ନୂଆଦିଲ୍ଲୀ,୧୫।୮: ବିଶ୍ୱର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଠିକ୍ ବର୍ଷକ ତଳେ ଅର୍ଥାତ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କେବଳ ଏକ ଭିଡିଓ ଶେୟାର କରି ଚାଲି ଯାଇଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ। ଭିଡିଓରେ ଥିଲା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର କିଛି ଅଭୁଲା ଦୃଶ୍ୟ ସହିତ ‘ମେ ପଲ ଦୋ ପଲ କା ଶାୟର ହୁଁ’ ଗୀତ।
ଅବସର ଘୋଷଣା କରିବାର ବର୍ଷେ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ। ୨୦୧୯ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ଥିଲା ବ୍ଲୁ ଜର୍ସିରେ ଧୋନୀଙ୍କ ଅନ୍ତିମ ମ୍ୟାଚ୍। ୧୫ ବର୍ଷ ଧରି ଭାରତୀୟ କ୍ରିକେଟର ସେବା କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଖେଳିଥିଲେ ୩୫୦ ଦିନିକିଆ, ୯୦ ଟେଷ୍ଟ ଓ ୯୮ ଟି୨୦ ମ୍ୟାଚ୍। ମୋଟ ଉପରେ ୧୭,୨୬୬ ରନ୍ କରିଛନ୍ତି। ସେ ଅଧିନାୟକ ଥିବା ବେଳେ ଭାରତ ଟି୨୦ ବିଶ୍ୱକପ୍ (୨୦୦୭) ଓ ଦିନିକିଆ ବିଶ୍ୱକପ୍ (୨୦୧୧) ସହ ଆଇସିସି ଚାମ୍ପିୟନ୍ସ ଟ୍ରଫି (୨୦୧୩) ଜିତିଥିଲା। ସର୍ବାଧିକ ଷ୍ଟମ୍ପିଂ ଓ ଦ୍ରୁତତମ ଷ୍ଟମ୍ପିଂ ଭଳି ଅନେକ ରେକର୍ଡ ରହିଛି ଏହି ମହାନ ଅଧିନାୟକଙ୍କ ନାମରେ।