ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ ଧରି ଅର୍ଥାତ୍ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ କେନାଲ ପାଣି ବନ୍ଦ ରହିବ। ବରଗଡ଼ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଏହି ସୂଚନା ଦେବା ପରେ ଜିଲାର ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି।
ଏହି ନିଷ୍ପତ୍ତି ମୁଖ୍ୟତଃ କେନାଲ ତଳମୁଣ୍ଡ ଚାଷୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। ଚଳିତ ବର୍ଷ କେନାଲ ପାଣି ଛାଡ଼ିବାରେ ବିଳମ୍ବ ହୋଇଥିବାରୁ ତଳମୁଣ୍ଡର ଚାଷୀମାନେ ଖରିଫ୍ ଧାନ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ କରିଥିଲେ। ବର୍ତ୍ତମାନ ଅନେକ ସ୍ଥାନରେ ଫସଲରେ ଧାନକେଣ୍ଡା ବାହାରୁଥିବା ବେଳେ, ଏଭଳି ସ୍ଥିତିରେ କେନାଲ ପାଣି ବନ୍ଦ ହୋଇଗଲେ କ୍ଷେତରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି।
ଏତଦ୍ବ୍ୟତୀତ, ଲଗାତାର ୨ ମାସ ଧରି କେନାଲ ପାଣି ଯୋଗାଣ ବନ୍ଦ ରହିଲେ ପରବର୍ତ୍ତୀ ରବି ଚାଷ କାର୍ଯ୍ୟ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେବ ଏବଂ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

