ଅଳିଆଗଦାରେ ଫିଙ୍ଗା

୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଅନେକ ଦିନ ଗଡ଼ିଗଲାଣି। ଏବେ ପଛକୁ ଦେଖି ମତ ଦେବା ସହଜ ହୋଇପାରେ। ପ୍ରଥମ ଉଦାହରଣ ଭାବେ ମଧ୍ୟପ୍ରଦେଶକୁ ନିଆଯାଇପାରେ। ସେହି ରାଜ୍ୟ ପ୍ରମାଣ କରିଦେଇଛି, ବ୍ୟାପମ୍‌ ଭଳି ଅନେକ ବିରାଟକାୟ ଦୁର୍ନୀତିର ଅଭିଯୋଗ ଥିବା ସତ୍ତ୍ୱେ ଭାଜପାର ଶିବରାଜ ସିଂ ଚୌହ୍ବାନଙ୍କ ମୁଖ୍ୟମନ୍ତ୍ରିତ୍ୱ ଫଳରେ ଲାଗ ଲାଗ ଭାଜପା ପଞ୍ଚମ ଥର ପାଇଁ ଜିତିପାରିଛି। ଅବଶ୍ୟ ୨୦୧୮ ଶେଷଆଡ଼କୁ ଅନୁଷ୍ଠିତ ନିର୍ବାଚନରେ ସେଠାରେ କଂଗ୍ରେସ ଜିତିଥିଲା। ଘୋଡ଼ାବେପାର ହେବା ଯୋଗୁ ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ସରକାର ସଂଖ୍ୟାଗରିଷ୍ଠତା ହରାଇଲା ଓ ଭାଜପା ପୁନର୍ବାର କ୍ଷମତାକୁ ଫେରିଲା। ଏଥିରୁ ବୁଝିବାକୁ ହେବ ଯେ, ସରକାର ବିରୋଧୀ ହାଓ୍ବା (ଆଣ୍ଟି ଇନ୍‌କମ୍ବେନ୍ସି)ର ଭାରତରେ କୌଣସି ଅର୍ଥ ନାହିଁ। ୨୦୧୮ ନିର୍ବାଚନକୁ ଦେଖିଲେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜସ୍ଥାନରେ ସଚିନ ପାଇଲଟ୍‌ଙ୍କୁ ଅଣଦେଖା କରି ଯଥାକ୍ରମେ କମଲ ନାଥ ଓ ଅଶୋକ ଗେହଲଟଙ୍କ ଉପରେ ଦଳ ଭରସା କରିବାରୁ ସମ୍ପୃକ୍ତ ରାଜ୍ୟରେ ଯୁବବର୍ଗ କଂଗ୍ରେସ ନେତୃତ୍ୱକୁ ସେତେବେଳେ ସମାଲୋଚନା କରିଥିଲେ। ମତଦାତା ଗୋଟେ ପରିବର୍ତ୍ତନକୁ ଅନିଷା କରି ଭୋଟ ଦେଇଥିବା ବେଳେ ପୁରୁଣା ଚିନ୍ତାଧାରାରେ ବୁଡ଼ି ରହିଥିବା କଂଗ୍ରେସର ବରିଷ୍ଠ ନେତାମାନେ ତାହାକୁ ବୁଝିବାରେ ଅକ୍ଷମ ହୋଇଥିଲେ। ସମ୍ଭବତଃ ସେହି ଅସନ୍ତୋଷ ୨୦୨୩ରେ ପ୍ରତିଫଳିତ ହେବାରୁ କଂଗ୍ରେସ ଡ୍ରାଇଭର ସିଟ୍‌ରେ ବସିବାର ସୁଯୋଗ ଥିଲେ ମଧ୍ୟ ତାହା ହାତେଇପାରିଲା ନାହିଁ। ଏବେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ତ୍ରୁଟି ସଜାଡ଼ିବାକୁ ଯାଇ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୬ ଡିସେମ୍ବରରେ ମଧ୍ୟପ୍ରଦେଶର ରାଜ୍ୟ କଂଗ୍ରେସ ମୁଖ୍ୟ ଥିବା କମଲ ନାଥଙ୍କ ସ୍ଥାନରେ ଜିତୁ ପଟ୍ଟଓ୍ବାରିଙ୍କୁ ଅବସ୍ଥାପିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୫୦ ବର୍ଷୀୟ ଜିତୁ ଡିସେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୨୦ କମଲ ନାଥ ସରକାରରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଥିଲେ। ସ୍ବାଧୀନତା ସଂଗ୍ରାମୀ କୋଡାରଲାଲ ପଟ୍ଟଓ୍ବାରୀ ତାଙ୍କ ଜେଜେ ହୋଇଥିବା ବେଳେ ପିତା ରମେଶ ଚନ୍ଦ୍ର ପଟ୍ଟଓ୍ବାରୀ ଭାରତୀୟ ଜାତୀୟ କଂଗ୍ରେସରେ ସକ୍ରିୟ ଅଛନ୍ତି। ଯଦିଓ ଜିତୁ ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ, ତଥାପି ଦଳକୁ ସେହି ରାଜ୍ୟରେ ନେତୃତ୍ୱ ଦେଇପାରିବେ ବୋଲି କଂଗ୍ରେସ ହାଇକମାଣ୍ଡ ଭାବୁଥିବାର ପ୍ରମାଣ ଏହି ନିଯୁକ୍ତିରୁ ମିଳୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଦେଶ କଂଗ୍ରେସର ମୁଖ୍ୟ ଏ. ରେଭନ୍ଥ ରେଡ୍ଡୀ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀରୁ ମଧ୍ୟ ହାରିଯାଇଥିଲେ। ତଥାପି ତାଙ୍କର ନେତୃତ୍ୱ ଦଳକୁ ତେଲଙ୍ଗାନାରେ ପୁନର୍ଜୀବିତ କରାଇପାରିଛି ବୋଲି କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଇ ଏକ ସ୍ବାଗତଯୋଗ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ତେଲଙ୍ଗାନାରେ କଂଗ୍ରେସର ସ୍ଥିତି ଆନ୍ଧ୍ରପ୍ରଦେଶ ବିଭାଜନ ପରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ଚିନ୍ତା କରାଯାଉଥିଲା କଂଗ୍ରେସ ପରିବର୍ତ୍ତେ ଭାଜପାର ସଙ୍ଗଠନ ଅଧିକ ଚେର ଧରିପାରିବ। ୨୦୨୩ ନିର୍ବାଚନ ପ୍ରମାଣ କରିଦେଉଛି ଯେ, ଅଣହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ଭାଜପାର ଶକ୍ତି ବୃଦ୍ଧିପାଇବା ସମ୍ଭବପର ହେଉନାହିଁ। ତେଲଙ୍ଗାନାର ଏହି ଫଳାଫଳ ଏହା ମଧ୍ୟ ଦର୍ଶାଉଛି ଯେ ଭାରତର ରାଜନୈତିକ ବିଭାଜନ ଭାଷା ଆଧାରିତ ହେବାର ସବୁ ଲକ୍ଷଣ ରଖୁଛି। ସେଥିପାଇଁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଯେତେ ଅଧିକ ହିନ୍ଦୀ ଶବ୍ଦ ବ୍ୟବହାର କରି କାର୍ଯ୍ୟକ୍ରମ, ଆଇନ ଏବଂ ନୀତି ସୃଷ୍ଟି କରିବ, ସେତିକି ଅଧିକ ପରିମାଣରେ ଦେଶର ରାଜନୈତିକ ବିଭାଜନ ଗଭୀରତର ହେବ। ଅପରପକ୍ଷରେ କଂଗ୍ରେସର ଏହି ହିନ୍ଦୀ ଲଦିବା ମନୋଭାବ ନ ଥିବା ହେତୁ ଅଣହିନ୍ଦୀଭାଷୀ ରାଜ୍ୟରେ ପୁନର୍ଜୀବିତ ହେବାର ସମ୍ଭାବନା ବୃଦ୍ଧି ପାଉଛି।
ରାଜସ୍ଥାନ ଓ ଛତିଶଗଡ଼ ଭଳି ଉଭୟ ରାଜ୍ୟରେ ପୁରୁଖା ଓ ବୟୋଜ୍ୟେଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିବାରୁ ସେଠାକାର ଯୁବପିଢ଼ିଙ୍କୁ ସାଥିରେ ନେବାରେ କଂଗ୍ରେସ ବିଫଳ ହେଉଥିବାର ସବୁ ଲକ୍ଷଣ ଦେଖିବାକୁ ମିଳୁଛି। କମଲ ନାଥଙ୍କ ଭଳି ଅଶୋକ ଗେହଲଟ ଓ ଭୂପେଶ ବଘେଲ ତାଙ୍କର ଅନିଚ୍ଛା ସତ୍ତ୍ୱେ ନିଜର ରାଜନୈତିକ ଜୀବନ ଶେଷ କରିସାରିଲେଣି। ଛତିଶଗଡ଼ ଭଳି ରାଜ୍ୟରେ ଅଧିକାଂଶ ପୁରୁଖା ବିଧାୟକଙ୍କୁ ପୁନର୍ବାର ନିର୍ବାଚନ ଲଢ଼ାଇଥିବା ହେତୁ କଂଗ୍ରେସର ପରାଜୟ ଘଟିଥାଇପାରେ ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ଏଥିସହିତ କଂଗ୍ରେସର ନିର୍ବାଚନୀ ପ୍ରଚାରରେ ନରମପନ୍ଥୀ ହିନ୍ଦୁତ୍ୱ ଚିନ୍ତାଧାରା ପ୍ରବଳମାତ୍ରାରେ ପରିଲକ୍ଷିତ ହେଉଥିଲା। ସେହି ଖେଳରେ ଭାଜପା ତାହାର ଆଧିପତ୍ୟ ଜାହିର କରିସାରିଲାଣି। ଅପରପକ୍ଷରେ ରାଜ୍ୟର ଅର୍ଥନୈତିକ ଉନ୍ନତି ଏବଂ ନୂତନ ବିକାଶର ଧ୍ୱନି ଦେଇପାରିଥିଲେ କଂଗ୍ରେସ ପାଇଁ ଫଳାଫଳ ଭିନ୍ନ ହୋଇଥାନ୍ତା।
ସାଧାରଣ ଭୋଟରଙ୍କୁ ତାଙ୍କର ଅର୍ଥନୈତିକ ଦୁରବସ୍ଥା ସମ୍ପର୍କରେ ଚିନ୍ତା କରିବା ସକାଶେ ବାତାବରଣ ସୃଷ୍ଟି କରିପାରିଥିଲେ କଂଗ୍ରେସର ରାଜନୈତିକ ଶକ୍ତି ବୃଦ୍ଧି ପାଇଥାନ୍ତା। ସାଧାରଣ ନାଗରିକର ପେଟ ଧର୍ମରେ ପୂରିବ ନାହିଁ। ଏହି ବିଷୟକୁ ନେଇ ଏବେଠାରୁ କଂଗ୍ରେସ ଏବଂ ଅଣଭାଜପା ଦଳଗୁଡ଼ିକ ଯଦି ଲୋକଙ୍କ ପାଖକୁ ଯାଇପାରିବେ, ତେବେ ଏକ ନୂତନ ମନ୍ଦିର ଗଢ଼ି ଦେଶସାରା ଭୋଟ ପାଇବାର ଯଥାର୍ଥତା ଲୋକଙ୍କ ମନରେ ସୃଷ୍ଟି ହେବ ନାହିଁ। ସେଥିପାଇଁ ଯୁବ ଏବଂ ନୂଆ ମୁହଁର ନେତୃତ୍ୱ ଆଣିପାରିଲେ ଆସନ୍ତା କିଛିମାସ ପରେ ହେବାକୁଥିବା ଲୋକ ସଭା ନିର୍ବାଚନରେ ପ୍ରଭାବ ପଡ଼ିପାରନ୍ତା। ନଚେତ୍‌ କଂଗ୍ରେସ ଓ ଅଣଭାଜପା ଦଳଗୁଡ଼ିକ ଅଳିଆଗଦାରେ ଫିଙ୍ଗାହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri