ଇଏ ବି ଏକ ମନର କଥା

ଗତ କେଇ ବର୍ଷ ହେଲା ମାସର ଶେଷ ରବିବାରରେ ଆକାଶବାଣୀରେ ପ୍ରସାରିତ ହେଉଥିବା ଆମ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ ବା ‘ମନର କଥା’କୁ ମନଯୋଗ ସହକାରେ ଶୁଣି ଆସୁଥିବା ବନ୍ଧୁଙ୍କ କଣ୍ଠରେ ଥିଲା ଏକ ବିଚିତ୍ର କାମନା- ” ତାଙ୍କ ମନର କଥା ବର୍ଷ ବର୍ଷ ଧରି ଆମେ ଶୁଣିଆସୁଛୁ। ଆମ ମନର କଥା ସେ ଥରେ ଶୁଣନ୍ତେନି!“ ଦେଶର ସଂସ୍କାର ସଂସ୍କୃତି ସହ ଜଡ଼ିତ ବିଭିନ୍ନ ପ୍ରାନ୍ତର ବହୁବିଧ ବିଭବର ଜୟଗାନ କରିବା ମଧ୍ୟରେ ପ୍ରଧାନମନ୍ତ୍ରୀ ଯେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟିକରି ଚାଲିଛନ୍ତି ଏହା ଯେ ଲୋକକଲ୍ୟାଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି; ଏ କଥା ବନ୍ଧୁଙ୍କୁ ବୁଝାଇ ଏହା ସହିତ ସାଧାରଣ ଲୋକଙ୍କ ଅଭାବ ଅଭିଯୋଗକୁ ଯୋଡ଼ିବା ଉଚିତ ନୁହେଁ ବୋଲି କହିଥିଲେ ଏହି ଲେଖକ। ମାତ୍ର ବନ୍ଧୁ ପ୍ରତିବାଦ କରି ଉଠିଲେ ଏ କଥା କହି ଯେ ତାଙ୍କ ମନର କଥାଟି ନିଜ ବ୍ୟକ୍ତିଗତ ଅଭାବ ଅଭିଯୋଗର କଥା ନୁହେଁ, ଏହା ମଧ୍ୟରେ ବି ନିହିତ ଅଛି ଲୋକକଲ୍ୟାଣର ଶୁଦ୍ଧ ବିଚାର, ରାଷ୍ଟ୍ରପ୍ରେମର ଉଦ୍ଦାମ ଅଙ୍ଗୀକାର।
ବନ୍ଧୁଙ୍କ ମନର କଥାଟି ଏବେ ସାର୍ବଜନୀନ କରାଯାଉ ଓ ପରଖାଯାଉ ଯେ କଥାଟି ଭିତରେ ଲୋକକଲ୍ୟାଣ ବା ରାଷ୍ଟ୍ରପ୍ରେମ ଭଳି ଶ୍ରୁତିମଧୁର ଶବ୍ଦଗୁଡ଼ିକ ସହ ସଂଯୁକ୍ତ ହେବାର ଯୋଗ୍ୟତା ଅଛି କି ନାହିଁ। କଥା ହେଉଛି ନିକଟରେ ଖବର ପ୍ରକାଶ ପାଇଛି- ‘ରାଇରଙ୍ଗପୁରରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟି ହାଉସ, ଖର୍ଚ୍ଚ ହେବ ପଚାଶ କୋଟି ଟଙ୍କା। ଏଇ ମାଟିର ଝିଅ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ରହଣି ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ଏହି ସ୍ବତନ୍ତ୍ର ସର୍କିଟ ହାଉସର ନିର୍ମାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପାଞ୍ଚ ଏକର ଜମି ଆବଣ୍ଟନ ସହିତ ନିର୍ମାଣ ପାଇଁ ପ୍ଲାନ ଓ ଅନ୍ୟାନ୍ୟ କାଗଜପତ୍ର କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ପ୍ଲାନ ଅନୁଯାୟୀ ରାଷ୍ଟ୍ରପତିଙ୍କ କକ୍ଷ, ଡ୍ରଇଂରୁମ୍‌, ସମ୍ମିଳନୀ କକ୍ଷ, ପାର୍କର ବ୍ୟବସ୍ଥା ସହ ତାଙ୍କ ଡ୍ୟୁଟିରେ ଥିବା ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସୁରକ୍ଷା ବାହିନୀଙ୍କ ପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏହି ଜରୁରୀ ପ୍ରକଳ୍ପଟିକୁ ନେଇ ପ୍ରକାଶ ପାଇଥିବା ଖବରଟି ପଢ଼ି ସାରିଲା ପରେ ବନ୍ଧୁଙ୍କ ମନରେ ସୃଷ୍ଟି ହୋଇଛି ତାଙ୍କ ମନର କଥା, ଯାହା ଅବ୍ୟକ୍ତ ମନର ବ୍ୟଥା ହୋଇ ପ୍ରକଟିତ ହେବା ପାଇଁ ବାଟଟିଏ ଖୋଜୁଛି।
ବନ୍ଧୁ କହୁଥିଲେ, ” ଜଣେ ସାଧାରଣ ରାଜନେତ୍ରୀ ବା ଅତିବେଶିରେ ପ୍ରାକ୍ତନ୍‌ ବିଧାୟକ, ମନ୍ତ୍ରୀ ବା ରାଜ୍ୟପାଳରୁ ଦେଶର ଶୀର୍ଷତମ ଆସନରେ ବସିବା ପୂର୍ବରୁ ଯେଉଁ ଦୁଇଟି ଦିବ୍ୟଗୁଣ ଯୋଗୁ ଦ୍ରୌପଦୀ ମୁର୍ମୁ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ବେଶ୍‌ ଚର୍ଚ୍ଚିତ ଥିଲେ, ତାହା ଥିଲା ତାଙ୍କର ସରଳ ଜୀବନଧାରା ଓ ଅଧ୍ୟାତ୍ମ୍ୟବାଦୀ ବ୍ୟକ୍ତିତ୍ୱ। ତାଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଘୋଷଣା ହେଲା ପରେ ଓଡ଼ିଆ ଅସ୍ମିତାର ମୁଗ୍ଧ ଅନୁଭବ ନେଇ ସବୁ ଓଡ଼ିଆଙ୍କ ମଧ୍ୟରେ ଏକ ଅଫୁରନ୍ତ ଆନନ୍ଦ ଓ ଉଦ୍ଦୀପନାର ଉଦ୍‌ବେଳନ ସିନା ସୃଷ୍ଟି ହୋଇଥିଲା, ମାତ୍ର ଅବଶିଷ୍ଟ ବିଶ୍ୱରେ ଅନ୍ୟ ଯେଉଁ ବାର୍ତ୍ତାଟି ସଞ୍ଚରି ଯାଇଥିଲା, ତାହା ଥିଲା ଭାରତୀୟ ଗଣତନ୍ତ୍ରର ଗୌରବ ଗରିମାର ଏକ ସାଙ୍କେତିକ ଏକକ। ସଭିଏଁ ଏକ ସ୍ବରରେ ଜୟ ଜୟକାର କରିଥିଲେ ସେହି ବ୍ୟବସ୍ଥାର, ଯେଉଁଠି ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ପରେ ବି ବିଦ୍ୟୁତ୍‌ ଯାଇ ନ ଥିବା ଗୋଟିଏ ଅନ୍ଧାରି ଇଲାକାରେ ଜନ୍ମ ହୋଇଥିବା ଆଦିବାସୀ ଝିଅଟିଏ ବଡ଼ ହୋଇ ଦେଶର ରାଷ୍ଟ୍ରପତି ହୋଇପାରେ। ନିଜ ମନୋନୟନ ପତ୍ର ଦାଖଲ କରିବାକୁ ଓଡ଼ିଶା ଛାଡ଼ି ଦିଲ୍ଲୀ ଯିବା ପୂର୍ବରୁ ଝାଡୁ ଧରି ମନ୍ଦିର ପ୍ରାଙ୍ଗଣ ଓଳାଇଥିବାର ସେହି ମର୍ମସ୍ପର୍ଶୀ ଦୃଶ୍ୟଟି ଯେଉଁମାନଙ୍କ ଆଖିରେ ପଡ଼ିଥିବ, ସେମାନେ ଜାଣିଥିବେ ସରଳତା ଓ ଅଧ୍ୟାତ୍ମ୍ୟ ଆଦର୍ଶକୁ ପୁଞ୍ଜିକରି ନିଜ ବ୍ୟକ୍ତିତ୍ୱ ଗଠନ କରିବା ଗୋଟିଏ ରାଷ୍ଟ୍ର ପାଇଁ କେତେ ଗୌରବଦାୟୀ। ଅଥଚ ସେ ତାଙ୍କ ରାଇସିନା ହିଲ୍‌ ରାଷ୍ଟ୍ରପତି ଭବନରୁ କଦବା କେମିତି ନିଜ ଘରକୁ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପଚାଶ କୋଟି ଟଙ୍କାର ବିପୁଳ ବ୍ୟୟରେ ସ୍ବତନ୍ତ୍ର ସର୍କିିଟ ହାଉସ ନିର୍ମିତ ହେବା ସରଳ ଜୀବନଚର୍ଯ୍ୟା ଓ ଆଧ୍ୟାତ୍ମିକ ବିଚାରବୋଧ ଭଳି ଜୀବନାଦର୍ଶର ପରିପନ୍ଥୀ ନୁହେଁ କି?“
”ରାଷ୍ଟ୍ରପତିଙ୍କ ପାଞ୍ଚବର୍ଷ କାର୍ଯ୍ୟକାଳ ମଧ୍ୟରେ ନିଜ ବ୍ୟସ୍ତ କାର୍ଯ୍ୟସୂଚୀରୁ ସମୟ ବାହାର କରି ନିଜ ସ୍ବଧାମ ପରିଦର୍ଶନରେ ଆସିବା ଅତିବେଶିରେ ପାଞ୍ଚଥରରୁ ଅଧିକ ହୁଏତ ସମ୍ଭବ ହୋଇ ନ ପାରେ। ସେଥିପାଇଁ ନିଜ ଘର ଥାଉ ଥାଉ ସେହି ସହରରେ ପଚାଶ କୋଟି ଟଙ୍କା ଖର୍ଚ୍ଚକରି ଆଉ ଏକ ସୌଧ ନିର୍ମାଣ କରିବା ଭଳି ନିଷ୍ପତ୍ତି ଯେ ଖୋଦ୍‌ ସେ ନିଜେ ନେଇଥିବେ, ଏହା ବିଶ୍ୱାସ କରିବାକୁ କଷ୍ଟ ହେଉଛି। ହୋଇପାରେ ଏମିତି ଏକ ନିଷ୍ପତ୍ତି ସେଇ ଶାସନ ବ୍ୟବସ୍ଥାର, ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯିଏ ଯେମିତିକା ଜୀବନ ଜିଇବାରେ ରୁଚି ରଖନ୍ତୁ ନା ନାହିଁ କି, ଥରେ ରାଜା ହୋଇଗଲେ ତାଙ୍କ ପାଇଁ ରାଜକୀୟ ଜୀବନଚର୍ଯ୍ୟା ହିଁ ଲୋଡ଼ା, ତେଣିକି ତାହା ରାଜତନ୍ତ୍ର ହେଉ କି ଲୋକତନ୍ତ୍ର!“
ସମ୍ବିଧାନର ସମ୍ମତି ଥାଉ କି ନ ଥାଉ ଜଣେ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ସାରି ଅବସର ନେଲା ପରେ ପରମ୍ପରା ଅନୁଯାୟୀ ତାଙ୍କ ପସନ୍ଦର ଘରଟିଏ କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି ତାଙ୍କ ଅବଶିଷ୍ଟ ଜୀବନକାଳ ଯାଏ। ତଦନୁଯାୟୀ ମହୋଦୟାଙ୍କ ଅବସର ପରେ ସେ ଯଦି ଅନ୍ୟ କେଉଁଠି ରହିବାକୁ ପସନ୍ଦ କରିବେ ତ ଭିନ୍ନ କଥା, ମାତ୍ର ଯଦି ନିଜ ଭିଟାମାଟିକୁ ଫେରି ଆସିବାକୁ ଚାହିଁବେ, ତେବେ ରାଇରଙ୍ଗପୁରର ନିଜ ଘରେ ନ ରହି ଏହି ନିର୍ମାଣ ପ୍ରକଳ୍ପ ସ୍ବତନ୍ତ୍ର ସର୍କିଟ ହାଉସକୁ ନିଜ ନିବାସସ୍ଥଳୀ କରିବା ହେବ ଏକ ଦୂରସ୍ଥ ସମ୍ଭାବନା। ସେପରି ସ୍ଥଳେ କ’ଣ ହେବ ଏହି ପଚାଶ କୋଟି ମୂଲ୍ୟ ସୁଦୃଶ୍ୟ ସୌଧର ଭାଗ୍ୟ ଓ ଭବିଷ୍ୟତ? ଏହା ବୋଧହୁଏ ପାଲଟିଯିବ ଏକ ପରିତ୍ୟକ୍ତ ସ୍ମୃତି ସୌଧ ଭଳି ପର୍ଯ୍ୟଟନ କ୍ଷେତ୍ର! ସେତେବେଳେ ଏହାକୁ ଦେଖି ଲୋକେ ଅତୀତର ରୋମନ୍ଥନ କରିବେ। କହିବେ, ଏଇ ମାଟିରେ ଝିଅଟିଏ ଜନ୍ମ ନେଇଥିଲେ ଯେ ସେ ‘ମହାମହିମ’ ଉପାଧି ଧାରଣ କରିବାର ସମ୍ଭାବନା ପ୍ରକାଶ ପାଇଲା ମାତ୍ରେ ଅନ୍ଧାର ଭିତରେ ବୁଡ଼ି ରହିଥିବା ତାଙ୍କର ସେଇ ଜନ୍ମମାଟିଟି ସହସା ବିଦ୍ୟୁତ୍‌ ଆଲୋକରେ ଝଲସି ଉଠିଥିଲା। ପୁଣି ତାଙ୍କ ମୁଣ୍ଡରୁ ମୁକୁଟଟି ଚାଲିଗଲା ମାତ୍ରେ ଔଜଲ୍ୟରେ ଝଲସି ଉଠୁଥିବା ପଚାଶକୋଟିର ବିଶାଳ ପ୍ରାସାଦଟି କେମିତି ଅନ୍ଧାରରେ ଅଦୃଶ୍ୟ ହୋଇଯାଇଛି!?
”ଅବଶ୍ୟ ଏ କଥା ସ୍ବୀକାର୍ଯ୍ୟ ଯେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ କୌଣସି ମୂଲଚାଲ କରାଯାଇପାରିବ ନାହିଁ। ତେବେ ରାଇରଙ୍ଗପୁର ଆସିବାକୁ ପାଞ୍ଚବର୍ଷରେ ପାଞ୍ଚଟି ଅବସର ମିଳିବା ଦୁରୂହ ଥିବା ବେଳେ ସେଥିପାଇଁ ସେଠାକାର ସଦର ମହକୁମାରେ ଥିବା ସରକାରୀ ଅତିଥି ଭବନକୁ ସ୍ବତନ୍ତ୍ର ଭାବେ ପୁନଃନିର୍ମିତ କରିବା ଏକ ବିକଳ୍ପ ଭାବେ ଗୃହୀତ ହୋଇପାରନ୍ତା। ମାତ୍ର ତାହା ନ କରି ପଚାଶ କୋଟି ଟଙ୍କା ଖର୍ଚ୍ଚ କରି ଏକ ରାଜଉଆସ ସୁଲଭ ସର୍କିଟ ହାଉସ ଗଢ଼ିବା ଦେଶ ବା ରାଜ୍ୟର ଅର୍ଥନୀତି ଉପରେ ଚାପ ସୃଷ୍ଟି କରୁ କି ନ କରୁ ଗଣତନ୍ତ୍ରରେ ସାମନ୍ତବାଦୀ ସଂସ୍କୃତିର ଆରୋପ ନିଶ୍ଚୟ ଲାଗିବ। ଦେଶର ପ୍ରଥମ ନାଗରିକ ଭାବେ ଶପଥ ନେବା ପରେ ତାଙ୍କ ଆଦ୍ୟ ସମ୍ବୋଧନରେ ପ୍ରତିଧ୍ୱନିତ ହୋଇଥିଲା ପରାର୍ଥପ୍ରାଣତାର ବେଦମନ୍ତ୍ର ‘ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’, ସେଠି ଏହି ସାମନ୍ତବାଦୀ ସଂସ୍କୃତିର ପ୍ରଦର୍ଶନ ଉଭା ହେବ ଏକ ବିରୋଧାଭାସ ଭାବେ। ସମଗ୍ର ବିଶ୍ୱ ଆଗରେ ଯେଉଁ ସରଳତା ଓ ଆଡମ୍ବରଶୂନ୍ୟତା ଏକ ବିରଳ ଦୃଷ୍ଟାନ୍ତ ଭାବେ ଉପସ୍ଥାପିତ ହୋଇଥିଲା, ତାହା ଅପସରି ଯାଇ ପ୍ରତିବଦଳରେ ଏକ ରାଜକୀୟ ବିଳାସର ଛାୟା ପ୍ରତିଭାତ ହେଲେ ବିଶ୍ୱ ଦର୍ପଣରେ ଆମ ଗଣତନ୍ତ୍ରର ଚେହେରା ବିବର୍ଣ୍ଣ ଦିଶିବା ସହିତ ଲୋକଦର୍ପଣରେ ରାମ ଓ ରାବଣଙ୍କ ମୁହଁ ଦେଖିବାକୁ ଏକାପରି ଲାଗିବ!“
ବନ୍ଧୁଙ୍କ ମନର କଥାଟି ଏଇଠି ସରିଥିଲା ସିନା, କିନ୍ତୁ ଶୁଣିଲା ପରେ ଲାଗୁଥିଲା ଏ କ୍ଷୋଭ କେବଳ ଜଣଙ୍କ ମନର କଥା ନୁହେଁ। ବରଂ ଏହା ସବୁ ଜାଣି ମଧ୍ୟ ବ୍ୟବସ୍ଥାଚକ୍ରରେ ବାଧ୍ୟ ବିବଶ ହୋଇ ନୀରବ ରହୁଥିବା ଜନସାଧାରଣଙ୍କ ମନର କଥା, ଯାହା ବ୍ୟବସ୍ଥାର ସଂସ୍ଥାପକଙ୍କ କାନରେ କେବେ ବି ପଡ଼ିବ ନାହିଁ! ପଡ଼ି ପାରିବ ନାହିଁ।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
    ଚକେଇସିହାଣି, ଭୁବନେଶ୍ୱର
    ମୋ-୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ମାଗଣା କିଏ କିଛି ଦିଏନା

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଇଲେକ୍ଟୋରାଲ ବଣ୍ଡ୍‌ ବା ନିର୍ବାଚନୀ ବଣ୍ଡ୍‌ ଉପରେ ବଡ଼ ରାୟ ଦେଇଥିଲେ। ଏହି ବଣ୍ଡ୍‌ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା...

ଯକ୍ଷ୍ମା ଦୂରୀକରଣରେ ଏଆଇ

ଏବେ ଟେକ୍‌ନୋଲୋଜି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି। ଗୋଟିଏ ପରେ ଗୋଟିଏ ଅଧିକ ସଂଖ୍ୟାରେ ନୂଆ ଟେକ୍‌ନୋଲୋଜି ସାମ୍ନାକୁ ଆସୁଛି। ଏହି କ୍ରମରେ ନଭେମ୍ବର ୨୦୨୨ରେ...

ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର...

ଏଇ ଭାରତରେ

ଗୁଗ୍‌ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ...

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri