ନେଲା, ଇତିହାସ ଏହାର ସାକ୍ଷୀ।
ଆଜି ଯେତେବେଳେ ଆମେ ଏହି ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛେ, ନୂଆ ଭାରତର ନୂଆ ପିଢ଼ି ପାଖରେ ଏହି ସଙ୍ଗୀତର ମହାନୀୟତାକୁ ପହଞ୍ଚାଇବା ଏକ ରାଷ୍ଟ୍ରୀୟ ଦାୟିତ୍ୱ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କୀ ବାତ୍‌’ରେ କରିଥିବା ବ୍ୟାଖ୍ୟାକୁ ନେଇ ସାରା ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବନ୍ଦେ ମାତରମ୍‌ର ମହିମା ମଣ୍ଡନର ଆବଶ୍ୟକତା ଅଛି। ଆମ ରାଜ୍ୟବାସୀ, ବିଶେଷ ଭାବରେ ଯୁବପିଢ଼ି ଏଥିରେ ସାମିଲ ହେବା ପାଇଁ ମୁଁ ଆହ୍ବାନ ଜଣାଉଛି।
ବଙ୍କିମ୍‌ଚନ୍ଦ୍ରଙ୍କ ରଚିତ ବନ୍ଦେ ମାତରମ୍‌କୁ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ୧୮୯୬ ମସିହାରେ ପ୍ରଥମଥର ପାଇଁ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ଗାନ କରିଥିଲେ। ଏହା ପରଠାରୁ ଦେଶର ରାଷ୍ଟ୍ରବାଦୀ ଆନ୍ଦୋଳନର ଯୁଦ୍ଧଂ ଦେହିର ସ୍ବର ହୋଇଥିଲା ବନ୍ଦେ ମାତରମ୍‌। ୧୯୦୫ ମସିହାରେ ବଙ୍ଗ ଭଙ୍ଗ ବିରୋଧରେ ସାରା ସମାଜକୁ ଏକ କରିବାର ମନ୍ତ୍ର ଏହି ସଙ୍ଗୀତ ଏହାର ପ୍ରଭାବର ପରାକାଷ୍ଠା ଦେଖାଇଥିଲା।
ବନ୍ଦେ ମାତରମ୍‌ର ଗ୍ରହଣୀୟତାର ବିବାଦ ଭିତରକୁ ଯିବା ମୋର ବିଷୟବସ୍ତୁ ନୁହେଁ। ମାତ୍ର ବନ୍ଦେ ମାତରମ୍‌କୁ ନେଇ ବିବାଦ ଅଯଥା ଏବଂ ଧର୍ମୀୟ ଭାବନା ଆହତ ହେବାର ଯୁକ୍ତିକୁ ନେଇ ଦୀର୍ଘ ଦିନ ବିବାଦର ଅନ୍ତ ହେବା ମଧ୍ୟ ଜରୁରୀ। ଆମ ଭାରତୀୟ ସମାଜ ଗଙ୍ଗା, ଗୀତା ଓ ଗୋମାତାର ପୂଜାରୀ। ଆମ ସଭ୍ୟତା ସଂସ୍କୃତି ଅନାଦି ଅନନ୍ତକାଳରୁ ରହି ଆସିଛି ଏବଂ ଦୃଢ଼ ନିଶ୍ଚିତତାର ସହ କହିପାରିବା ଯେ, ଏହା ଅନାଦି ଅନନ୍ତକାଳ ପର୍ଯ୍ୟନ୍ତ ତିଷ୍ଠିି ରହିବ। ମୋର ମହାନ୍‌ କବି ଇକ୍‌ବାଲଙ୍କ ଗୋଟିଏ ପଂକ୍ତି ମନେପଡ଼ୁଛି। ସେ ଲେଖିଥିଲେ…
ୟୁନାନ-ଓ-ମିଶର୍‌-ଓ-ରୋମ୍‌ ସବ୍‌ ମିଟ ଗୟେ ଜହାଁସେ।
ଅବ୍‌ ତକ୍‌ ମଗର ହୈ ବାକୀ, ନାମ-ଓ-ନିଶାଁ ହମାରା।
କୁଛ ବାତ୍‌ ହେ କି ହସ୍ତି, ମିଟ୍‌ତୀ ନେହିଁ ହମାରୀ
ସଦିୟୋ ରାହାହେଁ ଦୁଶ୍‌ମନ, ଦୌର -ଏ – ଜମାଁ ହମାରା।
ଦୁନିଆର ଅନେକ ସଭ୍ୟତା ଧ୍ୱଂସ ପାଇଯାଇଛି। ଧ୍ୱଂସ ପଛରେ ମୂଳ ବିଷୟ କାଳକ୍ରମେ ସେଠାକାର ପୁତ୍ରରୂପୀ ସମାଜ ସେମାନଙ୍କ ସଭ୍ୟତା ଓ ସଂସ୍କୃତିଠାରୁ ଦୂରେଇଯିବା। ଆଜି ମିଶର ସଭ୍ୟତା ନାହିଁ। ମିଶର ହୋଇଯାଇଛି ଇଜିପ୍ଟ। ସେଠାକାର ସ୍ଫିଙ୍କ୍‌ସ ଓ ପିରାମିଡ୍‌ ଶ୍ରଦ୍ଧା, ସମ୍ମାନ ଓ ପ୍ରେଣାର କେନ୍ଦ୍ର ନୁହେଁ, ସଂଗ୍ରହାଳୟ ବସ୍ତୁ ପାଲଟି ଯାଇଛନ୍ତି। ଅପରପକ୍ଷରେ ଆମ ଭାରତୀୟ ସଭ୍ୟତା ବଞ୍ଚତ୍ଛି, କାରଣ ଆମ ପାଇଁ ଆମ ମାତୃଭୂମି ଜୀବନ୍ତ ରାଷ୍ଟ୍ର ପୁରୁଷ। ସଂସ୍କୃତିର ପ୍ରବାହମାନ ଧାରା ପ୍ରତିରୋଧର ସାମ୍ନା କରି ଆଗକୁ ବଢ଼ିଛି। କେବେ ହୁଏତ ଗତି ଶିଥିଳ ହୋଇଛି, ମାତ୍ର ପୁଣି ଏହାର ପୁତ୍ରରୂପୀ ସମାଜ ସଂଗଠିତ ହୋଇ ସାମରିକ ଓ ସାଂସ୍କୃତିକ ଆକ୍ରମଣକୁ ପରାଜିତ କରିଛି। ପୁଣି ରାଷ୍ଟ୍ରର ଚିରନ୍ତନ ପ୍ରବାହ ଅବିରତ ଗତିରେ ଆଗକୁ ଆଗକୁ ବଢ଼ି ଚାଲିଛି।
ଆମର ଶ୍ରଦ୍ଧା କେନ୍ଦ୍ର ଗୀତା, ଗଙ୍ଗା, ଗୋମାତା ତଥା ଦୈବ ଆରାଧନା ପୀଠ ସବୁବେଳେ ପ୍ରେରଣାର କେନ୍ଦ୍ର ହୋଇ ରହିଛନ୍ତି। ଊନବିଂଶ ଶତାବ୍ଦୀରେ ହୁଏତ ବଙ୍କିମ୍‌ଚନ୍ଦ୍ର ବନ୍ଦେ ମାତରମ୍‌ ରଚନା କଲେ। ମାତ୍ର ଏହି ସଙ୍ଗୀତ ହଜାର ହଜାର ବର୍ଷର ଭାରତୀୟ ସଭ୍ୟତା ଓ ସଂସ୍କୃତିର ଅନ୍ତଃସ୍ବରରେ ଏକ ଅଭିବ୍ୟକ୍ତି ମାତ୍ର। ମୋଦୀଜୀଙ୍କ ଭାଷଣରେ ବେଦର ପ୍ରତିଫଳନ ବନ୍ଦେ ମାତରମ୍‌।
ଯଦି ଆମ ସଭ୍ୟତାର ଧାରା ଯୁଗ ଯୁଗ ଧରି ସଶକ୍ତ ହୋଇ ପ୍ରବାହିତ ହୁଏ, ତା’ହେଲେ ବିଶ୍ୱରେ ଆହ୍ବାନର ସମ୍ମୁଖୀନ ହେଉଥିବା ସବୁ ମତ, ପନ୍ଥ ଓ ବିଚାର ବଞ୍ଚତ୍ ରହିପାରିବ। ଆମ ଦଳର ଜଣେ ତଥ୍ୟ ଆଧାରିତ ତର୍କର ପ୍ରବକ୍ତା ଓ ସାଂସଦ ସୁଧାଂଶୁ ତ୍ରିବେଦୀ। ତାଙ୍କର ଏକ ଟିଭି ଆଲୋଚନାରେ ମତ ରଖିଥିବା କିଛି କଥାକୁ ମୁଁ ଉଦ୍ଧୃତ କରୁଛି। ‘ଭାରତ ଧର୍ମନିରପେକ୍ଷ’, କାରଣ ଭାରତ ହିନ୍ଦୁବହୁଳ ଦେଶ। ହିନ୍ଦୁସଂଖ୍ୟା ଯଦି କମିଯିବ, ତା’ହେଲେ ଭାରତର ଧର୍ମନିରପେକ୍ଷତା କବର ନେବ। ସାରା ବିଶ୍ୱରୁ ବିଲୁପ୍ତ ହୋଇଥିବା ପାରସୀ ଧର୍ମ ଭାରତ ଭଳିଆ ଦେଶରେ ସୁଖ ଶାନ୍ତିରେ ପ୍ରସ୍ଫୁଟିତ। ଇହୁଦୀମାନେ ସମଗ୍ର ବିଶ୍ୱରେ ଯାଯାବର ଜୀବନ ବଞ୍ଚୁଥିବା ବେଳେ ଲାଞ୍ଛନା ଓ ଅପମାନର ଶିକାର ହୋଇଥିଲେ। ମାତ୍ର ଇସ୍ରାଏଲ ସୃଷ୍ଟି ହେବା ପରେ ତାଙ୍କର ସ୍ମୃତି ପୁସ୍ତକ କହୁଛି ଭାରତ ଏକମାତ୍ର ଦେଶ, ଯେଉଁଠି ଇହୁଦୀ କୌଣସି ପାତରଅନ୍ତରର ଶିକାର ହୋଇ ନ ଥିଲା। ପୃଥିବୀରେ ୫୬ଟି ମୁସ୍‌ଲିମ୍‌ ରାଷ୍ଟ୍ର ଅଛି। ମାତ୍ର ଭାରତ ହେଉଛି ପୃଥିବୀର ଏକମାତ୍ର ରାଷ୍ଟ୍ର, ଯେଉଁଠି ଇସ୍‌ଲାମର ୭୦ରୁ ଊର୍ଦ୍ଧ୍ୱ ପ୍ରକାରର ସମ୍ପ୍ରଦାୟ ସୁଖ ଓ ସ୍ବାଚ୍ଛନ୍ଦ୍ୟରେ ନିଜର ବିଶ୍ୱାସକୁ ପାଳନ କରିଆସୁଛନ୍ତି।
ଏହା କହିବାର ଉଦ୍ଦେଶ୍ୟ, ମୋଦୀଜୀଙ୍କ ମନ୍‌ କୀ ବାତ୍‌ର ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତିର ପାଳନ ନଭେମ୍ବର ୭, ଏହା ଚିରନ୍ତନ ଭାରତୀୟ ଭାବଧାରାକୁ ଜାଗ୍ରତ କରିବ। ଭାରତୀୟ ସଭ୍ୟତା ଓ ସଂସ୍କୃତିର ଜୟ ଜୟକାର କରିବ, ଯାହା ଭିତରେ ବିଶ୍ୱ ମଙ୍ଗଳ, ବସୁଧୈବ କୁଟୁମ୍ବକମ୍‌ର ଚିରନ୍ତନ ବାର୍ତ୍ତା ଜନ ଜନ ପର୍ଯ୍ୟନ୍ତ ପହଞ୍ଚାଇବ।
ଆସନ୍ତୁ ଆମେ ସବୁ ଭାରତବାସୀ ମା’ କହି ଭାରତ ମାତା ପାଖରେ ମୁଣ୍ଡ ନୁଆଁଇବା। ଆଉ ଗର୍ବର ସହିତ କହିବା ବନ୍ଦେ ମାତରମ୍‌। ସଗର୍ବରେ ବଙ୍କିମ୍‌ଚନ୍ଦ୍ରଙ୍କ ଦୁର୍ଗାପୂଜାର ପବିତ୍ର ମହାସପ୍ତମୀରେ ରଚିତ ଏହି ସଙ୍ଗୀତର ପଦ- ‘ତୁହି ଦୁର୍ଗା ଦଶ ପ୍ରହରଣ ଧାରିଣୀ, କମଲା କମଲଦଲ ବିହାରିଣୀ, ବାଣୀ ବିଦ୍ୟାଦାୟିନୀ, ନମାମୀ ତ୍ୱମ୍‌’କୁ ଦୋହରାଇବା।
‘ବନ୍ଦେ ମାତରମ୍‌’- ଯୁଗ ଯୁଗ ଧରି ଭାରତୀୟ ସମାଜକୁ ପିଢ଼ି ପରେ ପିଢ଼ି ପ୍ରେରଣା ଦେଉ। ଏହା ଭିତରେ ହିଁ ସମଗ୍ର ମାନବ ଜାତିର ସୁରକ୍ଷା ଓ ସମୃଦ୍ଧିର ବାର୍ତ୍ତା ଅଛି। ମା’ ଭାରତୀଙ୍କ ଆଶୀର୍ବାଦ କାମନା କରୁଛି।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ବନ୍ଦେ ମାତରମ୍‌
ଭାରତ ମାତା କୀ ଜୟ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୁର୍କେଲ ସେତୁ ତୁରନ୍ତ ନିର୍ମାଣ କର ସରକାରଙ୍କୁ ପିସିସି ସଭାପତିଙ୍କ ଚେତାବନୀ

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓ ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ।…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ନେଟ୍‌ଓ୍ବର୍କ: ସାଂଘାତିକ ଖୁଲାସା, ୩ ରାଜ୍ୟରୁ…

ନୂଆଦିଲ୍ଲୀ,୧୩ା୫:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏକ ବଡ଼ ଅଗ୍ରଗତି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ନାସିକ୍‌ରୁ ଡେରାଡୁନ୍‌ ଏବଂ ରାଜଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକଙ୍କୁ…

ପାଡୁଆ ରାଜୀବଗାନ୍ଧୀ ସେବାକେନ୍ଦ୍ର, ୫ ଦୋକାନ ଗୃହ ଭାଙ୍ଗିବା ଘଟଣା ପଡ଼ିରହିଛି ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ

ନନ୍ଦପୁର/ପାଡୁଆ,୧୩ା୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଓ ୫ ଦୋକାନ ଗୃହ ବେସରକାରୀ ଜମିରେ ସରକାରୀ ଅର୍ଥରେ…

କୋରାପୁଟ ବସ୍‌ଷ୍ଟାଣ୍ଡ ପାଲଟିଛି ଅସାମାଜିକ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

କୋରାପୁଟ,୧୩।୫(ଅମିତାଭ ବେହେରା)-କୋରାପୁଟ ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବସ୍‌ଷ୍ଟାଣ୍ଡରେ ଅସାମାଜିକ ତତ୍ତ୍ୱ ଓ ପକେଟ୍‌ମାରଙ୍କ ପ୍ରାର୍ଦୁଭାବ ବଢ଼ିଥିବା…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ସୁନା-ରୁପାକୁ ନେଇ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା: ମୋଦିଙ୍କ ଅପିଲ ପରେ…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ଏହି ସମୟରେ ଏକ…

ସୌମ୍ୟ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ଘଟଣା ଦିନ ନେଇଥିଲେ…

ଭୁବନେଶ୍ୱର,୧୩।୫(ତ୍ରିନାଥ ମହାନ୍ତି):ଯୁବତୀଙ୍କୁ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରିଥିବା ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଉପରଠାଉରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri