ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ ଉତ୍ସାହର ମାହୋଲ। ହେଲେ ଏହି ପର୍ବକୁ ପାଳନ ପାଇଁ ବିଭିନ୍ନ କାରଣରୁ ଅନେକଙ୍କ ମନରେ ସତେ ଯେମିତି ସରାଗ ନାହିଁ। କେଉଁଠି ପେଟ ଚିନ୍ତା ତ କେଉଁଠି ରହିବା ପାଇଁ ଘର ଚିନ୍ତା। ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ଉର୍ବଶୀ ପଧାନ। ବୟସ ୭୦। ଯୁବାବସ୍ଥାରେ ତାଙ୍କ ସ୍ବାମୀ ମିତ୍ର ପଧାନଙ୍କ ପରଲୋକ ହୋଇଯାଇଛି। ସେତେବଲେ ତାଙ୍କର ଦୁଇ ଝିଅ ଛୋଟ ଥିଲେ। ଦୁଇ ଝିଅ ବାହା ହୋଇ ଏବେ ଶାଶୁ ଘରେ ରହୁଥିବାରୁ ଉର୍ବଶୀଙ୍କ ପରିବାର କହିଲେ ସେ ଏକାକୀ। ନାମକୁ ମାତ୍ର ଚାଷ ଜମି ଅଛି। ସରକାରୀ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସିକ ୧ ହଜାର ଟଙ୍କା ଏବଂ ରାଶନ କାର୍ଡରେ ମାତ୍ର ୫ କେଜି ଚାଉଳ ମିଳୁଛି। ଏତିକିରେ ହିଁ ତାଙ୍କୁ ମାସଟିଏ ଚଳିବାକୁ ପଡୁଛି। ଏପଟେ ଦୀର୍ଘ ଦିନ ଧରି ଏକ ଜରାଜୀର୍ଣ୍ଣ ମାଟି ଘରେ ସେ ଅସୁରକ୍ଷିତ ଭାବେ ଦିନ କାଟୁଛନ୍ତି। ଘରର ମାଟି କାନ୍ଥ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଥିବା ବେଳେ ବସ୍ତିରେ ମାଙ୍କଡ ପଲ ଉପଦ୍ରବ ଯୋଗୁ ଛପର ମଧ୍ୟ ଭାଙ୍ଗି ଶୋଚନୀୟ ହୋଇପଡିଛି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଜୀବନକୁ ବିପଦରେ ପକାଇ ସେହି ଭଙ୍ଗା ଘରେ ରହିବାକୁ ବାଧ୍ୟ ହେଉଛନ୍ତି ଉର୍ବଶୀ। ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ହେଁ ଉର୍ବଶୀଙ୍କୁ ଆଜିଯାଏ ସରକାରୀ ଆବାସ ଯୋଜାନରେ ଘର ମିଳିନାହିଁ। ଏଥିପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ହାରି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ନିଜର ବୋଲି କେହି ପାଖରେ ନ ଥିବାରୁ ତାଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିଚାଲିଛି। ଏ ସମ୍ପର୍କରେ ସରପଞ୍ଚ ବିଜୁଳି ପଧାନଙ୍କୁ ପଚାରିବାରେ ଏହାର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଆବାସ ଯୋଜନାରେ ଉର୍ବଶୀଙ୍କୁ ଘର ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଦାବି ହେଉଛି।
Dharitri – Odisha’s No.1 Odia Daily

