ଗ୍ରହ ଗଣିତ ଓ ସାମନ୍ତଙ୍କ ସୂକ୍ଷ୍ମ ସିଦ୍ଧାନ୍ତ

ଡ. ପ୍ରଫୁଲ୍ଲ କୁମାର ସାହୁ

ଜ୍ଞାନର ଅନ୍ବେଷଣରେ ସମୃଦ୍ଧ ହୁଏ ବିଜ୍ଞାନ। ବିଜ୍ଞାନ ଜଗତରେ ଠିକଣା ସମୟରେ ଜଣେ ଜଣେ ଯୁଗସ୍ରଷ୍ଟା ବୈଜ୍ଞାନିକଙ୍କର ଆବିର୍ଭାବ ଘଟେ, ଯେଉଁମାନଙ୍କ ଆମତ୍ ଅବବୋଧ ଓ ସାଧନା ବଳରେ ପ୍ରତିଷ୍ଠା ଲଭେ ନୂଆ ନୂଆ ତଥ୍ୟ ଓ ତତ୍ତ୍ୱ। ଏହାଦ୍ୱାରା ମଣିଷର ଚେତନାରେ ଆସେ କ୍ରାନ୍ତିର ଉତ୍ତରଣ। ସଂପ୍ରତି ଜ୍ୟୋତିର୍ବିଜ୍ଞାନର ଅଗ୍ରଗତି ସହିତ ଅତି ଉନ୍ନତ ଧରଣର ଆଲୋକୀୟ ତଥା ବେତାର ଦୂରବୀକ୍ଷକ ନିର୍ମାଣ ଏବଂ ଅଭିକ୍ରିୟାମତ୍କ ଗବେଷଣାର ଚରମ ପାରଦର୍ଶିତା ଯୋଗୁ ନୂଆ ନୂଆ ଗ୍ରହ ନକ୍ଷତ୍ର ଚିହ୍ନଟ କରିବା କ୍ଷେତ୍ରରେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ମିଳିଛି ଚରମ ସଫଳତା। ମାତ୍ର ଊନବିଂଶ ଶତାବ୍ଦୀରେ ଦୂରବୀକ୍ଷଣ ଆଦି ଯନ୍ତ୍ରର ବିନା ଉପଯୋଗରେ ସାମନ୍ତ ଚନ୍ଦ୍ରଶେଖର ଯେଉଁ ଗ୍ରହ ଗଣିତ କଷିଥିଲେ, ସେମିତି ନିର୍ଭୁଲ୍‌ ଗଣିତ ସାରା ପୃଥିବୀରେ କେହି କଷି ନାହାନ୍ତି ଆଜି ପର୍ଯ୍ୟନ୍ତ।
ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିତ୍‌ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ସାମନ୍ତ ହରିଚନ୍ଦନ ମହାପାତ୍ର। ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ସମଗ୍ର ବିଶ୍ୱ ପାଇଁ ଚିର ବନ୍ଦନୀୟ। ନିର୍ମଳ ବ୍ୟକ୍ତିତ୍ୱର ଏହି ନିଦା ମଣିଷ ଜଣକ ଆଜକୁ ଠିକ୍‌ ୧୮୫ ବର୍ଷ ପୂର୍ବରୁ (୧୩ା୧୨ା୧୮୩୫) ଜନ୍ମ ଗ୍ରହଣ କରିଥିଲେ ଆମ ଉତ୍କଳ ଭୂଖଣ୍ଡର ଅରଣ୍ୟଘେରା ଖଣ୍ଡପଡ଼ା ରାଜବଂଶରେ। ପିତା ଶ୍ୟାମବନ୍ଧୁ ସିଂହ ଅପର୍ତ୍ତିଆ ପୁତ୍ରକୁ (ବଞ୍ଚତ୍ବାର ଆଶା ନ ଥିବା) ଜଣେ ମୁସଲମାନ ଫକିର ହାତରେ ଟେକି ଦେଇଥିବାରୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ପଠାଣି ସାମନ୍ତ। ପିଲାଟିଦିନରୁ ସେ ଥିଲେ ଏକାଗ୍ରଚିତ୍ତ, ଅଧ୍ୟବସାୟୀ ଓ ଉଦାରଚେତା। କୃତିବାସ ରଥ ଓ ଆନନ୍ଦ ଖାଡ଼ାଙ୍ଗାଙ୍କ ପାଖରୁ ବାଲ୍ୟଶିକ୍ଷା ଗ୍ରହଣ କରିବା ସମୟରୁ ତୁଳସୀ ଦୁଇ ପତ୍ରରୁ ବାସିବା ପରି ମିଳିଥିଲା ତାଙ୍କ ଅସାଧାରଣ ପ୍ରତିଭାର ପରିଚୟ। ଗଣିତ ଜ୍ୟୋତିଷ ସମ୍ପର୍କରେ ଅଧିକରୁ ଅଧିକ ଜାଣିବାର ଆଗ୍ରହ ନେଇ ସେ କିଶୋର ବୟସ (୧୪ ବର୍ଷ)ରୁ ବରାହ ମିହିର, ବ୍ରହ୍ମଗୁପ୍ତ ଓ ଭାସ୍କରାଚାର୍ଯ୍ୟଙ୍କ ପରି ପ୍ରଖ୍ୟାତ ଜ୍ୟୋତିର୍ବିତ୍‌ମାନଙ୍କ ସିଦ୍ଧାନ୍ତକୁ ପଢ଼ିବା ସହିତ ଆରମ୍ଭ କରି ଦେଇଥିଲେ ତା’ର ପ୍ରାୟୋଗିକ ଅନୁଶୀଳନ। ନିଜ ଘର ଅଗଣାରେ ବସି ସେ କେବେ ନିର୍ମଳ ଆକାଶର ଚନ୍ଦ୍ର, ତାରା ଓ ଗ୍ରହମାନଙ୍କୁ ଅନୁଧ୍ୟାନ କରୁଥିଲେ ତ ଆଉ କେବେ ଘର ଚାଳରେ କଣା କରି ଛୋଟ ଛୋଟ ବାଉଁଶ ନଳୀ ସାହାଯ୍ୟରେ ଧ୍ରୁବତାରା, ସପ୍ତର୍ଷି ମଣ୍ଡଳର ଗତି ଓ ସ୍ଥିତିକୁ ଆକଳନ କରୁଥିଲେ ରାତି ରାତି ବିନିଦ୍ର ହୋଇ। ବିନା ଦୂରବୀକ୍ଷଣ ଯନ୍ତ୍ରରେ ଗ୍ରହ ନକ୍ଷତ୍ରମାନଙ୍କୁ ନିରୀକ୍ଷଣ କରି ତଥ୍ୟ ସଂଗ୍ରହ କରିବା ପାଇଁ ସେ ନିଜ ହାତରେ ନିର୍ମାଣ କରିଥିଲେ ଗୋଲଯନ୍ତ୍ର, ମାନଯନ୍ତ୍ର, ଅନ୍ତଯନ୍ତ୍ର, ଶଙ୍କୁ, ସୂର୍ଯ୍ୟ ଘଡ଼ି, ଚାପ ଯନ୍ତ୍ର, ଗୋଲାର୍ଦ୍ଧ ଯନ୍ତ୍ର, ଉଲମ୍ବୀ ଚକ୍ର ଆଦି ଅତି ସରଳ ଯନ୍ତ୍ର। ଦୁଇ ଖଣ୍ଡ ପ୍ରଲମ୍ବିତ ଯଷ୍ଟି ନିର୍ମିତ ମାନଯନ୍ତ୍ର ସାହାଯ୍ୟରେ ସେ ମାପି ପାରୁଥିଲେ ପାହାଡ଼ର ଦୂରତ୍ୱ ଓ ଉଚ୍ଚତା। ଗୋଲଯନ୍ତ୍ର ସାହାଯ୍ୟରେ ନିରୂପଣ କରୁଥିଲେ ଆକାଶ ମଣ୍ଡଳରେ ଗ୍ରହ ନକ୍ଷତ୍ରଙ୍କ ଗତି ଓ ସ୍ଥିତି। ଭୂମି ଉପରେ ଲମ୍ବ ଭାବେ ଦଣ୍ଡାୟମାନ ଖଣ୍ଡେ ଯଷ୍ଟି ବା ଶଙ୍କୁ ଯନ୍ତ୍ର ଦ୍ୱାରା ସେ ନିର୍ଣ୍ଣୟ କରୁଥିଲେ ଯେ କୌଣସି ସ୍ଥାନର ଦିଗ ଓ ଅକ୍ଷାଂଶ। କାଠ, ବେତ, କାଠପଟା ଓ ବାଉଁଶନଳୀ ଆଦିରେ ତିଆରି ଏହି ସରଳ ଯନ୍ତ୍ରଗୁଡ଼ିକୁ ବର୍ତ୍ତମାନ ସମୟରେ ହୁଏତ ଯନ୍ତ୍ର ବୋଲି ସ୍ବୀକାର କରିବା କଷ୍ଟକର ହୋଇପାରେ, ମାତ୍ର ଗ୍ରହ ଗଣିତ କଷିବାରେ ତା’ର ବୁଦ୍ଧିଦୀପ୍ତ ନିର୍ମାଣ କୌଶଳ ଥିଲା ବିଶ୍ୱର ବିସ୍ମୟ।
ଏହି ସରଳ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ସେ ଯେତେବେଳେ ଯେଉଁ ତଥ୍ୟ ସଂଗ୍ରହ କରୁଥିଲେ ତାକୁ ତାଳପତ୍ର ପୋଥି ପୃଷ୍ଠାରେ ସାଇତି ରଖୁଥିଲେ କୋଟିନିଧି ପାଇଲା ପରି। ଏମିତି ବର୍ଷ ବର୍ଷ (୨୩ ବର୍ଷ)ର ସାଧନାଲବ୍‌ଧ ତଥ୍ୟକୁ ସେ ସଂସ୍କୃତ ଭାଷାରେ ଲିପିବଦ୍ଧ କରି ତା’ର ନାମ ଦେଲେ ‘ସିଦ୍ଧାନ୍ତ ଦର୍ପଣ’। ଗ୍ରହ ଗଣିତର ଏହି ବିପୁଳ ପରିପାଟୀ କେବଳ ଭାରତୀୟ ସିଦ୍ଧାନ୍ତ ଜ୍ୟୋତିଶ୍ଚର୍ଚ୍ଚାର ଏକ ସନ୍ତକ ନୁହେଁ, ବରଂ ପୃଥିବୀର ଏକ ଅଦ୍ୱିତୀୟ ଗ୍ରନ୍ଥ। ବିଶିଷ୍ଟ ସାହିତି୍ୟକ ହରପ୍ରସାଦ ଦାସଙ୍କ ଭାଷାରେ- ସିଦ୍ଧାନ୍ତ ଦର୍ପଣ ଏକାଧାରରେ ଗୋଟିଏ ସଂସ୍କୃତ ଭକ୍ତି କାବ୍ୟ, ତତ୍ତ୍ୱଗ୍ରନ୍ଥ ଓ ଜ୍ୟୋତିଷ ଶାସ୍ତ୍ର। ପ୍ରାଚ୍ୟ ବୌଦ୍ଧିକ ସଂସ୍କାରର ଏକ ଆର୍ଯ୍ୟ ପ୍ରକରଣ। ବୈଦିକ ବୌଦ୍ଧିକ ପରମ୍ପରା ପ୍ରବାହରେ ସିଦ୍ଧ ଏକ ଅନନ୍ୟ ଭାରତୀୟ ଜ୍ଞାନସୂତ୍ର।
ପଠାଣି ସାମନ୍ତ ହିଁ ବିଶ୍ୱର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ, ଯିଏ ମିନିଟ୍‌ ଓ ସେକେଣ୍ଡ ପର୍ଯ୍ୟନ୍ତ ଗଣନା କରି ନିର୍ଣ୍ଣୟ କରିପାରିଥିଲେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣର ନିର୍ଦ୍ଦିଷ୍ଟ ସମୟ। ତାଙ୍କ ସମୟରେ ପ୍ରଚଳିତ ପାଞ୍ଜିଗୁଡ଼ିକ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି ସମ୍ପର୍କରେ ନିର୍ଭୁଲ୍‌ ସୂଚନା ମିଳୁ ନ ଥିଲା କି ଠିକ୍‌ ଭାବରେ ସ୍ଥିର ହୋଇ ପାରୁ ନ ଥିଲା ତିଥି ବାର ଓ ପର୍ବପର୍ବାଣି। ପଠାଣି ସାମନ୍ତ ନିଜର ମୌଳିକ ଗଣନା ବଳରେ ଏହି ତ୍ରୁଟିକୁ ସୁଧାରିବା ସହିତ ପ୍ରସ୍ତୁତ କଲେ ଏକ ନିର୍ଭୁଲ୍‌ ପଞ୍ଜିକା। ଏହି ପଞ୍ଜିକା ଅନୁସାରେ ଶ୍ରୀଜଗନ୍ନାଥଙ୍କ ସମସ୍ତ ରୀତି ନୀତି ଓ ପର୍ବପର୍ବାଣି ସମ୍ପାଦନ ପାଇଁ ପଣ୍ଡିତ ସଭାରେ ଗୃହୀତ ହେଲା ଏବଂ ତାହା ୧୮୭୬ ମସିହାରୁ ଚଳି ଆସୁଛି ଆଜି ପର୍ଯ୍ୟନ୍ତ। ସିଦ୍ଧାନ୍ତ ଦର୍ପଣ ରଚନା ପରେ ପଠାଣି ସାମନ୍ତଙ୍କୁ ପ୍ରଥମେ ‘ହରିଚନ୍ଦନ ମହାପାତ୍ର’ ଉପାଧିରେ ଭୂଷିତ କଲେ (୧୮୭୦) ତତ୍‌କାଳୀନ ପୁରୀର ଗଜପତି ରାଜା। ମାତ୍ର ପରିତାପର ବିଷୟ ସିଦ୍ଧାନ୍ତ ଦର୍ପଣ ଲେଖା ସରିବାର (୧୮୬୯) ପ୍ରାୟ ତିିନି ଦଶନ୍ଧି ପର୍ଯ୍ୟନ୍ତ ତାହା ମୁଦ୍ରଣ ରୂପ ନେଇପାରି ନ ଥିଲା ସାମନ୍ତଙ୍କ ଆର୍ଥିକ ଦୁଃସ୍ଥିତି ପାଇଁ। ଫଳରେ ଏଭଳି ଏକ ମୂଲ୍ୟବାନ୍‌ ଗ୍ରନ୍ଥ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଥିଲା ପାଖାପାଖି ତିନି ଦଶନ୍ଧି ପର୍ଯ୍ୟନ୍ତ। ସଂଯୋଗ ବଶତଃ ପଠାଣି ସାମନ୍ତଙ୍କ ସହିତ ରେଭେନ୍ସା କଲେଜର ତତ୍କାଳୀନ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାୟବାହାଦୁର ଆଚାର୍ଯ୍ୟ ଯୋଗେଶଚନ୍ଦ୍ର ଆଚାର୍ଯ୍ୟଙ୍କ ସାକ୍ଷାତ ହେଲା ପରେ ଏ ଦିଗରେ ପ୍ରକାଶ ପାଇଲା ତତ୍ପରତା। ସିଦ୍ଧାନ୍ତ ଦର୍ପଣ ପଢ଼ି ବିସ୍ମିତ ହୋଇଗଲେ ଯୋଗେଶ ଚନ୍ଦ୍ର ରାୟ। ଓଡ଼ିଶା ମାଟିରେ ଯେ ଏମିତି ବୈଜ୍ଞାନିକ ଅଛନ୍ତି, ତାହା ଥିଲା ତାଙ୍କ ଧାରଣା ବାହାରେ। ତେଣୁ ସିଦ୍ଧାନ୍ତ ଦର୍ପଣକୁ ଲୋକଲୋଚନକୁ ଆଣିବା ପାଇଁ ସେ ତତ୍କାଳ କଲିକତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ ଚନ୍ଦ୍ର ନ୍ୟାୟାରତ୍ନଙ୍କ ସହିତ ଯୋଗାଯୋଗ କରିବା ସହ ଦିନରେ ସମୟ ନିରୂପଣ ପାଇଁ ପଠାଣି ସାମନ୍ତ ଯେଉଁ ସୂର୍ଯ୍ୟ ଘଡ଼ିଟି ଉଦ୍ଭାବନ କରିଥିଲେ, ତାହାକୁ ସେ ସ୍ଥାପନା କରିଦେଲେ ରେଭେନ୍ସା କଲେଜ ପ୍ରାଙ୍ଗଣରେ। ତତ୍କାଳୀନ କରଦରାଜ୍ୟ ସମୂହର ସରକାରୀ ସୁପରିଣ୍ଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକର ରାଜା ମହେନ୍ଦ୍ର ଦେବ ଓ ମୟୂରଭଞ୍ଜର ମହାରାଜ ଶ୍ରୀରାମଚନ୍ଦ୍ର ଦେବଙ୍କ ଆର୍ଥିକ ସହାୟତା କ୍ରମେ କଲିକତାସ୍ଥ ଗିରୀଶ ବିଦ୍ୟାରନତ୍ ମୁଦ୍ରଣାଳୟରେ ଆରମ୍ଭ ହେଲା (୧୮୯୪) ସିଦ୍ଧାନ୍ତ ଦର୍ପଣର ଛାପା କାର୍ଯ୍ୟ। ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ମାନାର୍ଥେ ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ (୩.୬.୧୮୯୩) ଭୂଷିତ କରିଥିଲେ ବ୍ରିଟିଶ ସରକାର। ଦୀର୍ଘ ୫ ବର୍ଷ ପରେ (୧୮୯୯) ‘ସିଦ୍ଧାନ୍ତ ଦର୍ପଣ’ର ଛାପା କାର୍ଯ୍ୟ ସରିଲା ଏବଂ ଏହି ୩୫୦ ପୃଷ୍ଠା ବିଶିଷ୍ଟ ପୁସ୍ତକରେ ଇଂଲିଶ ଭାଷାରେ ୫୮ ପୃଷ୍ଠା ସମ୍ବଳିତ ଏକ ମୁଖବନ୍ଧ ଲେଖିଲେ ଯୋଗେଶ ଚନ୍ଦ୍ର ରାୟ। ପ୍ରକାଶ ପାଇବାର ଅଳ୍ପଦିନ ମଧ୍ୟରେ ସିଦ୍ଧାନ୍ତ ଦର୍ପଣ ପହଞ୍ଚତ୍ଗଲା ଜର୍ମାନ, ଇଂଲଣ୍ଡ, ଫ୍ରାନ୍ସ ଓ ଆମେରିକା ଆଦି ବିଭିନ୍ନ ଦେଶରେ। ସବୁଠି ମିଳିଲା ଉଚ୍ଚ ପ୍ରଶଂସା। ବିଶେଷକରି ଇଂଲଣ୍ଡରୁ ପ୍ରକାଶିତ ‘ନେଚର’ ଓ ଆମେରିକାରୁ ପ୍ରକାଶିତ ‘ନଲେଜ୍‌’ ନାମକ ପତ୍ରିକାରେ ସିଦ୍ଧାନ୍ତ ଦର୍ପଣ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରବନ୍ଧ ପ୍ରକାଶ ପାଇବା ପରେ ଚମତ୍କୃତ ହେଲା ସମଗ୍ର ବିଶ୍ୱ। ସବୁଆଡ଼େ ସେହି ଗୋଟିଏ ପ୍ରଶ୍ନ- କିଏ ସେହି ଚନ୍ଦ୍ରଶେଖର ? କେଉଁ ଦେଶର ଲୋକ ? ସେହି ବାଟ ଦେଇ ଓଡ଼ିଶା ପାଇଥିଲା ପ୍ରଥମ ପରିଚୟ। ନଅଙ୍କ ଦୁର୍ଭିକ୍ଷ ବେଳେ ଗୋରା ସାହେବମାନେ ଯେଉଁ ଓଡ଼ିଶାର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ଅନଭିଜ୍ଞ ଥିଲେ, ସେହି ଓଡ଼ିଶାକୁ ବିଶ୍ୱ ସମୁଦାୟ ଆଗରେ ପ୍ରଥମେ ଚିହ୍ନେଇଲେ ପଠାଣି ସାମନ୍ତ। ବିଶ୍ୱର ବିଭିନ୍ନ ଆଡୁ ତାଙ୍କ ପାଖକୁ ଛୁଟିଲା ପ୍ରଶଂସାର ସୁଅ। ମାତ୍ର ସେ ପର୍ଯ୍ୟନ୍ତ ତାଙ୍କୁ ଠିକ୍‌ ଭାବରେ ଚିହ୍ନିପାରି ନ ଥିଲା ଉତ୍କଳ ଭୂଖଣ୍ଡ। ସେଥିପାଇଁ ଖୁବ୍‌ କ୍ଷୋଭରେ ରାଧାନାଥ ଲେଖିଥିଲେ- ‘ଦୂରେ ଦେଖି ତୁମ ଦିବ୍ୟ ଜ୍ୟୋତି ରାଶି, ଚିହ୍ନିଲେ ତୁମ୍ଭଙ୍କୁ ଦୂର ଦେଶବାସୀ। ମାତ୍ର ଉତ୍କଳରେ ଜଣେ କେହି ନାହିଁ, ମୁନୀନ୍ଦ୍ର ତୁମ୍ଭର ହେବ ଗୁଣଗ୍ରାହୀ।
ପଠାଣି ସାମନ୍ତଙ୍କ ବ୍ୟକ୍ତିତ୍ୱର ମୌଳିକ ପିଣ୍ଡ ଥିଲା ଆଧ୍ୟାତ୍ମ ଭାବନା। ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ। ଜଗନ୍ନାଥଙ୍କ ବନ୍ଦନାରୁ ସେ ତାଙ୍କର ଅମୂଲ୍ୟ ଗ୍ରନ୍ଥ ‘ସିଦ୍ଧାନ୍ତ ଦର୍ପଣ’ ଆରମ୍ଭ କରିଛନ୍ତି ଏବଂ ଶେଷରେ ଗ୍ରନ୍ଥଟିକୁ ସମର୍ପଣ କରିଛନ୍ତି ମହାପ୍ରଭୁଙ୍କ ଚରଣାରବିନ୍ଦରେ। ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଚନ୍ଦ୍ରଶେଖର ନୀଳାଚଳ ଧାମକୁ ଯାଇ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ (୧୧ା୬ା୧୯୦୪) ଜଗନ୍ନାଥଙ୍କର ନୀଳଚକ୍ରକୁ ଚାହିଁ ଚାହିଁ।
ସାମନ୍ତଙ୍କ ସ୍ମୃତିରକ୍ଷା ପାଇଁ ଓଡ଼ିଶାର ପ୍ରଥମ ପ୍ଲାନେଟାରିୟମ୍‌ ନାମିତ କରାଯାଇଛି ପଠାଣି ସାମନ୍ତ ପ୍ଳାନେଟାରିୟମ୍‌ ନାମରେ। ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାରେ ତାଙ୍କ ନାମରେ ପ୍ରତିଷ୍ଠା କରାଯାଇଛି ମିଉଜିୟମ୍‌। ତାଙ୍କ ସମ୍ମାନାର୍ଥେ ଭାରତ ବାସୀଙ୍କ ଦ୍ୱାରା ପ୍ରଚଳନ କରିଛନ୍ତି ସ୍ବତନ୍ତ୍ର ଡାକ ଟିକେଟ। ବଡ଼ ବଡ଼ ବୈଜ୍ଞାନିକମାନଙ୍କୁ ଉଚ୍ଚତର ଗବେଷଣା ପାଇଁ ପ୍ରତିବର୍ଷ ଦିଆଯାଉଛି ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର। ମାତ୍ର ସବୁ ସତ୍ତ୍ୱେ ବି ବିଡ଼ମ୍ବନାର ବିଷୟ ହେଉଛି ତାଙ୍କ ରଚିତ ଅମୂଲ୍ୟଗ୍ରନ୍ଥକୁ ସାଇତି ରଖିବା କ୍ଷେତ୍ରରେ ପ୍ରକାଶ ପାଉନି ତପତ୍ରତା।
କିନ୍ତୁ ଏ କଥା ସତ୍ୟ ଯେ ‘ସିଦ୍ଧାନ୍ତ ଦର୍ପଣ’ ପରି ଅମର କୃତିକୁ ଯେତେ ଅବହେଳା କଲେ ମଧ୍ୟ ତାହା ଅମର ହୋଇ ରହିବ କାଳ କାଳ ପାଇଁ। ସେଥିପାଇଁ ରାଧାନାଥ ଲେଖିଛନ୍ତି – ସିଦ୍ଧାନ୍ତ ଦର୍ପଣ ହେବନାହିଁ କ୍ଷୟ / ନର ଦେହେ ଥିବ ଯାବତ ହୃଦୟ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?