ସମାଜବାଦର ବିଜୟ

ଚଳିତ ମାସରେ ଆମେରିକାର ନ୍ୟୁୟର୍କ ସହରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଘଟଣା ସାମ୍ନାକୁ ଆସିଛି। ୩୩ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଜୋହରାନ୍‌ ମାମ୍‌ଦାନି ସହରର ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥତ୍ତ୍ୱ(ନୋମିନେଶନ) ହାସଲ କରିଛନ୍ତି। ଉକ୍ତ ନୋମିନେଶନ ହେଉଛି ଏକ ପ୍ରକାର ସେମିଫାଇନାଲ ମ୍ୟାଚ୍‌। କିନ୍ତୁ ନ୍ୟୁୟର୍କ ଡେମୋକ୍ରାଟିକ୍‌ ପାର୍ଟି ସମର୍ଥକଙ୍କ ସହର ହୋଇଥିବା ଯୋଗୁ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ନିର୍ବାଚନ ଦୌଡ଼ରେ ସେ ଆଗରେ ରହିଛନ୍ତି ଏବଂ ଜିତିବା ସମ୍ଭାବନା ମଧ୍ୟ ଅଛି। ଜୋହରାନ୍‌ ହେଉଛନ୍ତି ଜଣେ ଗୁଜରାଟୀ ମୁସଲମାନ ପରିବାରର ସଦସ୍ୟ। ତାଙ୍କ ପିତା ଜଣେ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ସେ ୧୧ ସେପ୍ଟେମ୍ବର ୨୦୦୧ ଆତଙ୍କବାଦୀ ଆକ୍ରମଣ ପରେ ‘ଗୁଡ୍‌ ମୁସ୍‌ଲିମ, ବ୍ୟାଡ୍‌ ମୁସ୍‌ଲିମ’ ପୁସ୍ତକ ଲେଖିଥିଲେ। ଜୋହରାନ୍‌ଙ୍କ ମା’ ହେଉଛନ୍ତି ‘ମନ୍‌ସୁନ୍‌ ଓ୍ବେଡିଂ’ ଏବଂ ‘ସଲାମ ବମ୍ବେ’ର ନିର୍ଦ୍ଦେଶିକା ମୀରା ନାୟାର। କିନ୍ତୁ ଜୋହରାନ୍‌ଙ୍କ ସଫଳତା ପଛରେ ଏହି ପାରିବାରିକ ପୃଷ୍ଟଭୂମି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ ତାଙ୍କ ପାର୍ଟିର ଟାଣୁଆ ସମର୍ଥକ ନୋ ଆଣ୍ଡ୍ର୍ୟୁ କ୍ୱୋମୋଙ୍କୁ ପରାସ୍ତ କରିଛନ୍ତି, ଯିଏ ନ୍ୟୁୟର୍କ ରାଜ୍ୟର ଗଭର୍ନର ଥିଲେ। ଜୋହରାନ୍‌ଙ୍କ ଏଭଳି ସଫଳତା ଗୁରୁତ୍ୱପୂର୍ଣ୍ଣ, କାରଣ ନ୍ୟୁୟର୍କ ମେୟରଙ୍କର ବହୁତ କ୍ଷମତା ଅଛି। ମେୟର ୧୦୦ ବିଲିୟନ ଡଲାରରୁ ଅଧିକ ବଜେଟର ତଦାରଖ କରିଥାନ୍ତି, ଯାହା ଅଧିକାଂଶ ଦେଶର ବଜେଟଠାରୁ ବେଶି। ବିଚାରପତି, ପୋଲିସ କମିଶନର ଏବଂ ସହରର ୪୦ରୁ ଊର୍ଦ୍ଧ୍ୱ ସଂସ୍ଥାର ମୁଖ୍ୟ, ବୋର୍ଡ ଓ କମିଶନଗୁଡ଼ିକର ସଦସ୍ୟଙ୍କୁ ମଧ୍ୟ ମେୟର ନିଯୁକ୍ତ କରନ୍ତି।
ଜୋହରାନ୍‌ଙ୍କ ସଫଳତା ପଛର ପ୍ରଥମ ବିଷୟ ହେଉଛି, ତାଙ୍କ ବିଚାରଧାରା ସମାଜବାଦ ଓ ନିଜକୁ ସମାଜବାଦୀ ଭାବେ ଉପସ୍ଥାପନ କରନ୍ତି। ଆମେରିକାରେ ଏହି ଶବ୍ଦକୁ କେହି ଗ୍ରହଣ କରନ୍ତି ନାହିଁ, କାରଣ ସାମ୍ୟବାଦ ବିରୋଧରେ ସମାଜବାଦର ଇତିହାସ ରହିଆସିଛି। କିନ୍ତୁ ଜୋହରାନ୍‌ ସମାଜବାଦର ସମର୍ଥକ ବୋଲି ଗର୍ବ କରନ୍ତି ଏବଂ ସେ ଶ୍ରମିକଶ୍ରେଣୀ ଓ ନ୍ୟୁୟର୍କ ପ୍ରବାସୀଙ୍କ ପ୍ରତିନିଧିତ୍ୱ କରିବା ପଇର୍ଁ ସେଠାରେ ଅଛନ୍ତି ବୋଲି କହନ୍ତି, କିନ୍ତୁ ଧନୀଙ୍କ ପାଇଁ ନୁହେଁ। ପ୍ରଚାର ବେଳେ କହିଥିଲେ, ଜଣେ ମେୟର ଭାବେ ସେ ୨୦ ଲକ୍ଷ ଘରର ଭଡ଼ା ବୃଦ୍ଧି ବନ୍ଦ କରିବେ, ସିଟି ବସ୍‌ଭଡ଼ା ଛାଡ଼ କରିବେ, ମାଗଣାରେ ଶିଶୁ ଯତ୍ନ (ସେବା) ଯୋଗାଇଦେବେ ଏବଂ ପରୀକ୍ଷା ଭିତ୍ତିରେ ରାଜ୍ୟ ଦ୍ୱାରା ନ୍ୟୁୟର୍କର ୫ଟି ସହରାଞ୍ଚଳରେ ଗୋଟିଏ ଲେଖା ଗ୍ରୋସେରି ଦୋକାନ ଆରମ୍ଭ କରିବେ। ଏହା ସମ୍ଭବତଃ ଆମ ଦେଶର ରାଶନ କେନ୍ଦ୍ର ଭଳି ଏବଂ ଏହାର ଲକ୍ଷ୍ୟ ରିହାତିରେ ଖାଦ୍ୟଶସ୍ୟ ଯୋଗାଇବା। ଆୟକର ସାମାନ୍ୟ ବୃଦ୍ଧିକରି ସେ ଏହା କରିବେ ବୋଲି କହିଛନ୍ତି, କିନ୍ତୁ ନ୍ୟୁୟର୍କରେ ବର୍ଷକୁ ୧ ମିଲିୟନ ଡଲାର (୮କୋଟି ଟଙ୍କାରୁ ବେଶି)ରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ କେବଳ ଏହି ଟିକସ ଲାଗୁହେବ। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଜୋହରାନ୍‌ଙ୍କ ପ୍ରଚାର ଶୈଳୀ। ପ୍ରାୟତଃ ଟିକ୍‌ଟକ୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମଡିଆରେ ସେ ପ୍ରଚାର କରିଥିଲେ। ନ୍ୟୁୟର୍କ ସହରର ସବୁଆଡ଼େ ବାସିନ୍ଦାଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ବିଷୟ ରହିଥିବା ଜୋହରାନ୍‌ଙ୍କ ଶର୍ଟ ଭିଡିଓଗୁଡ଼ିକ ତାଙ୍କୁ ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ଭାବେ ପ୍ରତିପାଦନ କରିଛି। ଦକ୍ଷିଣ ଏସିଆ ଓ ଲାଟିନ୍‌ ଆମେରିକୀୟଙ୍କୁ ସିଧାସଳଖ ହିନ୍ଦୀ, ସ୍ପାନିଶ୍‌ ଓ ବଙ୍ଗଳା ଭାଷାରେ ସ୍ପଷ୍ଟ ଭାବେ ଏଥିରେ ସମ୍ବୋଧିତ କରିଛନ୍ତି। ଆମେରିକାରେ ଥିବା ଅନ୍ୟ ଭାରତୀୟ ବଂଶୋଦ୍ଭବ ରାଜନୈତିକ ବ୍ୟକ୍ତିଙ୍କ ତୁଳନାରେ ଜୋହରାନ୍‌ ନିଜକୁ ଜଣେ ଦକ୍ଷିଣ ଏସୀୟ ବୋଲି ସାଧାରଣରେ ପ୍ରକାଶ କରିବାକୁ ଦ୍ୱିଧା ପ୍ରକାଶ କରିନାହାନ୍ତି।
ତୃତୀୟ ତଥା ଉଲ୍ଲେଖନୀୟ ବିଷୟ ହେଉଛି, ଜୋହରାନ୍‌ ପାଲେଷ୍ଟିନୀୟଙ୍କ ଅଧିକାର ପାଇଁ କହୁଥିବାବେଳେ ଇସ୍ରାଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରୁଛନ୍ତି। ଏପରିକି ନିର୍ବାଚନ ଦୌଡ଼ରେ ଜୋହରାନ୍‌ ତାଙ୍କର ଏଭଳି ଦୃଷ୍ଟିକୋଣକୁ କୋହଳ କରିବା କିମ୍ବା ସେଥିରୁ ପଛକୁ ହଟିବା ପାଇଁ ମନାକରିଦେବା ତାଙ୍କ ସାହସକୁ ଦର୍ଶାଏ। ବାସ୍ତବତା ହେଉଛି, ନ୍ୟୁୟର୍କ ଟାଇମ୍ସ ସମେତ ବହୁ ମିଡିଆ ଜୋହରାନ୍‌ଙ୍କୁ ଅନ୍ୟାୟଭାବେ ଭୟଙ୍କର ଆକ୍ରମଣ କରିବା ସତ୍ତ୍ୱେ ସେ ଆକର୍ଷଣୀୟ ବିଜୟ ହାସଲକଲେ। ଏହି ବିଜୟ ଦର୍ଶାଉଛି, ତାଙ୍କ ସାହସକୁ ନ୍ୟୁୟର୍କବାସୀ ସମ୍ମାନ ଦେଇଛନ୍ତି, ଗ୍ରହଣ ଓ ସମର୍ଥନ ମଧ୍ୟ କରିଛନ୍ତି। ତାଙ୍କ ସପକ୍ଷରେ ଏବେ କ୍ଲିଣ୍ଟନ୍‌, ବାଇଡେନ୍‌ କିମ୍ବା ଓବାମା ନାହାନ୍ତି, କାରଣ ଜୋହରାନ୍‌ ଯାହା କହୁଛନ୍ତି ଓ କରୁଛନ୍ତି ତାହାକୁ ସମର୍ଥନ କରିବାରେ ସେମାନଙ୍କର ଭୟ ରହିଛି। ଅତୀତରେ ବେର୍ନି ସାଣ୍ଡର୍ସଙ୍କ ଭଳି ଯେଉଁ ଡେମୋକ୍ରାଟ୍‌ମାନେ ସମାଜବାଦୀ ରାଜନୀତିକୁ ଉତ୍ସାହିତ କରିଛନ୍ତି, ସେମାନେ ପସନ୍ଦୀୟ ହେଲେ ମଧ୍ୟ ସେମାନଙ୍କ ବ୍ୟକ୍ତିତ୍ୱ ଗୌଣ ହୋଇଯିବା ଦେଖାଯାଇଛି। କିନ୍ତୁ ଜୋହରାନ୍‌ଙ୍କ ବ୍ୟକ୍ତିତ୍ୱ ନିଆରା। ତାଙ୍କ ବିଜୟ ସୂଚାଉଛି ଯେ, ତାଙ୍କ ପାର୍ଟି ତାଙ୍କଠାରୁ କିଛି ଶିକ୍ଷାକରିବା ଦରକାର, କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ଉତ୍‌ଥାନ ପରେ ଡେମୋକ୍ରାଟ୍‌ମାନେ ଅବ୍ୟବସ୍ଥିତ ହୋଇଯାଇଛନ୍ତି ଓ ଦ୍ୱନ୍ଦ୍ୱରେ ରହିଛନ୍ତି। ନିକଟରେ ରିପବ୍ଲିକାନ୍‌ମାନେ ସରକାରଙ୍କ ତିନୋଟି ଶାଖା ହ୍ବାଇଟ ହାଉସ, ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ ଏବଂ ସିନେଟ୍‌କୁ ନିୟନ୍ତ୍ରଣ କରିଛନ୍ତି। ଟ୍ରମ୍ପଙ୍କ ଅଧ୍ୟାୟକୁ ନେଇ ଡେମୋକ୍ରାଟ୍‌ଙ୍କ ପାଖରେ କୌଣସିି ଠୋସ୍‌ ଜବାବ ନାହିଁ। ତେବେ ଆମେରିକୀୟ ଶ୍ରମିକ ଶ୍ରେଣୀଙ୍କ ପାଇଁ ଜୋହରାନ୍‌ଙ୍କ ସଶକ୍ତ ଓ ସ୍ପଷ୍ଟ ନୀତିଗୁଡ଼ିକ କ୍ଷମତାକୁ ଫେରିବା ପାଇଁ ଡେମୋକ୍ରାଟ୍‌ଙ୍କୁ ଏକ ରାଷ୍ଟ୍ରୀୟ ମାର୍ଗ ଦେଖାଇଛି। ପ୍ରକୃତରେ ଗାଜାରେ ଜାରି ରହିଥିବା ଗଣହତ୍ୟା ଯୋଗୁ ପାଲେଷ୍ଟାଇନ୍‌ ଘଟଣା ଉପରେ ଅଧିକାଂଶ ଆମେରିକୀୟଙ୍କ ଦୃଷ୍ଟିକୋଣ ବଦଳିଯାଇଛି। ଡେମୋକ୍ରାଟିକ୍‌ ପାର୍ଟିରେ ସ୍ବର ନିଷ୍ପ୍ରଭ ହୋଇରହିଥିବା ଏହି ସଂଖ୍ୟାବହୁଳଙ୍କର ପ୍ରତିନିଧିତ୍ୱ କରିଛନ୍ତି ଜୋହରାନ୍‌। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯଦି ସେ ଜିତିବାକୁ ସକ୍ଷମ ହୁଅନ୍ତି ଏବଂ ପରେ କମ୍‌ ସମୟରେ ତାଙ୍କ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବାରେ ସକ୍ଷମ ହୁଅନ୍ତି, ତେବେ ତାଙ୍କ ଦଳ ତାଙ୍କ କଥାକୁ ବିଚାର କରିବ, ତାଙ୍କୁ ଅଧିକ ସମର୍ଥନ ଦେବ। ତେବେ ଆମେରିକାରେ ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟ୍‌ଙ୍କ ପାଖରେ ଏବେ ଜଣେ ଭାରତୀୟ ବା ଦେଶୀ ହିରୋ ଅଛନ୍ତି, ଯିଏ ସେମାନଙ୍କୁ ଶିକ୍ଷା ଦେବେ କେଉଁ ପ୍ରସଙ୍ଗରେ କେମିତି ଲଢ଼ିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri