କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି (ST) ବର୍ଗରେ ୪୧୩୭ ରାଙ୍କ୍ ରଖି ମେଡିକାଲ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଦେବେନ୍ଦ୍ର ପୁଝାରୀ ଓ ରେବତୀ ପୁଝାରୀଙ୍କ କନ୍ୟା।
ପୂର୍ଣ୍ଣିମା ପ୍ରାଥମିକ ଶିକ୍ଷା ମୁଖୀଗୁଡ଼ା ସରସ୍ୱତୀ ଶିଶୁ ମନ୍ଦିରରୁ ଆରମ୍ଭ କରିଥିବା ବେଳେ ଷଷ୍ଠ ଶ୍ରେଣୀରୁ ଜୟପାଟଣା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ପରେ ସେ ଭବାନୀପାଟଣା ବିକାଶ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ସମ୍ପୂର୍ଣ୍ଣ କରିଥିଲେ। ଭବିଷ୍ୟତରେ ଜଣେ କୁଶଳୀ ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପୂର୍ଣ୍ଣିମା ପ୍ରକାଶ କରିଛନ୍ତି।
ଏହି ସଫଳତା ପରେ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ସୋମବାର ସନ୍ଧ୍ୟାରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି। ପୂର୍ଣ୍ଣିମାଙ୍କ ଏହି ବଳିଷ୍ଠ ସଫଳତା ପାଇଁ ବଡ଼ପୋଡ଼ାଗୁଡ଼ା ଗ୍ରାମ ସମେତ ସମଗ୍ର କୋକସରା ଅଞ୍ଚଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଆଦିବାସୀ ସଂଘ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

