ନୂଆଦିଲ୍ଲୀ,୧୩।୧୧: ଆଇପିଏଲ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ହାର୍ଦ୍ଦିକଙ୍କ ପାଇଁ ଠିକ୍ ନିଷ୍ପତ୍ତି ନଥିଲା ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ଗୁଜରାଟ ଟାଇଟନ୍ସରେ ହାର୍ଦ୍ଦିକ ଅଧିନାୟକ ଭାବେ ବଡ଼ ସଫଳତା ପାଇଥିଲେ। ତେଣୁ ତାଙ୍କୁ ସେହି ଦଳରେ ରହିବାର ଥିଲା ବୋଲି କୈଫ୍ କହିଛନ୍ତି।
ହାର୍ଦ୍ଦିକ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଦଳ ପକ୍ଷରୁ ଖେଳି ସେ ଚାରିଥର ଆଇପିଏଲ୍ ଟ୍ରଫି ଜିତିଥିଲେ । ତେବେ ୨୦୨୨ ସିଜିନ୍ ପୂର୍ବରୁ ସେ ଗୁଜରାଟ ଟାଇଟନ୍ସରେ ଯୋଗ ଦେବା ସହ ଦଳର ଅଧିନାୟକ ହୋଇଥିଲେ । ପ୍ରଥମ ସିଜିନ୍ରେ ହିଁ ତାଙ୍କ ନେତୃତ୍ୱରେ ଗୁଜରାଟ ଚାମ୍ପିୟନ୍ ହୋଇଥିଲା। ୨୦୨୩ରେ ମଧ୍ୟ ଦଳ ଫାଇନାଲ୍ରେ ପହଞ୍ଚିଥିଲା। କିନ୍ତୁ ୨୦୨୪ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ।
ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ହାର୍ଦ୍ଦିକଙ୍କ ଦଳ ପରିବର୍ତ୍ତନ ନିଷ୍ପତ୍ତିକୁ ନେଇ ମତ ରଖିଛନ୍ତି ମହମ୍ମଦ କୈଫ୍ । ତାଙ୍କ ମତରେ, ମୁମ୍ବାଇକୁ ଫେରିବା ପଛରେ ପୁରୁଣା ଦଳ ପ୍ରତି ଭାବନାତ୍ମକ ଆକର୍ଷଣ ଏକ କାରଣ ହୋଇଥାଇପାରେ। ଗୁଜରାଟରେ ହାର୍ଦ୍ଦିକ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ ଏବଂ ନିଜ ଅଧିନାୟକତ୍ୱରେ ଦଳକୁ ଚାମ୍ପିୟନ୍ କରିଥିଲେ। କୈଫ୍ଙ୍କ ମତରେ, ଗୁଜରାଟ ଛାଡ଼ିବା ହାର୍ଦ୍ଦିକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ମୁମ୍ବାଇକୁ ଫେରିବା ପରେ ତାଙ୍କ ପ୍ରଦର୍ଶନ ଓ ଅଧିନାୟକତ୍ୱ ଉଭୟ ଉପରେ ପ୍ରଭାବ ପଡ଼ିଥିବା ସେ କହିଛନ୍ତି । ପୂର୍ବ ଅଧ୍ୟାୟକୁ ପଛରେ ପକାଇ ହାର୍ଦ୍ଦିକଙ୍କୁ ନୂଆ ଭାବେ ଆଗକୁ ବଢ଼ିବାକୁ କୈଫ୍ ପରାମର୍ଶ ଦେଇଛନ୍ତି।
କୈଫ୍ଙ୍କ ମତରେ, ଅଧିନାୟକତ୍ୱ ଦାୟିତ୍ୱ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସହଜ ନୁହେଁ। ଅନେକ ସମୟରେ ନେତୃତ୍ୱର ଚାପ ବ୍ୟକ୍ତିଗତ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ। ବିଶେଷକରି ଆଇପିଏଲ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଏହି ଚାପ ଆହୁରି ବଢ଼ିଯାଏ।
ତେଣୁ ହାର୍ଦ୍ଦିକ ଏବେ ନିଜ ବ୍ୟାଟିଂ ଓ ବୋଲିଂ ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି କୈଫ୍ କହିଛନ୍ତି। ଜଣେ ଅଲ୍ରାଉଣ୍ଡର ଭାବେ ଦଳ ପାଇଁ ରନ୍ କରିବା, ୱିକେଟ୍ ନେବା ଏବଂ ଆବଶ୍ୟକ ସମୟରେ ଫିନିସର୍ ଭୂମିକା ତୁଲାଇବା ଉପରେ ତାଙ୍କର ଫୋକସ୍ ରହିବା ଦରକାର। ଏହାଦ୍ୱାରା ହାର୍ଦ୍ଦିକ ପୁଣି ନିଜର ପୁରୁଣା ଲୟ ଫେରିପାଇପାରିବେ ବୋଲି କୈଫ୍ ମତ ଦେଇଛନ୍ତି।

