ଭକ୍ତିର ଋତୁ

ଦ୍ୱିତୀ ଚନ୍ଦ୍ର ସାହୁ

କୃତି ପିଠିରେ ଲାଉ ହୋଇ ଆସିବ କୁହୁଡି। ପାହାଡ଼ର ମଥା ଛୁଇଁ ହାତଠାରି ଚାଲି ଯାଉଥିବ ପାହାଡି ମେଘ। ମାଛକାତିଆ ଆକାଶରେ ନୀଳ କିଏ ଢାଳି ଦେଇଥିବା। ଧଳା ଓ ନୀଳର ମିଶ୍ରଣରେ ଚିତ୍ରକରଟିଏ ଆଙ୍କିଥିବ ଆକାଶର ସର୍ବକାଳୀନ ସୁନ୍ଦର ଚିତ୍ର ଯେମିତି। ଯାତ୍ରାକୁ ଯାଉଥିବା ଧାଙ୍ଗଡା ପରି ସଜବାଜ ହୋଇ ଠିଆହୋଇଥିବା ପାହାଡ ତଳେ ହସୁଥିବ ସବୁଜ କ୍ଷେତ। ନହ ନହକା ଧାନ କ୍ଷେତର କଷ୍ଟ ସମୟ। ପୋଖତି ସ୍ତ୍ରୀ ଲୋକଟି ପରି ଭାରି କଷ୍ଟରେ ଠିଆ ହୋଇଥିବ ଧାନ ଫସଲ ନିର୍ମଳ ଆକାଶକୁ ପ୍ରାର୍ଥନା କରି। ସବୁଜ ଓ କଳାର ଫେଣ୍ଟାଫେଣ୍ଟି ରଙ୍ଗରେ ଗାଧୋଇଥିବା ଧାନ ଗଛରେ ଗର୍ଭ ଫିଟିବାର ବେଳ। ପବନକୁ ଡରୁଥିବ ସେ। ତାକୁ ସାହସ ଦେବାକୁ ଧଳା ଚାଦର ଘୋଡେଇ ନିତି ସକାଳୁ ସକାଳୁ ଭେଟ ପଡୁଥିବ କୁହୁଡି। ପହିଲି କାକରକୁ ଧରି ଧାନ ପତ୍ର ଚଞ୍ଚଳ ପିଲାଟେ ପରି ଏପଟ ସେପଟ ହଲୁଥିବ। ସରୁ ପାଦଚଲା ରାସ୍ତା ଉପରକୁ ଲୋଟି ଆସିଥିବ ଚେରୁଆ ଘାସ। ଭୋକ ବିକଳରେ ବିଲ ହୁଡାରେ ତୁନିହୋଇ ଅପେକ୍ଷା କରିଥିବ ସାପ। ଧାନ ଗଛର ଗହଳି ଭିତରୁ ବେଙ୍ଗଟି ପଦାକୁ ଆସୁ ଆସୁ ଖପ୍‌କରି ଧରି ଦେଉଥିବ ସାପ। ପକ୍ଷୀର କାକଳିକୁ ଅତିକ୍ରମ କରି ଶୁଭୁଥିବ ସାପ ଗିଳୁଥିବା ବେଙ୍ଗର କରୁଣ ରାଗ। ହିଡ଼ରେ ଲାଗିଥିବ ଜହ୍ନି ଓ ବୋଇତାଳୁ ଫୁଲ ଲୋଭ ବଢଉଥିବ ଚାଷୀକୁ। ହିଡ଼ରୁ ହିଡ଼ ଭିତର ଦେଇ ସକାଳୁ ସକାଳୁ କଙ୍କଡା ଓ ସାପ ଗାତର ଗଳିଆକୁ ସଜାଡୁଥିବ ଚାଷୀ। ମଝିରେ ମଝିରେ ଠିଆ ହୋଇ ତୃପ୍ତିରେ ଦେଖୁଥିବ ନିଜର ସବୁଜ କ୍ଷେତକୁ। ନ ହସି ବାହାରିଥିବା ଧାନ କେଣ୍ଡାକୁ ନିରେଖି ଦେଖୁଥିବ ଚାଷୀ। ଘରକୁ ଫେରିଲା ବେଳେ ଗାମୁଛାରେ ସାଉଣ୍ଟିବ ବିଲ ହୁଡାରେ ଲଗେଇଥିବା ଗଛର ପରିବା ଓ ଛତୁ। କେବେ କେବେ ବାଟରୁ ଗୋଟେଇ ନେବ ଘରକୁ କେଉଁଟଠାରୁ ଚୂନାମାଛ।
ସ୍ବାମୀର ଗାମୁଛା ପୁଟୁଳି ଦେଖି ଅପେକ୍ଷାରତ ଘରଣୀ ଆଖିରେ ଚମକ । ମୁହଁରେ ଉଜ୍ଜ୍ୱଳ ଭାବ। ଚରମତୃପ୍ତିରେ ଆଖି ମୁଦି ଚାଷବାସ ପରେ ଗୁହାଳରେ ଆରାମ କରୁଥିବା ଗୋରୁ ସଦ୍ୟ କାଟି ଆଣିଥିବା ଛନଛନିଆ କଅଁଳ ଘାସ ପାଟିରେ ପାକୁଳେଇ ଚାଲିବ। ଗାଁ ସ୍କୁଲରେ ପଢୁଥିବା ପିଲାଙ୍କ ମନ ଉଚ୍ଛନ୍ନ ହେଉଥିବ ଆସୁଥିବା ଆଗାମୀ ଛୁଟିକୁ। ପରସ୍ପର ଭିତରେ ଅନେକ ସ୍ବପ୍ନର ଦିଆନିଆ। ଗାଁକୁ ଯିବାକୁ ସଜବାଜ ହେଉଥିବ ସହରରେ ଚାକିରି କରୁଥିବା ଗାଁର ଶିକ୍ଷିତ। ଘରର ଅନ୍ୟ ସଦସ୍ୟଙ୍କ ପାଇଁ ଚାଲିଥିବ ପୋଷାକପତ୍ର କିଣା। ଏପଟ ଘରର ବଡବଡିଆଙ୍କ ଭିତରେ ଗୋଟେ ପ୍ରାକ-ପ୍ରସ୍ତୁତି ବାହା ଯୋଗ୍ୟ ପୁଅଝିଅଙ୍କୁ ନେଇ। ଚତୁର୍ମାସ୍ୟା ସରୁ ସରୁ ପୁଅଝିଅ ଦେଖା କାମ ସାରିିବାକୁ ହେଉଥିବ ଯୋଜନାର ରୂପରେଖ। ତାରି ଭିତରେ ଚାଲିଥିବ ଫସଲ ଅମଳ ପାଇଁ ମାନସ ମନ୍ଥନ। ବେଳ ସାମାନ୍ୟ ଗଡିବା ଗଡିବା ହେଲେ ଆରମ୍ଭ ହୋଇଯାଉଥିବ ଗାଁରେ ନାଟକ ରିହରସେଲ। ନାଟକର ସଂଳାପ, କାନ୍ଦ ଓ ଅଟହାସ୍ୟ ଶୁଭିବ ଦୂରକୁ ଦୂର। ଆଖଡା ଘରକୁ ଘେରି ରହୁଥିବେ ଗାଁର ଯେତକ ହ୍ୟାଫ୍‌ ପ୍ୟାଣ୍ଟ ପିନ୍ଧା ଚିଲିରା ଦଳ । ସବୁଠି ଗୋଟେ ଆନନ୍ଦ। ପ୍ରକୃତି, ଗୋରୁ ଓ ମଣିଷ ସମସ୍ତଙ୍କ ଭିତରେ ନୂଆ ଉତ୍ସାହ, ଶାନ୍ତି, ତୃପ୍ତି ଓ ଆନନ୍ଦର ଉଚ୍ଛ୍ବାସ। ଲକ୍ଷ୍ମୀଙ୍କ ଆଗମନକୁ ନେଇ ଘରେ ଘରେ ପ୍ରସ୍ତୁତି। ଘରେ ଘରେ ଜାକଜମକ। ଠାଏ ଠାଏ ଝଡ଼ି ଯାଇ ଘା’ ଭଳି ଖଣ୍ଡିଆ ଦିଶୁଥିବା ମାଟି କାନ୍ଥରେ ମାଆ, ଝିଅ ଓ ବୋହୂ ମିଶି ଲେସି ଦେଉଥିବେ ମାଟି। ମରାମତି ହୋଇଥିବା ମାଟି କାନ୍ଥକୁ ଚୂନ ଦିଆଯାଉଥିବ। କାନ୍ଥର ତଳ ଭାଗରେ ଗେରୁଆ ମାଟିର ଧଡି। ମାଟିଚଟାଣରେ ଗୋବର ଲିପା। ପୁଣ୍ୟ ମାସ କାର୍ତ୍ତିକ ଶେଷ ବେଳକୁ ସରିଯାଇଥିବ ସମସ୍ତ ପ୍ରସ୍ତୁତି। ହବିଷ ପର୍ବ ସରୁ ସରୁ ପହିଲି ମାର୍ଗଶିର ଗୁରୁବାର ପୂର୍ବରୁ ଅଁଳା ଡାଳ, ବେଲ ଡାଳ, ଆମ୍ବ ପତ୍ର, କଦଳୀ ପତ୍ର , ଦୂବ ଘାସ, ଫୁଲଫଳ ସହ ଭଳିକି ଭଳି ପରିବା ଓ ମଞ୍ଜିମଞ୍ଜା ପାଇବା ଲାଗି ସ୍ତ୍ରୀ ଲୋକଙ୍କ ଘୂରି ବୁଲୁଥିବ ଡାହାଣା ଆଖି। ଗାଁରେ ୟାକୁ ତାକୁ କହି ବରାଦ କରିଦେଉଥିବେ କେତେ କ’ଣ ମା’ଙ୍କ ଲାଗି ଅପୂର୍ବ ସମ୍ଭାର। ଗାଁଟା ସାରା ଭାବାବେଗର ଅପୂର୍ବ ରାଗରେ ବିମୋହିତ ହେଉଥିବେ ସମସ୍ତେ। ଯିଏ ଯାହା ପାଇଲା ଅନ୍ୟକୁ ବାଣ୍ଟିକୁଣ୍ଟି ଦେଉଥିବେ ମା’ଙ୍କ ପୂଜା ପାଇଁ। ମେର୍ଦା ବା ଆଟୁରୁ ଓହ୍ଲାଇ ଆସିବ ଜଙ୍କ୍‌ ଲଗା କୋଉ ପୁରୁଣା ପେଡି। ନ ହେଲେ ଓଜନରେ ମାଡିି ହେଉ ଯାଉଥିବା କାଠର ସିନ୍ଦୁକ। ସେଥିରେ ସାଇତା ହୋଇଥିବ ମା’ ଲକ୍ଷ୍ମୀଙ୍କ ଲାଗି ଗୁଆ, ବ୍ରତ, ସ୍ବତନ୍ତ୍ର ବାସନକୁସନ ଓ ପୂଜା ସାମଗ୍ରୀ। ତେନ୍ତୁଳି ଦେଇ ଚକଚକ ହେଉଥିବ ପିତ୍ତଳ ଓ ତମ୍ବାର ସାମଗ୍ରୀ। ପଥୁରିର ବାସନ ଯେମିତି ଖୁସି ହେଉଥିବେ ଗୃହଲକ୍ଷ୍ମୀଙ୍କ ହାତର ପରଶରେ। ଝିଅମାନେ ନିଜ ଘର ଦାଣ୍ଡ ସହ ଆଖପାଖ ଘର ଦାଣ୍ଡରେ ବି ଦେଉଥିବେ ଝୋଟି ଚିତା । ଝୋଟିର କଳାରେ ଅଗଣା, କାନ୍ଥ ଓ ଗାଁ ଦାଣ୍ଡ ଝଟକୁଥିବ। ଘଡିଏ ରାତିରୁ ଉଠି ଘରେ ଘରେ ପ୍ରତି ପାଳି ଅନୁସାରେ ପ୍ରସ୍ତୁତି ହେଉଥିବ କେତେ କ’ଣ ବ୍ୟଞ୍ଜନ।
ନିଷ୍ଠା ଓ ଭକ୍ତିର ନିଦର୍ଶନରେ ପ୍ରତିଫଳିତ ହେଉଥିବ ଗ୍ରାମୀଣ ସାମାଜିକ ଜୀବନ। ଏବେ ଗାଁରେ ହେଉଥିବା ପୂଜାର ପରିଭାଷା ବି ବଦଳି ଗଲାଣି। ସବୁଘର ପକ୍କା ହେଲାଣି। ବେରଙ୍ଗ ହୋଇ ଦିଶୁଥିବ ସ୍ଥାୟୀ ରଙ୍ଗରେ କୋଉକାଳୁ ଦିଆ ହୋଇଥିବା ଝୋଟି ଚିତା। ଠାକୁରଘରେ ରଙ୍ଗିନ ଆଲୁଅ ମାଳା। ମୋବାଇଲ କି ୟୁଟ୍ୟୁବରେ ଶୁଭିବ ଲକ୍ଷ୍ମୀ ପୁରାଣ। ରାଇସ କୁକୁର, ପ୍ରେସର କୁକୁରରେ ତିଆରି ହୋଇଯିବ ଫଟାଫଟ ମା’ଙ୍କ ଲାଗି ପ୍ରସାଦ। ଭକ୍ତି କମ, ଭାବ ଅଧିକ। ପୂଜା କମ, ଚମକ ପ୍ରବଳ। ପ୍ରକୃତି ବି ଆଉ ମଣିଷ ସହ ସାଥୀ ହୋଇପାରୁନି। ହାତ ଛାଡି ଦୂରକୁ ଦୂରକୁ ଚାଲିଯାଉଛି। ବଦଳିଛି ଋତୁଙ୍କ ସମୟ। ଏବେ ଅଚାନକ ବାତ୍ୟା ନ ହେଲେ ଲଘୁଚାପ ବର୍ଷା। ଏଇ କାରଣରୁ ଗ୍ରାମୀଣ କୃଷି ଓ ଜୀବନ ଜୀବିକା ବିପର୍ଯ୍ୟସ୍ତ। କୁହୁଡି ଆସେ ଓ ଯାଏ। ଧାନ କେଣ୍ଡା ବାହାରେ ଓ ଫସଲ ଅମଳ ହୁଏ। ଅଥଚ ପୂଜାପାର୍ବଣର ପୂର୍ବ ରାଗ ମିଳେନି। ସବୁଠି ସବୁ ସମୟରେ କାମ ଚଳା କାର୍ଯ୍ୟ। ତାଳିପକା ଉଦ୍ୟମ। ବିଧ୍ୱସ୍ତ ପ୍ରକୃତି, ବେଖିଆଲି ମଣିଷ, ଦ୍ରୁତ ହ୍ରାସ ପାଉଥିବା ପ୍ରାଣୀ ସଂପଦ ଓ ଉଜୁଡା ସାମାଜିକ ଜୀବନ ଭିତରେ ପୂଜାପାର୍ବଣର ଚମକ ଓ ମହକ ଯେମିତି ଲାଗେ ଫିକା ଫିକା ।
ତଥାପି ମା’ ଲକ୍ଷ୍ମୀଙ୍କୁ ସମସ୍ତଙ୍କର ଅପେକ୍ଷା। ମାଆ ଆସିଲେ ଧରିତ୍ରୀ ହସିବ। ସବୁ ଦୁଃଖ, ରୋଗ, ଶୋକ ଓ ବିପଦ ଟଳିବ। ଆଶା ଏବର ବିଭୀଷିକାମୟ ପୃଥିବୀ ମା’ଙ୍କ ଆଗମନରେ ସ୍ବାଭାବିକ ହେବ। ଜୀବନ ଓ ଜୀବିକା ଖେଳି ଉଠିବ !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଆଶାର ଶେଷ ପତ୍ର

ପ୍ରବଳ ଶୀତଦିନେ ସହରରେ ପ୍ରାଣଘାତୀ ନିମୋନିଆ ବ୍ୟାପିଥିଲା। ଝିଅଟିଏ ଏହାର କବଳରେ ପଡ଼ିଗଲା। ରୋଗ ଏତେ ଗୁରୁତର ହେଲା ଯେ ଔଷଧର ପ୍ରଭାବ ବନ୍ଦ ହୋଇଗଲା। ଝିଅଟି…

ପରୀକ୍ଷା ସଂସ୍କାର ଚିନ୍ତା

ଦେଶରେ ବିଭିନ୍ନ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଛାତ୍ର…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri