ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ ଚାଇନାର ସାମଗ୍ରୀକୁ ତୃତୀୟ ଦେଶ ଦେଇ ଆମେରିକୀୟ ବଜାରରେ ପହଞ୍ଚାଇବାରେ ଭୂମିକା ନେଉଛନ୍ତି। ଏହା ମାଧ୍ୟମରେ ଚାଇନା ଆମେରିକାର ଭାରୀ ଟାରିଫ୍ରୁ ବଞ୍ଚୁଥିବା ଦାବି କରାଯାଇଛି।
ଆମେରିକାର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋଙ୍କ ‘ଦ ଗ୍ରେଟ୍ ଟ୍ରାନ୍ସସିପମେଣ୍ଟ ସ୍କାମ୍’ ନାମକ ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟ ଅନୁସାରେ, ଚାଇନା ନିଜ ସାମଗ୍ରୀକୁ ଅନ୍ୟ ଦେଶ ଦେଇ ପଠାଇବା ସହ ଲେବଲ୍, ପ୍ୟାକେଜିଂ, ଇନଭଏସ୍ କିମ୍ବା ରୁଟ୍ ବଦଳାଇ ଆମେରିକାର ଟାରିଫ୍ରୁ ଖସିବାକୁ ଚେଷ୍ଟା କରୁଛି।ନାଭାରୋଙ୍କ ଅନୁସାରେ, ଏହି କଥିତ ‘ଶାଡୋ ଟ୍ରାନ୍ସସିପମେଣ୍ଟ ନେଟୱର୍କ’ରେ ଭାରତ ବ୍ୟତୀତ ମେକ୍ସିକୋ, କାନାଡା, ୟୁରୋପୀୟ ସଂଘ, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶର ନାମ ମଧ୍ୟ ରହିଛି।
ରିପୋର୍ଟରେ କଥିତ ଅବୈଧ ଟ୍ରାନ୍ସସିପମେଣ୍ଟର ବାର୍ଷିକ ମୂଲ୍ୟ ପ୍ରାୟ ୪୦ ବିଲିୟନରୁ ୩୦୩ ବିଲିୟନ ଡଲାର ମଧ୍ୟରେ ଥିବା ଆକଳନ କରାଯାଇଛି। ୨୦୧୮ରେ ଚୀନ୍ ଉପରେ ଆମେରିକା ଟାରିଫ୍ ଲଗାଇବା ପରେ ଏପରି ପ୍ରଥା ଅଧିକ ବଢ଼ିଥିବା ନାଭାରୋ ଦାବି କରିଛନ୍ତି। ଚାଇନାର ସାମଗ୍ରୀ ତୃତୀୟ ଦେଶ ଦେଇ ଆମେରିକାକୁ ଆସୁଛି କି ନାହିଁ, ତାହା ଚିହ୍ନଟ ପାଇଁ ଆମେରିକା AI ଆଧାରିତ ‘ଡିଟେକ୍ଟିଭ୍ ବର୍ଡର’ ବ୍ୟବସ୍ଥା ବ୍ୟବହାର କରିବାକୁ ଯୋଜନା କରୁଛି। ଏଥିରେ ଶିପମେଣ୍ଟ ତଥ୍ୟ, ରୁଟ୍ ଇତିହାସ, ଉତ୍ପାଦ ବର୍ଗୀକରଣ ଓ ଉତ୍ପାଦନ କ୍ଷମତା ଭଳି ତଥ୍ୟକୁ ବିଶ୍ଳେଷଣ କରାଯିବ। ତେବେ ଆମେରିକାର ଏହି ଅଭିଯୋଗ ଭାରତ-ଆମେରିକା ବାଣିଜ୍ୟିକ ସମ୍ପର୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି।

