କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ,୨୫ା୧୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶେଷରେ ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍‌ଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ମିଶିଗାନ୍‌ ଷ୍ଟେଟ୍‌ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ବିଜୟୀ ଘୋଷଣା କରିବା ପରେ ଏହି ବରିଷ୍ଠ ଡେମୋକ୍ରାଟ୍‌ଙ୍କ ଶପଥ ଗ୍ରହଣ ପାଇଁ ପଥ ଉନ୍ମୁକ୍ତ ହୋଇଛି। ଟ୍ରାଞ୍ଜିଶନ ପାଇଁ ଟ୍ରମ୍ପ୍‌ ରାଜି ହେବା ନେଇ ଜେନେରାଲ ସର୍ଭିସେସ୍‌ ଆଡମିନିଷ୍ଟ୍ରେଶନ୍‌ (ଜିଏସ୍‌ଏ) ପକ୍ଷରୁ କରାଯାଇଥିବା ଘୋଷଣାର ଅର୍ଥ ହେଉଛି ବାଇଡେନ୍‌ଙ୍କୁ ଏବେ ସୁରକ୍ଷା ବ୍ରିଫିଙ୍ଗ୍‌ କରାଯିବ। ଜାନୁୟାରୀ ୨୦ରେ ବାଇଡେନ୍‌ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ମଧ୍ୟ ସେ ପ୍ରୋଟୋକଲ ଅନୁସାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିପାରିବେ। ଏହି ନିଷ୍ପତ୍ତିକୁ ବାଇଡେନ୍‌ ଟିମ୍‌ ସ୍ବାଗତ କରିଛି। ମହାମାରୀ ନିୟନ୍ତ୍ରଣ ଓ ଦେଶର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ଏହା ସହାୟକ ହେବ ବୋଲି ଏକ ବିବୃତିରେ କୁହାଯାଇଛି।
ନଭେମ୍ବର ୩ରେ ଆମେରିକାରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ଓ ତାଙ୍କ ରନିଂମେଟ୍‌ କମଲା ହାରିସ୍‌ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ବାଇଡେନ୍‌ ଜାଲିଆତି କରି ଜିତିଥିବା ଦର୍ଶାଇ ରିପବ୍ଲିକାନ୍‌ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରି ନ ଥିଲେ। ଫଳରେ ନୂଆ ସରକାର ଗଠନରେ ବିଳମ୍ବ ହୋଇଛି। ଟ୍ରମ୍ପ୍‌ ବାଇଡେନ୍‌ଙ୍କ ବିଜୟକୁ ସ୍ବୀକାର କରି ନ ଥିଲେ ମଧ୍ୟ ଟ୍ରାଞ୍ଜିଶନ (କ୍ଷମତା ହସ୍ତାନ୍ତର ପ୍ରକ୍ରିୟା) ଆରମ୍ଭ କରିବାକୁ ସୁପାରିସ କରିଛନ୍ତି। ଏନେଇ ଜିଏସ୍‌ଏ ପ୍ରଶାସକ ଏମିଲି ମର୍ଫି ସୋମବାର ପତ୍ର ଲେଖି ବାଇଡେନ୍‌ଙ୍କୁ ଜଣାଇଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଆନୁଷ୍ଠାନିକ ଭାବେ ଟ୍ରାଞ୍ଜିଶନ ପ୍ରକ୍ରିୟା ଲାଗି ରାଜି ହୋଇଥିବା ସେ ଏଥିରେ ଅବଗତ କରାଇଛନ୍ତି। ଏଥିସକାଶେ ୬.୩ ନିୟୁତ ଡଲାର ଖର୍ଚ୍ଚ ହେବ। ଏହା ପରେ ଟ୍ରମ୍ପ୍‌ ଟୁଇଟ୍‌ କରି କହିଛନ୍ତି, ଦେଶର ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ସେ ଟ୍ରାଞ୍ଜିଶନ ସପକ୍ଷରେ ଅଛନ୍ତି। ହେଲେ ଫଳାଫଳକୁ ନେଇ କୋର୍ଟରେ ଆଇନଗତ ଲଢ଼େଇ ଜାରି ରହିବ ବୋଲି ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍‌ ନିଜ ଯୁକ୍ତି ସପକ୍ଷରେ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନ ଥିବାରୁ ଅଧିକାଂଶ କୋର୍ଟରେ ତାଙ୍କ ପିଟିଶନ ଖାରଜ ହୋଇଯାଇଛି।
ଆଣ୍ଟୋନି ବ୍ଲିଙ୍କେନ୍‌ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ପରରାଷ୍ଟ୍ର ସଚିବ ଭାବେ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ବାଛିଛନ୍ତି। ୧୯୬୨ ଏପ୍ରିଲ ୧୬ରେ ଜନ୍ମିତ ବ୍ଲିଙ୍କେନ୍‌ଙ୍କ ପିଲାଦିନ ପ୍ୟାରିସ୍‌ରେ ବିତିଥିଲା। ସେ ଭଲ ଫରାସୀ କହିପାରନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା ଥିଲେ। ୨୦୧୫ରୁ ୨୦୧୭ ଯାଏ ପରରାଷ୍ଟ୍ର ଉପସଚିବ ଭାବେ କାର୍ଯ୍ୟ କରିଥିଲେ। ସେହିପରି ୧୯୯୦ ଦଶକରେ ବିଲ୍‌ କ୍ଲିଣ୍ଟନ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ଷ୍ଟାଫ୍‌ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ବ୍ରେକ୍‌ଜିଟ୍‌ (ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା)କୁ ନେଇ ବ୍ଲିଙ୍କେନ୍‌ କହିଥିଲେ, ଏହା କେବଳ କୁକୁର କାର୍‌କୁ ଧରିବା ଭଳି ନୁହେଁ। କୁକୁର କାର୍‌କୁ ଧରିବା ପରେ କାର୍‌ ବିପରୀତ ଦିଗରେ ଗତି କରିବା ସହ କୁକୁର ଉପରେ ମାଡ଼ିଯିବା ସଦୃଶ।
ଜନେଟ୍‌ ୟେଲେନ୍‌

୭୪ ବର୍ଷୀୟା ଅର୍ଥନୀତିଜ୍ଞ ଜନେଟ୍‌ ୟେଲେନ୍‌ ଆମେରିକାର ଟ୍ରେଜେରି ସେକ୍ରେଟାରି ହେବାକୁ ଯାଉଛନ୍ତି। ଏହି ପଦରେ ଆସୀନ ହେବାରେ ୟେଲେନ୍‌ ପ୍ରଥମ ମହିଳା। ୧୯୪୬ ଅଗଷ୍ଟ ୧୩ରେ ଜନ୍ମିତ ୟେଲେନ୍‌ ୨୦୧୪ରୁ ୨୦୧୮ ଯାଏ ଫେଡେରାଲ ରିଜର୍ଭର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ସେ ଏହାର ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ୟେଲେନ୍‌ ୧୯୮୫-୨୦୦୬ ପର୍ଯ୍ୟନ୍ତ କାଲିଫର୍ନିଆ ୟୁନିଭର୍ସିଟିରେ ପ୍ରଫେସର ଥିଲେ। ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ ଓ ହାଭାର୍ଡ ୟୁନିଭର୍ସିଟିରେ ମଧ୍ୟ ସେ ଅଧ୍ୟାପନା କରିଥିଲେ।

ଆଲେଜାଣ୍ଡ୍ରୋ ଏନ୍‌. ମାୟୋର୍କାସ୍‌

୧୯୫୯ ନଭେମ୍ବରରେ ଜନ୍ମିତ ଆଲେଜାଣ୍ଡ୍ରୋ ମାୟୋର୍କାସ୍‌ ଜଣେ କ୍ୟୁବା ବଂଶୋଦ୍ଭବ ଆମେରିକୀୟ। ପେସାରେ ଜଣେ ଆଇନଜୀବୀ। ଆପରାଧିକ ଓ ଦଓ୍ବୋନୀ ମାମଲା ପରିଚାଳନାରେ ବିଚକ୍ଷଣ ୬୧ ବର୍ଷୀୟ ମାୟୋର୍କାସ୍‌ ଓବାମା ପ୍ରଶାସନରେ ହୋମ୍‌ଲାଣ୍ଡ ସିକ୍ୟୁରିଟି ଡେପୁଟି ସେକ୍ରେଟାରୀ ଭାବେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ଲାଟିନୋ ଲିଡର୍ସ ମାଗାଜିନ୍‌ ତାଙ୍କୁ ଆମେରିକାର ଲାଟିନୋ ସମୁଦାୟର ୧୦୧ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଅନ୍ୟତମ ବୋଲି ଦର୍ଶାଇଥିଲା। ବାଇଡେନ୍‌ ତାଙ୍କୁ ହୋମ୍‌ଲାଣ୍ଡ ସେକ୍ରେଟାରି ଭାବେ ମନୋନୀତ କରିଛନ୍ତି।

ଲିଣ୍ଡା ଥୋମାସ୍‌-ଗ୍ରୀନଫିଲ୍ଡ

୧୯୫୨ରେ ଜନ୍ମିତ ଏହି କୃଷ୍ଣକାୟ ମହିଳା ଓ୍ବାଶିଂଟନ ଡିସିସ୍ଥିତ ଅଲ୍‌ବ୍ରାଇଟ୍‌ ଷ୍ଟୋନ୍‌ବ୍ରିଜ୍‌ ଗ୍ରୁପ୍‌ରେ ସିନିୟର କାଉନ୍‌ସେଲର ଭାବେ କାର୍ଯ୍ୟରତ। ସେ ଓବାମା ଓ ଟ୍ରମ୍ପ୍‌ ପ୍ରଶାସନରେ ଆଫ୍ରିକୀୟ ବ୍ୟାପାର ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରି ଭାବେ ପୂର୍ବରୁ କାର୍ଯ୍ୟ କରିଥିଲେ। ବାଇଡେନ୍‌ ଏବେ ଜାତିସଂଘରେ ଆମେରିକାର ପରବର୍ତ୍ତୀ ଆମ୍ବାସାଡର ୬୮ ବର୍ଷୀୟା ଲିଣ୍ଡାଙ୍କୁ ଭାବେ ବାଛିଛନ୍ତି।
ଜନ୍‌ କେରି

୧୯୪୩ ଡିସେମ୍ବର ୧୧ରେ ଜନ୍ମିତ ଜନ୍‌ କେରି ଆମେରିକାର ଜଣେ ବରିଷ୍ଠ ରାଜନେତା ତଥା କୁଶଳୀ କୂଟନୀତିଜ୍ଞ ଭାବେ ପରିଚିତ। ସେ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୬୮ତମ ପରରାଷ୍ଟ୍ର ସଚିବ ଥିଲେ। ପୂର୍ବତନ ନୌସେନା ଅଧିକାରୀ ତଥା ଆଇନଜୀବୀ କେରି ୨୦୦୪ ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ। ସେ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କଠାରୁ ପରାଜିତ ହୋଇଥିଲେ। ବାଇଡେନ୍‌ ଏହି ୭୬ ବର୍ଷୀୟ ନେତାଙ୍କୁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପ୍ରତିନିଧି ଦାୟିତ୍ୱ ଦେଇଛନ୍ତି। କ୍ଲାଇମେଟ୍‌ ଚେଞ୍ଜ ବିରୋଧୀ ଲଢ଼େଇ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ଆଭ୍‌ରିଲ୍‌ ଡାନିକା ହାଇନେସ୍‌

ଏହି ୫୧ ବର୍ଷୀୟା ମହିଳାଙ୍କୁ ଆମେରିକାର ପରବର୍ତ୍ତୀ ଜାତୀୟ ଗୋଇନ୍ଦା ବିଭାଗ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ୧୯୬୯ ଅଗଷ୍ଟ ୨୯ରେ ଜନ୍ମିତ ଆଭ୍‌ରିଲ୍‌ ଜଣେ ଆଇନଜୀବୀ। ସେ ଓବାମା ପ୍ରଶାସନରେ ଜାତୀୟ ସୁରକ୍ଷା ଉପପରାଶର୍ମଦାତା ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ପ୍ରଥମ ମହିଳା ଉପ ନିର୍ଦ୍ଦେଶକ ମଧ୍ୟ ଥିଲେ।

ଜ୍ୟାକୋବ୍‌ ଜେରେମିଆହ ସୁଲିଭାନ୍‌

ଜେକ୍‌ ସୁଲିଭାନ୍‌ ନାମରେ ପରିଚିତ ଏହି ଆମେରିକୀୟ ଅଧିକାରୀଙ୍କ ଜନ୍ମ ୧୯୭୬ ନଭେମ୍ବର ୨୮ରେ ହୋଇଥିଲା। ସେ ୨୦୧୬ରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ୍‌ଙ୍କ କ୍ୟାମ୍ପେନ୍‌ର ବରିଷ୍ଠ ନୀତି ପରାମର୍ଶଦାତା ଥିଲେ। ହିଲାରୀ ପରରାଷ୍ଟ୍ର ସଚିବ ଥିବାବେଳେ ବୈଦେଶିକ ନୀତିରେ ନିପୁଣ ଜେକ୍‌ଙ୍କୁ ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ କରାଯାଇଥିଲା। ସେହିପରି ବାଇଡେନ୍‌ଙ୍କ ଉପରାଷ୍ଟ୍ରପତିତ୍ୱ ସମୟରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲେ। ୪୩ ବର୍ଷୀୟ ଜେକ୍‌ ୟେଲ୍‌ ଲ’ ସ୍କୁଲରେ ଅଧ୍ୟାପନା କରୁଛନ୍ତି। ତାଙ୍କୁ ବାଇଡେନ୍‌ ଦେଶର ପରବର୍ତ୍ତୀ ଏନ୍‌ଏସ୍‌ଏ ଭାବେ ବାଛିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?