ଅଚିହ୍ନା ବ୍ରାହ୍ମଣର ପଇତା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

‘ଚିହ୍ନା ବ୍ରାହ୍ମଣର ପଇତା ଲୋଡ଼ା ପଡ଼େନି।’ କେଉଁ କାଳରୁ ଆମ ଲୋକମୁଖରେ ଗଡ଼ି ଗଡ଼ି ଆସୁଥିବା ଏ କଥାଟି କେତେ ମାତ୍ରାରେ ସତ୍ୟ କେଜାଣି, ମାତ୍ର ଏହାର ଅନ୍ତଃସ୍ବରରେ ଭରି ରହିଛି ଏକ ବିଶାଳ ବିଶ୍ୱାସର ବିଭୂତି, ଏକ ନିଶ୍ଚିନ୍ତ ନିର୍ଭରଶୀଳତାର ସ୍ବୀକୃତି। ବିଶ୍ୱାସ ଉପରେ ଛିଡ଼ା ହୋଇଥିବା ଯେ କୌଣସି ସମ୍ପର୍କ କେବେ କୌଣସି ପରୀକ୍ଷାର ଅପେକ୍ଷା ରଖେନା। ବ୍ରାହ୍ମଣର ଯଜ୍ଞୋପବୀତ ସହିତ ଯଜ୍ଞବେଦିର ମନ୍ତ୍ର ଉଚ୍ଚାରଣ ପ୍ରତ୍ୟକ୍ଷ ନ କରି ମଧ୍ୟ ଯଜମାନଟିଏ ଜଣେ ଚିହ୍ନା ବ୍ରାହ୍ମଣଙ୍କୁ ପୁରୋହିତ ରୂପେ ବରଣ କରିଦିଏ। ଅଥଚ ଅଚିହ୍ନା ବ୍ରାହ୍ମଣଙ୍କ ବ୍ରାହ୍ମଣତ୍ୱକୁ ନେଇ ତା’ ମନରେ ସନ୍ଦେହ ଉଠେ। ମନ୍ତ୍ର, ତନ୍ତ୍ର ଅବା ବୈଦିକ ବିଧିବିଚାରରେ ପ୍ରକୃତ ପ୍ରବୀଣ ତ ଯେ ବ୍ରାହ୍ମଣ! କାହିଁ କେଉଁଠି ତ ଦେଖାଯାଉନି ତାଙ୍କ କାନ୍ଧରେ ପବିତ୍ର ଉପବୀତ!! ସନ୍ଦେହ ଓ ଅବିଶ୍ୱାସରେ ଅପ୍ରକଟିତ ରହିଯାଏ ପ୍ରକୃତ ପରିଚୟ। ବ୍ରାହ୍ମଣର ସନ୍ତକ ସଙ୍କେତ ସୂତା ଛଅ ଖିଅର ପଇତାଟି ଯେ ଅଭିମନ୍ତ୍ରିତ ନ ହୋଇ ମଧ୍ୟ କାନ୍ଧରେ ପକାଯାଇପାରେ, ଏ କଥା ପଇତା ଦେଖି ବ୍ରାହ୍ମଣଙ୍କୁ ଚିହ୍ନୁଥିବା ଲୋକେ ବୁଝିପାରନ୍ତି ନାହିଁ।
କେବଳ ଉପବୀତ ଧାରଣ କରିବା ଯେ ଜଣେ ବ୍ରାହ୍ମଣର ପରିଚୟ ନୁହେଁ, ଏକଥାର ପ୍ରମାଣ ପାଇଁ ଆମ ଚାରିପଟେ ଉଦାହରଣର ଅଭାବ ନାହିଁ। ଅନ୍ୟ ଅର୍ଥରେ, ସବୁ ଚିହ୍ନା ଲୋକ ବିଶ୍ୱସନୀୟ ଓ ନିର୍ଭରଶୀଳ ଏବଂ ଅଚିହ୍ନା ଲୋକମାନେ ଅସାଧୁ ଓ ଅବିଶ୍ୱସ୍ତ, ଏ ପ୍ରକାର ଏକ ଧାରଣାକୁ ଭ୍ରାନ୍ତ ପ୍ରମାଣିତ କରିବାକୁ ଜୀବନରେ ଅନୁଭବ ଓ ଅନୁଭୂତିର ଅଭାବ ନାହିଁ। କେତୋଟି ଘଟଣ-ଅଘଟଣକୁ ଲକ୍ଷ୍ୟ କଲେ ସ୍ପଷ୍ଟଭାବେ ଜାଣିହେବ ଯେ ସବୁ ଚିହ୍ନା ବ୍ରାହ୍ମଣଙ୍କ ବ୍ରାହ୍ମଣତ୍ୱ ଉପରେ ବିଶ୍ୱାସ ସ୍ଥାପନ କରିବା ଯେମିତି କିଛି ଯୁକ୍ତି ନାହିଁ, ସେମିତି ସବୁ ଅଚିହ୍ନା ବ୍ରାହ୍ମଣଙ୍କ ଅସଲିପଣକୁ ସନ୍ଦେହ କରିବାରେ ମଧ୍ୟ କିଛି କାରଣ ନାହିଁ।
ଦିନେ ଏଇ ଲେଖକ ରାତି ନଅଟାରେ ଚାନ୍ଦିନୀଚୌକରୁ ବାଦାମବାଡ଼ି ଆସିବା ପାଇଁ ଅନ୍ୟ କୌଣସି ଗାଡ଼ି ନ ପାଇ ଏକା ଏକା ଆସୁଥିବା ଜଣେ ବାଇକ୍‌ ଚାଳକକୁ ହାତ ଦେଖାଇ ଲିଫ୍ଟ ମାଗିଲା। ସହୃଦୟ ବାଇକ୍‌ ଚାଳକ ଗାଡ଼ି ଅଟକାଇ ପଛରେ ବସାଇଲେ ସିନା, ଚେତାବନୀ ଶୁଣାଇ କହିଲେ, ଏମିତି ଅଚିହ୍ନା ଅଜଣା ଲୋକଙ୍କୁ ଲିଫ୍ଟ ମାଗିବା ଆଦୌ ନିରାପଦ ନୁହେଁ। ତାଙ୍କ ଉପଦେଶ ସପକ୍ଷରେ ସେ ଶୁଣାଇଲେ ନିଜର ଜଣେ ସମ୍ପର୍କୀୟଙ୍କ ଅଙ୍ଗେନିଭା ଦୁର୍ଭାଗ୍ୟର କାହାଣୀ। ଏମିତି ଦିନେ ରାତିରେ ଗାଡ଼ି ନ ପାଇ ଏକ ଖାଲି କାର୍‌କୁ ଲିଫ୍ଟ ମାଗି ସମ୍ପର୍କୀୟ ଜଣକ ଆସୁଥିଲେ ପାଣିକୋଇଲିରୁ କଟକ। କିଛି ବାଟ ଆସିଲା ପରେ କାର୍‌ ଡ୍ରାଇଭର ତାଙ୍କୁ ଲୁଣ୍ଠନ କରିବାକୁ ଉପକ୍ରମ କଲାରୁ ସେ ତା’ର ପ୍ରତିରୋଧ କଲେ। ପରିଣାମ ସ୍ବରୂପ ଅତି ନୃଶଂସ ଭାବେ ତାଙ୍କୁ ମାଡ଼ ମାରି ଦୁର୍ଦ୍ଦାନ୍ତ ଡ୍ରାଇଭର ତାଙ୍କ ପାଖରେ ଥିବା ୪ ହଜାର ଟଙ୍କା, ହାତ ଘଣ୍ଟା ଓ ମୋବାଇଲ ଛଡ଼ାଇ ନେଇଥିଲା ଏବଂ ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଓହ୍ଲାଇ ଦେଇ ପଳାଇଯାଇଥିଲା। ପରେ ଆଉ ଜଣେ ଉଦାର କାର୍‌ ଚାଳକ ତାଙ୍କୁ ଉଦ୍ଧାର କରି କଟକ ଆଣିଥିଲା।
ବାଦାମବାଡ଼ିରେ ଓହ୍ଲାଇ ଦେଇ ତାଙ୍କ ଗନ୍ତବ୍ୟ ପଥରେ ଗାଡ଼ି ଗଡ଼ାଇବା ପୂର୍ବରୁ ସେଇ ଉପକାରୀ ବାଇକ୍‌ ଚାଳକଙ୍କୁ ଏ ଲେଖକ ତା’ର କୃତଜ୍ଞତା ଜଣାଇଥିଲା ଓ କହିଥିଲା ‘ଅଚିହ୍ନା ଲୋକଙ୍କ ଅମାନବିକ ଆଚରଣରେ ଆପଣଙ୍କ ସମ୍ପର୍କୀୟଙ୍କ କଥା ଜାଣିଲି। ମାତ୍ର ଆପଣ ବି ମୋ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ହୋଇ ମୋତେ ତ ପୁଣି ନିରାପଦରେ ଏଠାରେ ଛାଡ଼ିଦେଇ ଗଲେ। ତା’ପରେ ଆପଣଙ୍କର ସେଇ ସମ୍ପର୍କୀୟଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରି କଟକ ନେଇ ଆସିଥିବା ଦ୍ୱିତୀୟ ଡ୍ରାଇଭର ଜଣକ ବି ତ ତାଙ୍କର ଅଚିହ୍ନା, ଅଜଣା। ସୁତରାଂ ପରିଚୟର ପଇତା ପିନ୍ଧି ନ ଥିବା ସବୁଲୋକଙ୍କୁ ଆମେ ବ୍ରାହ୍ମଣ ନୁହେଁ ବୋଲି ସନ୍ଦେହ କରିବାର କିଛି କାରଣ ଅଛି କି?
ପରିଚିତ ବା ଚିହ୍ନାଜଣା ଲୋକଙ୍କ ଉପରେ ବିଶ୍ୱାସ ବା ଆସ୍ଥା ସ୍ଥାପନକୁ ନେଇ ଆମ ସାମାଜିକ ଜୀବନରେ ବହୁବାର ବହୁ ଲୋକଙ୍କ ମୋହଭଙ୍ଗ ହୋଇଥିବ ନିଶ୍ଚୟ। ଏଇ କେଇଦିନ ତଳେ ଏଟିଏମ୍‌ରେ ଟଙ୍କା ପୂରାଇବା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଡ୍ରାଇଭର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବାକୁ ନିଜକୁ କେମିତି ଅର୍ଦ୍ଧମୂର୍ଚ୍ଛିତ କରି ନାଟକ ରଚିଥିଲା, ତାହା ପ୍ରାୟ ସବୁ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଅଥଚ ସେ ଥିଲା ସେହି ସଂସ୍ଥାର ସବୁଠୁ ନିର୍ଭରଯୋଗ୍ୟ କର୍ମଚାରୀ, ଯିଏ ବହୁଦିନ ଧରି କୋଟି କୋଟି ଟଙ୍କା ପରିବହନ କରିବାର ବିଶ୍ୱାସ ଅର୍ଜନ କରିଥିଲା। ସେମିତି କେଇବର୍ଷ ତଳେ ଖବର ପ୍ରକାଶ ପାଇଥିଲା ଏକ ସରକାରୀ ବିଭାଗର କ୍ୟାଶିୟର ଭାବେ କାର୍ଯ୍ୟ କରୁଥିବା ଜଣେ ହତଭାଗ୍ୟ କର୍ମଚାରୀଙ୍କ ମର୍ମନ୍ତୁଦ ହତ୍ୟାକାଣ୍ଡକୁ ନେଇ। ନିଜ ବିଭାଗର କର୍ମଚାରୀମାନଙ୍କ ବେତନ ଟଙ୍କା ବ୍ୟାଙ୍କରୁ ଉଠାଇ ଅଫିସକୁ ଫେରୁଥିବାବେଳେ ଏକ ନିର୍ଜନ ଜଙ୍ଗଲିଆ ରାସ୍ତାରେ ତାଙ୍କୁ ହତ୍ୟା କରାଯାଇଥିଲା ବିପୁଳ ଟଙ୍କା ତକ ଲୁଣ୍ଠନ କରିବା ପାଇଁ। ଲକ୍ଷ୍ୟ କରିବାର କଥା, କେହି ଅଜଣା ଅଚିହ୍ନା ଘାତକ ବା ଡକାୟତଙ୍କ ଦ୍ୱାରା ଏହି ହତ୍ୟାକାଣ୍ଡ ସଂଘଟିତ ହୋଇ ନ ଥିଲା। ହତ୍ୟାକାରୀ ଥିଲେ ତାଙ୍କର ଅତି ପରିଚିତ ଗାଡ଼ିର ଡ୍ରାଇଭର ଓ ଅନ୍ୟ ଜଣେ ସହଚର ସହକର୍ମୀ, ଯାହାଙ୍କ ଉପରେ ଥିଲା ତାଙ୍କର ଅଖଣ୍ଡ ଭରସା ଓ ପ୍ରଚଣ୍ଡ ବିଶ୍ୱାସ। ନିର୍ଭରଶୀଳତା ଓ ନିରାପତ୍ତାର କି ବିଚିତ୍ର ସମନ୍ବୟ! ବିଶ୍ୱାସ ଓ ବିଶ୍ୱାସଘାତକତାର କି ବିପରୀତ ସମାବେଶ!
ବୟସରେ ଯୌବନର ରଙ୍ଗ ଚହଟିଲା କ୍ଷଣି ଅନୁଢ଼ା କିଶୋରୀଟିଏ ପରିଚିତ ହୁଏ କେହି ପ୍ରେମିକ ପୁରୁଷ ସାଙ୍ଗରେ। ପରିଚୟରୁ ପ୍ରେମ, ପ୍ରେମରୁ ବିଶ୍ୱାସ, ବିଶ୍ୱାସରୁ ସମର୍ପଣ। ଯେଉଁଠି ପ୍ରେମ ଭଳି ଏକ ସ୍ବର୍ଗୀୟ ଅନୁଭବକୁ ନେଇ ଦୁଇଟି ହୃଦୟ ମଧ୍ୟରେ ବଳିଷ୍ଠ ବିଶ୍ୱାସର ସେତୁ ସ୍ଥାପିତ ହୁଏ, ସେଠି ନିଜର ନିରାପତ୍ତାକୁ ନେଇ କିଏ କାହିଁକି ସନ୍ଦିହାନ ହୁଅନ୍ତା ଯେ! ସୁତରାଂ, ଝିଅଟି ନିଜ ମନର ମଣିଷ ପାଖରେ ନିଜକୁ ସବୁମତେ ସମର୍ପଣ କରିଦେଲା ପରେ ତାକୁ ଅପେକ୍ଷା କରି ରହିଥାଏ ଜୀବନର ଚରମ ଦୁର୍ଭାଗ୍ୟ। ପ୍ରେମିକଟି ତାକୁ ଏକ ନୂଆ ଦୁନିଆକୁ ବୁଲାଇ ନେବାର ବାହାନା କରି କେଉଁଟି ଅଜଣା ଅଚିହ୍ନା ଜାଗାରେ ନେଇ ଛାଡ଼ିଦେଇ ଆସେ ତ ଅନ୍ୟ କେଉଁଠି ମୋଟା ଅର୍ଥ ବିନିମୟରେ ବିକିଦିଏ ନାରୀଦେହର ବଜାରରେ। ନିଜ ସ୍ବପ୍ନପୁରୁଷ ସଙ୍ଗେ ସଂସାର କରିବାର ସ୍ବପ୍ନ ଦେଖୁଥିବା ନିରୀହା ନବଯୁବତୀଟି ନିଜକୁ ଆବିଷ୍କାର କରେ କେଉଁ ଏକ ଗଣିକାପଲ୍ଲିର ଗଳିରେ।
ଏ ତ ସବୁ ଗଲା ସେଇମାନଙ୍କ କଥା, ଯେଉଁମାନେ ଚିହ୍ନା ବ୍ରାହ୍ମଣକୁ ବରଣ କରି ତାଙ୍କ ହାତରେ ପୂଜା କରିବାର ଅଧିକାର ଅଜାଡ଼ି ଦିଅନ୍ତି ଓ ପରେ ପରେ ପ୍ରତାରିତ ହୁଅନ୍ତି। ମାତ୍ର ଅନ୍ୟପକ୍ଷରେ ଏମିତି କିଛି ଘଟଣା ଆଖିରେ ପଡ଼େ, ଯାହା ପରିଚିତ ଅପରିଚିତର ପ୍ରଭେଦଠାରୁ ଢେର ଊର୍ଦ୍ଧ୍ୱକୁ ନେଇ ମନ ଭିତରେ ଭରିଦିଏ ନିରାପତ୍ତା ଓ ନିର୍ଭରଶୀଳତାର ଏକ ଅପୂର୍ବ ଅନୁଭବ। ମନ ଭିତରେ ବିଶ୍ୱାସ ଜନ୍ମେ ଯେ ଅଜଣା ଅଚିହ୍ନା ସମ୍ପର୍କର ବିସ୍ତୀର୍ଣ୍ଣ ଇଲାକା ମଧ୍ୟରେ କିଛି ଅପରିଚିତ ଚରିତ୍ରମାନେ ଜଣେ ଜଣେ ଅଚିହ୍ନା ବ୍ରାହ୍ମଣ, ଯାହାଙ୍କ ପଇତା ନ ଦେଖି ମଧ୍ୟ ତାଙ୍କ ବ୍ରାହ୍ମଣପଣ ଉପରେ ବିଶ୍ୱାସ କରାଯାଇପାରେ। ଅବଶ୍ୟ ଏକଥା ସତ ଯେ ଏମାନଙ୍କ ସଂଖ୍ୟା ବେଶ୍‌ ବିରଳ।
ବୃତ୍ତି ପାଇଁ ପ୍ରବାସରେ ଥିବା ନିଜ ସ୍ବାମୀଙ୍କ ଅନୁପସ୍ଥିତିରେ ଜଣେ ଗ୍ରାମ୍ୟ ନବବଧୂ ନିଜ ଶାଶୁଶ୍ୱଶୁରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ନିଜର ସବୁ ସୁନାଗହଣା ଧରି ଘର ଛାଡ଼ି ଚାଲିଆସିଲେ। ବାପଘର ଗଁାକୁ ଯାଇଥିବା ବସ୍‌କୁ ଅପେକ୍ଷା କରୁଥିଲା ବେଳେ ଜଣେ ଅସାମାଜିକ ଗୁଣ୍ଡା ହାବୁଡ଼ରେ ପଡ଼ିଗଲେ। ନିଃସଙ୍ଗ ନାରୀଜଣକ ସହ ସୈଖ୍ୟ ଜମାଇ ବହୁମୂଲ୍ୟ ସୁନାଗହଣା ସହ ତାଙ୍କୁ ବି କରାୟତ୍ତ କରିବା ପୂର୍ବରୁ ଅଚାନକ ଦୃଶ୍ୟପଟ୍ଟରେ ଆବିର୍ଭୂତ ହେଲେ ସ୍ଥାନୀୟ ଥାନାର ଜଣେ ପୋଲିସ। ପୋଲିସ ପୋଷାକ ତଳେ ଥିବା ତାଙ୍କ ବକ୍ଷଦେଶର ହୃଦୟରେ ମେଞ୍ଚାଏ ମାନବିକତା ଭରି ରହିଥିଲା। ସେହି ମାନବିକତାର ଆହ୍ବାନରେ ସେ ବାଟହୁଡ଼ା ବୋହୂଟିକୁ ନିଜଘରକୁ ନେଇଯାଇ ନିଜର ସ୍ତ୍ରୀଙ୍କ ହେପାଜତରେ ରଖିଲେ ଓ ସ୍ତ୍ରୀଙ୍କ ସହ ମିଶି ତାଙ୍କୁ ତାଙ୍କ ଶ୍ୱଶୁର ଘରକୁ ଫେରିଯିବା ପାଇଁ ବହୁଭାବେ ପ୍ରବର୍ତ୍ତାଇଲେ। ଅଚିହ୍ନା ସମ୍ପର୍କର ସ୍ବାଦ ପୁଣି ଏତେ ମିଠା ହୋଇପାରେ ! ପତିପତ୍ନୀ ଦୁହିଁଙ୍କ କଥାରେ କି ଯାଦୁ ଥିଲା କେଜାଣି, ଶାଶୁଶ୍ୱଶୁରଙ୍କ ଉପରେ ବୋହୂଙ୍କ ପୁଞ୍ଜିଭୂତ ଅସନ୍ତୋଷର ଉପଶମ ହେଲା ଓ ଅବାଟରୁ ପାଦ ହଟାଇ ପୋଲିସ ବାବୁଙ୍କ ସହ ସେ ପୁଣି ଫେରିଗଲେ ଶ୍ୱଶୁରାଳୟକୁ।
ଅଚିହ୍ନା ଲୋକଙ୍କ ବିଶ୍ୱସନୀୟତା ସପକ୍ଷରେ ଆଉ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଭୁବନେଶ୍ୱରର ମିଶ୍ର ଦମ୍ପତି ଟ୍ରେନ୍‌ରେ ଯାଉଥାଆନ୍ତି ବାଙ୍ଗାଲୋର। ବିଶାଖାପାଟଣା ଷ୍ଟେଶନରେ ଗାଡ଼ି ଛିଡ଼ା ହୋଇଥିବା ବେଳେ ଜଣେ ବୟସ୍କ କଫିବିକାଳିଠାରୁ ଦୁଇକପ୍‌ କଫି ଆଣିଲେ ମିଶ୍ରବାବୁ ଓ ପାଖରେ ଖୁଚୁରା ନ ଥିବାରୁ ଦୁଇଶହ ଟଙ୍କାର ନୋଟ୍‌ଟିଏ ବଢ଼ାଇଦେଲେ। କଫି ବିକାଳିଟି ନିଜର ପାଇସା ମୁଣିରୁ ଅବଶିଷ୍ଟ ଟଙ୍କା ଗଣି ଫେରାଇବାର ଉପକ୍ରମ କରୁଥିବା ବେଳେ ଅଚାନକ ଟ୍ରେନ୍‌ ଛାଡ଼ିବାର ସଙ୍କେତ ଦେଲା। କଫି ବାବଦକୁ କୋଡ଼ିଏ ଟଙ୍କା ରଖି ଅବଶିଷ୍ଟ ଶହେ ଅଶୀ ଟଙ୍କା ଫେରାଇବା ପୂର୍ବରୁ ଟ୍ରେନ୍‌ ଛାଡ଼ିଦେଲା ଓ କଫିବିକାଳି ତରବରରେ ଟ୍ରେନ୍‌ରୁ ଓହ୍ଲାଇଗଲେ। କଫି ଦୁଇକପ୍‌ ପାଇଁ ଶହେ ଅଶୀ ଟଙ୍କା ହରାଇବାକୁ ପଡ଼ିଲା ବୋଲି ମିଶ୍ରବାବୁ ଯେତେ ଦୁଃଖିତ ନ ଥିଲେ, ତାହାଠାରୁ ଅଧିକ ଥିଲେ ପତ୍ନୀଙ୍କ ଝିଙ୍ଗାସ ଶୁଣି। ଅବଶିଷ୍ଟ ପଇସା ନ ଫେରାଇବା କଫିବାଲାର ଇଚ୍ଛାକୃତ ଶଠତା ନୁହେଁ ବୋଲି ସେ ବୁଝୁଥିଲେ ବି ପତ୍ନୀଙ୍କୁ ବୁଝାଇ ପାରୁ ନ ଥିଲେ।
ଗାଡ଼ି ରାଜମହେନ୍ଦ୍ରୀ ଷ୍ଟେଶନରେ ପହଞ୍ଚତ୍ଲା କ୍ଷଣି ଅଚାନକ ସେହି ଅଭିନବ ତଥା ଅପ୍ରତ୍ୟାଶିତ ଘଟଣାଟି ଘଟିଗଲା। ଜଣେ ତରୁଣ ଆସି ତାଙ୍କୁ ବିଶାଖାପାଟଣା ଷ୍ଟେଶନରେ କଫି ଦୁଇକପ୍‌ ପିଇଥିଲେ କି ନାହିଁ ପଚାରିଲା। ସେ ହଁ କଲାରୁ ତାଙ୍କୁ ଶହେ ଅଶୀ ଟଙ୍କା ଫେରାଇ ଦେଇ କହିଲା ‘ଆପଣ ଯାହାଙ୍କଠାରୁ କଫି ନେଇଥିଲେ ମୁଁ ତାଙ୍କର ପୁଅ। ବାପା ତରବରରେ ଟ୍ରେନରୁ ଓହ୍ଲାଇଗଲାରୁ ଆପଣଙ୍କୁ ଆପଣଙ୍କ ପ୍ରାପ୍ୟ ଫେରାଇ ନ ପାରି ମୋତେ ଫୋନ୍‌ କରି କହିଲେ। ମୁଁ ଏହି ସହରରେ ରହି ପାଠପଢୁଛି। ଆପଣଙ୍କ ଟଙ୍କା ଫେରାଇବା ପାଇଁ ଗାଡ଼ି ପହଞ୍ଚତ୍ବା ପୂର୍ବରୁ ମୁଁ ଏଠାରେ ଅପେକ୍ଷା କରିଥିଲି ବାପାଙ୍କ ନିର୍ଦ୍ଦେଶରେ। ନମସ୍କାର ଜଣାଇ ତରୁଣଟି ବିଦାୟ ନେଇ ଚାଲିଗଲା। ତା’ ଯିବା ବାଟକୁ ଚାହିଁ ରହିଥିଲେ ବାପାପୁଅ ଦୁହିଁଙ୍କ ଅପୂର୍ବ ସାଧୁତାରେ ମୁଗ୍‌ଧ ମିଶ୍ର ଦମ୍ପତି।
କାନ୍ଧରେ ବିଶ୍ୱାସର ବଜ୍ରଗଣ୍ଠିରେ ବନ୍ଧା ପରିଚୟର ଉପବୀତ ପକାଇ ବ୍ରାହ୍ମଣ ବୋଲାଉଥିବା ତଥାକଥିତ ବଡ଼ ଲୋକମାନେ ମାନବିକତାର ବେଦମନ୍ତ୍ର ଭୁଲିଯାଉଥିବାବେଳେ ସମାଜର ଛୋଟ ମଣିଷ ଭାବେ ଗଣା କଫିବିକାଳିଙ୍କ ପରି ଅଚିହ୍ନା ବ୍ରାହ୍ମଣମାନଙ୍କ ବିଶ୍ୱସ୍ତତା ଓ ବିଶ୍ୱସନୀୟତାର ଏହି ଓଁକାର ଉଚ୍ଚାରଣ ପାଇଁ ଏ ଜଗତ ତିଷ୍ଠି ରହିଛି ନିଶ୍ଚିତ! ତା’ ନ ହେଲେ ଏଠି ଜଣେ ଡ୍ରାଇଭର ରକ୍ତାକ୍ତ କରି ରାସ୍ତାକଡ଼ରେ ପକାଇ ଦେଇ ଆସୁଥିଲା ବେଳେ ଆଉ ଜଣେ ଡ୍ରାଇଭର ଉଦ୍ଧାର କରିବା ପାଇଁ ପହଞ୍ଚତ୍ୟାଉଛି କେମିତି ?
ପ୍ରଜ୍ଞାନିଳୟ
ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri