ଟାଇମ୍‌ ବ୍ୟାଙ୍କ

ଡ. ମୌସୁମୀ ପରିଡ଼ା

‘ଟାଇମ୍‌ ବ୍ୟାଙ୍କ୍‌’ ଯୋଜନାରେ ସମୟକୁ ଜମା ରଖି ଆବଶ୍ୟକବେଳେ ସେହି ନିର୍ଦ୍ଦିଷ୍ଟ ସମୟକୁ ନିଜ ପାଇଁ ବିନିଯୋଗ କରାଯାଇପାରେ। ଏହି ଯୋଜନା ସୁଇଜରଲାଣ୍ଡରେ ସର୍ବପ୍ରଥମେ କାର୍ଯ୍ୟକାରୀ ହୋଇ ଆଦୃତିଲାଭ କରିପାରିଥିଲା। ଉକ୍ତ ଯୋଜନାଟି ବୟସ୍କ ବା ବୃଦ୍ଧମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ବୟସ ଷାଠିଏ ବା ତଦୂର୍ଦ୍ଧ୍ୱ। ସୁଇଜରଲାଣ୍ଡରେ ଏହାକୁ ଅବସରକାଳୀନ ଯୋଜନା ହିସାବରେ ନିଆଯାଏ। ଏହି ଯୋଜନାଟିର ଲୋକପ୍ରିୟତା ଦେଖି ଅନ୍ୟଦେଶ ଏହାକୁ କାର୍ଯ୍ୟକାରୀ କରି ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଏହାର ସଫଳତା ବେଶ୍‌ ଉତ୍ସାହଜନକ ଥିଲା।
ଏହା କହିବା ନିଷ୍ପ୍ରୟୋଜନ ଯେ ବୟସ୍କମାନଙ୍କର ବିଭିନ୍ନ ସମସ୍ୟା ଥାଏ; ବାର୍ଦ୍ଧକ୍ୟଜନିତ ଅସୁସ୍ଥତା, ଅକ୍ଷମତା, ସାମାଜିକ, ପାରିବାରିକ ଅବା ମାନସିକ। ସାରା ପୃଥିବୀରେ ସେମାନଙ୍କ ଅସହାୟତା, ଅକ୍ଷମତା, ଅସୁସ୍ଥତାକୁ ନେଇ ଅନେକ ପ୍ରକାରର ଯୋଜନା ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରକୃତ କଷ୍ଟ ଯନ୍ତ୍ରଣା ପ୍ରଶମିତ ହୋଇପାରିବାର ଦୃଷ୍ଟାନ୍ତମୂଳକ ଉଦାହରଣ କିଛି ଲୋକଲୋଚନକୁ ଆସିପାରି ନ ଥିଲା ‘ଟାଇମ୍‌ ବ୍ୟାଙ୍କ୍‌’ ଯୋଜନା ପୂର୍ବରୁ। ଏହି ଯୋଜନାର ଲୋକପ୍ରିୟତା ସୂଚାଇଦେଲା ଗୋଟେ ସନ୍ତୁଳିତ ସମ୍ପର୍କର ସେତୁବନ୍ଧ କିପରି ଶକ୍ତ ହୋଇପାରେ!
ଆମ ଦେଶରେ ବୟସ୍କମାନେ ଖୁବ୍‌ ଅସହାୟ। ସେମାନଙ୍କ ସ୍ଥାନ ଘର ଅପେକ୍ଷା ବେଶି ଜରାଶ୍ରମରେ। ସେମାନଙ୍କ ଭିତରୁ ଅଧିକାଂଶ ଏକାକୀ ଓ ଅବହେଳିତ ଜୀବନ ଅତିବାହିତ କରୁଥାନ୍ତି ପରିବାର ବିଚ୍ୟୁତ ହୋଇ। ଶେଷ ସମୟରେ ସେମାନଙ୍କୁ ସେବା ଶୁଶ୍ରୂଷା ମିଳିବା କଷ୍ଟକର ହୋଇଯାଏ। ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହେବାର କ୍ଷମତା ହରେଇଥିବା ଏ ବୟସ୍କମାନେ ଅନ୍ୟର ସାହାଯ୍ୟକୁ ଆକୁଳତାର ସହ ଅପେକ୍ଷା କରିଥାନ୍ତି, ଯାହା ସହଜରେ ମିଳେନା।
କିନ୍ତୁ ‘ଟାଇମ୍‌ ବ୍ୟାଙ୍କ୍‌’ ଅନୁଯାୟୀ ବୟସ୍କମାନଙ୍କୁ ନିହାତି ଆବଶ୍ୟକ ସମୟରେ ସ୍ବେଚ୍ଛାକୃତ ଭାବେ ସେବା ଯତ୍ନ ଓ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ନିଜ ଆକାଉଣ୍ଟରେ ସେ ସମୟକୁ ଜମାକରିବା ହେଉଛି ଏହାର ପ୍ରକୃତ ଉଦ୍ଦେଶ୍ୟ। ଫଳରେ ନିଜେ ସେପରି ଅସହାୟ ସ୍ଥିତିରେ ପଡ଼ିଲେ ନିଜର ସଞ୍ଚିତ ସମୟରୁ ସାହାଯ୍ୟ କିମ୍ବା ସେବା ଯତ୍ନ ହାସଲ କରିହେବ ସହଜରେ। ଏଭଳି ଏକ ଯୋଜନା ଦ୍ୱାରା ଭାରତ ପରି ଜନବହୁଳ ଦେଶ ବେଶ୍‌ ଉପକୃତ ହୋଇପାରିବ। କାରଣ ଆମର ଏହି ଜନବହୁଳ ରାଷ୍ଟ୍ରରେ ଶତକଡା ଷାଠିଏ ଭାଗ ବୟସ୍କ ଅବହେଳିତ, ଲାଞ୍ଛିତ ଓ ପରିବାରରୁ ବିତାଡିତ। ଏସବୁ ପାଇଁ ୫୭% ଭାଗ ପୁଅମାନେ ଦାୟୀ ରହୁଥିବାବେଳେ ୩୮% ଭାଗ ବୋହୂମାନେ ଦାୟୀ।
ପରିବାରରେ ଥାଇ ମଧ୍ୟ ନା ସେମାନେ ଆମତ୍ୀୟଙ୍କଠାରୁ ଉପଯୁକ୍ତ ସ୍ନେହ, ଶ୍ରଦ୍ଧା ଓ ଆଦର ଯନତ୍ ପାଇପାରନ୍ତି ନା ଆବଶ୍ୟକ ସ୍ବାସ୍ଥ୍ୟସେବା। ଜୀବନ ଅତିବାହିତ କରିବା କଷ୍ଟକର ହୋଇଯାଏ ବିଭିନ୍ନ ପ୍ରକାରର ନିର୍ଯାତନାରେ। ଗାଳିମନ୍ଦ କରିବାଠୁ ଆରମ୍ଭକରି ଶାରୀରିକ, ମାନସିକ ଅବା ଆର୍ଥିକ ସ୍ତରରେ ନିର୍ଯାତିତ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସହିବାକୁ ହୁଏ ବିଭିନ୍ନ ଯନ୍ତ୍ରଣା। ଅନେକେ ଏହାକୁ ଲୋକଲଜ୍ଜା ଭାବି ସଙ୍କୋଚ କରି ବାହାରେ ପ୍ରକାଶ ନ କରି ନିଜଘରର ଚାରିକାନ୍ଥ ଭିତରେ ଅବହେଳିତ ଜୀବନ ବଞ୍ଚିବାକୁ ବାଧ୍ୟ ହୁଅନ୍ତି। ଅନେକ ସମୟରେ ଦାରିଦ୍ର୍ୟର କଷାଘାତରେ ମଧ୍ୟ ବୟସ୍କମାନଙ୍କ ଜୀବନ ଦୁର୍ବିଷହ ହୋଇପଡେ।
ଭାରତରେ ଅକ୍ଷମ ଓ ବୟସ୍କମାନଙ୍କ ମଙ୍ଗଳସାଧନ ନିମନ୍ତେ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର କେତେ ଜଣ ବିଶେଷଜ୍ଞ ‘ଟାଇମ୍‌ ବ୍ୟାଙ୍କ’ ଯୋଜନା ସୁପାରିସ କରିଛନ୍ତି। ଏକ ଦୈନିକ ଇଂରାଜୀ ଖବରକାଗଜର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟତଃ ଦଶ କୋଟି ବୟସ୍କଙ୍କ ମଧ୍ୟରୁ ପ୍ରାୟ ଦେଢକୋଟି ବୟସ୍କ ଏକାକୀ ବସବାସ କରନ୍ତି। ସେ ଦେଢକୋଟିଙ୍କ ଭିତରୁ ମାତ୍ର କୋଡିଏ ଲକ୍ଷ ବୟସ୍କ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରତିପାଳିତ ହେଉଥିଲେ ବି ବାକିମାନେ ନିଜ କଥା ନିଜେ ବୁଝୁଛନ୍ତି ଅର୍ଥାତ୍‌ ଅବହେଳିତ ଭାବେ ଜୀବନ ବିତାଉଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଆଦି ଅନେକ ଯୋଜନା କାର୍ଯ୍ୟକାରୀ ଥିବାବେଳେ ମଧ୍ୟ ଏତେ ସଂଖ୍ୟକ ବୟସ୍କ ଅବହେଳିତ ଜୀବନ ବିତାଇବା ଏହା ପ୍ରମାଣିତ କରେ ଯେ ବୟସ୍କମାନେ କେବଳ ଅର୍ଥ ଆବଶ୍ୟକ କରନ୍ତିନି, ଶାରୀରିକ କ୍ଷମତାର ହ୍ରାସ ଘଟୁଥିବାରୁ ସେବା ଶୁଶ୍ରୂଷା ସହ ଆଦର ଯନତ୍ ମଧ୍ୟ ଆବଶ୍ୟକ କରନ୍ତି।
ଟାଇମ୍‌ ବ୍ୟାଙ୍କ ଅନୁଯାୟୀ ଏଥିପାଇଁ ଉତ୍ସାହିତ ସ୍ବେଚ୍ଛାସେବୀମାନେ ଏହି ଅସହାୟ ବୟସ୍କମାନଙ୍କୁ ନିଜ ମନମୁତାବକ ସାହାଯ୍ୟ ଯୋଗାଇପାରିବେ। ଯେତିକି ସମୟ ଜଣେ ବୟସ୍କଙ୍କ ସେବାରେ ନିୟୋଜିତ କରିବ ସେତିକି ସମୟ ସେ ମଧ୍ୟ ସେବା ପାଇପାରିବ ତା’ର ଆବଶ୍ୟକ ସମୟରେ। ଅବଶ୍ୟ ଏହି ସେବା ଯୋଗେଇଦେବାବେଳେ ସ୍ବେଚ୍ଛାସେବୀ ଜଣକ କିଛି ଆର୍ଥିକ ଲାଭ ମଧ୍ୟ ପାଇପାରିବେ। ସୁଇଜରଲାଣ୍ଡ ବ୍ୟତୀତ ଇଂଲଣ୍ଡ ଏହି ଟାଇମ୍‌ ବ୍ୟାଙ୍କ୍‌ ଯୋଜନାକୁ କାର୍ଯ୍ୟକାରୀ କରିଥିବାବେଳେ ସିଙ୍ଗାପୁର ଏହାକୁ ନିଜ ଯୋଜନାରେ ସାମିଲ୍‌ କରିଛି। ଆମ ଦେଶର ମଧ୍ୟପ୍ରଦେଶରେ ଏହାକୁ କାର୍ଯ୍ୟକାରୀ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ଅନ୍ୟ ଏକ ତଥ୍ୟରୁ ଜଣାପଡିଛି ଯେ. କମଳନାଥ ସରକାରଙ୍କ ‘ଅଧ୍ୟାତ୍ମ ବିଭାଗ’ ୨୦୧୯, ନଭେମ୍ବରରେ ଆଦେଶ ଜାରିକରିଥିଲେ ଟାଇମ୍‌ ବ୍ୟାଙ୍କ୍‌ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରି ଏକ ସୁସ୍ଥ ପରମ୍ପରା ଗଢିତୋଳିବାକୁ। ଫଳରେ ମଣିଷଭିତରର ମାନବିକତା ଜାଗ୍ରତ ହେବ ଓ ଆବଶ୍ୟକ ସ୍ଥଳେ ପାରସ୍ପରିକ ସାହାଯ୍ୟ ସହଯୋଗ ଲାଭ କରିହେବ ବିଭିନ୍ନ ବର୍ଗଙ୍କ ଜରିଆରେ।
ଭାରତରେ ‘ଯୋଗ’ ଲୋକପ୍ରିୟତା ହାସଲ କରିଥିବାବେଳେ ସୁଇଜରଲାଣ୍ଡରେ ‘ଟାଇମ୍‌ ବ୍ୟାଙ୍କ’ ସଫଳତାର ସୋପାନ ଚଢିପାରିଛି। ବିଭିନ୍ନ ବର୍ଗର ଲୋକେ ଉତ୍ସାହିତ ହୋଇ ବୟସ୍କମାନଙ୍କ ପାଇଁ ସମୟ ବିନିଯୋଗ କରୁଛନ୍ତି। ସେମାନଙ୍କୁ ବଜାର ଯିବାଠୁ ଆରମ୍ଭକରି ଘରକାମ, ରୋଷେଇ, ଆଦର ଯନତ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାମରେ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସୁଇଜରଲାଣ୍ଡର ଜଣେ ଛାତ୍ର ନିଜ ସ୍କୁଲ୍‌ ପାଖ ସତଷଠି ବର୍ଷ ବୟସର ଜଣେ ଅବସରପ୍ରାପ୍ତ ମହିଳାଙ୍କ ଘରେ ଭଡ଼ା ରହୁଥିଲେ। ଯଦିଓ ସେଠାରେ ଅବସର ପରେ ଅର୍ଥାଭାବର ସମ୍ଭାବନା ନ ଥାଏ ତେବେ ବି ବୃଦ୍ଧାଜଣକ ସ୍ବତଃପ୍ରବୃତ୍ତ ଭାବେ ସତାଅଶୀ ବୟସର ଜଣେ ବୃଦ୍ଧଙ୍କ ସେବା ଯନତ୍ କରୁଥିଲେ। ସେ ସେବା ଅର୍ଥରୋଜଗାର ପାଇଁ ନ ଥିଲା, ଥିଲା ନିଜ ଅସମୟ ପାଇଁ ସମୟ ରୋଜଗାର କରିବା, ଯାହା ମାଧ୍ୟମରେ ସେ ଯେତେବେଳେ ଅକ୍ଷମ ହୋଇଯିବେ ଏହି ସମୟକୁ ନିଜ ଜମାପୁଞ୍ଜିରୁ ବିନିଯୋଗ କରିପାରିବେ। ମହିଳା ଜଣକ ସପ୍ତାହକୁ ଦୁଇଦିନ ଯାଇ ଦୁଇଘଣ୍ଟା ଲେଖାଏ ତାଙ୍କୁ ବଜାର ସଉଦାଠୁ ଆରମ୍ଭ କରି ଘରସଫା ସହିତ ସେବା ଯନତ୍ ଯୋଗାଇ ଫେରୁଥିଲେ। ଚୁକ୍ତି ଅନୁସାରେ ବର୍ଷକ ପରେ ଯେବେ ତାଙ୍କ ସେବାକାର୍ଯ୍ୟ ସମାପ୍ତ ହେବ ଟାଇମ୍‌ ବ୍ୟାଙ୍କ୍‌ ସେ ବୃଦ୍ଧଙ୍କ ସହ ବିତେଇଥିବା ସମୟକୁ ହିସାବ କରି ତାଙ୍କୁ ଟାଇମ୍‌ ବ୍ୟାଙ୍କ୍‌ କାର୍ଡ ଯୋଗାଇଦେବେ। ତଥ୍ୟକୁ ଭିତ୍ତିକରି ଜଣେ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯିବ ତାଙ୍କ ଦାୟିତ୍ୱ ନେବାକୁ।
ଦିନେ ସେ ଘରମାଲିକାଣୀ ଝର୍କା ପୋଛୁଥିବାବେଳେ ଷ୍ଟୁଲ୍‌ରୁ ତଳକୁ ଖସିପଡିଲେ। ପିଲାଟି ତାଙ୍କୁ ନେଇ ହସ୍ପିଟାଲ୍‌କୁ ଗଲା। ଘରମାଲିକାଣୀଙ୍କର ପାଦଗଣ୍ଠି ଭାଙ୍ଗିଯାଇଥିବାରୁ ତାଙ୍କୁ କିଛି ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ପରାମର୍ଶ ଦିଆଗଲା। ସେ ଟାଇମ୍‌ ବ୍ୟାଙ୍କର ଜମାପୁଞ୍ଜିରୁ କିଛି ସମୟ ପ୍ରତ୍ୟାହାର ପାଇଁ ଅନୁରୋଧ କଲେ। ତତ୍‌କ୍ଷଣାତ୍‌ ତାଙ୍କ ପାଇଁ ଜଣେ ସେବାକର୍ମୀ ନିୟୋଜିତ ହୋଇ ତାଙ୍କୁ ଘରେ ସବୁପ୍ରକାରର ସାହାଯ୍ୟ ଯୋଗାଇଦେଲେ। ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇ ପୁଣି ନିଜ କାମକୁ ଫେରିଲେ ଆଉ କିଛି ସମୟ ଜମା କରିବାକୁ ନିଜ ଜମାଖାତାରେ। ଏ ଘଟଣାରେ ଉତ୍ସାହିତ ହୋଇ ସେଠାକାର ଯୁବ ପିଢି ମଧ୍ୟ ବୟସ୍କମାନଙ୍କ ସେବାରେ ଯୋଗ ଦେଉଛନ୍ତି। ଫଳରେ ସାମାଜିକ ଅନୁକୂଳତା ବଜାୟ ରହିପାରୁଛି।
‘ଦେଇଥିଲେ ପାଇ’ – କଥାଟି ଏଠି ଖୁବ୍‌ ଉପାଦେୟ ମନେହୁଏ। ବୟସ୍କମାନଙ୍କୁ ଦେଇଥିବା ସମୟ ବିନିମୟରେ ନିଜେ ମଧ୍ୟ ସେତିକି ସମୟର ସେବା ହାସଲ କରିପାରିବ, ଫଳରେ ବାର୍ଦ୍ଧକ୍ୟଜନିତ ବିଭିନ୍ନ ଶାରୀରିକ ଓ ସ୍ବାସ୍ଥ୍ୟଗତ ସମସ୍ୟାର ନିଦାନ ସମ୍ଭବ ହୋଇପାରିବ। ଏହି ଯୋଜନା ମାଧ୍ୟମରେ ମାନବିକତା ପୁନଃନିର୍ମାଣ ହେବା ସହିତ ସମୟର ସଦୁପଯୋଗ ହୋଇପାରିବ। ଫଳରେ ସନ୍ତାନ ସନ୍ତତିହୀନ ବା ପରିବାରଠାରୁ ଅବହେଳିତ, ଅସହାୟ ଅଥବା ଦାରିଦ୍ର୍ୟ ନିପୀଡିତ ବୟସ୍କ ଲୋକେ, ପରିଣତ ବୟସରେ ଅସୁବିଧା ଭୋଗ କରିବେ ନାହିଁ। ଅତି ଆବଶ୍ୟକ ହେଲେ ଟାଇମ୍‌ ବ୍ୟାଙ୍କ୍‌ରୁ ନିଜ ଭାଗର ଜମା ସମୟକୁ ବିନିଯୋଗ କରି ସେବା ଯନତ୍ ପାଇପାରିବେ।
ଏହି ବ୍ୟବସ୍ଥା ଆମ ଦେଶରେ ଲାଗୁହେଲେ ବାର୍ଦ୍ଧକ୍ୟଜନିତ ସମସ୍ୟାର ଅନ୍ତ ଘଟିପାରନ୍ତା। ଅନାଥାଶ୍ରମ ବା ଜରାଶ୍ରମରେ ମାଆବାପାମାନେ ନିଜକୁ ଏକାକୀ ମଣନ୍ତେନି। ବୟସର ଅପରାହ୍ନରେ ଜୀବନର ଫିକା ରଙ୍ଗକୁ ମନଭରି ବଞ୍ଚତ୍ବାର ଆଗ୍ରହ ରଖିପାରନ୍ତେ ସେମାନେ। ସହାନୁଭୂତି, ଆଦର, ଯନତ୍ର ଶୀତଳ ଜଳରେ ଶୁଖିଲା ଡାଳଟି ଯେତେବେଳେ ସବୁଜ ଦିଶିବ ନିଶ୍ଚିତ ଭାବେ ପ୍ରକୃତିର ରଙ୍ଗ ବଦଳିଯିବ। ସେହିପରି ଭାବ ବିନିମୟରେ ମଣିଷ ବାର୍ଦ୍ଧକ୍ୟଜନିତ ଅସହାୟତାକୁ ବୁଝି ନିଜ ଘରକୁ ବି ସଜାଡନ୍ତା, ନିଜ ଘରର ବୟସ୍କମାନଙ୍କୁ ସହାନୁଭୂତି ଦେଖାଇବାରେ କାର୍ପଣ୍ୟ କରନ୍ତା ନାହିଁ। ସ୍ବେଚ୍ଛାକୃତ ଭାବେ ଲୋକମାନେ ଆଗେଇ ଆସିଲେ ଏ ଯୋଜନା ଆମ ଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିପାରିବ। ବୟସର ଅପରାହ୍ନରେ ସଂସାର ସୁନ୍ଦର ମନେହେବ ଓ ସମ୍ପର୍କ ଦୃଢ଼ ହେବ। ସୁଇଜରଲାଣ୍ଡ ସହ ସାରା ବିଶ୍ୱ ଏସବୁ ସଫଳତାକୁ ଅନୁଭବ କରି ଗ୍ରହଣ କରିନେବା ଉଚିତ।
mousumi.mama7@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri