ନୂଆଦିଲ୍ଲୀ,୧୬।୧: ସାଥି ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର ପାଇଁ ମରାଠୀ ଅଭିନେତା କିରନ ମାଣେଙ୍କୁ ‘ମୁଲଗି ଝାଲି ହୋ’ ଶୋ’ରୁ ବାଦ୍ ଦିଆଯାଇଛି। ଏ ନେଇ ରବିବାର ସୂଚନା ଦେଇଛି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ଷ୍ଟାର ପ୍ରବାହ। କିନ୍ତୁ ସୋସିଆଲ ମିଡିଆରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧୀ କମେଣ୍ଟ ଦେବାରୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଥିବା ଅଭିନେତା କିରନ କହିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଚ୍ୟାନେଲ ପକ୍ଷରୁ ତାଙ୍କୁ କେନ୍ଦ୍ର ସରକାରକାଙ୍କ ବିରୋଧରେ କହିବା ଉଚିତ ନୁହେଁ ବୋଲି କୁହାଯାଇଛି।
“ ମୁଖ୍ୟତଃ ମହିଳା ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର କାରଣରୁ ମାଣେଙ୍କୁ ଶୋ’ରୁ ବାହାର କରି ଦିଆଯାଇଛି। ଅନେକ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତାଙ୍କ ବିରୋଧରେ ସାଥି ଅଭିନେତା, ଡିରେକ୍ଟର ଓ ଅନ୍ୟ ୟୁନିଟ୍ ସଦସ୍ୟଙ୍କ ସହ ଖରାପ ବ୍ୟବହାର ଅଭିଯୋଗ ଆସିଥିଲା” ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ‘ମୁଲଗି ଜାଲି ହୋ’ ସିରିଅଲର କାହାଣୀ ମାଉ ନାମକ ଜଣେ ଝିଅ ଉପରେ ଆଧାରିତ। ପରିବାର ଲୋକେ ପୁଅ ଚାହୁଁ ଥିବାରୁ ମାଉକୁ ଗ୍ରହଣ କରୁ ନାହାନ୍ତି। ଏଥିରେ ମାଣେ ମାଉଙ୍କ ଠାରୁ ଦୂରେଇ ଯାଇଥିବା ବାପାଙ୍କ ଭୂମିକାରେ ଥିଲେ।