ମହାରାଷ୍ଟ୍ର ରାସ୍ତାରେ ୟୁପି, ଛତିଶଗଡ଼

ମୁମ୍ବାଇ/ନୂଆଦିଲ୍ଲୀ,୧୫ା୪: କରୋନା ଭାଇରସ୍‌ ପୁଣି ଭାଙ୍ଗିଛି ନୂଆ ମାମଲାର ଦୈନିକ ରେକର୍ଡ। ଭାରତରେ ଦୈନିକ ସଂକ୍ରମଣ ୧,୮୪,୩୭୨ ଛୁଇଁଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୮,୭୩,୮୨୫ରେ ପହଞ୍ଚିଛି। ଏହାସହ ସକ୍ରିୟ ମାମଲା ୧୩ ଲକ୍ଷ ଟପିଛି। ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ମହାବିକାଶ ଅଘାଡ଼ି ସରକାର ବୁଧବାର ରାତି ୮ଟାରୁୁ ୧୫ ଦିନିଆ ‘ଜନତା କର୍ଫ୍ୟୁ’ ଜାରି କରିଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କୋଭିଡ୍‌ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ପରେ ସଂକ୍ରମଣରେ ଉତ୍ତରପ୍ରଦେଶ (ୟୁପି) ଆଗରେ ଥିବାବେଳେ ମୃତ୍ୟୁସଂଖ୍ୟାରେ ଛତିଶଗଡ଼ ଆଗୁଆ ରହିଛି। ଏହି ଦୁଇ ରାଜ୍ୟ ସମେତ କର୍ନାଟକ ଓ କେରଳ ମଧ୍ୟ ଚିନ୍ତାବୃଦ୍ଧିର କାରଣ ପାଲଟିଛି। ଦେଶରେ ଗତ ୨୪ ଘଣ୍ଟାରେ ୧,୦୧,୦୦୬ ସକ୍ରିୟ ମାମଲା ବୃଦ୍ଧିପାଇ ୧୩,୬୫,୭୦୪ରେ ପହଞ୍ଚତ୍ଛି, ଯାହାକି ମୋଟ ସଂକ୍ରମିତ ସଂଖ୍ୟାର ୯.୮୪%। ସକ୍ରିୟ ମାମଲାର ୬୮.୧୬% କେବଳ ଏହି ୫ ରାଜ୍ୟରେ ରହିଛି। ମହାରାଷ୍ଟ୍ରରେ (୫,୬୬,୨୭୮), ଛତିଶଗଡ଼ (୯୮,୮୫୬), ଉତ୍ତରପ୍ରଦେଶ (୮୧,୫୭୬), କର୍ନାଟକ (୭୬,୦୦୪) ଓ କେରଳ (୪୭,୯୧୪) ରହିଛି। ଦୈନିକ ସଂକ୍ରମଣକୁ ଦେଖିଲେ ମହାରାଷ୍ଟ୍ର (୬୦,୨୧୨) ପଛକୁ ୟୁପି (୧୭,୯୬୩) ଓ ଛତିଶଗଡ଼ (୧୫,୧୨୧) ରହିଛି। ଇତିମଧ୍ୟରେ କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଦେଶରେ ବୁଧବାର ସୁଦ୍ଧା ୨୬ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୧,୭୫୮ ଜଣଙ୍କ ପରୀକ୍ଷା କରାଯାଇଛି। ଦୈନିକ ପରୀକ୍ଷା କ୍ଷମତା ୧୫ ଲକ୍ଷକୁ ବୃଦ୍ଧି କରାଯାଇଥିବା ମନ୍ତ୍ରଣାଳୟ କହିଛି। ସେହିପରି ଭାରତରେ ୨୪ ଘଣ୍ଟାରେ ୮୨,୩୩୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୨୩,୩୬,୦୩୬ରେ ପହଞ୍ଚତ୍ଛି। ଦୁଃଖର କଥା ହେଉଛି ଦିନକରେ ୧,୦୨୭ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ମହାମାରୀ। ମୃତକଙ୍କ ମଧ୍ୟରୁ ୮୬.୦୮% କେବଳ ୧୦ ରାଜ୍ୟର। ମହାରାଷ୍ଟ୍ରରେ ସର୍ବାଧିକ ୨୮୧ ଜଣଙ୍କ ଜୀବନ ଯାଇଥିବାବେଳେ ଛତିଶଗଡ଼ରେ ୧୫୬ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ବୁଧବାର ସୁଦ୍ଧା ଦେଶର ୧୧ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଏହାର ୬୦.୧୬% କେବଳ ମହାରାଷ୍ଟ୍ର, ରାଜସ୍ଥାନ, ୟୁପି, ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, କର୍ନାଟକ ଓ କେରଳରେ ଦିଆଯାଇଛି।

ଜେସିବି ଖୋଳୁଛି କବର

କୋଭିଡ୍‌-୧୯ ଭୂତାଣୁର ଦ୍ୱିତୀୟ ଲହର ସୁରଟକୁ ଗୁଜରାଟର ଏପିସେଣ୍ଟରରେ ପରିଣତ କରିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ମଙ୍ଗଳବାର ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସ୍ଥାନୀୟ ଅଧିକାରୀ ଓ ଅନ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରକୃତ ମୃତ୍ୟୁ ସଂଖ୍ୟା ଅଧିକ। ସୁରଟ ସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କ ମୃତଦେହ ପୋତିବା ପାଇଁ ଲୋକେ କବର ଖୋଳିପାରୁ ନାହାନ୍ତି। ଫଳରେ ଜେସିବି ମେଶିନରେ ସମାଧି ପାଇଁ ଗାତ ଖୋଳି ରଖାଯାଉଛି। ପରେ ମୃତଦେହଗୁଡ଼ିକୁ ସେଠାକୁ ଅଣାଯାଉଛି। ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳିତ ଶ୍ମଶାନଗୁଡ଼ିକରେ ୨୪ ଘଣ୍ଟା ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଆମେ ପୂର୍ବରୁ ଦିନକୁ ୩୦ ମୃତଦେହ ଦାହ କରୁଥିଲୁ। କିନ୍ତୁ ଏବେ ଏହି ସଂଖ୍ୟା ୯୫କୁ ଛୁଇଁଲାଣି ବୋଲି ଏକ ଶବଦାହ ସ୍ଥଳର ମ୍ୟାନେଜର ପ୍ରଶାନ୍ତ କବ୍ରାଓ୍ବାଲା କହିଛନ୍ତି।

୩ ରାଜ୍ୟରେ ଅକ୍ସିଜେନ ସଙ୍କଟ

ସାରା ଦେଶ ପାଇଁ ଚିନ୍ତାର କାରଣ ସାଜିଥିବା ସବୁଠୁ ଧନୀ ରାଜ୍ୟ ମହାରାଷ୍ଟ୍ରରେ ଏବେ ମେଡିକାଲ୍‌ ଗ୍ରେଡ୍‌ ଅକ୍ସିଜେନ ସଙ୍କଟ ଦେଖାଦେଇଛି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଅକ୍ସିଜେନ ଜରୁରୀ ହୋଇପଡ଼ିଛି। କେନ୍ଦ୍ର ସରକାର ବାୟୁସେନା ସହାୟତାରେ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ପଠାନ୍ତୁ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅନୁରୋଧ କରିଥିଲେ। ଅକ୍ସିଜେନ ପାଇଁ ମହାରାଷ୍ଟ୍ର ସରକାର ଛତିଶଗଡ଼, ମଧ୍ୟପ୍ରଦେଶ ଓ ଗୁଜରାଟକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ପଡ଼ୋଶୀ ରାଜ୍ୟଗୁଡ଼ିକର ଅବସ୍ଥା ମଧ୍ୟ ଭଲ ନ ଥିବାରୁ ଅକ୍ସିଜେନ ଦେବାକୁ ସେମାନେ ମନା କରିଦେଇଥିଲେ। ତେଣୁ ଏବେ ଅକ୍ସିଜେନ ଅପଚୟ ରୋକିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ବୁଧବାର ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଦୈନିକ ୧,୨୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଉତ୍ପାଦନ କରୁଛି, ଯାହାକି କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଛି। ଦୈନିକ ଚାହିଦା ୧୫୦୦ରୁ ୧୬୦୦ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ପାଇବ ବୋଲି ଖାଦ୍ୟ ଓ ଡ୍ରଗ୍‌ ପ୍ରଶାସନ ମନ୍ତ୍ରୀ ରାଜେନ୍ଦ୍ର ସିନ୍‌ଗ୍ନେ କହିଛନ୍ତି। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଲାଗି ଆବଶ୍ୟକ ଅକ୍ସିଜେନ ପରିବହନ ପାଇଁ ରେଲଓ୍ବେକୁ ଅନୁରୋଧ କରିଛନ୍ତି।

ମୃତ୍ୟୁସଂଖ୍ୟା ଲୁଚାଉଛି ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ଭଡଭଡା ଶ୍ମଶାନରେ ଶବଦାହ ଶେଷ ହେଉନାହିଁ। ରାସ୍ତାକଡ଼ ଆମ୍ବୁଲାନ୍ସରେ ଧାଡ଼ି ଧାଡ଼ି କରି ରଖାଯାଇଛି ମୃତଦେହଗୁଡ଼ିକୁ। ଦିନକୁ ୫୦ରୁ ଊର୍ଦ୍ଧ୍ୱ ଶବ ଆସୁଥିବାରୁ ସତ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଲୋକଙ୍କ ମନରେ ୧୯୮୪ ଭୋପାଳ ଗ୍ୟାସ୍‌ ଟ୍ରାଜେଡିର ସ୍ମୃତି ଉଜ୍ଜୀବିତ ହୋଇଯାଉଛି। ନିଜ ଭାଇଙ୍କ ମୃତଦେହ ନେଇ ଆସିଥିବା ବି.ଏନ୍‌. ପାଣ୍ଡେ ସେତେବେଳର ସ୍ମୃତିକୁ ମନେପକାଇ କହିଛନ୍ତି, ମୁଁ ନବମ ଶ୍ରେଣୀରେ ପଢ଼ୁଥିଲି। ଗ୍ୟାସ୍‌ ଟ୍ରାଜେଡି ପରେ ଏପରି ଦୃଶ୍ୟ ଦେଖି ନ ଥିଲି। ଇତିମଧ୍ୟରେ ଶିବରାଜ ସିଂ ଚୌହାନ ସରକାର କୋଭିଡ୍‌-୧୯ ସଂକ୍ରମିତଙ୍କ ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଉଥିବା ଅଭିଯୋଗ ଆସିବାରେ ଲାଗିଛି।

ୟୁପିରେ ଲାଗିପାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ

ୟୁପିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨-୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅଯୋଧ୍ୟାକୁ ଯିବା ପାଇଁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଥିବା ଜରୁରୀ। ଅଯୋଧ୍ୟା ସୀମା ସିଲ୍‌ କରାଯିବ। ଏପ୍ରିଲ ୨୧ ରାମନବମୀ ଦିନ ରାମ ଜନ୍ମଭୂମିରେ କୌଣସି ଧର୍ମୀୟ ସମାଗମକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲାପାଳ ଅନୁଜ ଝା କହିଛନ୍ତି। ବାରାଣସୀ ଡିଭିଜନାଲ କମିଶନର ଦୀପକ ଅଗ୍ରଓ୍ବାଲ ସମସ୍ତ ଭକ୍ତ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଚଳିତ ମାସ ଶେଷ ଯାଏ ଏହି ପବିତ୍ର ସହରକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରକାଶ ଯେ ଯୋଗୀ ପଶ୍ଚିମବଙ୍ଗ ଯାଇ ଭାଜପା ପାଇଁ ଧୂଆଁଧାର ପ୍ରଚାର ଚଳାଇଥିଲେ।

କେରଳରେ ପଜିଟିଭ୍‌ ହାର ୧୩.୪୫%

କେରଳରେ ବୁଧବାର ନୂଆ ୮,୭୭୮ ମାମଲା ସାମ୍ନାକୁ ଆସିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ ସ୍ବାସ୍ଥ୍ୟକର୍ମୀ। ଏହାସହ ରାଜ୍ୟରେ ପଜିଟିଭିଟି ରେଟ୍‌ ୧୩.୪୫%କୁ ବଢ଼ିଛି। ଏର୍ନାକୁଲମ୍‌, କୋଝିକୋଡ୍‌, ମଲ୍ଲାପୁରମ୍‌, କୋଟ୍ଟାୟମ୍‌ ଓ କନ୍ନୁରରେ ସର୍ବାଧିକ ସଂକ୍ରମିତ ରହିଥିବା ଜଣାପଡ଼ିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୪,୮୩୬ ଛୁଇଁଛି।

କର୍ନାଟକରେ ୧୩,୦୦୦ ଟପିଲା ମୃତ୍ୟୁସଂଖ୍ୟା

କର୍ନାଟକରେ ମଙ୍ଗଳବାର ୮,୭୭୮ ନୂଆ ମାମଲା ସହ ୬୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୮୩,୬୪୭ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୩,୦୦୦ ଟପିଛି। ସକ୍ରିୟ ମାମଲା ସଂଖ୍ୟା ୭୮,୬୧୭ରେ ପହଞ୍ଚତ୍ଥିବାବେଳେ ୪୭୪ ଜଣ ଆଇସିୟୁରେ ଅଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦% କେବଳ ବେଙ୍ଗାଲୁରୁରେ ଥିବା ଜଣାପଡ଼ିଛି।

‘କୁମ୍ଭମେଳା ବନ୍ଦ ନେଇ ନିର୍ଦ୍ଦେଶ ନାହିଁ’

କରୋନା ଭୂତାଣୁର ସୁପରସ୍ପ୍ରେଡର ପାଲଟିଥିବା ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହାକୁ ବନ୍ଦ କରିବା ନେଇ କେନ୍ଦ୍ର ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଆସି ନ ଥିବା ହରିଦ୍ୱାର ଜିଲା ମାଜିଷ୍ଟ୍ରେଟ ତଥା କୁମ୍ଭମେଳା ଅଫିସର ଦୀପକ ରାଓ୍ବତ କହିଛନ୍ତି। ଅନ୍ୟପକ୍ଷରେ ମେଳାରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୪୮ ଘଣ୍ଟା ମଧ୍ୟରେ ମେଳାରୁ ୧ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩ ହଜାରରେ ପହଞ୍ଚିଛି। ବୁଧବାର ଅପରାହ୍ନ ୨ଟା ସୁଦ୍ଧା ୯,୪୩,୪୫୨ ଜଣ ବୁଡ଼ ପକାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ କରିଛି। ମଙ୍ଗଳବାର ମୋଟ ୧୯୨୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି।

କୋଭିଡ୍‌ରେ ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁ

ବିହାରର ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ (ଏନ୍‌ଏମ୍‌ସିଏଚ୍‌)କୁ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଗସ୍ତରେ ଆସିବାକୁ ଥିବାରୁ କର୍ମଚାରୀମାନେ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ଫଳରେ କରୋନା ସଂକ୍ରମିତ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇପାରିଲା ନାହିଁ। ସେ ଆସିଥିବା ଗାଡ଼ିରେ ଦୀର୍ଘ ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ଆଖିବୁଜିଥିଲେ। ପରିବାର ସଦସ୍ୟଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଆଡମିଟ୍‌ କଲେନାହିଁ ବୋଲି ଅଭିଯୋଗ ହୋଇଛି।
ଅବସରପ୍ରାପ୍ତ ଯବାନ ବିନୋଦ ସିଂଙ୍କ ଘର ଲଖିସରାଇ। କିଛିଦିନ ପୂର୍ବରୁ ସେ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କୁ ରାଜଧାନୀକୁ ରିଫର କରାଯାଇଥିଲା। ସୋମବାର ସେ ପାଟନାସ୍ଥିତ ଏମ୍ସରେ ପହଞ୍ଚତ୍ଥିଲେ ହେଁ ଶଯ୍ୟା ଅଭାବରୁ ସେଠାରେ ଆଡମିଶନ ହୋଇପାରି ନ ଥିଲା। ଫଳରେ ସେଦିନ ଏକ ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇ ତା ପରଦିନ ତାଙ୍କୁ ଏନ୍‌ଏମ୍‌ସିଏଚ୍‌କୁ ନିଆଯାଇଥିଲା ବୋଲି ମୃତ ଯବାନଙ୍କ ପୁଅ ଅଭିମନ୍ୟୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri