
ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ା ବନାଞ୍ଚଳର କୁମୁଟିପେଣ୍ଠ ସେକ୍ସନ ଅଧୀନ ସୁରି ପଞ୍ଚାୟତର ଫକିରୀ ଗ୍ରାମ ନିକଟସ୍ଥ କୁମ୍ବେଇଗୁଡା ଜଙ୍ଗଲରେ ରବିବାର ଏକ ୩ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଉକ୍ତ ପଞ୍ଚାୟତର ପୋଙ୍ଗିଲି, ସୁରି, ଫକିରୀ, କୁମ୍ବେଇଗୁଡ଼ା, ତୋଟାଗୁଡା ଏବଂ ଖମାସିଙ୍ଗ ଗ୍ରାମ ସମେତ ବଡଖିଲାପଦର ପଞ୍ଚାୟତର ଆରବି, ଖରଗଡ଼ି, ସାନ ଓ ବଡ ଗୁମୁଡା ଆଦି ଗ୍ରାମରେ ରବିବାର ସା ସାଢେ ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗ ସହାୟତାରେ ବିଦ୍ୟୁତ୍ କାଟ କରାଯାଇଛି।
ଏ ନେଇ କୁମ୍ଭୀକୋଟା ସେକ୍ସନ ବନପାଳଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୩ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା, ଗୋଟିଏ ମାଈ ହାତୀ ଏବଂ ଗୋଟିଏ ଛୁଆ ହାତୀ ରହିଛି । ଉକ୍ତ ହାତୀ ପଲ ବିଷମକଟକ ସେକ୍ସନର ବୁଲୁଥିବା ସମୟରେ ଶନିବାର ଥେରୁବାଲି କୁମ୍ଭାରଢାମୁଣି ଜଙ୍ଗଲରୁ କୁମୁଟିପେଣ୍ଠ ସେକ୍ସନ ଦେଇ ରବିବାର ଖରଗଡ଼ି- ଫକିରୀ ମଝିରେ ଥିବା କୁମ୍ବେଇଗୁଡା ନିକଟରେ ଥିବା ଜଙ୍ଗଲକୁ ଯାଇଥିବା ବନ ବିଭାଗ ପକ୍ଷରୁ ଟ୍ରାକ କରାଯାଇଛି।
ହାତୀ ପଲର ପାଦ ଚିହ୍ନ ବନ ବିଭାଗ ଦେଖିବାକୁ ପାଇଥିବା ବେଳେ ହାତୀ ବୁଲୁଥିବା ଗ୍ରାମାଞ୍ଚଳରେ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରାଯାଉଥିବା ବନପାଳ ପ୍ରଦ୍ୟୁମ୍ନ ବେହେରା ପ୍ରକାଶ କରିଛନ୍ତି।