ଇଏ ବି ଏକ ମନର କଥା

ଗତ କେଇ ବର୍ଷ ହେଲା ମାସର ଶେଷ ରବିବାରରେ ଆକାଶବାଣୀରେ ପ୍ରସାରିତ ହେଉଥିବା ଆମ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ ବା ‘ମନର କଥା’କୁ ମନଯୋଗ ସହକାରେ ଶୁଣି ଆସୁଥିବା ବନ୍ଧୁଙ୍କ କଣ୍ଠରେ ଥିଲା ଏକ ବିଚିତ୍ର କାମନା- ” ତାଙ୍କ ମନର କଥା ବର୍ଷ ବର୍ଷ ଧରି ଆମେ ଶୁଣିଆସୁଛୁ। ଆମ ମନର କଥା ସେ ଥରେ ଶୁଣନ୍ତେନି!“ ଦେଶର ସଂସ୍କାର ସଂସ୍କୃତି ସହ ଜଡ଼ିତ ବିଭିନ୍ନ ପ୍ରାନ୍ତର ବହୁବିଧ ବିଭବର ଜୟଗାନ କରିବା ମଧ୍ୟରେ ପ୍ରଧାନମନ୍ତ୍ରୀ ଯେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟିକରି ଚାଲିଛନ୍ତି ଏହା ଯେ ଲୋକକଲ୍ୟାଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି; ଏ କଥା ବନ୍ଧୁଙ୍କୁ ବୁଝାଇ ଏହା ସହିତ ସାଧାରଣ ଲୋକଙ୍କ ଅଭାବ ଅଭିଯୋଗକୁ ଯୋଡ଼ିବା ଉଚିତ ନୁହେଁ ବୋଲି କହିଥିଲେ ଏହି ଲେଖକ। ମାତ୍ର ବନ୍ଧୁ ପ୍ରତିବାଦ କରି ଉଠିଲେ ଏ କଥା କହି ଯେ ତାଙ୍କ ମନର କଥାଟି ନିଜ ବ୍ୟକ୍ତିଗତ ଅଭାବ ଅଭିଯୋଗର କଥା ନୁହେଁ, ଏହା ମଧ୍ୟରେ ବି ନିହିତ ଅଛି ଲୋକକଲ୍ୟାଣର ଶୁଦ୍ଧ ବିଚାର, ରାଷ୍ଟ୍ରପ୍ରେମର ଉଦ୍ଦାମ ଅଙ୍ଗୀକାର।
ବନ୍ଧୁଙ୍କ ମନର କଥାଟି ଏବେ ସାର୍ବଜନୀନ କରାଯାଉ ଓ ପରଖାଯାଉ ଯେ କଥାଟି ଭିତରେ ଲୋକକଲ୍ୟାଣ ବା ରାଷ୍ଟ୍ରପ୍ରେମ ଭଳି ଶ୍ରୁତିମଧୁର ଶବ୍ଦଗୁଡ଼ିକ ସହ ସଂଯୁକ୍ତ ହେବାର ଯୋଗ୍ୟତା ଅଛି କି ନାହିଁ। କଥା ହେଉଛି ନିକଟରେ ଖବର ପ୍ରକାଶ ପାଇଛି- ‘ରାଇରଙ୍ଗପୁରରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟି ହାଉସ, ଖର୍ଚ୍ଚ ହେବ ପଚାଶ କୋଟି ଟଙ୍କା। ଏଇ ମାଟିର ଝିଅ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ରହଣି ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ଏହି ସ୍ବତନ୍ତ୍ର ସର୍କିଟ ହାଉସର ନିର୍ମାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପାଞ୍ଚ ଏକର ଜମି ଆବଣ୍ଟନ ସହିତ ନିର୍ମାଣ ପାଇଁ ପ୍ଲାନ ଓ ଅନ୍ୟାନ୍ୟ କାଗଜପତ୍ର କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ପ୍ଲାନ ଅନୁଯାୟୀ ରାଷ୍ଟ୍ରପତିଙ୍କ କକ୍ଷ, ଡ୍ରଇଂରୁମ୍‌, ସମ୍ମିଳନୀ କକ୍ଷ, ପାର୍କର ବ୍ୟବସ୍ଥା ସହ ତାଙ୍କ ଡ୍ୟୁଟିରେ ଥିବା ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସୁରକ୍ଷା ବାହିନୀଙ୍କ ପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏହି ଜରୁରୀ ପ୍ରକଳ୍ପଟିକୁ ନେଇ ପ୍ରକାଶ ପାଇଥିବା ଖବରଟି ପଢ଼ି ସାରିଲା ପରେ ବନ୍ଧୁଙ୍କ ମନରେ ସୃଷ୍ଟି ହୋଇଛି ତାଙ୍କ ମନର କଥା, ଯାହା ଅବ୍ୟକ୍ତ ମନର ବ୍ୟଥା ହୋଇ ପ୍ରକଟିତ ହେବା ପାଇଁ ବାଟଟିଏ ଖୋଜୁଛି।
ବନ୍ଧୁ କହୁଥିଲେ, ” ଜଣେ ସାଧାରଣ ରାଜନେତ୍ରୀ ବା ଅତିବେଶିରେ ପ୍ରାକ୍ତନ୍‌ ବିଧାୟକ, ମନ୍ତ୍ରୀ ବା ରାଜ୍ୟପାଳରୁ ଦେଶର ଶୀର୍ଷତମ ଆସନରେ ବସିବା ପୂର୍ବରୁ ଯେଉଁ ଦୁଇଟି ଦିବ୍ୟଗୁଣ ଯୋଗୁ ଦ୍ରୌପଦୀ ମୁର୍ମୁ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ବେଶ୍‌ ଚର୍ଚ୍ଚିତ ଥିଲେ, ତାହା ଥିଲା ତାଙ୍କର ସରଳ ଜୀବନଧାରା ଓ ଅଧ୍ୟାତ୍ମ୍ୟବାଦୀ ବ୍ୟକ୍ତିତ୍ୱ। ତାଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଘୋଷଣା ହେଲା ପରେ ଓଡ଼ିଆ ଅସ୍ମିତାର ମୁଗ୍ଧ ଅନୁଭବ ନେଇ ସବୁ ଓଡ଼ିଆଙ୍କ ମଧ୍ୟରେ ଏକ ଅଫୁରନ୍ତ ଆନନ୍ଦ ଓ ଉଦ୍ଦୀପନାର ଉଦ୍‌ବେଳନ ସିନା ସୃଷ୍ଟି ହୋଇଥିଲା, ମାତ୍ର ଅବଶିଷ୍ଟ ବିଶ୍ୱରେ ଅନ୍ୟ ଯେଉଁ ବାର୍ତ୍ତାଟି ସଞ୍ଚରି ଯାଇଥିଲା, ତାହା ଥିଲା ଭାରତୀୟ ଗଣତନ୍ତ୍ରର ଗୌରବ ଗରିମାର ଏକ ସାଙ୍କେତିକ ଏକକ। ସଭିଏଁ ଏକ ସ୍ବରରେ ଜୟ ଜୟକାର କରିଥିଲେ ସେହି ବ୍ୟବସ୍ଥାର, ଯେଉଁଠି ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ପରେ ବି ବିଦ୍ୟୁତ୍‌ ଯାଇ ନ ଥିବା ଗୋଟିଏ ଅନ୍ଧାରି ଇଲାକାରେ ଜନ୍ମ ହୋଇଥିବା ଆଦିବାସୀ ଝିଅଟିଏ ବଡ଼ ହୋଇ ଦେଶର ରାଷ୍ଟ୍ରପତି ହୋଇପାରେ। ନିଜ ମନୋନୟନ ପତ୍ର ଦାଖଲ କରିବାକୁ ଓଡ଼ିଶା ଛାଡ଼ି ଦିଲ୍ଲୀ ଯିବା ପୂର୍ବରୁ ଝାଡୁ ଧରି ମନ୍ଦିର ପ୍ରାଙ୍ଗଣ ଓଳାଇଥିବାର ସେହି ମର୍ମସ୍ପର୍ଶୀ ଦୃଶ୍ୟଟି ଯେଉଁମାନଙ୍କ ଆଖିରେ ପଡ଼ିଥିବ, ସେମାନେ ଜାଣିଥିବେ ସରଳତା ଓ ଅଧ୍ୟାତ୍ମ୍ୟ ଆଦର୍ଶକୁ ପୁଞ୍ଜିକରି ନିଜ ବ୍ୟକ୍ତିତ୍ୱ ଗଠନ କରିବା ଗୋଟିଏ ରାଷ୍ଟ୍ର ପାଇଁ କେତେ ଗୌରବଦାୟୀ। ଅଥଚ ସେ ତାଙ୍କ ରାଇସିନା ହିଲ୍‌ ରାଷ୍ଟ୍ରପତି ଭବନରୁ କଦବା କେମିତି ନିଜ ଘରକୁ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପଚାଶ କୋଟି ଟଙ୍କାର ବିପୁଳ ବ୍ୟୟରେ ସ୍ବତନ୍ତ୍ର ସର୍କିିଟ ହାଉସ ନିର୍ମିତ ହେବା ସରଳ ଜୀବନଚର୍ଯ୍ୟା ଓ ଆଧ୍ୟାତ୍ମିକ ବିଚାରବୋଧ ଭଳି ଜୀବନାଦର୍ଶର ପରିପନ୍ଥୀ ନୁହେଁ କି?“
”ରାଷ୍ଟ୍ରପତିଙ୍କ ପାଞ୍ଚବର୍ଷ କାର୍ଯ୍ୟକାଳ ମଧ୍ୟରେ ନିଜ ବ୍ୟସ୍ତ କାର୍ଯ୍ୟସୂଚୀରୁ ସମୟ ବାହାର କରି ନିଜ ସ୍ବଧାମ ପରିଦର୍ଶନରେ ଆସିବା ଅତିବେଶିରେ ପାଞ୍ଚଥରରୁ ଅଧିକ ହୁଏତ ସମ୍ଭବ ହୋଇ ନ ପାରେ। ସେଥିପାଇଁ ନିଜ ଘର ଥାଉ ଥାଉ ସେହି ସହରରେ ପଚାଶ କୋଟି ଟଙ୍କା ଖର୍ଚ୍ଚକରି ଆଉ ଏକ ସୌଧ ନିର୍ମାଣ କରିବା ଭଳି ନିଷ୍ପତ୍ତି ଯେ ଖୋଦ୍‌ ସେ ନିଜେ ନେଇଥିବେ, ଏହା ବିଶ୍ୱାସ କରିବାକୁ କଷ୍ଟ ହେଉଛି। ହୋଇପାରେ ଏମିତି ଏକ ନିଷ୍ପତ୍ତି ସେଇ ଶାସନ ବ୍ୟବସ୍ଥାର, ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯିଏ ଯେମିତିକା ଜୀବନ ଜିଇବାରେ ରୁଚି ରଖନ୍ତୁ ନା ନାହିଁ କି, ଥରେ ରାଜା ହୋଇଗଲେ ତାଙ୍କ ପାଇଁ ରାଜକୀୟ ଜୀବନଚର୍ଯ୍ୟା ହିଁ ଲୋଡ଼ା, ତେଣିକି ତାହା ରାଜତନ୍ତ୍ର ହେଉ କି ଲୋକତନ୍ତ୍ର!“
ସମ୍ବିଧାନର ସମ୍ମତି ଥାଉ କି ନ ଥାଉ ଜଣେ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ସାରି ଅବସର ନେଲା ପରେ ପରମ୍ପରା ଅନୁଯାୟୀ ତାଙ୍କ ପସନ୍ଦର ଘରଟିଏ କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି ତାଙ୍କ ଅବଶିଷ୍ଟ ଜୀବନକାଳ ଯାଏ। ତଦନୁଯାୟୀ ମହୋଦୟାଙ୍କ ଅବସର ପରେ ସେ ଯଦି ଅନ୍ୟ କେଉଁଠି ରହିବାକୁ ପସନ୍ଦ କରିବେ ତ ଭିନ୍ନ କଥା, ମାତ୍ର ଯଦି ନିଜ ଭିଟାମାଟିକୁ ଫେରି ଆସିବାକୁ ଚାହିଁବେ, ତେବେ ରାଇରଙ୍ଗପୁରର ନିଜ ଘରେ ନ ରହି ଏହି ନିର୍ମାଣ ପ୍ରକଳ୍ପ ସ୍ବତନ୍ତ୍ର ସର୍କିଟ ହାଉସକୁ ନିଜ ନିବାସସ୍ଥଳୀ କରିବା ହେବ ଏକ ଦୂରସ୍ଥ ସମ୍ଭାବନା। ସେପରି ସ୍ଥଳେ କ’ଣ ହେବ ଏହି ପଚାଶ କୋଟି ମୂଲ୍ୟ ସୁଦୃଶ୍ୟ ସୌଧର ଭାଗ୍ୟ ଓ ଭବିଷ୍ୟତ? ଏହା ବୋଧହୁଏ ପାଲଟିଯିବ ଏକ ପରିତ୍ୟକ୍ତ ସ୍ମୃତି ସୌଧ ଭଳି ପର୍ଯ୍ୟଟନ କ୍ଷେତ୍ର! ସେତେବେଳେ ଏହାକୁ ଦେଖି ଲୋକେ ଅତୀତର ରୋମନ୍ଥନ କରିବେ। କହିବେ, ଏଇ ମାଟିରେ ଝିଅଟିଏ ଜନ୍ମ ନେଇଥିଲେ ଯେ ସେ ‘ମହାମହିମ’ ଉପାଧି ଧାରଣ କରିବାର ସମ୍ଭାବନା ପ୍ରକାଶ ପାଇଲା ମାତ୍ରେ ଅନ୍ଧାର ଭିତରେ ବୁଡ଼ି ରହିଥିବା ତାଙ୍କର ସେଇ ଜନ୍ମମାଟିଟି ସହସା ବିଦ୍ୟୁତ୍‌ ଆଲୋକରେ ଝଲସି ଉଠିଥିଲା। ପୁଣି ତାଙ୍କ ମୁଣ୍ଡରୁ ମୁକୁଟଟି ଚାଲିଗଲା ମାତ୍ରେ ଔଜଲ୍ୟରେ ଝଲସି ଉଠୁଥିବା ପଚାଶକୋଟିର ବିଶାଳ ପ୍ରାସାଦଟି କେମିତି ଅନ୍ଧାରରେ ଅଦୃଶ୍ୟ ହୋଇଯାଇଛି!?
”ଅବଶ୍ୟ ଏ କଥା ସ୍ବୀକାର୍ଯ୍ୟ ଯେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ କୌଣସି ମୂଲଚାଲ କରାଯାଇପାରିବ ନାହିଁ। ତେବେ ରାଇରଙ୍ଗପୁର ଆସିବାକୁ ପାଞ୍ଚବର୍ଷରେ ପାଞ୍ଚଟି ଅବସର ମିଳିବା ଦୁରୂହ ଥିବା ବେଳେ ସେଥିପାଇଁ ସେଠାକାର ସଦର ମହକୁମାରେ ଥିବା ସରକାରୀ ଅତିଥି ଭବନକୁ ସ୍ବତନ୍ତ୍ର ଭାବେ ପୁନଃନିର୍ମିତ କରିବା ଏକ ବିକଳ୍ପ ଭାବେ ଗୃହୀତ ହୋଇପାରନ୍ତା। ମାତ୍ର ତାହା ନ କରି ପଚାଶ କୋଟି ଟଙ୍କା ଖର୍ଚ୍ଚ କରି ଏକ ରାଜଉଆସ ସୁଲଭ ସର୍କିଟ ହାଉସ ଗଢ଼ିବା ଦେଶ ବା ରାଜ୍ୟର ଅର୍ଥନୀତି ଉପରେ ଚାପ ସୃଷ୍ଟି କରୁ କି ନ କରୁ ଗଣତନ୍ତ୍ରରେ ସାମନ୍ତବାଦୀ ସଂସ୍କୃତିର ଆରୋପ ନିଶ୍ଚୟ ଲାଗିବ। ଦେଶର ପ୍ରଥମ ନାଗରିକ ଭାବେ ଶପଥ ନେବା ପରେ ତାଙ୍କ ଆଦ୍ୟ ସମ୍ବୋଧନରେ ପ୍ରତିଧ୍ୱନିତ ହୋଇଥିଲା ପରାର୍ଥପ୍ରାଣତାର ବେଦମନ୍ତ୍ର ‘ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’, ସେଠି ଏହି ସାମନ୍ତବାଦୀ ସଂସ୍କୃତିର ପ୍ରଦର୍ଶନ ଉଭା ହେବ ଏକ ବିରୋଧାଭାସ ଭାବେ। ସମଗ୍ର ବିଶ୍ୱ ଆଗରେ ଯେଉଁ ସରଳତା ଓ ଆଡମ୍ବରଶୂନ୍ୟତା ଏକ ବିରଳ ଦୃଷ୍ଟାନ୍ତ ଭାବେ ଉପସ୍ଥାପିତ ହୋଇଥିଲା, ତାହା ଅପସରି ଯାଇ ପ୍ରତିବଦଳରେ ଏକ ରାଜକୀୟ ବିଳାସର ଛାୟା ପ୍ରତିଭାତ ହେଲେ ବିଶ୍ୱ ଦର୍ପଣରେ ଆମ ଗଣତନ୍ତ୍ରର ଚେହେରା ବିବର୍ଣ୍ଣ ଦିଶିବା ସହିତ ଲୋକଦର୍ପଣରେ ରାମ ଓ ରାବଣଙ୍କ ମୁହଁ ଦେଖିବାକୁ ଏକାପରି ଲାଗିବ!“
ବନ୍ଧୁଙ୍କ ମନର କଥାଟି ଏଇଠି ସରିଥିଲା ସିନା, କିନ୍ତୁ ଶୁଣିଲା ପରେ ଲାଗୁଥିଲା ଏ କ୍ଷୋଭ କେବଳ ଜଣଙ୍କ ମନର କଥା ନୁହେଁ। ବରଂ ଏହା ସବୁ ଜାଣି ମଧ୍ୟ ବ୍ୟବସ୍ଥାଚକ୍ରରେ ବାଧ୍ୟ ବିବଶ ହୋଇ ନୀରବ ରହୁଥିବା ଜନସାଧାରଣଙ୍କ ମନର କଥା, ଯାହା ବ୍ୟବସ୍ଥାର ସଂସ୍ଥାପକଙ୍କ କାନରେ କେବେ ବି ପଡ଼ିବ ନାହିଁ! ପଡ଼ି ପାରିବ ନାହିଁ।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
    ଚକେଇସିହାଣି, ଭୁବନେଶ୍ୱର
    ମୋ-୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?