ବିଚିତ୍ର ଏ ବ୍ୟବସ୍ଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

“ମୁଁ କେବେ ଡାକ୍ତର ହୋଇପାରିବି ନାହିଁ, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ଉଚ୍ଚ କୁଳରେ ଜନ୍ମ ନେଇଛି। ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସଂରକ୍ଷିତ ବର୍ଗରେ ରହିବା ପାଇଁ ମୋ ଜାତିର ଯୋଗ୍ୟତା ନାହିଁ। ମହାବୀର କର୍ଣ୍ଣଙ୍କର ସେହି କାଳଜୟୀ ସଂଳାପ ଉଚ୍ଚ କୁଳରେ ଜାତ ହେବା ଦୈବର ଅଧୀନ, କେତେ ସତ୍ୟ କେଜାଣି; କିନ୍ତୁ ଏକଥା ଆଦୌ ମିଥ୍ୟା ନୁହେଁ ଯେ, ଏବେ ପାଠ ପଢ଼ିବାଠୁଁ ଆରମ୍ଭ କରି ସରକାରୀ ଚାକିରି କରିବାଯାଏ ସବୁ କ୍ଷେତ୍ରରେ ସଂରକ୍ଷଣ ଯେମିତି କାୟା ବିସ୍ତାର କରିଚାଲିଛି ସେଠି ଉଚ୍ଚ ଜାତିରେ ଜନ୍ମହେବା ଏକ ଦୈବ ଅଭିଶାପ।” ଏଇ କେଇଦିନ ତଳେ ଅନ୍ୟ ଅନଗ୍ରସର ଜାତିର ଆଶାୟୀଙ୍କ ପାଇଁ ମେଡିକାଲ ଶ୍ରେଣୀରେ ନାମଲେଖା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ସଂରକ୍ଷଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଶୁଣିଲା ପରେ ଏହା ଥିଲା ଜଣେ ଉଚ୍ଚ ଜାତିର ତରୁଣଙ୍କର ଆବେଗସିକ୍ତ ପ୍ରତିକ୍ରିୟା। କହିଲେ ଅତ୍ୟୁକ୍ତି ହେବନାହିଁ ଯେ, ସ୍ବାଧୀନ ଭାରତ ଇତିହାସରେ ମାତ୍ର ଦଶବର୍ଷ ପାଇଁ ସୃଷ୍ଟି ହୋଇ କାଳର ପ୍ରବାହରେ ଅକ୍ଷୟ ଅମର ହୋଇ ଗଡ଼ିଗଡ଼ି ଚାଲୁଥିବା ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ବଞ୍ଚତ୍ତମାନଙ୍କ ବିଷୋଦ୍‌ଗାରର ଏହା ପ୍ରଥମ କି ଅନ୍ତିମ ଦୃଷ୍ଟାନ୍ତ ନୁହେଁ।
ଟିକେ ନିରିଖେଇ ଲକ୍ଷ୍ୟ କଲେ ଏ କଥା ସ୍ପଷ୍ଟ ରୂପେ ଜାଣିହେବ ଯେ, ଆମ ସାମାଜିକ ବ୍ୟବସ୍ଥାରେ ସଂରକ୍ଷଣ ଏମିତି ଏକ ଦୁରାରୋଗ୍ୟ ବ୍ୟାଧି, ଯାହାର ଜ୍ୱାଳା ଓ ଜ୍ୱଳନକୁ ମଣିଷ ଯୁଗ ଯୁଗ ଧରି ସହ୍ୟ କରିଆସୁଛି। କେବଳ ପାଠପଢ଼ା ବା ଚାକିରି କ୍ଷେତ୍ରରେ ନୁହେଁ, ନିଜର ସର୍ବନିମ୍ନ ମୌଳିକ ଅଧିକାର ଉପଭୋଗ କରିବାର ବି ସଂରକ୍ଷଣ ରାମାୟଣ ଓ ମହାଭାରତ ଯୁଗରୁ ମଣିଷ ଜୀବନକୁ ପ୍ରଭାବିତ କରିଆସିଛି। ଲାଗୁଛି ଏହି ମହାବ୍ୟାଧିରୁ କାହାର ଉପଶମ ନାହିଁ କି ଏହାର କିଛି ଉପଚାର ନାହିଁ। ଯେଉଁ ରାଜପୁରୁଷ ବା ଶାସନକର୍ତ୍ତା ଚାହିଁଲେ ଏହି ରୋଗର ନିରାକରଣ କରି ଏକ ବ୍ୟାଧିମୁକ୍ତ ବ୍ୟବସ୍ଥା ସଂସ୍ଥାପନ କରିପାରନ୍ତେ ବା କରିପାରିଥାଆନ୍ତେ, ବିବେକ ଓ ବିଚାରବୋଧର ସକଳ ଔଚିତ୍ୟ ସତ୍ତ୍ୱେ ବି ଏକ ରହସ୍ୟମୟ ବାଧ୍ୟବାଧକତାରେ ସେମାନେ ନୀରବି ଯାଆନ୍ତି ବା ଯାଇଥା’ନ୍ତି। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। ବ୍ୟାଧି ମାଡ଼ିମାଡ଼ି ଯାଉଥାଏ। ସଂରକ୍ଷଣ ବଢ଼ିବଢ଼ି ଯାଉଥାଏ। କମିକମି ଯାଉଥାଏ ବଞ୍ଚତ୍ତଙ୍କ ଆଶା ଓ ବିଶ୍ୱାସ।
‘ରାମରାଜ୍ୟ’ ଆଦର୍ଶ ଶାସନର ଉଜ୍ଜ୍ୱଳ ଉଦାହରଣ ଭାବେ କାଳ କାଳ ଧରି ସ୍ବୀକୃତ ହୋଇ ଆସିଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ପରି ରାଜା କେହି ନାହାନ୍ତି କି ରାମରାଜ୍ୟ ପରି ଆଦର୍ଶ ରାଜ୍ୟ କେଉଁଠି ନାହିଁ ବୋଲି ଲୋକମୁଖରେ ପ୍ରବାଦ ହୋଇ ରହିଆସିଛି। ଅଥଚ ତାଙ୍କ ରାଜ୍ୟରେ ଜଣେ ଦଳିତ ବ୍ରାହ୍ମଣଙ୍କ ପାଇଁ ସଂରକ୍ଷିତ ଥିବା ଯଜ୍ଞକର୍ମ ସମ୍ପାଦିତ କରୁଥିବାରୁ ତାକୁ ଦଣ୍ଡିତ କରିବାକୁ ଯାଇ ତା’ର ହତ୍ୟା କରିଥିଲେ ରାଜା ରାମ। ରାମାୟଣ ଯୁଗରେ ରାମଙ୍କ ପରି ଜଣେ ଆଦର୍ଶ ରାଜାଙ୍କ ବିଚାରରେ ଯଜ୍ଞକର୍ମ ସମ୍ପନ୍ନ କରିବା ଜଣେ ଦଳିତଙ୍କ ପାଇଁ ଥିଲା ଏକ ବେଆଇନ କାର୍ଯ୍ୟ, ଯେଉଁଥିପାଇଁ ସେ ପାଇଥିଲା ମୃତ୍ୟୁଦଣ୍ଡ ପରି ସର୍ବଶେଷ ଦଣ୍ଡ। ଯଜ୍ଞ ଭଳି ଏକ ବୈଦିକ କର୍ମ ଥିଲା ବ୍ରାହ୍ମଣଙ୍କ ପାଇଁ ସର୍ବସ୍ବତ୍ୱ ସଂରକ୍ଷିତ ଓ ଜଣେ ଦଳିତର ଏଭଳି କର୍ମ କରିବାର ଅଧିକାରକୁ ସଂରକ୍ଷଣ ବିରୋଧୀ ଅବଜ୍ଞା ଭାବେ ବିବେଚନା କରିଥିଲେ ସ୍ବୟଂ ରାଜା ରାମ।
ମହାଭାରତ ଯୁଗର ସଂରକ୍ଷଣ ନୀତି କିଛି ଭିନ୍ନ ନ ଥିଲା, ଯଦିଓ ଏହାର ଚିତ୍ରପଟ ଥିଲା ସମ୍ପୂର୍ଣ୍ଣ ବିପରୀତ। ଶସ୍ତ୍ରଗୁରୁ ଦ୍ରୋଣଙ୍କ ଶିକ୍ଷାୟତନ ଥିଲା କେବଳ ରାଜପୁତ୍ରମାନଙ୍କ ପାଇଁ ସଂରକ୍ଷିତ। ଦ୍ରୋଣଙ୍କ ଶିଷ୍ୟତ୍ୱ ପାଇଁ ରାଜକୁଳର ଦାୟାଦ ହେବା ଥିଲା ପ୍ରାଥମିକ ଆବଶ୍ୟକତା। ସୁତରାଂ ତାଙ୍କଠୁ ଶିକ୍ଷା ଗ୍ରହଣ କରିବାକୁ ସୂତପୁତ୍ର କର୍ଣ୍ଣ ଓ ଶବରପୁତ୍ର ଏକଲବ୍ୟ କୌରବ ଓ ପାଣ୍ଡବ ରାଜପୁତ୍ରମାନଙ୍କଠାରୁ ସବୁ ଗୁଣରେ ଅଧିକ ଯୋଗ୍ୟ ଥିଲେ ବି ସଂରକ୍ଷଣ ନୀତିର ଶିକାର ହୋଇ ସେମାନେ ଶିକ୍ଷାଲାଭରୁ ବଞ୍ଚତ୍ତ ହୋଇଥିଲେ। ନିଜ ନିଜ ଢଙ୍ଗରେ ଏହି ସଂରକ୍ଷଣ ବ୍ୟବସ୍ଥାର ବିରୋଧ କରିଥିଲେ ସେ ଦୁହେଁ ଓ ନିଜ ଶକ୍ତି ସାମର୍ଥ୍ୟର ଏମିତି ପ୍ରମାଣ ଉପସ୍ଥାପିତ କରିଥିଲେ ଯେ, ସେକାଳରୁ ଏକାଳଯାଏ ସାରା ସଂସାର ସେ ଦୁହିଁଙ୍କର ଜୟଜୟକାର କରୁଛି। ବିଶେଷତଃ ଦଳିତ ଏକଲବ୍ୟଙ୍କର ଦୃଷ୍ଟାନ୍ତନୀୟ ଗୁରୁଦକ୍ଷିଣା ତାଙ୍କ ବ୍ୟକ୍ତିତ୍ୱକୁ ମହିମାନ୍ବିତ କରିବା ସହ ଦ୍ରୋଣଙ୍କ ଗୁରୁପଣକୁ ଚିରକାଳ ଲଜ୍ଜିତ କରିଚାଲିଛି।
ରାମାୟଣ ଓ ମହାଭାରତ ଯୁଗରେ ଥିଲା ରାଜତନ୍ତ୍ର। ଏବେ ଗଣତନ୍ତ୍ରର ଯୁଗ। ଜଣଙ୍କ ପରିବର୍ତ୍ତେ ଗଣଙ୍କ ପାଇଁ ଓ ଗଣଙ୍କ ଦ୍ୱାରା ଶାସନ। ଅଥଚ ଏଠି ବି ସଂରକ୍ଷଣୁ ମୁକ୍ତି ନାହିଁ। ଦେଶ ସ୍ବାଧୀନତା ଲାଭ କଲା ପରେ ନ୍ୟାୟ ନୀତିର ଶାସନ ପରିଚାଳନା ପାଇଁ ଯେଉଁ ବିଦ୍ୱାନ୍‌ ରାଷ୍ଟ୍ରନୀତିଜ୍ଞମାନଙ୍କ ହାତରେ ସମ୍ବିଧାନ ପ୍ରଣୟନ କରିବା ଦାୟିତ୍ୱ ରହିଲା, ଅନଗ୍ରସର ଅନୁସୂଚିତ ଜାତି ଓ ଉପଜାତିର ଲୋକମାନଙ୍କୁ ସାଧାରଣଙ୍କ ସହ ସମକକ୍ଷ କରିବାର ମହତ ଉଦ୍ଦେଶ୍ୟ ନେଇ ସେମାନେ ଦଶବର୍ଷ ପାଇଁ ସଂରକ୍ଷଣ ବିଧାନ ବ୍ୟବସ୍ଥା କରିଥିଲେ। ଅଥଚ ଦଶବର୍ଷ ଯାଇ ସତୁରି ବର୍ଷ ଯାଇ ସାରିଲାଣି ସିନା, ବହୁବିଧ ନାମ ଓ ଉପନାମ ନେଇ ସଂରକ୍ଷଣ ତାହାର ପକ୍ଷ ବିସ୍ତାର କରିଚାଲିଛି ଯେ ବିରାମ ନେବାର ନାଁ ନେଉନାହିଁ। ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ସଂରକ୍ଷଣର ପରିକଳ୍ପନା କରାଯାଇଥିବାବେଳେ କାହିଁକି ଅନନ୍ତ କାଳ ଯାଏ ଏହା ଲମ୍ବି ଲମ୍ବି ଚାଲିଛି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ଏହା ଅଦ୍ଭୁତ ବାଧ୍ୟବାଧକତା ଓ ରହସ୍ୟମୟ ନୀରବତା ମଧ୍ୟରେ ଏହାର ଉତ୍ତର ଅବ୍ୟକ୍ତ ରହିଯାଉଛି।
ବଡ଼ ବିଚିତ୍ର ଏହି ବ୍ୟବସ୍ଥା। ଗଣତନ୍ତ୍ରର ଗଣିତ ମଧ୍ୟରେ ପରିପୁଷ୍ଟ ଏହି ସଂରକ୍ଷଣ ଯେଉଁମାନଙ୍କ ପାଇଁ ଅଭିପ୍ରେତ, ସେମାନଙ୍କ ମଧ୍ୟରୁ କେତେଜଣଙ୍କର କେଉଁ ଉପକାରରେ ଆସୁଛି ଏହାର ସମୀକ୍ଷା କେହି କରନ୍ତେ ହେଲେ! ଯେଉଁ ଜାତି ବା ଉପଜାତିର ଅନଗ୍ରସରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବାର ମହତ୍‌ ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା, ଗତ ସାତ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେଜଣ ଆର୍ଥିକ ତଥା ସାମାଜିକ ସ୍ବଚ୍ଛଳତା ଅର୍ଜନ କରି ଅଗ୍ରସର ତାଲିକାଭୁକ୍ତ ହୋଇଛନ୍ତି, ତାହାର ହିସାବ କିଏ ଦିଅନ୍ତେ ହେଲେ! ଗୋଟିଏ ପରିବାରର ଗୋଟିଏ ପିଢ଼ି ସଂରକ୍ଷଣର ଶିଡ଼ି ଚଢ଼ି ଉପରକୁ ଉଠିସାରିଥିଲା ପରେ ସେହି ପରିବାରର ପରବର୍ତ୍ତୀ ପିଢ଼ି ସଂରକ୍ଷଣ ସୁବିଧା ନ ପାଇବା ଉଚିତ ବୋଲି ମଝିରେ କଥା ଉଠିଥିଲା। ମାତ୍ର ସେ ସମ୍ପର୍କରେ କୌଣସି ଗୋଟିଏ ବିଶ୍ଳେଷଣ ପୂର୍ବରୁ ପ୍ରତିକ୍ରିୟା ଓ ପ୍ରତିବାଦ ଏତେ ଉତ୍କଟ ହେଲା ଯେ, ପ୍ରସ୍ତାବଟିକୁ ବାଟଭାଙ୍ଗି ଚାଲିଯିବାକୁ ତର ସହିଲା ନାହିଁ। ପରିଣାମ ତ ଆମ ଆଖି ଆଗରେ। ଅଳ୍ପସଂଖ୍ୟକ ତେଲିଆଙ୍କ ମୁଣ୍ଡରୁ ତେଲ ବୋହି ପଡୁଥିବାବେଳେ ବହୁସଂଖ୍ୟକ ନୁଖୁରା କେଶୀମାନେ ସେମତି ନିଜ ଅଲରା ମଥାକୁ କୁଣ୍ଡାଇ ହେଉଥା’ନ୍ତି। ଗୋଟିଏ ଗଁାର ପାଞ୍ଚ ଭାଗ ଲୋକ ପିଢ଼ି ପରେ ପିଢ଼ି ପୁରୁଷ ପୁରୁଷ ଧରି ସଂରକ୍ଷଣ ସାହାରା ନେଇ ଅଗ୍ରସର ହୋଇ ଚାଲିଥିଲା ବେଳେ ବାକି ପଞ୍ଚାନବେ ଭାଗ ଏମିତି ଅନଗ୍ରସର ହୋଇ ପଡ଼ିଥା’ନ୍ତି ଯେ ବ୍ୟବସ୍ଥାରେ ‘ସଂରକ୍ଷଣ’ ବୋଲି ଶିଡ଼ିଟିଏ ଅଛି ବୋଲି ସେମାନେ ଜାଣି ନ ଥାଆନ୍ତି!
ସଂରକ୍ଷଣର ପ୍ରଭାବ ଓ ପ୍ରତିଷ୍ଠା ମଧ୍ୟରେ ଗୋଟିଏ ପରିବାରର ଶିକ୍ଷକ ବାପାଙ୍କ ପୁଅ ବ୍ୟାଙ୍କ ଅଫିସର ହୁଅନ୍ତି ତ ତାଙ୍କ ପୁଅ ହୋଇପାରନ୍ତି ଡାକ୍ତର ଅବା ଇଞ୍ଜିନିୟର। ତିନି ପିଢ଼ିର ଜୀବନଯାତ୍ରା ମଧ୍ୟରେ ସେମାନଙ୍କ ପରିଚୟ ତ ବଦଳିଯାଏ, ତା’ ସହିତ ବଦଳିଯାଏ ନିବାସସ୍ଥଳୀର ଠିକଣା। ଗଁାରୁ ସହର ସହରରୁ ନଗର ମଧ୍ୟରେ ଉତ୍ତରଣ ପଥରେ ଅଗ୍ରସର ହୋଇ ଚାଲିଥାଏ ସେମାନଙ୍କ ସାମାଜିକ ସ୍ଥିତି ଓ ଆର୍ଥିକ ସ୍ବଚ୍ଛଳତା। ଅଥଚ ସେଇ ସମୟ ମଧ୍ୟରେ ଗଁାର ପଡ଼ୋଶୀ ଥିବା ଅନ୍ୟ ଏକ ପରିବାରର ତିନୋଟିଯାକ ପିଢ଼ି ସେମିତି ଲଢ଼ି ଚାଲିଥା’ନ୍ତି ନିଜ ବୁନିଆଦ ଦାରିଦ୍ର୍ୟ, ଅଶିକ୍ଷା ଓ ଅନଗ୍ରସରତା ସହ। ସଂରକ୍ଷଣ ସପକ୍ଷରେ ଚିତ୍କାର ଛାଡୁଥିବା ପଣ୍ଡିତମଣ୍ଡଳୀ ଏବେ ବୈଷମ୍ୟକୁ କେମିତି କେଉଁ ଭାବରେ ବର୍ଣ୍ଣନା କରନ୍ତେ କେଜାଣି!
ସମ୍ପ୍ରତି ଘୋଷିତ ହୋଇଥିବା ମେଡିକାଲ ଶିକ୍ଷାରେ ସଂରକ୍ଷଣ ପ୍ରସଙ୍ଗକୁ କଟାକ୍ଷ କରି ସେଦିନ ଜଣେ କହୁଥିଲେ, ‘ଆଜି ସରକାର ପାଠ ପଢ଼ିବା ପାଇଁ ଯେଉଁମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ବା ଅତୀତରେ ଯେଉଁମାନେ ସଂରକ୍ଷଣ ଭିତ୍ତିରେ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି, କାଲି ଯେତେବେଳେ ଦେଖାଯିବ ଯେ ସେମାନେ ପାସ୍‌ କରି ପାରୁନାହାନ୍ତି; ସେତେବେଳେ ପୁଣି ଏକ ନିୟମ କରି ପରୀକ୍ଷା ନିୟନ୍ତ୍ରଣ ସଂସ୍ଥାକୁ ଜାତିଭିତ୍ତିକ ଗ୍ରେସ୍‌ ମାର୍କ ଦେବାକୁ ନିର୍ଦ୍ଦେଶ ଦେଇପାରନ୍ତି! ଏମିତି କଟାକ୍ଷକୁ ଅର୍ଥହୀନ ବା ଅମୂଳକ କହି ଏଡ଼ାଇ ଯାଇହେବ ସିନା, ମାତ୍ର ଏହା ମୂଳରେ ଥିବା ଅସନ୍ତୋଷର ତୀବ୍ର ପ୍ରତିଫଳନକୁ ଅସ୍ବୀକାର କରିହେବ ନାହିଁ। ସଂରକ୍ଷଣ ଏମିତି ଏକ ସାମାଜିକ ବ୍ୟାଧି, ଯାହା ସମାଜର ଗୋଟିଏ ବର୍ଗର ଲୋକଙ୍କ ପାଇଁ ଲାଭ ପହଞ୍ଚାଇ ଥିଲାବେଳେ ଅନ୍ୟ ବର୍ଗର ଲୋକଙ୍କ ପାଇଁ ହୋଇଥାଏ ପ୍ରଚଣ୍ଡ ପୀଡ଼ାଦାୟକ। ସମାଜରେ ବିଭେଦ ସୃଷ୍ଟି କରିବା ଓ ପରସ୍ପର ମଧ୍ୟରେ ପ୍ରଚ୍ଛନ୍ନ ବିଦ୍ୱେଷକୁ ଜନ୍ମଦେବା ମୂଳରେ ଏହି ସଂରକ୍ଷଣର ଏକ ପ୍ରମୁଖ ଭୂମିକା ରହିଥାଏ।
ଉପସଂହାରରେ ସେମିତି ଜଣେ ଯୁବକଙ୍କ କଥା। ଦଳିତ ଜାତିରେ ଜନ୍ମ ନେଇଥିବା ଏହି ଯୁବକ ଜଣକ ମୁଣ୍ଡ ଭିତରେ ଭରପୂର ମେଧା ନେଇ ଭୂମିଷ୍ଠ ହୋଇଥିଲେ। ଭାରତ ସରକାରଙ୍କ ଏକ ବିଶାଳ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କର୍ମରତ ଏହି ପ୍ରତିଭାବାନ୍‌ ଯୁବକ ସେଦିନ ବଡ଼ ଆବେଗରେ ଏହି ଲେଖକଙ୍କ ନିକଟରେ ପ୍ରକାଶ କରିଥିଲେ ବହୁଦିନରୁ ତାଙ୍କ ମନ ଭିତରେ ଅବରୁଦ୍ଧ ଥିବା ଏକ ଅବ୍ୟକ୍ତ ଅନୁଭବ। କହିଥିଲେ, ‘ମୋ ସମଗ୍ର ବିଦ୍ୟାର୍ଥୀ ଜୀବନରେ ମୁଁ କେବେ ବି କୌଣସି ପରୀକ୍ଷାରେ ଦ୍ୱିତୀୟ ହୋଇନାହଁ। ମୋ ପରିବାରର ସ୍ବଳ୍ପାର୍ଜିତ ସମ୍ବଳ ଭିତରେ ବହୁବାର ଅଟକି ଯାଇଥିବା ମୋ ଛାତ୍ର ଜୀବନକୁ ବହୁକଷ୍ଟରେ ଆଗକୁ ନେଇ ମୁଁ ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂରେ ଟପ୍ପର ହୋଇଛି। ଅଥଚ ମୋ ଯୋଗ୍ୟତା ବଳରେ ବଡ଼ ଚାକିରିରେ ମୁକରିର ଥିଲେ ବି ମୋ ସମ୍ପର୍କରେ ସବୁ ମହଲରେ ଯେଉଁ ସାଧାରଣ ମନ୍ତବ୍ୟଟି ଖେଳିବୁଲେ, ତାହା ହେଉଛି, ମୁଁ କୁଆଡ଼େ ‘କୋଟାବାଲା’। କେଡ଼େ ବେଦନାଭରା ମର୍ମଭେଦୀ ଏହି ଅନୁଭବ! ସଂରକ୍ଷଣ କେଇଜଣ ଅଯୋଗ୍ୟଙ୍କ ମଧ୍ୟରେ ଆଶା ସଞ୍ଚାର କରୁଥିବାବେଳେ ଅବଶିଷ୍ଟମାନଙ୍କୁ ହତାଶା ମଧ୍ୟକୁ ଯେ ଠେଲିଦେଉଛି, ଏ କଥା ସଂରକ୍ଷଣକୁ ଏକ ଦୁରାରୋଗ୍ୟ ବ୍ୟାଧି ନ ମଣି ସାମାଜିକ ଉତ୍‌ଥାନର ବୀଜମନ୍ତ୍ର ବିଚାରୁଥିବା ବିଜ୍ଞମାନେ ଯେତେଶୀଘ୍ର ବୁଝିବେ, ସମାଜ ପାଇଁ ସେତେ ମଙ୍ଗଳ।
ପ୍ରଜ୍ଞାନିଳୟ
ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?