ସହରୀକରଣ ଓ ସ୍ୱାସ୍ଥ୍ୟ ସମସ୍ୟା

ଡା. ଦିଲ୍ଲୀପ କୁମାର ମହାରଣା

 

ମେଦବହୁଳତା ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସମସ୍ତେ ଅଳ୍ପବହୁତ ଅନୁଭବ କରିଥାନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳଯୁକ୍ତ, ଅଧିକ କ୍ୟାଲୋରି ଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଖାଇବା ଏହି ମେଦବହୁଳତାର ମୁଖ୍ୟ କାରଣ। କେବଳ ବୟସ୍କ ନୁହନ୍ତି, ଛୋଟପିଲାମାନେ ଏପରି ସମସ୍ୟାରେ ଭାରାକ୍ରାନ୍ତ। ଯୁବବର୍ଗଙ୍କ ଭିତରେ ବିଭିନ୍ନ ପ୍ରକାର ଖାଦ୍ୟ ଯଥା ଚାଟ୍‌, ରୋଲ, ଚାଓମିନ୍‌, ଆଇସକ୍ରିମ୍‌ ଆଦି ଖାଇବାକୁ ଆଗ୍ରହ ବଢ଼ିବା ସହ ତଥାକଥିତ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଏହାର ପ୍ରମୁଖ କାରଣ। ଏଭଳି ଖାଦ୍ୟ ଧୀରେ ଧୀରେ ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ। ଫଳରେ ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ସେମାନେ। କେବଳ ସେତିକି ନୁହେଁ, ମେଦବହୁଳତା କାରଣରୁ ହୃଦ୍‌ଜନିତ ସମସ୍ୟା, ଆଣ୍ଠୁଗଣ୍ଠିଜନିତ ସମସ୍ୟା, ପିଠି ଯନ୍ତ୍ରଣା ଦେଖାଯିବାର ଆଶଙ୍କା ରହିଛି। ନିକଟରେ ଏସୀୟ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଅଧିକାଂଶ ମହିଳା ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ କମ୍‌ ଦେଇ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ଦେଇଥାଆନ୍ତି। ମୃଦୁପାନୀୟ ଓ ବିଭିନ୍ନ ପ୍ରକାର ନିଶାଯୁକ୍ତ ପାନୀୟ ମଧ୍ୟ ମେଦବହୁଳତାର ଗୁରୁତ୍ୱପୂର୍ଣ୍ଣ କାରଣ। ସେହିପରି ବର୍ତ୍ତମାନ ହାତପାହାନ୍ତାରେ ସୂଚନାପ୍ରଯୁକ୍ତିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେଉଥିବାରୁ ସାଧାରଣରେ ଯୋଗ, ପ୍ରାଣାୟାମ ଓ ଉପଯୁକ୍ତ ବିଶ୍ରାମକୁ ଅଧିକାଂଶ ଗୁରୁତ୍ୱ ଦେଉନାହାନ୍ତି।
ମେଦବହୁଳତା ହେଲେ ଲିଭର ଭିତରେ ଚର୍ବି ଜମିଯାଏ। ଏହି ଚର୍ବିଗୁଡ଼ିକ ଧୀରେ ଧୀରେ ଲିଭରର କୋଷକୁ ଆକ୍ରାନ୍ତ କରି ଏକ ପ୍ରଦାହ ସୃଷ୍ଟି କରେ। ପ୍ରଥମ ଅବସ୍ଥାରେ ଏହାକୁ ଫ୍ୟାଟି ଲିଭର କୁହନ୍ତି ଓ ଦ୍ୱିତୀୟ ଅବସ୍ଥାରେ ଏହାକୁ ନାସ୍‌ ବୋଲି କୁହନ୍ତି। ଧୀରେ ଧୀରେ ଲିଭର ଭିତରେ ସୂତ୍ରତନ୍ତୁମୟତା ବଢ଼ିଯାଇ ଫାଇବ୍ରୋସିସ୍‌ ହୁଏ। ଏହା ଲିଭରରେ ମୋଟା କ୍ଷତ ଦାଗ ସୃଷ୍ଟି କରେ ଓ ଲିଭର ଭିତରେ ଛୋଟ ଛୋଟ ଗ୍ରନ୍ଥି ହୋଇ ଏହା ଫୁଲିଯାଏ। ଏହାକୁ ଲିଭର ସିରୋସିସ୍‌ କୁହନ୍ତି। ଧୀରେ ଧୀରେ ଲିଭର ସିରୋସିସ୍‌ ବଢ଼ି ଲିଭର କ୍ୟାନ୍‌ସରରେ ରୂପାନ୍ତରିତ ହୁଏ। ମେଦବହୁଳତା ଯୋଗୁ ୭୦% କ୍ଷେତ୍ରରେ ଫ୍ୟାଟିଲିଭର ହୁଏ ଓ ୧୫ରୁ ୨୦% କ୍ଷେତ୍ରରେ ତାହା ଲିଭରସିରୋସିସ୍‌ ହୁଏ। ଏହା ବ୍ୟତୀତ ଡାଏବେଟିସ୍‌, ଗଣ୍ଠିବାତ ରୋଗ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ ଓ ଶ୍ୱାସଜନିତ ସମସ୍ୟା ଦେଖାଦିଏ। ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧି ପାଇ ଗଣ୍ଠିବାତ ମଧ୍ୟ ହୁଏ। ଧୀରେ ଧୀରେ ବୃକକ୍‌କୁ ମଧ୍ୟ ଆକ୍ରାନ୍ତ କରେ ଓ ମସ୍ତିଷ୍କରେ ରକ୍ତ ପ୍ରବାହ କମିଯାଏ ଏବଂ ବେଳେ ବେଳେ ପାରାଲିସିସ୍‌ ମଧ୍ୟ ହୁଏ। କେତେକ କ୍ଷେତ୍ରରେ ମେଦବହୁଳତା ପରିବାରର ଜିନ୍‌ ସଂକ୍ରାନ୍ତୀୟ ବଂଶାନୁକ୍ରମିକ ଭାବେ ଜଣକୁ ହୋଇଥାଏ କିନ୍ତୁ, ଏହାର ସମ୍ଭାବନା କମ୍‌।
ମେଦବହୁଳତା ପରି ସ୍ବାସ୍ଥ୍ୟ ସମସ୍ୟା ସହରୀକରଣ, ଜଗତୀକରଣ ଓ ଉଦ୍ୟୋଗୀକରଣ ଯୁଗର ନିୟମିତ ଧାରାରେ ପରିଣତ ହୋଇଛି। ଭାରତ ପରି ବିକାଶଶୀଳ ଦେଶମାନେ ନିଜ ଖାଦ୍ୟ ନୀତିରେ ସଂସ୍କାର ନ ଆଣିଲେ ଦେଶ ଧନୀ ହେବା ଆଗରୁ ରୋଗଣା ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ୟୁନିସେଫ୍‌, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ବିଶ୍ୱ ବ୍ୟାଙ୍କର ମିଳିତ ଅନୁସନ୍ଧାନରୁ ଜଣାପଡ଼ିଛି ମେଦବହୁଳତା ସାରା ବିଶ୍ୱରେ ବଢ଼ୁଛି। ପୃଥିବୀର ଅର୍ଦ୍ଧେକ ଅଧିକ ଓଜନର ଶିଶୁ ଅଛନ୍ତି ଏସିଆ ମହାଦେଶରେ, ଏକଚତୁର୍ଥାଂଶ ଅଛନ୍ତି ଆଫ୍ରିକାରେ। ପରିସଂଖ୍ୟାନରୁ ଜଣାପଡ଼ିଛି, ବିକାଶଶୀଳ ଦେଶର ସହରଗୁଡ଼ିକରେ ମେଦବହୁଳ ଲୋକଙ୍କ ସଂଖ୍ୟା ବଢ଼ୁଛି। ଭାରତର ଜାତୀୟ ପୁଷ୍ଟି ଅନୁଷ୍ଠାନର ତଥ୍ୟ ଅନୁଯାୟୀ ଭାରତର ସହରଗୁଡ଼ିକରେ ଏକ ଚତୁର୍ଥାଂଶ ପୁରୁଷ ଓ ଅର୍ଦ୍ଧାଧିକ ମହିଳା ମୋଟା। ଏସିଆ ଓ ଆଫ୍ରିକା ମହାଦେଶରେ ବର୍ତ୍ତମାନ ସର୍ବାଧିକ ସହରୀକରଣ ଚାଲିଛି। ଗ୍ରାମାଞ୍ଚଳରୁ ଲୋକମାନେ ସହରକୁ ଆସୁଛନ୍ତି। ସହରରେ ସହଜରେ ସେମାନଙ୍କୁ ପ୍ରକ୍ରିୟାକୃତ ଖାଦ୍ୟ ଏବଂ ଫାଷ୍ଟଫୁଡ୍‌ ଉପଲବ୍ଧ ହେଉଛି। ଏହା ସେମାନଙ୍କର ଅସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସର କାରଣ ହେଉଛି। କ୍ଷୁଧା ଶେଷ କରିବା ପାଇଁ ସରକାରଙ୍କର ପ୍ରଚେଷ୍ଟା ଆଗରେ ମେଦବହୁଳତା ଏକ ଆହ୍ବାନ ସଦୃଶ ଉଭା ହୋଇଛି। ସହରକୁ ସୁବିଧାଜନକ କରିବା ନିମନ୍ତେ ସରକାରଙ୍କ ବ୍ୟବସ୍ଥା ସହରବାସୀଙ୍କୁ ମେଦବହୁଳ କରିଦେଉଛି। ଆଗାମୀ ଦିନରେ ବଡ଼ ସମସ୍ୟା ହେବାକୁ ଯାଉଥିବା ଏହି ସମସ୍ୟାର ଉପଯୁକ୍ତ ପରିଚାଳନା ପାଇଁ ଦୃଢ଼ ନୀତି ଆବଶ୍ୟକ।
ବିକାଶଶୀଳ ଦେଶଗୁଡ଼ିକର ସହରରେ ପ୍ରକ୍ରିୟାକୃତ ଖାଦ୍ୟ, ତେଲଛଣା ଖାଦ୍ୟ, ଫାଷ୍ଟଫୁଡ୍‌ ଏବଂ ଅନ୍ତଃରାଷ୍ଟ୍ରୀୟ ଚେନ୍‌ଗୁଡ଼ିକର ବ୍ୟବସାୟ କାୟା ବିସ୍ତାର କରୁଛି। ଏହା ପାରମ୍ପରିକ ସ୍ବାସ୍ଥ୍ୟକର ଖାଦ୍ୟାଭାସରୁ ମଣିଷକୁ ଦୂରେଇ ନେଉଛି। ଏଥିସହ ସହରୀ ଜୀବନରେ ଶାରୀରିକ ପରିଶ୍ରମ ତୁଳାନାତ୍ମକ ଭାବରେ କମ୍‌। ଅବସର ବିନୋଦନ ପାଇଁ ଟେଲିଭିଜନ, ସିନେମା ଓ ଭିଡିଓ ଗେମ୍‌ ଉପରେ ଅଧିକ ନିର୍ଭରଶୀଳ ଲୋକମାନେ। ଅଧିକାଂଶ ଘରେ ଏସବୁ ସୁବିଧା ଉପଲବ୍ଧ। କିନ୍ତୁ ଏହାର ସବୁଠାରୁ ଉଦ୍‌ବେଗଜନକ ପରିଣାମ ହେଉଛି ବିକାଶଶୀଳ ଦେଶଗୁଡ଼ିକ ଧନୀ ହେବା ପୂର୍ବରୁ ରୋଗଣା ହୋଇଯିବାର ଆଶଙ୍କା। କାରଣ ଏହି ସ୍ବାସ୍ଥ୍ୟ ସମସ୍ୟା କ୍ରମେ ବିକାଶଶୀଳ ଦେଶଗୁଡ଼ିକର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଧରାଶାୟୀ କରିଦେବ। ଦକ୍ଷିଣ-ପୂର୍ବ ଏସିଆରେ ମେଦବହୁଳତାଜନିତ ରୋଗ ଯଥା ମଧୁମେହ ଓ ହୃଦ୍‌ରୋଗରେ ବାର୍ଷିକ ଦଶ ବିଲିୟନ ଡଲାର ବ୍ୟୟ ହେଉଛି। ୨୦୩୦ ବେଳକୁ ଚାଇନାର ମେଦବହୁଳ ଯୁବପିଢ଼ି ନିମନ୍ତେ ଚିକିତ୍ସା ବାବଦରେ ସାତଶହ ଚବିଶ ବିଲିୟନ ଡଲାର ଖର୍ଚ୍ଚ ହେଉଥିବ ବୋଲି ଆକଳନ କରାଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସଂଘର୍ଷ କରୁଥିବା ଯେ କୌଣସି ବିକାଶଶୀଳ ଦେଶ ପାଇଁ ଏହା ଏକ ବିରାଟ ବୋଝ ପାଲଟିବ। ଶୁଳ୍କ, ସହରର ଢାଞ୍ଚା, ଶିକ୍ଷା, ସଚେତନତା ଏବଂ ସ୍ଥାନୀୟ ଉପତ୍ାଦିତ ଖାଦ୍ୟକୁ ପ୍ରୋତ୍ସାହନ ମେଦବହୁଳତାକୁ ରୋକିବା ଦିଗରେ ସହାୟକ ହେବ। କେତେକ ଦେଶରେ ସରକାର ମେଦବହୁଳତାକୁ ରୋକିବା ପାଇଁ ପରୀକ୍ଷାମୂଳକ ଭାବରେ କିଛି ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ବରୂପ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ଉପରେ କର ବ୍ୟବସ୍ଥା। ଆମେରିକା ସରକାର ସୋଢ଼ା କର ଅଭିଯାନ ଆରମ୍ଭ କରିଛନ୍ତି। ଥାଇଲାଣ୍ଡ, ବ୍ରୁନେଇ ଓ ସିଙ୍ଗାପୁର ସମାନ ପଦକ୍ଷେପ ନେଇଛନ୍ତି। ୨୦୧୮ଏପ୍ରିଲରୁ ଦକ୍ଷିଣ ଆଫ୍ରିକା ସରକାର ଚିନି କର ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନରେ ଅଧିକ ଫ୍ୟାଟ, ଲୁଣ ଓ ଚିନି ଥିବା ଖାଦ୍ୟ ଷୋହଳ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ବିକ୍ରି କରାଯିବା ଉପରେ କଟକଣା ଜାରି କରାଯାଇଛି। କାଲିଫର୍ନିଆର ବର୍କଲେ ସହରକୁ ପଦଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ସହଯୋଗୀ କରାଯାଇଛି କେବଳ ମେଦବହୁଳତାକୁ ଆଖିରେ ରଖି। ଅସ୍ବାସ୍ଥ୍ୟକର ଖାଦ୍ୟ ଉପରେ ଆଇନ ଦ୍ୱାରା ନିୟନ୍ତ୍ରଣ ରଖି ଏବଂ ସ୍ବାସ୍ଥ୍ୟକର ଖାଦ୍ୟାଭାସ ଉପରେ ସଚେତନତା ସୃଷ୍ଟି ଦ୍ୱାରା ମେଦବହୁଳତା ପରି ଘାତକ ଦୀର୍ଘସୂତ୍ରୀ ସମସ୍ୟାର ସମାଧାନ କରାଯାଇପାରେ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ବିକାଶଶୀଳ ଦେଶଗୁଡ଼ିକରେ ଉଭୟ ସାମାଜିକ ଓ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମ ପ୍ରଚଳନ କରିବା ଏ ଦିଗରେ ବିଶେଷ ଲାଭଦାୟୀ ହୋଇପାରିବ। ବିଶ୍ୱ ପୁଷ୍ଟି ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ଚାଲିଥିବା ବିକାଶ ଧାରା ନିମନ୍ତେ ମେଦବହୁଳତା ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ଉଭା ହୋଇପାରେ। ସବୁବେଳେ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦେବା ସହ ସବୁଜ ଓ ତଟକା ପନିପରିବା ଓ ଫଳକୁ ନିଜ ଖାଦ୍ୟ ତାଲିକାରେ ଗୁରୁତ୍ୱ ଦେବା ଜରୁରୀ। ବଜାରର ତଥାକଥିତ ଫାଷ୍ଟଫୁଡଠାରୁ ଫ୍ରିଜ୍‌ର ଥଣ୍ଡାଖାଦ୍ୟ, ଚକୋଲେଟ, ମିଠା, ମାଦକଦ୍ରବ୍ୟ ଓ ଥଣ୍ଡା ପାନୀୟଠାରୁ ଯେତେ ସମ୍ଭବ ଦୂରେଇ ରହିବା ନିଶ୍ଚିତ ଭାବରେ ଭଲ। କଠିନ ପରିଶ୍ରମ ହିଁ ମେଦ ବହୁଳତା ରୋଗରୁ ରକ୍ଷା ପାଇବାର ଶ୍ରେଷ୍ଠ ମାଧ୍ୟମ ।
ଶିଖରପୁର ଉପରସାହି, କଟକ, ମୋ:୯୪୩୮୫୮୩୨୮୯


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri