ଏଥର ଉଠିପାରେ ରତ୍ନଭଣ୍ଡାର ପ୍ରସଙ୍ଗ

ପୁରୀ ଅଫିସ,୨୬।୧୧:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୁରୀ ଜିଲା ଟ୍ରେଜେରି ତଥ୍ୟରେ ତାଳମେଳ ରହୁ ନ ଥିବା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାସ୍ତବରେ ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ରହିଛି କି ନାହିଁ ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ ଆଗାମୀ ୧ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା କରାଯିବାକୁ ଜଗନ୍ନାଥପ୍ରେମୀ ତଥା ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ମହଲରେ ଦାବି ଜୋର ଧରିବାରେ ଲାଗିଲାଣି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ପୁରୀବାସୀ ଓ ରାଜ୍ୟବାସୀଙ୍କ ଭାବାବେଗ ସହିତ ରତ୍ନଭଣ୍ଡାର ପ୍ରସଙ୍ଗ ଜଡ଼ିତ। ତେଣୁ ମୁଁ ନିଶ୍ଚିତ ଭାବେ ଚଳିତ ବିଧାନସଭା ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବି।

ସୂଚନା ଅନୁଯାୟୀ, ୧୯୬୦ରୁ ୧୯୮୫ ମସିହା ମଧ୍ୟରେ ଶ୍ରୀମନ୍ଦିର ଭିତର ଭଣ୍ଡାର ୭ଥର ଖୋଲାଯାଇଛି। ୧୯୬୭ରେ ସୁନା ଅଳଙ୍କାର, ୧୯୬୯ରେ ଚନ୍ଦନଯାତ୍ରାର ବିମାନ ତିଆରି, ୧୯୭୨ ଓ ୧୯୭୪ରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ନିର୍ମାଣ, ୧୯୭୮ରେ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ, ୧୯୮୨ରେ କଳାହାଟ ଦ୍ୱାର ରୁପା ଛାଉଣୀ ଓ ୧୯୮୫ରେ ବଳଭଦ୍ରଙ୍କ ଚିତା ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୯୮୫ ପରଠାରୁ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା କଥା ଏଏସ୍‌ଆଇ, ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ୨୦୧୮ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ୧୭ ଜଣିଆ ପ୍ରାଧିକୃତ ସଭ୍ୟମାନେ ଉଲ୍ଲେଖ କରିଥିଲେ ମଧ୍ୟ ଏହାକୁ ଖୋଲିବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଆଗ୍ରହ ପ୍ରକାଶ କରୁନାହିଁ। ୧୯୭୮ ମସିହାରେ ରତ୍ନଅଳଙ୍କାର ତାଲିକା ପ୍ରସ୍ତୁତ ହୋଇଥିଲା। ଭିତରଭଣ୍ଡାର ଘରେ ଥିବା ଅବ୍ୟବହୃତ ଅଲଙ୍କାରର ତାଲିକା ଅନୁଯାୟୀ ୩୬୭ଟି ସୁନା ଅଳଙ୍କାର ଥିବା ବେଳେ ଏହାର ଓଜନ ୪୩୬୪ ଭରି। ସେହିପରି ୧୪ହଜାର ୮୭୮ ଭରି ୬ ଅଣା ଓଜନର ୨୩୧ଟି ରୁପା ଅଳଙ୍କାର ରହିଛି। ଏହାବ୍ୟତୀତ ପାର୍ବଣ ସମୟରେ ମହାପ୍ରଭୁଙ୍କ ପାଇଁ ବ୍ୟବହୃତ ହେଉଥିବା ଅଳଙ୍କାର ଭିତରୁ ୮ ହଜାର ୧୭୫ ଭରି ୩ ବିଭକ୍ତ ୪ ଅଣାର ୭୯ଟି ସୁନା ଅଳଙ୍କାର ଏବଂ ୪ ହଜାର ୬୭୧ ଭରି ୨ ଅଣା ଓଜନର ୩୯ଟି ରୁପା ଅଳଙ୍କାର ଥିବା ତାଲିକାରେ ଉଲ୍ଲେଖ ରହିଛି। ସେହିପରି ଦୈନନ୍ଦିନ ନୀତିକାନ୍ତିରେ ବ୍ୟବହୃତ ଅଳଙ୍କାର ମଧ୍ୟରୁ ୮ଟି ସୁନା ଅଳଙ୍କାରର ଓଜନ ୨୯୯ ଭରି ୧ ଅଣା ହୋଇଥିବା ବେଳେ ୨୩ଟି ରୁପା ଅଳଙ୍କାରର ଓଜନ ୨୬୦୩ ଭରି ୮ ଅଣା। ସର୍ବମୋଟ୍‌ ଭିତର ଓ ବାହାର ରତ୍ନଭଣ୍ଡାରକୁ ମିଶାଇ ୪୫୪ଟି ସୁନା ଅଳଙ୍କାର ବାବଦକୁ ୧୨ ହଜାର ୮୩୮ ଭରି ଏକ ଦଶମିକ ୩ ବିଭକ୍ତ ୪ ଅଣା ଓଜନର ସୁନା ଓ ୨୯୩ଟି ରୁପା ଅଳଙ୍କାର ବାବଦକୁ ୨୨ ହଜାର ୧୫୩ ଭରି ଓଜନର ରୁପା ରହିଛି। ସେସମୟରେ ୧୪ଟି ସୁନା ଓ ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିଲା। ତେଣୁ ଏହାକୁ ଗଣନାରେ ସାମିଲ କରାଯାଇନାହିଁ। ଏହି ତାଲିକା ୧୯୭୮ରେ ରତ୍ନଅଳଙ୍କାର ଗଣନା ପରେ ହିସାବ ହୋଇଥିଲା। ଏହାପରଠାରୁ ରାଜ୍ୟବାସୀ ରତ୍ନଭଣ୍ଡାରକୁ ପୁଣି ଥରେ ଯାଞ୍ଚ କରିବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ଆବଶ୍ୟକ। ୧୭ଜଣିଆ ଟିମ୍‌ ଯାଞ୍ଚ ପରେ ମଧ୍ୟ ଏହି କଥା କହିଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧ୍ୟାନ ଦେଉନାହାନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନାହାନ୍ତି। ଆଗାମୀ ବିଧାନସଭା ଶୀତ ଅଧିବେଶନରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ଏହାଦ୍ୱାରା କୋଟି କୋଟି ଜଗନ୍ନାଥପ୍ରେମୀ ଖୁସି ହେବେ। ସେହିପରି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିସାରିଛି। ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘେରକୁ ଆସୁଛି। ମାତ୍ର ରାଜ୍ୟ ସରକାର ସ୍ଥାଣୁ ହୋଇ ବସିଛନ୍ତି। ଆସନ୍ତା ଶୀତ ଅଧିବେଶନରେ ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେବା ଦରକାର। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଜିଲା ପ୍ରଶାସନ ବାରମ୍ବାର ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରି ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗକୁ ସନ୍ଦେହକୁ ଠେଲି ଦେଇଛି। ଏଣୁ ପ୍ରଶାସନ ତୁରନ୍ତ ରତ୍ନଭଣ୍ଡାର ସ୍ଥିତି ପରଖି ମରାମତି କରିବା ସହ ଅଳଙ୍କାର ଗଣନା କରନ୍ତୁ ବୋଲି ରଥ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri