ହାତ ବାନ୍ଧିଦେଲେ

ଲଖିମ୍‌ପୁର ଖେରି ମାମଲାର ତଦନ୍ତରେ ଅଗ୍ରଗତି ହେଉ ନ ଥିବାରୁ ସୁପ୍ରିମକୋର୍ଟ ୮ ନଭେମ୍ବରରେ ଅସନ୍ତୋଷ ବ୍ୟକ୍ତ କରି ଉତ୍ତରପ୍ରଦେଶ ସରକାର ଉକ୍ତ ଘଟଣାର ଯେଉଁ ନ୍ୟାୟିକ କମିଶନ ଗଠନ କରିଛନ୍ତି, ତାହାର ସ୍ବଚ୍ଛତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ତେଣୁ ବାହାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରାକେଶ କୁମାର ଜୈନ ଓ ଜଷ୍ଟିସ୍‌ ରଣଜିତ୍‌ ସିଂଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସୁପ୍ରିମକୋର୍ଟ ଯେଉଁଭଳି ଚତୁରତାର ସହ ମାତ୍ର ଦୁଇ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ପ୍ରସ୍ତାବ ଦେଇଛନ୍ତି, ସେଥିରୁ ବୁଝିବାକୁ ହେବ ଯେ ଉତ୍ତରପ୍ରଦେଶ ସରକାରଙ୍କ ହାତ ବାନ୍ଧି ଦେଇଛନ୍ତି। ଲଖିମପୁର ଖେରି ଅଞ୍ଚଳରେ କୃଷକଙ୍କ ଉପରେ ଗାଡ଼ି ମଡ଼ାଇ କରାଯାଇଥିବା ହତ୍ୟା ଘଟଣା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରିବା ସକାଶେ ମୃତକଙ୍କ ପରିବାର ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା ସୁପ୍ରିମକୋର୍ଟ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ଲଖିମପୁର ଖେରି ଘଟଣାକୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ନିର୍ବାଚନ ଯାଏ ଗଡ଼ାଇ ନେବା ପାଇଁ ଯେଉଁ ପ୍ରୟାସ କରିଥିଲେ, ସେଥିରେ କଣ୍ଟା ଲାଗିଛି ବୋଲି କୁହାଯାଇପାରେ।
ମୃତକଙ୍କ ପରିବାରର ସିବିଆଇ ଦ୍ୱାରା ତଦନ୍ତକୁ ସର୍ବୋଚ୍ଚ ଅଦାଲତରେ ପ୍ରତ୍ୟାଖ୍ୟାନ ଫଳରେ ବୁଝିହେଉଛି ଯେ ସିବିଆଇ ଉପରେ ଜନସାଧାରଣଙ୍କ ଭଳି ସୁପ୍ରିମକୋର୍ଟଙ୍କ ମଧ୍ୟ ଭରସା ନାହିଁ। ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରୁ ଆଜି ଭିତରେ କେନ୍ଦ୍ରର ସବୁ ସଂସ୍ଥା ଉପରେ ଲୋକ ଓ ନ୍ୟାୟପାଳିକାର ବିଶ୍ୱାସ ତୁଟିଗଲାଣି। ସିବିଆଇ କଥା ସମସ୍ତେ ଜାଣନ୍ତି ଯେବେଠାରୁ ନିଠାରି ଘଟଣାରେ ମନିନ୍ଦର ସିଂ ପାନ୍ଧେର ମୁକୁଳି ରାସ୍ତାରେ ବୁଲୁଥିବା ବେଳେ ତାଙ୍କ ଚାକର ସୁରିନ୍ଦର କୋଲି ଆଜୀବନ କାରାଦଣ୍ଡ ଭୋଗିଲା। ସୁଶାନ୍ତ ସିଂ ରାଜପୁତ ଓ ଆର୍ଯନ ଖାନ୍‌ଙ୍କ ଘଟଣାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଖୋଲାଖୋଲି ପକ୍ଷପାତିତା ଓ ବ୍ଲାକ୍‌ମେଲ୍‌ କରିବାର ଚରିତ୍ର ପଦାରେ ପଡ଼ିଛି। ଅନୁରୂପ ଭାବେ ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌ (ଇଡି), ଆୟକର ବିଭାଗ (ଆଇଟି), ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଭଳି ଅନ୍ୟସବୁ କେନ୍ଦ୍ରୀୟ ସଂସ୍ଥା ନିଜର ସାମାନ୍ୟତମ ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି। ସବୁ ଅଫିସରଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ମନେହେଉଛି ଯେପରି କେନ୍ଦ୍ର ସରକାରରେ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନେ ସର୍ବଦା ଅମର ହୋଇ ଦେଶ ଶାସନ ଗାଦିରେ ତିଷ୍ଠି ରହିବେ। କୌତୂହଳର ବିଷୟ ଯେ, ଗଣତନ୍ତ୍ରର ମୂଳରେ ରହିଛି ପରିବର୍ତ୍ତନ। ଗୋଟାଏ ସମୟରେ ମନେହେଉଥିଲା ଆମେରିକାର ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶାସନ ସମୟର ଅନ୍ତ ହେବ ନାହିଁ। ତାଙ୍କ ସମର୍ଥକମାନେ ଜୋ ବାଇଡେନ୍‌ଙ୍କୁ ‘ନିଦୁଆ ଜୋ’, ‘ବୋକା ଜୋ’, ‘ବୁଢ଼ା ଜୋ’ ଇତ୍ୟାଦି ଆଖ୍ୟା ଦେଇ ତାଙ୍କ ଉପରେ ହସୁଥିଲେ। ଗଣତନ୍ତ୍ରରେ ଯେତେବେଳେ ପରିବର୍ତ୍ତନ ଆସିବାର ଥାଏ, ସେତେବେଳେ ବିକଳ୍ପର ଆବିର୍ଭାବ ହୋଇଥାଏ। ଜନସାଧାରଣ ମୁହଁ ମୋଡ଼ି ଅନ୍ୟତ୍ର ଭୋଟ୍‌ ଦେବାକୁ ନିଷ୍ପତ୍ତି କଲେ କୌଣସି ସରକାରୀ କଳ, ଅର୍ଥବଳ କିମ୍ବା ଚତୁର ବାକ୍ୟ ତାଙ୍କୁ ବଦଳାଇପାରେ ନାହିଁ।
ଲଖିମ୍‌ପୁର ଖେରି ଘଟଣାରେ ସୁପ୍ରିମକୋର୍ଟଙ୍କ ଉପରବର୍ଣ୍ଣିତ ନିର୍ଦ୍ଦେଶ ଓ ପ୍ରସ୍ତାବକୁ ତର୍ଜମା କଲେ ଯେଉଁ ବିଷୟକୁ ନେଇ ସର୍ବୋଚ୍ଚ ଅଦାଲତ ମୂଳକୁ ଧରିଛନ୍ତି, ତାହା ଅତ୍ୟନ୍ତ ପ୍ରାସଙ୍ଗିକ ମନେହେଉଛି। ସାଧାରଣତଃ ସିବିଆଇ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରକାର ତଦନ୍ତ ସନ୍ଦେହଜନକ ରହୁଥିବାରୁ ସମ୍ଭବତଃ ସର୍ବୋଚ୍ଚ ଅଦାଲତ ତାହାକୁ ଲଖିମପୁର ଖେରି ଘଟଣାରେ ପଶାଇବାକୁ ଚାହିଁ ନାହାନ୍ତି। ଏଥିସହିତ ଉତ୍ତରପ୍ରଦେଶରେ ଯୋଗୀଙ୍କ ଶାସନ ଚାଲିଥିବାରୁ ସେଠାକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଉପରେ ଚାପ ପଡ଼ିବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। ଏଠାରେ ଲଖିମ୍‌ପୁର ଖେରି ଘଟଣାକୁ ମନେପକାଇଲେ ସେତେବେଳେ ସ୍ଥିତି କେତେ ଭୟଙ୍କର ଥିଲା ସମସ୍ତେ ଜାଣନ୍ତି। ୩ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଲଖିମପୁର ଖେରି ଅଞ୍ଚଳରେ କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଫଳରେ ଗାଡ଼ି ଚକ ତଳେ ପଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ଦେଖାଦେଇଥିବା ହିଂସାରେ ଆଉ ୪ ଜଣଙ୍କ ପ୍ରାଣ ଯାଇଥିଲା। ଅଜୟ ମିଶ୍ରା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ଘଟଣାକୁ ଟାଳି ଦେବା ପାଇଁ ଉତ୍ତରପ୍ରଦେଶର ଭାଜପା ସରକାରଠାରୁ ଆରମ୍ଭ କରି କେନ୍ଦ୍ର ଯାଏ ତତ୍ପର ହୋଇ ଉଠିଥିଲେ। ଏପରି କି ଗାଡ଼ି ମଡ଼ାଇ ହତ୍ୟା କରିଥିବା ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିବାକୁ ଆଦୌ ଇଚ୍ଛୁକ ନ ଥିଲା। ଦୀର୍ଘ ସମୟ ଧରି ଗଣମାଧ୍ୟମ ଚାପ ପଡ଼ିବାରୁ ଏବଂ ବିଶେଷକରି ଆର୍ଯନ୍‌ ଖାନ୍‌ଙ୍କୁ ତତ୍‌କ୍ଷଣାତ୍‌ ଗିରଫ କରାଯାଇଥିବା ବେଳେ ଆଶିଷଙ୍କୁ ଗିରଫ କରା ନ ଯିବା ଦ୍ୱାରା ଯେଉଁ ରାଜନୈତିକ ଝଡ଼ ଦେଶବ୍ୟାପୀ ବହିଲା, ତାହାର ଚାପରେ ଉତ୍ତରପ୍ରଦେଶ ପୋଲିିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା।
ଆଜିର ସମୟରେ କେନ୍ଦ୍ର ହେଉ ବା ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ପ୍ରତିବାଦ ହେଲେ ତାହାକୁ ଚପାଇ ଦେବା ପାଇଁ ଅହରହ ଉଦ୍ୟମ କରାଯାଉଛି। ପୋଲିସ ମଧ୍ୟ କ୍ଷମତାସୀନ ବ୍ୟକ୍ତିଙ୍କ ଅଧିକରୁ ଅଧିକ ହାତବାରିସି ହୋଇ ବ୍ୟକ୍ତିଗତ ଗୁଣ୍ଡାବାହିନୀ ଭାବେ କାର୍ଯ୍ୟ କରିବା ପାଇଁ ଆଗେଇ ଆସୁଛି। ଏହିଭଳି କାର୍ଯ୍ୟକୁ କେତୋଟି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଆଗଭର ହୋଇ ଦାୟିତ୍ୱ ନେବା ଭଳି ମନେହେଉଛି। ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ କେତେକ ଆଇପିଏସ୍‌ ଅଫିସର ନିଜର ସୋସିଆଲ ମିଡିଆ ହ୍ୟାଣ୍ଡ୍‌ଲରେ ଅତ୍ୟଧିକ ରାଜନୈତିକ ଚିନ୍ତାଧାରା ପ୍ରକଟ କରି ନିଜର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ, ଏଭଳି କଥାକୁ ଅନେକ ନାଗରିକ ଲକ୍ଷ୍ୟ କରି ମନେ ରଖୁଛନ୍ତି, ଯାହା ତାଙ୍କର ପରବର୍ତ୍ତୀ ଜୀବନରେ ଅସୁବିଧା ସୃଷ୍ଟି କରିପାରେ।
ଆଶା କରାଯାଏ ଯେ, ସୁପ୍ରିମକୋର୍ଟଙ୍କ ଅଧୀନରେ ହେବାକୁ ଥିବା ତଦନ୍ତରେ ଚାଷୀ ହତ୍ୟା ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ଓ ମୃତକଙ୍କୁ ନ୍ୟାୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri