ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ ଫାଙ୍କ ରହିଥାଏ। ଏହି ଫାଙ୍କ ହିଁ ଭୁଲ ବୁଝାମଣା, ଅବିଶ୍ୱାସ ଓ ସମ୍ପର୍କର ଦୁର୍ବଳତାର ମୂଳ କାରଣ। ଏହାର ଏକ ସରଳ ଉଦାହରଣ ହେଉଛି ବିବାହ ପ୍ରସ୍ତାବ। ଜଣେ ବ୍ୟକ୍ତି ବାରମ୍ବାର କହୁଥିଲେ, ମୁଁ କେବଳ ଭଲ ଗୁଣସମ୍ପନ୍ନ ଯୌଥ ପରିବାରର ଝିଅ ଚାହୁଁଛି। ଧନସମ୍ପତ୍ତି କିମ୍ବା ଯୌତୁକର ମୋ ପାଖରେ କୌଣସି ମୂଲ୍ୟ ନାହିଁ। ଆତ୍ମୀୟମାନେ ସେହି କଥାକୁ ବିଶ୍ୱାସ କରି ଅନେକ ଭଲ ପ୍ରସ୍ତାବ ଆଣିଲେ। କିନ୍ତୁ ସବୁ ପ୍ରତ୍ୟାଖ୍ୟାନ ହେଲା। ଶେଷରେ ବହୁ ସମ୍ପତ୍ତି ଓ ଅଧିକ ଯୌତୁକ ଥିବା ପ୍ରସ୍ତାବ ସହଜରେ ଗ୍ରହଣ କରାଗଲା। ପରେ ଯୁକ୍ତି ଦିଆଗଲା-ଆଜିକାଲି କାହାର ଚରିତ୍ର ବିଷୟରେ ନିଶ୍ଚିତ ହୋଇ କହିହେବ କି? ସମସ୍ୟା ମତ ପରିବର୍ତ୍ତନର ନୁହେଁ, ସମସ୍ୟା ହେଉଛି ଆରମ୍ଭରୁ ପ୍ରକୃତ ଅଗ୍ରାଧିକାରକୁ ଲୁଚାଇ ଅନ୍ୟ ଏକ ପ୍ରତିଛବି ଉପସ୍ଥାପନ କରିବା।
ଦୈନନ୍ଦିନ ଜୀବନରେ ମଧ୍ୟ ଏପରି ଘଟଣା ଅସଂଖ୍ୟ। ପରୀକ୍ଷାରେ କମ୍‌ ନମ୍ବର ପାଇଥିବା ପିଲାର ଅଭିଭାବକଙ୍କୁ କେହି ବ୍ୟଙ୍ଗ କରି କହନ୍ତି, ବାହ୍‌, ବହୁତ ଭଲ କରିଛ! ପୁଣି ଅତିଥି ଆପ୍ୟାୟନର ଆଶା ରଖି ମୁଁ କିଛି ଖାଇବି ନାହିଁ ବୋଲି କହନ୍ତି। ଏଠାରେ ଶବ୍ଦ ଓ ପ୍ରକୃତ ଇଚ୍ଛା ଏକ ନୁହେଁ।
ମନୋବିଜ୍ଞାନରେ ଏହାକୁ ଧାରଣା ପରିଚାଳନା (ଇମ୍ପ୍ରେଶନ ମ୍ୟାନେଜମେଣ୍ଟ) କୁହାଯାଏ। ଅର୍ଥାତ୍‌ ଅନ୍ୟମାନଙ୍କ ମନରେ ନିଜର ଏକ ଆକର୍ଷଣୀୟ କିମ୍ବା ନୈତିକ ପ୍ରତିଛବି ସୃଷ୍ଟି କରିବାର ସଚେତନ ପ୍ରୟାସ। ଏହା ସବୁବେଳେ ଖରାପ ନୁହେଁ। ସାମାଜିକ ଶିଷ୍ଟାଚାର, ବୃତ୍ତିଗତ ଆଚରଣ କିମ୍ବା ମର୍ଯ୍ୟାଦା ରକ୍ଷା ପାଇଁ ସମସ୍ତେ କିଛି ପରିମାଣରେ ନିଜକୁ ନିୟନ୍ତ୍ରଣ କରିଥାଉ। କିନ୍ତୁ ଯେତେବେଳେ ଏହା ସତ୍ୟକୁ ଆଚ୍ଛାଦିତ କରିବା କିମ୍ବା ପ୍ରକୃତ ଉଦ୍ଦେଶ୍ୟକୁ ଲୁଚାଇବାର ଉପାୟ ହୋଇଯାଏ, ସେତେବେଳେ ସମସ୍ୟା ଆରମ୍ଭ ହୁଏ।
ସୂଚନା-ପ୍ରଯୁକ୍ତି ଯୁଗରେ ଏହି ପ୍ରବୃତ୍ତି ଆହୁରି ବଢ଼ିଛି। ସାମାଜିକ ଗଣମାଧ୍ୟମ, ଜନସମ୍ପର୍କ ଓ ବ୍ୟକ୍ତିଗତ ବ୍ରାଣ୍ଡିଂର ପ୍ରଭାବରେ ଅନେକେ ପ୍ରକୃତ ଚରିତ୍ର ଗଢ଼ିବା ଅପେକ୍ଷା ଆକର୍ଷଣୀୟ ପ୍ରତିଛବି ଗଢ଼ିବାରେ ଅଧିକ ବ୍ୟସ୍ତ। ଫଳରେ ଶବ୍ଦ ଏକ ବାର୍ତ୍ତା ଦିଏ, କିନ୍ତୁ ଆଚରଣ ଅନ୍ୟ ବାର୍ତ୍ତା ପହଞ୍ଚାଏ। ରାଜନୀତିରେ ମଧ୍ୟ ନିର୍ବାଚନୀ ପ୍ରତିଶ୍ରୁତି ଓ ପରବର୍ତ୍ତୀ କାର୍ଯ୍ୟ ମଧ୍ୟରେ ଅସଙ୍ଗତି ଦେଖି ମତଦାତାମାନେ ପ୍ରାୟତଃ ନିଜକୁ ପ୍ରତାରିତ ବୋଲି ଅନୁଭବ କରନ୍ତି।
ଏହି ପରିପ୍ରେକ୍ଷୀରେ ଆଜିର ସମାଜର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଯୋଗାଯୋଗଗତ ସତ୍ୟନିଷ୍ଠା। ଏହାର ଅର୍ଥ, ଆମେ ଯାହା କହୁଛୁ, ପ୍ରକୃତରେ ସେହି ଅର୍ଥ ହିଁ ବୁଝାଉଛୁ କି ନାହିଁ। କଥା, ଉଦ୍ଦେଶ୍ୟ ଓ ଆଚରଣ ମଧ୍ୟରେ ସଙ୍ଗତି ହିଁ ସତ୍ୟନିଷ୍ଠ ଯୋଗାଯୋଗର ମୂଳ। ଆର୍ଥିକ ସତ୍ୟନିଷ୍ଠାର ଅର୍ଥ ହେଉଛି ଧନ କାରବାରରେ ସଚ୍ଚୋଟ ରହିବା। ସେହିପରି ଚରିତ୍ରଗତ ସତ୍ୟନିଷ୍ଠାର ଅର୍ଥ ହେଉଛି ଆମର ସାର୍ବଜନୀନ ଘୋଷଣା ଓ ବ୍ୟକ୍ତିଗତ ଆଚରଣ ମଧ୍ୟରେ ସଙ୍ଗତି ରହିବା। ଯଦି କେହି ମଞ୍ଚରେ ନାରୀ ସମ୍ମାନର କଥା କହନ୍ତି, କିନ୍ତୁ ବ୍ୟକ୍ତିଗତ ଜୀବନରେ ତାହାର ବିପରୀତ ଆଚରଣ କରନ୍ତି, ତେବେ ତାଙ୍କ କଥାର ବିଶ୍ୱସନୀୟତା ରହେ ନାହିଁ। ଅନେକ ସମୟରେ ଆମର କଥାବାର୍ତ୍ତା ବଡ଼ ବଡ଼ ଅକ୍ଷରରେ ଲେଖା ବିଜ୍ଞାପନ ପରି ହୋଇଥାଏ, ଯାହାର ପ୍ରକୃତ ସର୍ତ୍ତଗୁଡ଼ିକ ଛୋଟ ଅକ୍ଷରରେ ଲୁଚି ରହେ। ଶ୍ରୋତା ଶବ୍ଦକୁ ଶୁଣନ୍ତି, କିନ୍ତୁ ପ୍ରକୃତ ଅର୍ଥ ପରେ ସ୍ପଷ୍ଟ ହୁଏ। ସେଠାରୁ ଜନ୍ମ ନିଏ ଅବିଶ୍ୱାସ।
ସତ୍ୟର ଏକ ବିଶେଷ ଗୁଣ ଅଛି। ତାହାକୁ ବଞ୍ଚାଇ ରଖିବା ପାଇଁ ବାରମ୍ବାର ବ୍ୟାଖ୍ୟା ଦେବାକୁ ପଡ଼େନାହିଁ। କିନ୍ତୁ ଅସତ୍ୟକୁ ରକ୍ଷା କରିବା ପାଇଁ ନିରନ୍ତର ଯୁକ୍ତି, ବ୍ୟାଖ୍ୟା ଓ ଅଭିନୟର ଆବଶ୍ୟକତା ପଡ଼େ। ଯେଉଁଠାରେ ବ୍ୟାଖ୍ୟାର ପରିମାଣ ଅତ୍ୟଧିକ, ସେଠାରେ ଆତ୍ମପ୍ରବଞ୍ଚନାର ସମ୍ଭାବନା ବେଶି ଥାଏ।
ମନରେ ଯାହା ଚିନ୍ତା, ଆତ୍ମା ଯାହାକୁ ସତ୍ୟ ବୋଲି ସ୍ବୀକାର କରେ ଏବଂ ଆଚରଣ ଯାହାକୁ ପ୍ରକାଶ କରେ-ଏହି ତିନୋଟି ଯେତେବେଳେ ଏକ ସୁରରେ ବନ୍ଧା ରହେ, ସେତେବେଳେ ଯୋଗାଯୋଗ ବିଶ୍ୱସନୀୟ ହୁଏ। ପ୍ରଥମତଃ ସେହିପରି ଯୋଗାଯୋଗ ଭୁଲ ବୁଝାମଣା କମାଏ, ବିଶ୍ୱାସ ବଢ଼ାଏ, ସମ୍ପର୍କକୁ ମଜଭୁତ କରେ ଏବଂ ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ଦିଏ। ଦ୍ୱିତୀୟତଃ, ଏହା ବିଶ୍ୱାସ ସୃଷ୍ଟି କରେ। ଆପଣ ଯାହା କହୁଛନ୍ତି, ତାହା ହିଁ ଭାବୁଛନ୍ତି ଏବଂ ସେହି ଅନୁଯାୟୀ କାମ ମଧ୍ୟ କରୁଛନ୍ତି, ତେବେ ଅନ୍ୟମାନେ ଆପଣଙ୍କ ଉପରେ ଭରସା କରିବାକୁ ଆରମ୍ଭ କରନ୍ତି। ତୃତୀୟତଃ, ବକ୍ତା ନିଜେ ମଧ୍ୟ ମାନସିକ ଶାନ୍ତି ଅନୁଭବ କରନ୍ତି। ତାଙ୍କୁ ନିଜ କଥାକୁ ଲୁଚାଇବା, ବଦଳାଇବା କିମ୍ବା ବ୍ୟାଖ୍ୟା କରିବା ପାଇଁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ସତ୍ୟ ଓ ସ୍ପଷ୍ଟତା ସର୍ବଦା ମନକୁ ହାଲୁକା ରଖେ। ଚତୁର୍ଥତଃ, ଏହିପରି ଯୋଗାଯୋଗ ନେତୃତ୍ୱ, ପରିବାର, ମିତ୍ରତା ଏବଂ କାର୍ଯ୍ୟକ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ହୋଇଥାଏ। କାରଣ ଲୋକେ କେବଳ ଆପଣଙ୍କ ଶବ୍ଦକୁ ନୁହେଁ, ଆପଣଙ୍କ ଆନ୍ତରିକତାକୁ ମଧ୍ୟ ଅନୁଭବ କରନ୍ତି।
ଜଣେ ମହାତ୍ମାଙ୍କ ପାଖରେ ଏକ ଅମୂଲ୍ୟ ରତ୍ନ ଥିଲା। ଜଣେ ଧନୁର୍ଦ୍ଧର ଯୋଦ୍ଧା ରତ୍ନଟି ନ ଦେଲେ ହତ୍ୟା କରିବାର ଧମକ ଦେବାରୁ ମହାତ୍ମା ତାଙ୍କ କଥାର ଦୃଢ଼ତା ବୁଝି ରତ୍ନଟି ଦେଇଦେଲେ। ପରେ ଆଉ ଜଣେ ବ୍ୟକ୍ତି ସେହି କଥା କହିଲେ ମଧ୍ୟ ମହାତ୍ମା ତାଙ୍କ କଥାରେ ସତ୍ୟତା ଓ ସଙ୍କଳ୍ପ ନ ଦେଖି ରତ୍ନଟି ଦେଲେ ନାହିଁ। ଶିଷ୍ୟ ପଚାରିଲେ, ଉଭୟ ବ୍ୟକ୍ତି ଏକା କଥା କହିଥିଲେ, ତଥାପି ଜଣକୁ ରତ୍ନ ଦେଲେ ଓ ଅନ୍ୟଜଣକୁ କାହିଁକି ଦେଲେ ନାହିଁ। ମହାତ୍ମା କହିଲେ, ପ୍ରଥମ ବ୍ୟକ୍ତିଙ୍କ କଥା, ମନ ଓ କର୍ମରେ ଏକତା ଥିଲା, କିନ୍ତୁ ଦ୍ୱିତୀୟ ବ୍ୟକ୍ତିଙ୍କ କଥାରେ ସତ୍ୟତା ଓ ଦୃଢ଼ ସଙ୍କଳ୍ପ ନ ଥିଲା।
ଯୋଗାଯୋଗର ଶକ୍ତି କେବଳ ଶବ୍ଦରେ ନ ଥାଏ, ତାହା ନିର୍ଭର କରେ ଶବ୍ଦ ପଛରେ ଥିବା ମନ, ସଙ୍କଳ୍ପ ଓ ସତ୍ୟନିଷ୍ଠା ଉପରେ।

ଅମାତ୍ୟ କୁମାର ପ୍ରଧାନ
ସାଇବିହାର ସୁନ୍ଦରଗଡ଼
ମୋ: ୯୪୩୭୨୧୯୬୧୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?