
ନୂଆଦିଲ୍ଲୀ,୧୬।୧: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦୁଇଟି ନୂଆ ଔଷଧ ବ୍ୟବହାର କରିବାକୁ ସୁପାରିସ କରିଛି। ତାହା ହେଲା ବାରିସିଟିନିବ୍ ଏବଂ କାସିରିଭିମାବ-ଇମ୍ଡେଭିମାବ୍। ଗୁରୁତର କରୋନା ରୋଗୀଙ୍କୁ ବାରିସିଟିନିବ୍ ସହ କୋର୍ଟିକୋଷ୍ଟେରଏଡ୍ ଦେବା ପାଇଁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନରେ କୁହାଯାଇଛି।
ଇଣ୍ଟଲେଉକିନ୍-୬ ଭଳି ବାରିସିଟିନିବ୍ର ସମାନ ପ୍ରଭାବ ରହିଛି। ତେଣୁ ଏକା ସଙ୍ଗେରେ ଉଭୟ ଔଷଧ ନ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଗୁରୁତର ରୋଗୀଙ୍କୁ ରୁକ୍ସୋଲିଟିନିବ ଏବଂ ଟୋଫାସିଟିନିବ୍ ନ ଦେବା ଲାଗି କୁହାଯାଇଛି। ସେହିପରି ଗୁରୁତର ନ ଥିବା ରୋଗୀଙ୍କ ପାଇଁ ମନୋକ୍ଲୋନାଲ ଆଣ୍ଟିବଡି ସୋଟ୍ରୋଭିମାବ୍ ଦେବାକୁ ସର୍ତ୍ତମୂଳକ ସୁପାରିସ କରାଯାଇଛି। ସେହିପରି କମ୍ ଗୁରୁତରଙ୍କ ପାଇଁ ଅନ୍ୟତମ ମନୋକ୍ଲୋନାଲ ଆଣ୍ଟିବଡି ଔଷଧ କାସିରିଭିମାବ୍-ଇମ୍ଡେଭିମାବ୍ ଦେବାକୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଭାରତରେ କୋଭିଡ୍ର ଜରୁରୀ ଚିକିତ୍ସା ଲାଗି କର୍ବେଭାକ୍ସ, କୋଭୋଭାକ୍ସ କୋଭିଡ୍ ଟିକା ଏବଂ ମଲନୁପିରାଭିର ଆଣ୍ଟି ଭାଇରାଲ ଔଷଧ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଥିଲା।