ନବୀନ ପଟ୍ଟନାୟକ- କେବଳ ଏକ ନାମ ନୁହେଁ,
ବରଂ ଅନନ୍ୟ ସଫଳତାର ଏକ ବିରଳ କାହାଣୀ।

ଏକ ଦୁର୍ବାର ରାଜନୈତିକ ଅଭିଯାନ। ସେ ଅଭିଯାନ ଯେତିକି ରୋମାଞ୍ଚକର, ସେତିକି ଉଦ୍‌ବୋଧନୀୟ। ରାଜନୀତିରେ ରୁଚି ନ ଥାଇ ମଧ୍ୟ ଓଡ଼ିଶାବାସୀଙ୍କ ଶ୍ରଦ୍ଧା, ଆଗ୍ରହ ଓ ଅନୁରୋଧକୁ ଏଡ଼ି ନ ପାରି ସେ ରାଜନୀତି କ୍ଷେତ୍ରକୁ ଆସିଥିଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ(୧୯୯୭) ପରେ। କଳା ସାହିତ୍ୟର ପରିଚୟ ଓ ପ୍ରତିଷ୍ଠା ଭିତରୁ ବାହାରି ପ୍ରଥମେ ଉପନିର୍ବାଚନରେ ଜିତି କେନ୍ଦ୍ରମନ୍ତ୍ରୀ (୧୯୯୮) ଏବଂ ତା’ର ଦୁଇ ବର୍ଷ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ଶପଥ ନେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେତେବେଳେ ରାଜନୈତିକ ଅଭିଜ୍ଞତା ନ ଥିଲା ସତ, କିନ୍ତୁ ଥିଲା ନିଷ୍କଳଙ୍କ ବ୍ୟକ୍ତିତ୍ୱ ଓ ବୁଦ୍ଧିଦୀପ୍ତ ସ୍ଥିତପ୍ରଜ୍ଞତା। ନିଜର ନିଷ୍ଠାପର ଉଦ୍ୟମ ବଳରେ ଓଡ଼ିଶାର ବିକାଶ କ୍ରମରେ ଯୋଡ଼ିଚାଲିଲେ ସଫଳତାର ନୂଆ ନୂଆ ଫର୍ଦ୍ଦ। ଓଡ଼ିଶା ରାଜନୀତିକୁ ପ୍ରବେଶ କରିବାର ବର୍ଷ କେଇଟା ମଧ୍ୟରେ ସେ ଲୋକଙ୍କ ବିଶ୍ବାସ ଓ ଭରସାକୁ ଜିଣି ହାସଲ କଲେ ଜଣେ ଅପ୍ରତିଦ୍ବନ୍ଦ୍ୱୀ ନେତାର ପରିଚୟ ଓ ପ୍ରତିଷ୍ଠା।
ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଲା ବେଳକୁ (୨୦୦୦) ପ୍ରଳୟଙ୍କରୀ ମହାବାତ୍ୟା(୧୯୯୯)ର ତାଣ୍ଡବରେ ଭାଙ୍ଗିଯାଇଥିଲା ଓଡ଼ିଶାର ମେରୁଦଣ୍ଡ। ରାଜ୍ୟର ଆର୍ଥିକ ସ୍ଥିତି ଏମିତି ଦେବାଳିଆ ଅବସ୍ଥାରେ ଥିଲା ଯେ ଉନ୍ନୟନ କାର୍ଯ୍ୟ ତ ଦୂରର କଥା, କର୍ମଚାରୀଙ୍କୁ ଦରମା ଦେବା ପାଇଁ ବି ରାଜକୋଷରେ ନ ଥିଲା ଅର୍ଥ। ଏଭଳି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ କଠୋର ଆର୍ଥିକ ଶୃଙ୍ଖଳା ଭିତରେ ଅତିବାହିତ ହୋଇଥିଲା ତାଙ୍କର ପ୍ରଥମ ପାଳି ଶାସନ ଅବଧି। ଦୀର୍ଘ ପାଞ୍ଚ ବର୍ଷର ନିରବଚ୍ଛିନ୍ନ ପ୍ରୟାସ ଫଳରେ କ୍ରମଶଃ ବଦଳିବାକୁ ଲାଗିଲା ସ୍ଥିତି। ଦ୍ବିତୀୟ ପାଳି ଆରମ୍ଭରୁ ରାଜସ୍ବ ଆୟ ବୃଦ୍ଧି ସାଙ୍ଗକୁ ନିୟନ୍ତ୍ରଣକୁ ଆସିଲା ବିତ୍ତୀୟ ନିଅଣ୍ଟ। ଧୀରେ ଧୀରେ ତ୍ୱରାନ୍ବିତ ହେବାକୁ ଲାଗିଲା ଉନ୍ନୟନ କାର୍ଯ୍ୟ।
ସେତେବେଳକୁ ଏକ ଲମ୍ବା ସମୟ ଧରି ଓଡ଼ିଶା ମଥାରେ ଲାଗିଥିଲା ଗୋଟେ ଅନାହାର ମୃତ୍ୟୁପ୍ରବଣ ରାଜ୍ୟର ମୋହର। ଦାରିଦ୍ର୍ୟ ଓ ଅନଗ୍ରସରତା ପାଇଁ ବିଶ୍ବ ଦରବାରରେ ବାରମ୍ବାର ନିନ୍ଦିତ ହେଉଥିଲା ଓଡ଼ିଶା। ଖାଦ୍ୟାଭାବର ଏଭଳି ଦୟନୀୟ ଚିତ୍ରକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଣୟନ କଲେ ଏକ ଯୁଗାନ୍ତକାରୀ ଯୋଜନା। କ୍ଷୁଧାର୍ତ୍ତ ଓ ଅନାହାର ପୀଡ଼ିତଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇଦେଇ ସାରା ଦେଶରେ ସୃଷ୍ଟି କଲେ ଉଦାହରଣ। ତାଙ୍କର ଏହି କଲ୍ୟାଣକାରୀ ଯୋଜନାକୁ ଅନୁସରଣ କରି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ପ୍ରଣୟନ କଲେ ଖାଦ୍ୟ ସୁରକ୍ଷା (୨୦୧୩) ଆଇନ।
ଏକ କୃଷି ପ୍ରଧାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କୃଷି ଓ କୃଷକର ଉନ୍ନତିକୁ ଅଗ୍ରାଧିକାର ଦେଇ ସେ ପ୍ରସ୍ତୁତ କଲେ ସ୍ବତନ୍ତ୍ର କୃଷି ବଜେଟ। କୃଷି ସହିତ ଜଳସେଚନ, ମତ୍ସ୍ୟଚାଷ, ପଶୁପାଳନ ଓ ସମବାୟ ଆଦି କ୍ଷେତ୍ରକୁ ନେଇ ଗଠନ ହେଲା କୃଷି କ୍ୟାବିନେଟ। ଧୀରେ ଧୀରେ ବଢ଼ିଲା କୃଷି ଉତ୍ପାଦନ। କ୍ରମାଗତ ଭାବେ ରାଜ୍ୟକୁ ମିଳିଲା କୃଷି କର୍ମଣ ପୁରସ୍କାର। କୃଷକର ଆୟ ବୃଦ୍ଧି ତଥା ଜୀବିକା ନିର୍ବାହ ନିମନ୍ତେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଲା କାଳିଆ ଯୋଜନା। ସାମଗ୍ରିକ ଭାବେ କୃଷି କ୍ଷେତ୍ରରେ ତିଆରି ହେଲା ବିକାଶର ନୂଆ ନକ୍ସା। ୧୯୯୯-୨୦୦୦ ସାମାଜିକ ଓ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୬୫.୫୮ ଲକ୍ଷ ହେକ୍ଟର ଚାଷଜମି ଥିଲା ଏବଂ ସେଥି ମଧ୍ୟରୁ ୨୪.୮୫ ଲକ୍ଷ ହେକ୍ଟର ଜମିଥିଲା ଜଳସେଚିତ। ସରକାର ଜଳସେଚନ ଉପରେ ଗୁରୁତ୍ୱ ଦେବା ଫଳରେ ୨୦୨୦-୨୧ ବେଳକୁ ଜଳସେଚିତ ଜମିର ପରିମାଣ ବୃଦ୍ଧିପାଇ ହେଲା ୪୨.୫୧ଲକ୍ଷ ହେକ୍ଟର।
ରାଜ୍ୟରେ ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ପାଖାପାଖି ଏକ ଚତୁର୍ଥାଂଶ। ସେମାନଙ୍କ ଉନ୍ନତି ବିନା ରାଜ୍ୟର ବିକାଶ ଅସମ୍ଭବ। ଏକଥା ଉପଲବ୍ଧି କରି ଜନଜାତିର ବିକାଶ ଦିଗରେ ବିଶେଷ ଧ୍ୟାନ ଦେବା କାରଣରୁ ୯ ଆଦିବାସୀ ବହୁଳ ଜିଲାରେ ଗଠନ ହେଲା ସ୍ବତନ୍ତ୍ର ବିକାଶ ପରିଷଦ। ତାକୁ ସାମ୍ବିଧାନିକ ମାନ୍ୟତା ମିଳିବା ସହିତ ଜନଜାତି ଉନ୍ନତି ପାଇଁ ମଞ୍ଜୁର ହେଲା ସ୍ବତନ୍ତ୍ର ଅର୍ଥ ରାଶି। ଗାନ୍ଧିଜୀ କହୁଥିଲେ, ନାରୀ ସଶକ୍ତ ନ ହେଲେ ଆଗକୁ ଯାଇପାରିବନି ଦେଶ। ତେଣୁ ନାରୀମାନେ କେମିତି ଆତ୍ମନିର୍ଭରଶୀଳ ଓ ଶୋଷଣମୁକ୍ତ ହୋଇ ସ୍ବାଧୀନ ଓ ନିର୍ଭୀକ ଭାବରେ ଜୀବନ ଧାରଣ କରିବେ,ତାହା ସୁନିଶ୍ଚିତ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ସେଥିପାଇଁ ବିଜୁବାବୁଙ୍କ ସ୍ଲୋଗାନ ଥିଲା ଗାଁକୁ କାମ ଓ ମାଆକୁ ସମ୍ମାନ। ଏହି ନୀତିକୁ ଅବଲମ୍ବନ କରି ନବୀନବାବୁ ଆରମ୍ଭ କଲେ ମିଶନ ଶକ୍ତି ପ୍ରକଳ୍ପ (୨୦୦୧)। ଏଥିରେ ସାମିଲ ହେଲେ ୭୦ଲକ୍ଷରୁ ଅଧିକ ମହିଳା। ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ବିନା ସୁଧରେ ଯୋଗାଇ ଦିଆଗଲା ଋଣ। ରାଜନୀତି କ୍ଷେତ୍ରରେ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ପଞ୍ଚାୟତ ଓ ପୌର ସଂସ୍ଥାରେ ରହିଲା ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା। ୫୦ ପ୍ରତିଶତ ଗାଁର ବିକାଶ ଦାୟିତ୍ୱ ମହିଳାଙ୍କ ହାତରେ ରହିବା ସାଙ୍ଗକୁ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ମହିଳାଙ୍କ ପାଇଁ ରହିଛି ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା। ଏହି ଦୃଷ୍ଟିରୁ ବିଚାର କଲେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଏବେ ଯେକୌଣସି ରାଜ୍ୟଠାରୁ ଆଗରେ।
ବିପଦ ବେଳେ ଜଣାପଡ଼େ ନେତୃତ୍ୱର ଅସଲ ପରାକାଷ୍ଠା। ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ତା’ର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇଲିନ(୨୦୧୩) ହେଉ କି ହୁଡ୍‌ହୁଡ୍‌(୨୦୧୪) ସବୁ କ୍ଷେତ୍ରରେ ଜିରୋ କାଜୁଆଲିଟି ଘୋଷଣା କରି କ୍ଷୟକ୍ଷତିକୁ ରୋକିଛନ୍ତି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ବଳରେ।
ଲୋକଙ୍କ ଧନଜୀବନ ରକ୍ଷାକରି ସାରା ଦେଶକୁ ବିପର୍ଯ୍ୟୟ ମୁକାବିଲାର ବାଟ ଦେଖାଇଛି ଓଡ଼ିଶା।
ବିଶେଷକରି ମହାମାରୀ କରୋନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳି ଥିଲା ସବୁଠାରୁ ସଂଘର୍ଷପୂର୍ଣ୍ଣ। ‘ଅର୍ଥନୀତି ନୁହେଁ, ଜୀବନ ବଡ଼’-ଏହି ବିଚାରଧାରା ନେଇ ସେ ଲୋକଙ୍କ ସହଯୋଗ କ୍ରମେ କରୋନା ସହିତ ଲଢ଼ିଲେ ଯୋଜନାବଦ୍ଧ ଲଢ଼େଇ। ସଂକ୍ରମଣ ସାଂଘାତିକ ହେବା ପୂର୍ବରୁ ସବୁ ଜିଲାରେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ପ୍ରମାଣ କଲେ ନିଜର ପ୍ରତିବଦ୍ଧତା। କରୋନା ଭୟଙ୍କର ସଂକ୍ରମଣ ବେଳେ ସ୍ଥିତିକୁ ଅଧିକ ଗମ୍ଭୀର କରି ଦେଇଥିଲା ଅମ୍ଳଜାନ ସଙ୍କଟ। ଡାକ୍ତରଖାନାରେ ଅମ୍ଳଜାନ ସିଲିଣ୍ଡର ଅଭାବ କାରଣରୁ ବିଭିନ୍ନ ରାଜ୍ୟରେ ପ୍ରତିଦିନ ମୃତ୍ୟୁବରଣ କରୁଥିଲେ ଅନେକ ହଜାର ରୋଗୀ। ଏତିକିବେଳେ ବିଭିନ୍ନ ରାଜ୍ୟକୁ ଓଡ଼ିଶା ଯୋଗାଇଥିଲା ଜୀବନ ସଞ୍ଜୀବନୀ ଅମ୍ଳଜାନ। ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ବେଦନା ପାଇଁ ସାରା ଦେଶରୁ ଅଜାଡ଼ି ହୋଇ ପଡ଼ିଥିଲା ଅଜସ୍ର ପ୍ରଶଂସା। ବସ୍ତୁତଃ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କେବଳ ଦେଶରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏକ ମଡେଲ ହୋଇ ଉଭା ହୋଇଛି ଓଡ଼ିଶା।
କ୍ରୀଡ଼ା ଯୁବପିଢ଼ିଙ୍କ ଭବିଷ୍ୟତ। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ଭିତ୍ତିଭୂମିର ବିକାଶ ଦିଗରେ ସେ ଗ୍ରହଣ କରିଛନ୍ତି ଅନେକ ଉଲ୍ଲେଖନୀୟ ପଦକ୍ଷେପ। ସାହାରା ଇଣ୍ଡିଆ ହାତ ଛାଡ଼ିଦେବା ପରେ ଏକପ୍ରକାର ଅନାଥ ହୋଇ ପଡ଼ିଥିଲା ଭାରତୀୟ ହକି। ଏତିକିବେଳେ ଭାରତୀୟ ହକିକୁ ସାହାରା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ତା’ର ପୃଷ୍ଠପୋଷକତା କରିବାକୁ ଆଗେଇ ଆସିଥିଲା ଓଡ଼ିଶା। ଆଗରୁ କେବେ କୌଣସି ରାଜ୍ୟ ସରକାର ଜାତୀୟ କ୍ରୀଡ଼ାର ପୃଷ୍ଠପୋଷକ ହୋଇ ନ ଥିବାରୁ ଏହା ଥିଲା ହକି ଇତିହାସର ପ୍ରଥମ ଘଟଣା। ସାଧାରଣତଃ କୌଣସି ବ୍ୟବସାୟିକ ସଂସ୍ଥା କ୍ରୀଡ଼ାର ପୃଷ୍ଠପୋଷକତା କରିବା ପଛରେ ଥାଏ ନିଜକୁ ବିଜ୍ଞାପିତ କରିବାର ଲାଭଖୋର ମନୋବୃତ୍ତି। ମାତ୍ର ଭାରତୀୟ ହକିରେ ବିପ୍ଳବ ଆଣିବା ଥିଲା ଓଡ଼ିଶାର ଲକ୍ଷ୍ୟ। ତେଣୁ ଖୁବ୍‌ଶୀଘ୍ର ଦେଖିବାକୁ ମିଳିଲା ଭାରତୀୟ ହକିର ନବକଳେବର। ଦୀର୍ଘ ୪ ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ସଫଳତାର ସ୍ବାଦ ଚାଖିଲା ଦେଶ। ସଫଳତାର ଶ୍ରେୟ ପାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କ ମୁହଁ ବନ୍ଦ ହୋଇଗଲା ଆପେ ଆପେ। କ୍ରୀଡ଼ାକୁ ନେଇ ରାଜନୀତି ହେବା କିଛି ନୂଆ କଥା ନୁହେଁ, ମାତ୍ର ଏଠି ପ୍ରଥମଥର ପାଇଁ କ୍ରୀଡ଼ା ବଦଳାଇ ଦେଲା ରାଜନୀତିର ଧାରା। ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରଦର୍ଶନ ଭାରତୀୟ ରାଜନୈତିକ ଦୃଶ୍ୟପଟରେ ଆଣିଲା ନୂଆ ସମୀକରଣ। କାରଣ ଓଡ଼ିଶାରେ ବିଶ୍ବକପ୍‌ ହକି ଆୟୋଜନଠାରୁ ଆରମ୍ଭ କରି ସୁନ୍ଦରଗଡ଼ରେ ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ ପର୍ଯ୍ୟନ୍ତ କ୍ରୀଡ଼ାର ବିକାଶ ପାଇଁ ନବୀନ ପଟ୍ଟନାୟକ ଅନେକ କିଛି କରିଛନ୍ତି, ହେଲେ କୌଣସି ପ୍ରତିଷ୍ଠାନକୁ ନିଜ ନାମରେ ନାମିତ କରିନାହାନ୍ତି କି କେଉଁ ଅନୁଷ୍ଠାନର ନାମ ପରିବର୍ତ୍ତନ କରିନାହାନ୍ତି ଦଳୀୟ ରାଜନୀତି ଭିତ୍ତିରେ। ଏସବୁ ଦୃଷ୍ଟିରୁ ଯେତେ ପ୍ରଶଂସା କଲେ ବି ତାହା ଊଣା ପଡ଼ିବ ତାଙ୍କ ସଫଳତା ତୁଳନାରେ। ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ଓ ସ୍ଥିର ଶାସନର ସ୍ଥପତି ନବୀନ ପଟ୍ଟନାୟକ। ସମକାଳୀନ ରାଜନୀତିରେ ଜଣେ ବିରଳ ବ୍ୟକ୍ତିତ୍ୱ। ତାଙ୍କ ରାଜନୈତିକ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଛି ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ। ସେ କହନ୍ତି, ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ଏକ ଆଲୋକ ବର୍ତ୍ତିକା। ସମଗ୍ର ବିଶ୍ବ ଏକଥା ଅନୁଭବ କରିଥିବାରୁ ତାଙ୍କ ଜନ୍ମଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବରେ ପାଳନ କରୁଛି ଜାତିସଂଘ। ତେଣୁ ଗାନ୍ଧିଜୀଙ୍କ ଅହିଂସା ତତ୍ତ୍ବ ଭାରତ ସମ୍ବିଧାନର ମୁଖବନ୍ଧରେ ବି ସ୍ଥାନ ପାଇବା ଉଚିତ ବୋଲି ସେ ପ୍ରସ୍ତାବ ରଖିଥିଲେ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଦିଲ୍ଲୀରେ ଆୟୋଜିତ ଆଲୋଚନାଚକ୍ରରେ। ତାଙ୍କର ଏଭଳି ପ୍ରସ୍ତାବ କେବଳ ଐତିହାସିକ ନୁହେଁ, ଯୁଗାନ୍ତକାରୀ। ସହଯୋଗ ଓ ସହମତି ରାଜନୀତିରେ ବିଶ୍ବାସ କରୁଥିବା ନବୀନ ପଟ୍ଟନାୟକଙ୍କୁ କେବେ କାବୁ କରିପାରିନି ରାଜନୈତିକ ସଂକୀର୍ଣ୍ଣତା। ତେଣୁ ତାଙ୍କ କାର୍ଯ୍ୟଧାରାକୁ ଯେତେ ଯିଏ ସମାଲୋଚନା କଲେ ବି ଆଦୌ ପ୍ରତିକ୍ରିୟାଶୀଳ ନ ହେବା ହିଁ ତାଙ୍କ ରାଜନୈତିକ ଉଦାରତାର ପରିଚାୟକ। ଓଡ଼ିଶାର ବିକାଶ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ତେଣୁ ବୈଚାରିକ ବିଭେଦତା ସତ୍ତ୍ବେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଅନେକ ପ୍ରସ୍ତାବକୁ ସେ ସମର୍ଥନ କରିଛନ୍ତି ବାଧ୍ୟ ବାଧକତାରେ। ତାଙ୍କର ଏଭଳି ମନୋଭାବ ପାଇଁ ଦୀର୍ଘ ୨୩ ବର୍ଷ ମଧ୍ୟରେ ବିକାଶ ପଥରେ ଅନେକ ପାହାଚ ଅତିକ୍ରମ କରିଛି ଓଡ଼ିଶା। ଗତ ଦୁଇ ଦଶନ୍ଧି ଭିତରେ ରାଜ୍ୟର ଆମୂଳଚୂଳ ପରିବର୍ତ୍ତନ ହୋଇଛି ବିଦ୍ୟାଳୟ ଶିକ୍ଷାର ଛବି। ଆଉ ନାହିଁ ଚାଳଛପର ଓ ବାଉଁଶ ତିଆରି ଝାଟିମାଟି ଘରେ କିମ୍ବା ଗଛମୂଳେ ବସି ପିଲା ପାଠ ପଢ଼ିବାର ବିକଳ ଚିତ୍ର। ଶିକ୍ଷାର ପୁନର୍ବିନ୍ୟାସ ପାଇଁ ସହଭାଗିତା ଓ ସହଯୋଗିତାଭିତ୍ତିରେ ଆରମ୍ଭ ହୋଇଛି ‘ମୋ ବିଦ୍ୟାଳୟ ଅଭିଯାନ’। ମାତୃଗର୍ଭରେ ଭ୍ରୂଣ ସଞ୍ଚାର ହେବାଠାରୁ(ମମତା ଯୋଜନା) ମୃତ୍ୟୁ ପର ପର୍ଯ୍ୟନ୍ତ (ହରିଶ୍ଚନ୍ଦ୍ର ଯୋଜନା) ଓଡ଼ିଶାରେ ଏବେ କାର୍ଯ୍ୟକାରୀ ହେଉଛି ଅସୁମାରି କଲ୍ୟାଣକାରୀ ଯୋଜନା।
– ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?