
ଡେରାଡୁନ୍, ୧୬।୩: କେଦାରନାଥ ଧାମ୍ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା ନୋଟିୟାଲ କହିଛନ୍ତି, କେତେକ ଅଣହିନ୍ଦୁ ତତ୍ତ୍ୱ କେଦାରନାଥ ଧାମ୍ର ପବିତ୍ରତାକୁ ନଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଏଠାରେ ମାଛ, ମାଂସ, ମଦ ଆଦି ପରଷିବା କାର୍ଯ୍ୟରେ ଲିପ୍ତ ଅଛନ୍ତି। ଫଳରେ କେଦାରନାଥ ଧାମ୍ର ଗରିମା ଏବଂ ସମ୍ମାନକୁ କ୍ଷତି ପହଞ୍ଚୁଛି। ଏଭଳି ତତ୍ତ୍ୱଙ୍କୁ ଚିହ୍ନଟ କରି କେଦାରନାଥ ମନ୍ଦିରରେ ସେମାନଙ୍କର ପ୍ରବେଶ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
ନିକଟରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୌରଭ ବହୁଗୁଣା ଜିଲା ପ୍ରଶାସନ, ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହ ଏକ ବୈଠକ କରିଥିଲେ। କେଦାରନାଥ ଧାମ୍କୁ ବଦ୍ନାମ କରିବାକୁ ପ୍ରୟାସ କରୁଥିବା ଅଣହିନ୍ଦୁ ତତ୍ତ୍ୱଙ୍କୁ ଚିହ୍ନଟ କରି ମନ୍ଦିର ମଧ୍ୟରେ ସେମାନଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଉ ବୋଲି ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି। ତେବେ ଆଶାଙ୍କ ଏହି ମନ୍ତବ୍ୟକୁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ ସମାଲୋଚନା କରିଛନ୍ତି। ଏହା ଭାଜପାର ସଙ୍କୀର୍ଣ୍ଣ ମାନସିକତାକୁ ଦର୍ଶାଉଥିବା ସେ କହିଛନ୍ତି।