ବୟନ ଶିଳ୍ପ-ଏକ ପୋଷଣୀୟ ସମ୍ଭାବନା

ଇଂ. ଶକ୍ତି ପ୍ରସାଦ ଦାସ

ନିକଟରେ କେନ୍ଦ୍ର କ୍ୟାବିନେଟ୍‌ ବୟନ ଶିଳ୍ପ କ୍ଷେତ୍ରରେ ଘରୋଇ ଉତ୍ପାଦନ ଓ ରପ୍ତାନି ବୃଦ୍ଧି କରିବା ଲକ୍ଷ୍ୟରେ ୧୦,୬୮୩ କୋଟି ଟଙ୍କା ମୂଲ୍ୟର ‘ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ’ (ପିଏଲ୍‌ଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଦେଶରେ ବୟନଶିଳ୍ପ କ୍ଷେତ୍ରରେ ଉଚ୍ଚ ମୂଲ୍ୟଯୁକ୍ତ ମାନବକୃତ ତନ୍ତୁ (ଏମ୍‌ଏମ୍‌ଏଫ୍‌)ର କପଡ଼ା, ବସ୍ତ୍ର ଓ ଟେକ୍ନିକାଲ ଟେକ୍ସଟାଇଲ ଉତ୍ପାଦନରେ ନୂଆ ନିବେଶକୁ ଏହା ଉତ୍ସାହିତ କରିବ। ଆକାଂକ୍ଷୀ ଜିଲା; ତୃତୀୟ ତଥା ଚତୁର୍ଥ ସ୍ତରୀୟ ସହର ଓ ଗ୍ରାମାଞ୍ଚଳରେ ନିବେଶ ପାଇଁ ଏହି ଯୋଜନା ମାଧ୍ୟମରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ଓଡ଼ିଶା କଥା ସ୍ବତଃ ମନକୁ ଆସୁଛି। ଓଡ଼ିଶାର ଅର୍ଥନୀତି ଆଉ କେତେଦିନ ସେହି ଖଣି ଖାଦାନ ଉପରେ ନିର୍ଭର କରି ଚାଲିଥିବ? ଉତ୍ତରାଧିକାର ସୂତ୍ରେ ପାଇଥିବା ସୀମିତ ଖଣିଜ ସମ୍ପଦର ବିକ୍ରିଲବ୍ଧ ଆୟକୁ ରାଜ୍ୟର ରାଜସ୍ବ ବା ଆୟ ବୋଲି ଭାବିବା ଭୁଲ୍‌। ରାଜ୍ୟର ଜମି, ଜଳ, ଜଙ୍ଗଲକୁ ଆଧାର କରି ରାଜ୍ୟ ଅର୍ଥନୀତିର ମଙ୍ଗ ବଦଳାଇବାକୁ ହେବ। କାରଣ, ଅଭିବୃଦ୍ଧିକୁ ପୋଷଣୀୟ କଲେ ପରବର୍ତ୍ତୀ ପିଢ଼ି ଏହାକୁ ଉପଭୋଗ କରିପାରିବେ।
ଦକ୍ଷତା ଅଭାବରୁ କୃଷିକ୍ଷେତ୍ର ଲାଭଜନକ ହେଉ ନ ଥିବାରୁ ବଳକା ଶ୍ରମବଳ ସେବା ଓ ଶିଳ୍ପ କ୍ଷେତ୍ର ଆଡ଼କୁ ମୁହଁାଇଛନ୍ତି। ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ଅର୍ଥ ବ୍ୟବସ୍ଥାର ଅନ୍ୟ ସବୁ କ୍ଷେତ୍ରକୁ କାର୍ଯ୍ୟ-ପ୍ରଭାବୀ କରିଥାଏ। ତେଣୁ, ଓଡ଼ିଶା ଭଳି ଏକ କୃଷି ଆଧାରିତ ଜନ-ଜୀବନକୁ ଧୀରେ ଧୀରେ ଶିଳ୍ପାଭିମୁଖୀ କରିବା ପାଇଁ ବୟନ ଶିଳ୍ପକୁ ଅଗ୍ରାଧିକାର ଦିଆଯାଇପାରେ। କାରଣ, ବୟନ ଶିଳ୍ପକୁ ଆମେ ପାରମ୍ପରିକ ଭାବରେ ଏକ କୃଷି ଆଧାରିତ ଶିଳ୍ପ ବୋଲି ଜାଣୁ।
ରାଜ୍ୟରେ ୧.୬୮ ଲକ୍ଷ ହେକ୍ଟର ଜମିରେ କପା ଚାଷ କରାଯାଇ ବାର୍ଷିକ ୪.୫୦ ଲକ୍ଷ ବେଲ୍‌ (ବେଲ୍‌ ପିଛା ୧୭୦ କେଜି) କପା ଉତ୍ପାଦନ ସହିତ ଦେଶରେ ଏକାଦଶ ସ୍ଥାନରେ ରହିଛି ଓଡ଼ିଶା। କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନୂଆପଡ଼ା, ସୋନପୁର, ଗଜପତି ଓ ବୌଦ୍ଧ ଜିଲାରେ କପା ଚାଷ କରାଯାଉଛି I
ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଯାଜପୁର ପରି ଉପକୂଳବର୍ତ୍ତୀ ଜିଲାରେ ୧୯୭୦ରୁ ୧୯୯୫ ମଧ୍ୟରେ ପ୍ରାୟ ୨୦ଲକ୍ଷ ହେକ୍ଟର ଝୋଟ ଚାଷ କରାଯାଉଥିବାବେଳେ, ଚାହିଦା ଅଭାବରୁ ୨୦୧୮-୧୯ ସୁଦ୍ଧା ଏହା ହ୍ରାସ ପାଇ ୪ ଲକ୍ଷ ହେକ୍ଟରରେ ପହଞ୍ଚତ୍ଛି I ପାରାଦୀପସ୍ଥିତ ଆଇଓସିଏଲ୍‌ର ପଲିପ୍ରୋପିଲିନ କାରଖାନାରୁ ସମ୍ଭାବିତ ମାନବକୃତ ତନ୍ତୁ (ଏମ୍‌ଏମ୍‌ଏଫ୍‌) ଓଡ଼ିଶାରେ ବୟନ ଶିଳ୍ପକୁ ଆଗକୁ ନେବାରେ ବେଶ୍‌ ଅନୁକୂଳ ସାବ୍ୟସ୍ତ ହେବ।
ଉଭୟ ଘରୋଇ ଓ ରପ୍ତାନି କ୍ଷେତ୍ରକୁ ହିସାବକୁ ନେଲେ ବୟନ ଓ ପୋଷାକ ଶିଳ୍ପ ଦେଶର ଜିଡିପିରେ ୫.୧୪ ପ୍ରତିଶତ ଯୋଗଦାନ କରୁଥିବାର ଜଣାଯାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୃଷି କ୍ଷେତ୍ର ପରେ ବୟନ ଶିଳ୍ପ, ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୧୦୫ ନିୟୁତ ଲୋକଙ୍କୁ ରୋଜଗାର ଯୋଗାଇ ଦେଇ ଦେଶରେ ଦ୍ୱିତୀୟ ବୃହତ୍ତମ ନିଯୁକ୍ତିଦାତା ଭାବରେ ପରିଗଣିତ ହେଉଛି। ଅତଏବ, ରାଜ୍ୟକୁ ଶିଳ୍ପୋନ୍ନତ କରିବା ଓ ରୋଜଗାର ଉପଲବ୍ଧ କରାଇବାରେ ବୟନ ଶିଳ୍ପକୁ ବ୍ୟବହାର କରାଯାଇ ପାରିଲେ ଆମ ଯୁବଗୋଷ୍ଠୀଙ୍କୁ ଆଉ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ନାଟକ ଭଳି ରାଜ୍ୟକୁ ଯିବାକୁ ପଡ଼ନ୍ତା ନାହିଁ। କେବଳ ଗଞ୍ଜାମ ଜିଲାରୁ ସୁରଟ ସୂତାକଳଗୁଡିକରେ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ କାମ କରୁଥିବାର ଜଣାଯାଏ।
ବିଧିର ବିଡ଼ମ୍ବନା, ଆମ ରାଜ୍ୟର ବୟନ ଶିଳ୍ପ କେବଳ ପରମ୍ପରାଗତ ହସ୍ତତନ୍ତ କାରିଗରି ମଧ୍ୟରେ ସୀମିତ ରହିଯାଇଛି। ରାଜ୍ୟରେ ବୃହଦାକାରରେ ରୋଜଗାର ସୃଷ୍ଟି କରିବାକୁ ହେଲେ କେବଳ ହିତାଧିକାରୀ କଲ୍ୟାଣ-ଅଭିମୁଖୀ ନୀତିରୁ ଊର୍ଦ୍ଧ୍ୱକୁ ଉଠିବାକୁ ହେବ। ରାଜ୍ୟରେ ବୟନଶିଳ୍ପକୁ ଆଗେଇ ନେବାରେ ବାଧକ ସାଜୁଥିବା କାରଣଗୁଡିକ ଖୋଜି ଏସବୁର ସମାଧାନ କରିବାକୁ ହେବ।
ଶିଳ୍ପାୟନ ବାବଦରେ ରାଜ୍ୟ ସମ୍ମୁଖୀନ ହେଉଥିବା ଦୁଇଟି ପ୍ରମୁଖ ଆହ୍ବାନ ହେଉଛି ଖଣି ଓ ଖଣିଜ କ୍ଷେତ୍ର ବ୍ୟତିରେକେ ରାଜ୍ୟରେ ଉପଲବ୍ଧ ଅନ୍ୟାନ୍ୟ ବ୍ୟବସାୟିକ ସୁବିଧା ସୁଯୋଗ ବାବଦରେ ନିବେଶକଙ୍କ ମଧ୍ୟରେ ସଚେତନତାର ଅଭାବ ଏବଂ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିଷୟରେ ଜ୍ଞାନର ଅଭାବ।
ରାଜ୍ୟ ସରକାରଙ୍କ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ ଏ ଦିଗରେ ଏକ ଭଲ ଉଦ୍ୟମ। ଏହାକୁ କେତେ ଆନ୍ତରିକତାର ସହ ଅନୁସରଣ କରାଯାଉଛି, ତାହା ଉପରେ ସବୁ କିଛି ନିର୍ଭର କରୁଛି। ଖୋଲା ପୁଞ୍ଜି ନିବେଶ ଓ ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆମନ୍ତ୍ରଣ କରି ଉପଲବ୍ଧ ଶ୍ରମବଳ ମଧ୍ୟରେ କୌଶଳ ଓ ସମ୍ଭାବନାକୁ ବ୍ୟାଖ୍ୟାନ କରି ବୈଶ୍ୱିକ ଧାରାରେ ବୟନ ଶିଳ୍ପ କ୍ଷେତ୍ରରେ ଆଧୁନିକ ବିନିର୍ମାଣ କ୍ଷେତ୍ର ଗଢ଼ି ତୋଳିବାକୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ସରକାରଙ୍କ ଧ୍ୟେୟ ହେବା ଜରୁରୀ।
ଦେଖାଯାଏ, କେନ୍ଦ୍ର ସରକାରଙ୍କ ପିଏଲ୍‌ଆଇ ଭଳି ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ସବୁର ସିଂହଭାଗ ଲାଭ କେବଳ ଗୁଜରାଟ, ମହାରାଷ୍ଟ୍ର ଭଳି ଶିଳ୍ପୋନ୍ନତ ରାଜ୍ୟଗୁଡ଼ିକ ହାତେଇ ନେଉଛନ୍ତି। ଆମ ରାଜ୍ୟର କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନୂଆପଡ଼ା ଓ ଗଜପତି ପରି ଆକାଂକ୍ଷୀ ଜିଲାଗୁଡ଼ିକରେ ବୟନ ଶିଳ୍ପରେ ଅଧିକ ନିବେଶ ପାଇଁ ସ୍ଥାନୀୟ ତଥା ଜାତୀୟ ବାଣିଜି୍ୟକ ସଂସ୍ଥାଗୁଡ଼ିକ ସହିତ ସକ୍ରିୟ ଭାବରେ ଜଡ଼ିତ ରହି ବଜାର ସୁବିଧାକୁ ସୁଗମ କରିବାରେ ସରକାରଙ୍କୁ ସହାୟତାର ହାତ ବଢ଼ାଇବା ଆବଶ୍ୟକ। ବୟନ ଶିଳ୍ପ ପାଇଁ ଆବଶ୍ୟକ ବିଭିନ୍ନ କଞ୍ଚାମାଲର ସ୍ଥାନୀୟ ଉତ୍ପାଦନଠାରୁ ଆରମ୍ଭ କରି ବିଦ୍ୟୁତ୍‌ଶକ୍ତି, ଜଳ, ରାସ୍ତାଘାଟ, ବନ୍ଦର ଭଳି ଢାଞ୍ଚାଗତ ସୁବିଧାର ସୁବନ୍ଦୋବସ୍ତ ମିଶନ ଢଙ୍ଗରେ ଉପଲବ୍ଧ କରାଇପାରିଲେ ଆମେ ମଧ୍ୟ ଲାଭ ଉଠାଇ ପାରିବା।
ଜଳସେଚନ ଅଭାବରୁ କପାକୁ କେବଳ ବର୍ଷାଦିନିଆ ଫସଲ ଭାବରେ ଚାଷ କରାଯାଉଛି। କମ୍‌ ସାର ଓ ଖତ ବ୍ୟବହାର ହେତୁ ଉତ୍ପାଦକତା ବଢୁନାହିଁ। ସଂରକ୍ଷଣ ଗୋଦାମ ଅଭାବରୁ ଚାଷୀ ସ୍ବଳ୍ପ ମୂଲ୍ୟରେ କପା ବିକ୍ରି କରିବାକୁ ବାଧ୍ୟ ହେଉଛି I ରାଜ୍ୟରେ ଆବଶ୍ୟକ ଗିନିଂ ମିଲ, କପା ମଞ୍ଜି ତୈଳ ନିଷ୍କାସନ ମିଲ ଓ ସ୍ପିନିଂ ମିଲ୍‌ ଅଭାବରୁ ଉତ୍ପାଦିତ କପା ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଭଳି ରାଜ୍ୟରେ ଗିନିଂ ଓ ସ୍ପିନିଂ କରାଯାଉଛି। ଅର୍ଥାତ୍‌ ଆମ ଚାଷୀ ଅଧିକ ଲାଭ ଉଠାଇ ପାରୁନାହିଁ। ତେଣୁ, ରାଜ୍ୟ ମଧ୍ୟରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରି ଏ ସବୁ ସୁବିଧା ସୁଯୋଗର ବନ୍ଦୋବସ୍ତ କରିବାର ଅଛି।
ଆଜିର ଉପଭୋକ୍ତା ଉନ୍ମୁଖୀ ବଜାର ବ୍ୟବସ୍ଥାରେ ମୂଲ୍ୟ-ଶୃଙ୍ଖଳକୁ ସମ୍ପୂର୍ଣ୍ଣ କରିବା ଦିଗରେ ‘ପୋଷାକ ତିଆରି ଶିଳ୍ପ’ ଉଜ୍ଜ୍ୱଳ ସମ୍ଭାବନା ରଖେ। ବିନିଯୋଗ ହେଉଥିବା ପ୍ରତି କୋଟିଏ ଟଙ୍କାରେ ସିଲେଇ, ଫିନିଶିଂ ଓ ପ୍ୟାକିଂ ବାବଦରେ ପ୍ରାୟ ଶହେଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ। ଏହା ଛଡ଼ା ପ୍ରିଣ୍ଟିଂ, ଏମ୍ବ୍ରୋଡରି, ୱାଶିଂ ଓ ସଜେଇ ଇତ୍ୟାଦିରେ ମଧ୍ୟ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ। ତେଣୁ ‘ପୋଷାକ ତିଆରି ଶିଳ୍ପ’ ପାଇଁ ରାଜ୍ୟରେ ଅଗ୍ରାଧିକାର ଭିତ୍ତିରେ ଘରୋଇ ପୁଞ୍ଜି ନିବେଶକୁ ଆମନ୍ତ୍ରଣ କରିବାର ଅଛି I ଅବଶ୍ୟ, ଆଦିତ୍ୟ ବିର୍ଲା ଫ୍ୟାଶନ, ସାହି ଏକ୍ସପୋର୍ଟ ଭଳି କିଛି କମ୍ପାନୀ ସେମାନଙ୍କର କାରଖାନା ଓଡ଼ିଶାରେ ବସାଇଥିବାର ଜଣାଯାଏ I ଏହି ଧାରାକୁ ବଳବତ୍ତର କରିବାକୁ ପଡ଼ିବ।
ଭାରତରେ ମାନବକୃତ ତନ୍ତୁ ଓ ସୂତାର ଉପଲବ୍ଧତା ସତ୍ତ୍ୱେ ଗୁଣାତ୍ମକ ମାନର ଏମ୍‌ଏମ୍‌ଏଫ୍‌ କପଡ଼ା ପର୍ଯ୍ୟାପ୍ତ ଭାବରେ ଉତ୍ପାଦିତ ହେଉନାହିଁ। ଆଜିର ଦିନରେ ଦେଶରେ ଉତ୍ପାଦିତ ଏମ୍‌ଏମ୍‌ଏଫ୍‌ ଆଧାରିତ ପୋଷାକ, ମୋଟ ପୋଷାକ ଉତ୍ପାଦନର ମାତ୍ର ୨୦% ରହିଛି। ଆଜିକାଲି ‘ଟେକ୍ନିକାଲ ଟେକ୍ସଟାଇଲ’କୁ ନୂତନ ଯୁଗରେ ବୟନ ଶିଳ୍ପ ବୋଲି କୁହାଯାଉଛି। ଏହାର ପ୍ରୟୋଗ ଭିତ୍ତିଭୂମି, ଜଳ, ସ୍ବାସ୍ଥ୍ୟ, ପ୍ରତିରକ୍ଷା, ସୁରକ୍ଷା, ଅଟୋମୋବାଇଲ, ବିମାନ ଚଳାଚଳ ଇତ୍ୟାଦି କ୍ଷେତ୍ରରେ ଖୁବ୍‌ ପ୍ରଭାବୀ ରହିଛି।
ଭଦ୍ରକ ଜିଲାର ଧାମନଗରଠାରେ ଶହେ ଏକର ପରିମିତ ଅଞ୍ଚଳରେ ଆଇଓସିଏଲ ଏକ ‘ଟେକ୍ନିକାଲ୍‌ ଟେକ୍ସଟାଇଲ ପାର୍କ’ ସ୍ଥାପନ କରିବାକୁ ଯାଉଥିବା ଖବର ନିଶ୍ଚୟ ସ୍ବାଗତଯୋଗ୍ୟ। ଏସବୁ କ୍ଷେତ୍ରରେ ଅର୍ଥନୀତିର ଦକ୍ଷତା ବୃଦ୍ଧି କରିବାରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ କେନ୍ଦ୍ର ସରକାରଙ୍କ ସାମ୍ପ୍ରତିକ ପିଏଲ୍‌ଆଇ ଯୋଜନା ସହାୟକ ହେବ ବୋଲି ଆଶା କରାଯାଏ।
ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ଏକ ଶିଳ୍ପାଭିମୁଖୀ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ। ଅନ୍ୟଥା, ‘ପଟାଟୋ ମିଶନ’ରୁ କୋଲ୍ଡ ଷ୍ଟୋରେଜ୍‌ ଯୋଜନାର ଦୟନୀୟ ଅବସ୍ଥା ଭଳି ବୟନ ଶିଳ୍ପର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯିବାକୁ ଅଧିକ ସମୟ ଲାଗିବ ନାହିଁ। ଓଡ଼ିଶା ସରକାରଙ୍କ ‘ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ- ୨୦୧୫’ ଏବଂ ‘ଓଡ଼ିଶା ଆପାରେଲ ପଲିସି-୨୦୧୬’ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ବୟନ ଶିଳ୍ପ ଓ ପୋଷାକ ଶିଳ୍ପକୁ ରାଜ୍ୟରେ ଆଗେଇ ନେବ ବୋଲି ଆଶା କରିବା।
ବୟନ ଶିଳ୍ପ କେବଳ ରୋଜଗାର ଓ ସମ୍ପଦ ବୃଦ୍ଧିର ସମ୍ଭାବନା ସୃଷ୍ଟି କରୁନାହିଁ, ଓଡ଼ିଶାର ସମୃଦ୍ଧ ଐତିହ୍ୟର ପ୍ରତୀକ ଭାବରେ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଏକ ପୋଷଣୀୟ ଅଭିବୃଦ୍ଧିକୁ ଆଗେଇ ନେବାରେ ସାଧନର ଅଭାବ ନାହିଁ। ଯାହା ଅଭାବ ରହିଛି, ତାହା ହେଉଛି ରାଜନୈତିକ ଇଚ୍ଛାଶକ୍ତି ଓ ଆମର ଉଦ୍‌ଯୋଗୀ ପ୍ରବୃତ୍ତି। ମାନସିକତାରେ ପରିବର୍ତ୍ତନ ଆସିଲେ, ଦେଶ ବିଦେଶରୁ ନିବେଶକଙ୍କର ଲମ୍ବା ଧାଡ଼ି ଲାଗିବ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri