ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା

 

ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି ଫଳେ ତାହା ସେ ଅ଼ଞ୍ଚଳର ତାପମାତ୍ରା, ଆଲୋକ ଓ ଆର୍ଦ୍ରତା ଦ୍ବାରା ପ୍ରଭାବିତ ହୋଇ ସଅଳ କିମ୍ବା ବିଳମ୍ବରେ ପାଚିଥାଏ। କିନ୍ତୁ ଆମେ ସବୁବେଳେ ଅଦିନରେ ପାଚୁଥିବା ଫଳ କିମ୍ବା ପନିପରିବା ଖାଇବାକୁ ପସନ୍ଦ କରିଥାଉ। ଫଳରେ ବଜାରରେ ଏହାର ଚାହିଦା ଅନୁଯାୟୀ ଯୋଗାଣ ନ ଥିବାରୁ ଚଢ଼ାଦରରେ ଉପଲବ୍ଧ ହୁଏ। ଏ ପ୍ରକାର ସ୍ଥିତିରୁ ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବ୍ୟବସାୟୀ ଫଳକୁ ଅସମୟରେ କୃତ୍ରିମ ଉପାୟରେ ପଚାଇଥାନ୍ତି। ଅବଶ୍ୟ ଏ ପ୍ରକାରର ପ୍ରଣାଳୀ ସଭ୍ୟତାର ଆଦିକାଳରୁ ପ୍ରଚଳିତ। ସେକାଳର ଲୋକମାନେ କଦଳୀ, ଆମ୍ବ, ବେଲ, କପିତ୍ଥ ପରି ଫଳକୁ ଗୋଦାମଗୃହରେ ଧୂଆଁ ଦେଇ କିମ୍ବା ଚୂନ ଦେଇ ପଚାଉଥିଲେ। ସେଥିପାଇଁ ସେମାନେ ପ୍ରାକୃତିକ ଉପାୟ ଯଥା ସୁନାରିପତ୍ର, ବାଉଁଶପତ୍ର, ପାଳ, ବାଲି, ଧାନଚାଉଳ ବସ୍ତା ଇତ୍ୟାଦିର ଉପଯୋଗ କରି ପାକଳ ଫଳକୁ ନିର୍ଦ୍ଦିଷ୍ଟ ସମୟରେ ପଚାଇଥାନ୍ତି। କିନ୍ତୁ ଆଜିର ବ୍ୟବସାୟୀଗଣ କୃତ୍ରିମ ଉପାୟ ଅବଲମ୍ବନ କରି ବିଭିନ୍ନ ରସାୟନ ଦ୍ବାରା ସମୟ ପୂର୍ବରୁ ଫଳକୁ ପଚାଇ ବଜାରକୁ ଛାଡୁଛନ୍ତି। ଏହାଦ୍ବାରା ସେମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ୍‌ ହେଉଛନ୍ତି ସିନା ଏଣେ କିନ୍ତୁ ସାଧାରଣ ଗ୍ରାହକଙ୍କ ସ୍ବାସ୍ଥ୍ୟ ବିପଦ ଆଡ଼କୁ ଠେଲିହୋଇ ଯାଉଛି। ଧୂଆଁ କିମ୍ବା ଚୂନ ଦେଇ ପଚାଉଥିବା ଫଳ ଯେତିକି କ୍ଷତିକାରକ ନୁହେଁ, କ୍ୟାଲ୍ସିୟମ କାର୍ବାଇଡ୍‌ ଦ୍ବାରା ପାଚୁଥିବା ଫଳ ସେବନ ବିପଦସଙ୍କୁଳ। କାରଣ ଏହି ରସାୟନଟି ସିଧାସଳଖ ଭାବେ ଆଲର୍ଜିଜନିତ ଶ୍ବାସ, ଚର୍ମ କୁଣ୍ଡେଇହେବା ଆଦି ରୋଗସୃଷ୍ଟିରେ ସହାୟକ ହେଉଥିବାରୁ ଅନେକ ବିକଶିତ ଦେଶରେ ଏହାର ବ୍ୟବହାରକୁ ନିଷିଦ୍ଧ କରାଯାଇଛି।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ନିର୍ଦ୍ଧାରଣ ସଂସ୍ଥା ଏକ ନିୟାମକ ୨୦୧୧ ମସିହାରେ ପ୍ରଚଳନ କରିଥିଲେ, ଯେଉଁଥିରେ ଏହି ରସାୟନ ସହିତ ଏସିଟିଲିନି ଗ୍ୟାସ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା। ଅପରନ୍ତୁ କୃତ୍ରିମ ଭାବେ ପ୍ରସ୍ତୁତ ଇଥିଲିନି ଗ୍ୟାସ୍‌ର ଦ୍ରବଣ(ଲିଟର ପ୍ରତି ୧୦୦ ମି.ଲି. ପର୍ଯ୍ୟନ୍ତ)କୁ ବ୍ୟବହାରକୁ ଅନୁମତି ମିଳିଥିଲା। କିନ୍ତୁ ପ୍ରକୃତରେ ଏହି ଗ୍ୟାସ୍‌ ପାଚିଲା ଫଳ ଯଥା- ଆମ୍ବ, କଦଳୀ ଇତ୍ୟାଦିରୁ ବୃଦ୍ଧିବର୍ଦ୍ଧକ ହିସାବରେ ଆପେ ସୃଷ୍ଟି ହୋଇଥାଏ, ଯାହାର ବ୍ୟବହାର କ୍ଷତିକାରକ ନୁହେଁ। କୃତ୍ରିମ ଇଥିଲିନି ଗ୍ୟାସ୍‌ର ବ୍ୟବହାର କରି ଫଳ ପଚାଇବା ପାଇଁ ସେମାନେ ଏକ ମାର୍ଗଦର୍ଶିକା ପ୍ରଣୟନ କରିଛନ୍ତି। କିନ୍ତୁ ଅସାଧୁ ବ୍ୟବସାୟୀଗଣ ଏ ସବୁର ଅନୁପାଳନ କରିବାକୁ ଅନିଚ୍ଛୁକ। ଫଳତଃ ଜନସ୍ବାସ୍ଥ୍ୟ ବିପଦଗ୍ରସ୍ତ ହେବା ଅବଶ୍ୟମ୍ଭାବୀ।
ଆଜିକାଲି ତରଭୁଜକୁ ଲାଲ୍‌ କରିବାକୁ ମଧ୍ୟ ଲିଡ୍‌ କ୍ରୋମେଟ୍‌ ନାମକ ଏକ କୃତ୍ରିମ ରଙ୍ଗ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ପଚାଇବା ପାଇଁ ଅକ୍ସିଟକ୍ସିନ ନାମକ ହରମୋନ୍‌କୁ ଇଞ୍ଜେକ୍ସନ ମାଧ୍ୟମରେ ତରଭୁଜରେ ଭର୍ତ୍ତି କରୁଛନ୍ତି। ଏ ସବୁ ସ୍ବାସ୍ଥ୍ୟପକ୍ଷେ ବିପଜ୍ଜନକ। ଏଣୁ ଆପେ ବଞ୍ଚତ୍ଲେ ବାପର ନାଁ ହିସାବରେ ଆମେ ଏପ୍ରକାର ଅସମୟରେ ମିଳୁଥିବା କୃତ୍ରିମ ପକ୍ବ ଫଳକୁ ଚିହ୍ନିବାର ଉପାୟ ଜାଣିବା। ବଜାରରୁ ଫଳ କିଣିବା ବେଳେ ପ୍ରଥମେ ତା’ର ରଙ୍ଗକୁ ନିରେଖି ଦେଖନ୍ତୁ । ଯଦି ଡେମ୍ଫ ପାଖରୁ ଅଗ ପର୍ଯ୍ୟନ୍ତ ସମତୁଲ ଭାବେ ପାଚିଥାଏ ଏବଂ ରଙ୍ଗ ଗାଢ଼ ତଥା ଚକ ଚକ କରୁଥାଏ ତାହାକୁ କୃତ୍ରିମ ପକ୍ବ ବୋଲି ଜାଣିବା। ଯଦି ଏ ଫଳକୁ ଶୁଙ୍ଘିବା ତେବେ ତହିଁରୁ ମିଠା ବାସନା ନ ଆସି ଔଷଧ ବାସ୍‌ନା ଆସିବ। ଫଳଟିକୁ ଚିପିଲେ ପୂରା ଦବିଯାଉଥିବ। ବେଳେବେଳେ ଚୋପା ଉପରେ ଡେମ୍ଫ ଆଡ଼କୁ କଳା କଳା ଦାଗ, କ୍ଷତ ଇତ୍ୟାଦି ଜଣାପଡ଼ିବ ଯାହାକି କାର୍ବାଇଡ୍‌ କିମ୍ବା ଇଞ୍ଜେକ୍ସନର ଚିହ୍ନ। ଏ ଫଳକୁ ଯଦି ଚାଖିବେ ତା’ହେଲେ ତା’ର ପ୍ରକୃତ ସ୍ବାଦ ନ ଆସି ଭିନ୍ନ ଏକ ସ୍ବାଦ ଆସିବ। ଆଉ ପରୀକ୍ଷା କରିବା ପାଇଁ ଯଦି ପାଣିରେ ବୁଡ଼ାଇଦେବେ ତାହାହେଲେ ଫଳଗୁଡ଼ିକ ଭାସିବା ପରିବର୍ତ୍ତେ ବୁଡ଼ିଯିବ। ଏସବୁ ଲକ୍ଷଣ ଜାଣିବା ପରେ ଯଦି ପରିସ୍ଥିତିର ବାଧ୍ୟବାଧକତା ହେତୁ ଫଳ କିଣୁଛନ୍ତି ତେବେ ତାକୁ ଘରକୁ ଆଣିବା ପରେ ଏକ ପାତ୍ରରେ ଖାଇବାସୋଡ଼ା ଦ୍ରବଣରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଭିଜାଇରଖନ୍ତୁ। ପରେ ଭଲଭାବେ ଧୋଇ ବ୍ୟବହାର କରିପାରିବେ। ଠିକ୍‌ ସେହିପରି ତରଭୁଜ କିଣିଥିଲେ ତାକୁ ଦୁଇଫାଳ କରି କାଟି ଏକ ତୁଳା ସାହାଯ୍ୟରେ ଭିତରର କୃତ୍ରିମ ରଙ୍ଗକୁ ଧୀରେ ଧୀରେ ଭିଜାଇ କାଢ଼ିପାରିବେ।
ପ୍ରାଧ୍ୟାପକ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ପାରଳାଖେମୁଣ୍ଡି
ମୋ:୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri