ପାଣି ଚୋରି

ପାଣିର ଅନ୍ୟ ନାମ ଜଳ। ଜଳ ବିନା ବଞ୍ଚିବା ଅସମ୍ଭବ। ପୃଥିବୀରେ ୩ ଭାଗ ଜଳ ଥିବାବେଳେ ୧ ଭାଗ ସ୍ଥଳ ରହିଛି। ତେବେ ଅନେକ ସମୟରେ ଜଳ ସଂକଟ ଦେଖାଯାଉଛି। କେତେକ ସ୍ଥାନରେ ଜଳର ଅଭାବ ଯୋଗଁୁ ଜୀବଜଗତ ବଞ୍ଚିରହିବା କଷ୍ଟକର ହୋଇଯାଉଛି। କେତେକ ସହର ତଥା ରାଜ୍ୟମାନଙ୍କରେ ଜଳସଂକଟରୁ ରକ୍ଷା ପାଇବାପାଇଁ ପଡ଼ୋଶୀ ରାଜ୍ୟରୁ ଜଳ କିଣା ଯାଉଛି। ଅନେକ ସମୟରେ ରାଜ୍ୟ ରାଜ୍ୟ ମଧ୍ୟରେ ଜଳକୁ ନେଇ ବିବାଦ ଲାଗିରହୁଛି। ବିଭିନ୍ନ ରାଜ୍ୟର ଶିଳ୍ପସଂସ୍ଥା ରାଜିନାମା ଖିଲାପକରି ପାଣି ଚୋରି କରୁଥିବାର ନଜରକୁ ଆସୁଛି।
ରାଜ୍ୟ ସରକାର ଶିଳ୍ପସଂସ୍ଥାଗୁଡ଼ିକୁ ସେମାନଙ୍କ ଚାହିଦା ମୁତାବକ ଜଳ ନେବାକୁ ଅନୁମତି ଦେଇଥାନ୍ତି। ଏହା ମଧ୍ୟ ଜଳସଂପଦ ବିଭାଗର ଧାର୍ଯ୍ୟନିୟମ ଅନୁଯାୟୀ, ଚୁକ୍ତିନାମା ଦ୍ୱାରା ଅନୁମୋଦିତ ହୋଇଥାଏ। କିନ୍ତୁ ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକ ଜଳକର ପୌଠ କରୁ ନ ଥିବା ବେଳେ ଚୁକ୍ତିନାମାଠାରୁ ବହୁମାତ୍ରାରେ ମନଇଚ୍ଛା ନଦୀ ଅବବାହିକାରୁ ଜଳ ଉଠାଉଛନ୍ତି। ଜଳଉଠାଣର ହିସାବ ପାଇଁ ଶିଳ୍ପସଂସ୍ଥା ପାଇଁ ଚୁକ୍ତନାମା ଅନୁଯାୟୀ ଫ୍ଲୋମିଟର ବାଧ୍ୟତାମୂଳକ ଥିବା ବେଳେ ଏହି ନିୟମକୁ ମଧ୍ୟ ମାନୁ ନାହାନ୍ତି। ଆମ ରାଜ୍ୟର ବ୍ରାହ୍ମଣୀ ଓ ମହାନଦୀ ମୁଖ୍ୟତଃ ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳଗୁଡ଼ିକୁ ଜଳ ଯୋଗାଣରେ ପ୍ରମୁଖ ଭୂମିକା ରଖୁଥିବା ବେଳେ ଏବେ ଏହିଦୁଇ ନଦୀ ସମେତ ରାଜ୍ୟର ୭ ନଦୀ ଜଳଚୋରିର ସର୍ବାଧିକ ଶିକାର ହୋଇଛନ୍ତି। ଏପରିସ୍ଥଳେ ବିନା ଫ୍ଲୋମିଟର ବ୍ୟବହାରରେ ମାତ୍ରାଧିକ ଜଳ ଉତ୍ତୋଳନ ଆଗାମୀ ଦିନରେ ଜଳକଷ୍ଟ ସହ ପରିବେଶୀୟ ସଂକଟ ଆଶଙ୍କାକୁ ଉଜ୍ଜୀବିତ କରିବା ସହ ପରିବେଶବିତ୍‌ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ମାତ୍ରାଧିକ ଜଳ ଉତ୍ତୋଳନ ଓ ଜଳଚୋରିକୁ ନେଇ ବିଭିନ୍ନ ମହଲରେ ଏକାଧିକବାର ଅଭିଯୋଗ, ଉଦ୍‌ବେଗ ପ୍ରକାଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ବ୍ୟାପି ଏହି ସାଂଘାତିକ ଜଳଚୋରି ସମ୍ପର୍କରେ ଅବଗତ ହେବା ପରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ୩୧ଟି ଜଳସଂପଦ ଡିଭିଜନକୁ ଚିଠି ଲେଖିଛନ୍ତି। ଯେଉଁମାନେ ଏପରି ଜଳଚୋରି କାର୍ଯ୍ୟରେ ଲିପ୍ତ ଏବଂ ଚୁକ୍ତିନାମାର ଅନୁପାଳନ କରୁନାହାନ୍ତି, ସେମାନଙ୍କଠାରୁ ୬ ଗୁଣା ଜରିମାନା ଆଦାୟ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଜଳସେଚନ ଆଇନ ଏବଂ ନିୟମ ୧୯୫୯ ଏବଂ ଓଡ଼ିଶା ଜଳସଂପଦ ନିୟମ ୧୯୬୧ ଅନୁଯାୟୀ ଶିଳ୍ପସଂସ୍ଥାମାନଙ୍କୁ ଚୁକ୍ତି ଅନୁଯାୟୀ ଜଳ ନେବାକୁ ଅନୁମତି ଦିଆଯାଏ। ଚୁକ୍ତି ଅନୁଯାୟୀ ଶିଳ୍ପସଂସ୍ଥାମାନେ ଜଳଉଠାଣ ପୂର୍ବରୁ ଉଠାଣ ସ୍ଥାନରେ ଫ୍ଲୋମିଟର ଲଗାଇବା ବାଧ୍ୟ । ଏହି ଫ୍ଲୋମିଟର ଲାଗିବା ଦ୍ୱାରା ଉକ୍ତସଂସ୍ଥା ଚୁକ୍ତି ମାତ୍ରା ଅନୁଯାୟୀ ଜଳ ଉଠାଉଛନ୍ତି କି ନାହଁି, ତାହା ଜଣାପଡ଼ିଥାଏ। ଯଦି ଚୁକ୍ତିଠାରୁ ଅଧିକ ଜଳ ନିଆଯାଏ, ତେବେ ୬ ଗୁଣ ଦଣ୍ଡ ସମାନ ଅର୍ଥ ମଧ୍ୟ ଉକ୍ତ ସଂସ୍ଥାଠାରୁ ଅସୁଲ କରାଯିବାର ପ୍ରାବଧାନ ରହିଛି। ଏପରି କି ୨୦୨୧ରେ ଜଳସଂପଦ ବିଭାଗ ସମସ୍ତ ଶିଳ୍ପକୁ ସେନ୍ସର ଭିତ୍ତିକ ଫ୍ଲୋମିଟର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏହାଦ୍ୱାରା ପ୍ରକୃତ ଜଳ ବ୍ୟବହାର ମାପି ହୋଇପାରିଥାନ୍ତା, ମାତ୍ର ତମାମ ନିର୍ଦ୍ଦେଶ, ଶିଳ୍ପସଂସ୍ଥାଙ୍କ ସହ ଚୁକ୍ତି ପରେ ମଧ୍ୟ ଏହି ନିୟମକୁ ସଂସ୍ଥାଗୁଡ଼ିକ ମାନୁ ନାହାନ୍ତି। ଚୁକ୍ତିନାମାଠାରୁ ସେମାନେ କେଇଗୁଣା ଅଧିକ ଜଳ ଉଠାଇ ନଦୀଗୁଡ଼ିକୁ ଶୋଷି ଚାଲିଛନ୍ତି।
ସରକାରଙ୍କଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ରାଜ୍ୟର ୭ଟି ନଦୀ ଅବବାହିକାରୁ ଶିଳ୍ପ ସଂସ୍ଥାମାନଙ୍କୁ ଜଳଉଠାଣର ଅନୁମତି ମିଳିଛି। ସେଗୁଡ଼ିକ ହେଲା ମହାନଦୀ, ବୌତରଣୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, କୋଲାବ, ନାଗାବଳୀ ଓ ଋଷିକୁଲ୍ୟା। ଏହି ନଦୀ ଅବବାହିକାରୁ କେତେ ଜଳ ଉତ୍ତୋଳନ କରାଯିବ, ତାହା ଜଳସଂପଦ ବିଭାଗ ସ୍ଥିର କରିଛି। ତେବେ ପ୍ରାୟ ୧୨୨ଟି ଶିଳ୍ପସଂସ୍ଥା, ଜଳ ଉଠାଇବାକୁ ସରକାରଙ୍କ ସହ ଚୁକ୍ତ କରିଥିଲେ ହେଁ, ସେମାନଙ୍କ ମଧ୍ୟରୁ କେତେକ ସଂସ୍ଥା ଆବଶ୍ୟକତାଠାରୁ ଅଧିକ ଜଳ ଉତ୍ତୋଳନ କରୁଥିବା ବିଭାଗର ଦୃଷ୍ଟିଗୋଚର ହୋଇଛି। ଶିଳ୍ପ ସଂସ୍ଥାଙ୍କ ଜଳ ଶୋଷଣ ଏଇଠି ସରୁନାହଁି। ରାଜ୍ୟର ପ୍ରାୟ ୫୭ଟି ଶିଳ୍ପ ସଂସ୍ଥା ଉପରେ ୫୮୯୦ କୋଟି ଟଙ୍କାର ଜଳକର ବକେୟା ରହିଥିବା ଜଣାପଡ଼ିଛି। ମାତ୍ର ସରକାର ଏହି ରାଶିକୁ ଆଦାୟ କରିପାରୁନାହାନ୍ତି ା ଗୋଟିଏ ପଟେ ଛତିଶଗଡ଼ ଉପରମୁଣ୍ଡରେ ବେଆଇନ ନିର୍ମାଣ କରିଚାଲିଥିବା ବେଳେ ମହାନଦୀ ଅବବାହିକାରେ ଜଳସ୍ତର ଲଗାତର ଭାବେ ହ୍ରାସ ପାଉଛି। ସେହିପରି ଅନ୍ୟ ନଦୀ ଅବବାହିକାରେ ମଧ୍ୟ କ୍ରମାଗତ ଭାବରେ ଜଳସ୍ତର ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ସମାନ ସମୟରେ ଶିଳ୍ପସଂସ୍ଥାଗୁଡ଼ିକ ମନଇଚ୍ଛା ଜଳ ଶୋଷଣ କରିବା ଆଗାମୀ ଦିନରେ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିପାରେ। ଏହାଦ୍ୱାରା କୃଷି, ମତ୍ସ୍ୟପାଳନ ସହ ପରିବେଶ ଉପରେ ସର୍ବାଧିକ କୁପ୍ରଭାବ ପଡ଼ିବାରେ ଆଶଙ୍କା ଥିବାରୁ ସରକାର ଏବେଠାରୁ ସମ୍ପୂର୍ଣ୍ଣ ସଜାଗ ହେବା ଆବଶ୍ୟକ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ:୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri