ଅସନ୍ତୁଳିତ ପୃଥିବୀ ଓ ଋତୁଚକ୍ର

ବିଜ୍ଞାନ ଯେତେ ସମୃଦ୍ଧ ହେଲେ ମଧ୍ୟ ପ୍ରାକୃତିକ ଜିନିଷର ପ୍ରତିକଳ୍ପ ହୋଇପାରିବ ନାହିଁ କିମ୍ବା ତା’ର ସ୍ଥାନ ନେଇପାରିବ ନାହିଁ। ଯେତେ ଯାହା ହେଲେ ବି ଜୀବଜଗତ ପ୍ରକୃତି ଉପରେ ନିର୍ଭର କରିବ । ଉଭୟ ଜୀବଜଗତ ଓ ପ୍ରାକୃତିକ ପରିବେଶ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବାରୁ ଜୀବଜଗତ ଦ୍ୱାରା ପ୍ରକୃତି ପ୍ରଭାବିତ ହୁଏ। ଜନସଂଖ୍ୟାବୃଦ୍ଧି ପରିମିତ ସ୍ଥାନ ସହିତ ସମଗ୍ର ପରିବେଶ ପାଇଁ ସତର୍କ ଘଣ୍ଟି ହୋଇଥିଲେ ମଧ୍ୟ ଆମକୁ ତା’ର ନିରାକରଣ କରିବାକୁ ହେବ। ବିଭିନ୍ନ ପ୍ରକାରର ପ୍ରଦୂଷଣ ରୋକିବା ସହିତ ବୃକ୍ଷରୋପଣ, ପାନୀୟ ଜଳ ସଂରକ୍ଷଣ, ଜଙ୍ଗଲ ସୃଷ୍ଟି ସହିତ ଅନ୍ୟାନ୍ୟ ପରିବେଶ ସୁରକ୍ଷାକାରୀ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ତଥା ସଚେତନତା ସୃଷ୍ଟି କରିବାକୁ ହେବ।ଅନ୍ୟଥା ଏମିତି ଅନେକ ପ୍ରାକୃତିକ ବିପର୍ଯ୍ୟୟରେ ମାନବସମାଜ ଧ୍ୱସ୍ତବିଧ୍ୱସ୍ତ ହେଉଥିବ।
ଚଳିତବର୍ଷ ବର୍ଦ୍ଧିତ ତାପମାତ୍ରା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାର କାରଣ ଓ ନିରାକରଣ ସମସ୍ତଙ୍କୁ ପ୍ରାୟ ଅଳ୍ପ ବହୁତେ ଜଣା। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ରାଜରାସ୍ତା ସଂପ୍ରସାରଣ ପାଇଁ ଅବାଧ ଗଛକଟା, ଜଙ୍ଗଲରୁ ଚୋରା କାଠ ଚାଲାଣ, କଂକ୍ରିଟ ଜଙ୍ଗଲ ବୃଦ୍ଧି, ଭଙ୍ଗାଗଢ଼ାହେତୁକ ଶବ୍ଦ ଓ ବାୟୁ ପ୍ରଦୂଷଣ, ସେଥିପାଇଁ ଅତ୍ୟଧିକ ଜଳ ଖର୍ଚ୍ଚହେତୁକ ଜଳସ୍ତର ହ୍ରାସ, ଜଙ୍ଗଲ ପୋଡ଼ି, ପ୍ଲାଷ୍ଟିକର ବହୁଳ ବ୍ୟବହାର, ଏ.ସି. ପରି ଇଲେକ୍ଟ୍ରୋନିକ୍ସ ଜିନିଷଗୁଡ଼ିକର ବହୁଳ ବ୍ୟବହାର, ରାସ୍ତାଘାଟରେ ବହୁମାତ୍ରାରେ ମୋଟରଯାନ ଚଳାଚଳ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ନିୟମମାନ କାଗଜକଲମରେ ସୀମିତ। ପ୍ରାକୃତିକ ସମ୍ପଦ ଲୁଟା ଯାଉଛି। ବୃକ୍ଷଲତାବିହୀନ ଜଙ୍ଗଲ, ଖଣିଜ ସମ୍ପଦବିହୀନ ବସୁଧା, ପାନୀୟ ଜଳାଭାବଜନିତ ଶୁଖିଲା ନଦୀନାଳ। କଂକ୍ରିଟ୍‌ ବା ପିଚୁ ରାସ୍ତା ଓ ବହୁତଳ ପ୍ରାସାଦଗୁଡ଼ିକରୁ ତାପ ବିକିରଣ ହେବା ଦ୍ୱାରା ଅସହ୍ୟ ଗୁଳୁଗୁଳିର ପ୍ରଭାବ। ଅସ୍ତବ୍ୟସ୍ତ ଜନଜୀବନ, ତାପଜନିତ ରୋଗବୃଦ୍ଧି। ତାପମାତ୍ରାବୃଦ୍ଧି ହେତୁକ ପାର୍ଶ୍ୱପ୍ରତିକ୍ରିୟା ଜୀବଜଗତ ସହିତ ସମଗ୍ର ପୃଥିବୀର ଭୌଗୋଳିକ ସ୍ଥିତିକୁ ବିପନ୍ନ କରିଦେବାର ଆଶଙ୍କା ଦେଖାଦେଇଛି।
ରାଜରାସ୍ତା ସଂପ୍ରସାରଣ ପାଇଁ ବଡ଼ ବଡ଼ ଗଛମାନ କଟାଯାଉଛି। କଟାହେବା ଆଗରୁ କିନ୍ତୁ ସେତିକି ସଂଖ୍ୟକ ଗଛ ଲଗାଯିବାକୁ ପ୍ରାଧାନ୍ୟ ଦିଆଯାଉନି। ଏକର ଏକର ବ୍ୟାପି ଜଙ୍ଗଲପୋଡ଼ି ମାନବକୃତ ମନେହେଲେ ମଧ୍ୟ ବିଭାଗ ନୀରବଦ୍ରଷ୍ଟା। କେତେ ବନ୍ୟଜନ୍ତୁ ପୋଡ଼ିଯାଉଛନ୍ତି ହିସାବ ନାହିଁ। ଫଳରେ ପରିବେଶ ଅସନ୍ତୁଳିତ। ଯାନବାହନର ଅହେତୁକ ବୃଦ୍ଧି ଚିନ୍ତା ଉଦ୍ରେକକାରୀ। ମଇଳା ଆବର୍ଜନାତକ ନଦୀ, ସମୁଦ୍ରରେ ମିଶି ଜଳଜୀବଙ୍କ ସହିତ ମାନବ ଜୀବନ ପ୍ରତି ବିପଦ ସୃଷ୍ଟି କରିଚାଲିଛି। ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ଜିନିଷ ବନେଇବା କିମ୍ବା ତା’ର ସଦୁପଯୋଗ କରାଯିବା ବର୍ତ୍ତମାନ ଯୁଗର ପ୍ରମୁଖ ଆହ୍ବାନ।
ଆଖିପିଛୁଳାକେ କିଛି ମାସ ଭିତରେ ବହୁତଳ ପ୍ରାସାଦମାନ ଛିଡ଼ା ହୋଇଛି ଜଙ୍ଗଲ ସ୍ଥାନରେ। ସଙ୍କୁଚିତ ହୋଇଚାଲିଛି ସବୁଜିମା। ଲଘୁଚାପଜନିତ ବର୍ଷା ବାଦ୍‌ ଆଉ ମୌସୁମୀ ବର୍ଷା ନାହିଁ। ଖରାଦିନେ ଗ୍ଲାସିୟର୍‌ ତରଳିବାକୁ ଲାଗିଛି। ତାପମାତ୍ରା ବୃଦ୍ଧି ଖାଲି ଆମ ଦେଶର ସମସ୍ୟା ନୁହେଁ, ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛି। ଓଜୋନ ସ୍ତରରେ ହ୍ରାସ, ଅବିରତ ଇଟାଭାଟିଗୁଡ଼ିକରୁ ନିର୍ଗତ ନିଆଁ ଧୂଆଁ, ରାସାୟନିକ ପଦାର୍ଥ ବ୍ୟବହାର ପରିବେଶକୁ କ୍ଷତିଗ୍ରସ୍ତ କରିବା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷରେ ଋତୁଚକ୍ରକୁ ପ୍ରଭାବିତ କରୁଛି। ବର୍ଷା ଦିନେ ବନ୍ୟା, ଖରାଦିନେ ମରୁଡି, ଶୀତଦିନେ ବାତ୍ୟା, ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମଗ୍ର ଜୀବଜଗତ ପାଇଁ ସତର୍କ ଘଣ୍ଟି। କୃଷି ସହିତ ସାଧାରଣ ଜୀବନ ବି ଅସ୍ତବ୍ୟସ୍ତ।
ଜଳାଭାବ ସଙ୍କଟର ନିରାକରଣ ନିମନ୍ତେ ରାଜ୍ୟଗୁଡ଼ିକ ଉପରମୁଣ୍ଡରେ ବନ୍ଧ ବନେଇ ନଦୀଜଳକୁ ଅଟକାଇ ସାରିଲେଣି। ରାସ୍ତାକଡ଼ର ସରକାରୀ ନଳକୂପରୁ ପାଣି ଅହର୍ନିଶ ନିର୍ଗତ ହେଉଛି, ସେଥିପାଇଁ ବିହିତ ବ୍ୟବସ୍ଥା ନାହିଁ। ଜଳହାନି ଆମ ଜନବହୁଳ ଦେଶକୁ କ୍ରମଶଃ ମରୁଭୂମିରେ ପରିଣତ କରିପାରେ। କାରଣ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ଗବେଷକମାନେ ସୂଚନା ଦେଇସାରିଲେଣି। ପରିଣାମସ୍ବରୂପ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପାନୀୟଜଳର ଅଭାବ ପଡ଼ିପାରେ।
ଏସବୁର ସ୍ଥାୟୀ ନିରାକରଣ ଖୁବ୍‌ ଶୀଘ୍ର କରା ନ ଗଲେ ତୀବ୍ର ଜଳସଙ୍କଟରେ ଘାରିହେବ ଦେଶ ଓ ବିଶ୍ୱ। ଅଟଳବିହାରୀ ବାଜପେୟୀ ନଦୀ ସଂଯୋଗୀକରଣକୁ ନେଇ ସ୍ବପ୍ନ ଦେଖିଥିଲେ। ଯାହା ବିଶାଳ ଜନସଂଖ୍ୟାବିଶିଷ୍ଟ ଦେଶର ଜରୁରୀ ଆବଶ୍ୟକତା ଭିତରୁ ସର୍ବାଗ୍ରେ ରହିବ। ବର୍ତ୍ତମାନ ତା’ର ସଫଳ ରୂପାୟନ ହେବାର ଆବଶ୍ୟକତା ରହିଛି। ତା’ ସହିତ ନଦୀଗୁଡ଼ିକର ପୁନରୁଦ୍ଧାର, ହୀରାକୁଦ ଡ୍ୟାମ୍‌ ପରି ବିଶାଳ ଜଳାଶୟଗୁଡ଼ିକର ପଙ୍କୋଦ୍ଧାର କାର୍ଯ୍ୟକ୍ରମ କରାଯାଇ ତା’ର କ୍ଷମତାକୁ ବୃଦ୍ଧି କରାଯିବା ଦିଗରେ ପଦକ୍ଷେପ ନିଆଯିବା ଉଚିତ। ଜଳ ସଂରକ୍ଷଣ ସହିତ ଜଳର ଦୁରୁପଯୋଗ ରୋକିବା, ବୃକ୍ଷରୋପଣ ସହିତ ଜଙ୍ଗଲପୋଡ଼ି ନିରାକରଣ ଉପରେ ଯନତ୍ଶୀଳ ହେବା ବର୍ତ୍ତମାନର ପ୍ରମୁଖ ଆବଶ୍ୟକତା। ସେଥିପାଇଁ କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଜଳାଶୟଗୁଡ଼ିକର କ୍ଷମତା ବୃଦ୍ଧି କରିବାକୁ କିଛି ନୂତନ ଯୋଜନା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ସୌରଶକ୍ତି ଜରିଆରେ ଯେପରି ରୋଷେଇ ସହିତ ବିଜୁଳି ସଂଗ୍ରହ କରିବା ସମ୍ଭବପର ହୋଇପାରୁଛି, ସେହିପରି ଜଳ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇପାରେ। ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟହେତୁକ ବିଭିନ୍ନ ସମସ୍ୟାକୁ ଏଡ଼େଇବାକୁ ହେଲେ ପ୍ରକୃତିକୁ ଭଲପାଇ ତା’ର ପୁନର୍ଗଠନ କରିବାକୁ ପଡ଼ିବ। ସୁସ୍ଥ ପରିବେଶ-ସୃଷ୍ଟି ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ।

  • ଡ. ମୌସୁମୀ ପରିଡ଼ା
    ମୋ-୯୪୩୭୩୧୭୦୨୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri