ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା କ’ଣ ଜାଣନ୍ତି? ଯଦି ଜଣେ ବ୍ୟକ୍ତି ନିୟମିତ ବ୍ୟାୟାମ, ଯୋଗ ଆଦି କରନ୍ତି ତେବେ ସେ ଏଥିରୁ ନିଜକୁ ଅନେକାଂଶରେ ଦୂରେଇ ରଖିପାରିବେ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ପ୍ରକାଶ କରିଛନ୍ତି। ହେଲେ ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ ଏହି ବିଷୟକୁ ନେଇ ଏକ ସର୍ଭେ କରିଥିଲେ। ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହି ସମୟରେ ସେମାନଙ୍କୁ ନିୟମିତ ବ୍ୟାୟାମ ଏବଂ ଯୋଗ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ତା’ସହ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ଚିନ୍ତାଗ୍ରସ୍ତ ମନ ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ମନୋବିଜ୍ଞାନୀମାନେ ତର୍ଜମା କରିଥିଲେ। ପରିଶେଷରେ ଜଣାପଡିଥିଲା ଯେ, ନିୟମିତ ବ୍ୟାୟାମ କିମ୍ବା ଯୋଗ କରିବା ଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ନିଜକୁ ଚିନ୍ତା କବଳରୁ ମୁକ୍ତ କରିପାରୁଥିଲେ। ଏହାଦ୍ୱାରା ଶରୀର ସୁସ୍ଥ ରହେ। ତେଣୁ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ ଏବଂ ଯୋଗକୁ ସାମିଲ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

