ଆଇନର ଶାସନ

ଆକାର ପଟେଲ

ମିଳିତ ଜାତିସଂଘ ଆଇନର ଶାସନକୁ ନିମ୍ନ ପ୍ରକାରେ ସଂଜ୍ଞାବଦ୍ଧ କରିଛନ୍ତି: ଏହା ଏକ ପ୍ରକାର ଶାସନ ନୀତି, ଯେଉଁଥିରେ ରାଷ୍ଟ୍ର ସମେତ ସମସ୍ତ ସରକାରୀ ତଥା ବେସରକାରୀ ବ୍ୟକ୍ତି, ଅନୁଷ୍ଠାନ ଓ ସଂସ୍ଥା ଆଇନ ପାଖରେ ଉତ୍ତରଦାୟୀ ଏବଂ ଯାହା ସର୍ବସାଧାରଣରେ ପ୍ରକାଶିତ, ସମାନ ଭାବରେ ଲାଗୁ ହୋଇଥାଏ, ସ୍ବାଧୀନ ଭାବରେ ବିଚାର କରାଯାଇଥାଏ ଏବଂ ଯାହା ଅନ୍ତର୍ଜାତୀୟ ମାନବିକ ଅଧିକାରର ମାନ ଓ ମାନଦଣ୍ଡ ସହ ସଙ୍ଗତିଶୀଳ।
ଭାରତ ହେଉଛି ଆଇନର ଶାସନ ଚାଲୁଥିବା ଦେଶ ଏବଂ ଆମ ସମ୍ବିଧାନର ଧାରା ୨୧ରେ କୁହାଯାଇଛି ଯେ, ‘ଆଇନ ଦ୍ୱାରା ସ୍ଥାପିତ ପଦ୍ଧତି ବ୍ୟତୀତ କୌଣସି ବ୍ୟକ୍ତି ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ବାଧୀନତାରୁ ବଞ୍ଚିତ ହେବେ ନାହିଁ।’ ଏହାକୁ ମାନିବାକୁ ସରକାର ଆଇନ ଅନୁଯାୟୀ ବାଧ୍ୟ। ଏହି ନିୟମ ନ ମାନିବା ଅର୍ଥ ହେଉଛି ଆଇନ ଭାଙ୍ଗିବା ଏବଂ ଅପରାଧ କରିବା।
ଇନ୍ଦିରା ଗାନ୍ଧୀଙ୍କ ଏକଚ୍ଛତ୍ର କ୍ଷମତାକୁ ସୁପ୍ରିମ୍‌କୋର୍ଟ ଦେଇଥିବା ମଞ୍ଜୁରୀ ବିରୋଧରେ ଜଷ୍ଟିସ୍‌ ଏଚ୍‌.ଆର୍‌. ଖାନ୍ନା କହିଥିଲେ ଯେ ଜୀବନ ଓ ସ୍ବାଧୀନତା ବିନା ଆଇନହୀନ ସମାଜ ଏବଂ ଆଇନ ଦ୍ୱାରା ପରିଚାଳିତ ସମାଜ ମଧ୍ୟରେ କୌଣସି ପ୍ରଭେଦ ନାହିଁ।
ସେ ସମୟରେ ଭାରତର ଆଟର୍ନି ଜେନେରାଲ୍‌ ନିରେନ୍‌ ଦେ ଦାବି କରିଥିଲେ ଯେ ଜରୁରିକାଳୀନ ପରିସ୍ଥିତିରେ ଧାରା ୨୧ ଅନୁଯାୟୀ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ମଧ୍ୟ ସରକାରଙ୍କ ଦୟାଧୀନ ଥିଲା। କେତେ ଦଶନ୍ଧି ପରେ ଜଷ୍ଟିସ୍‌ ଖାନ୍ନାଙ୍କ ମତକୁ ଏକ ନଅ ଜଣିଆ ବିଚାରପତିଙ୍କ ବେଞ୍ଚ ସମର୍ଥନ କରିଥିଲେ ଏବଂ କହିଥିଲେ: ”କୌଣସି ସଭ୍ୟ ରାଷ୍ଟ୍ର ଆଇନଗତ କ୍ଷମତା ବିନା ଜୀବନ ତଥା ବ୍ୟକ୍ତିଗତ ସ୍ବାଧୀନତା ଉପରେ ଆକ୍ରମଣର ଚିନ୍ତା ବି କରିପାରିବ ନାହିଁ। ଜୀବନ ବା ସ୍ବାଧୀନତା ମଧ୍ୟ ରାଷ୍ଟ୍ର କାହାକୁ ଦାନରେ ଦେଇନାହିଁ କିମ୍ବା ସମ୍ବିଧାନ ଏ ଅଧିକାର ସୃଷ୍ଟି କରି ନାହିଁ। ଜୀବନର ଅଧିକାର ସମ୍ବିଧାନ ସୃଷ୍ଟି ହେବା ପୂର୍ବରୁ ରହିଆସିଛି। ଅଧିକାରକୁ ଚିହ୍ନିବା ଦ୍ୱାରା ସମ୍ବିଧାନ ଅଧିକାରର ଏକମାତ୍ର ଭଣ୍ଡାରରେ ପରିଣତ ହୁଏ ନାହିଁ।“
ଆଜି ଭାରତରେ ଯାହା ଘଟୁଛି ତାହା ଆଇନର ଶାସନ ନୁହେଁ। ଆମେ ଏକ ଆଇନହୀନ ରାଷ୍ଟ୍ର ଏବଂ ମୁଁ କ୍ରୋଧରେ କିମ୍ବା ନିରାଶାରେ ଏହା କହୁ ନାହିଁ। ଆମ ଚାରିପାଖରେ ଯାହା ଘଟୁଛି ତାହାର ଏକ ଅବ୍‌ଜେକ୍ଟିଭ୍‌ ଷ୍ଟେଟ୍‌ମେଣ୍ଟ ଭାବରେ ମୁଁ ଏହା କହୁଛି। ଜଣେ ବ୍ୟକ୍ତି ଯିଏ ନିଜର ପ୍ରଭାବ ଦ୍ୱାରା ସାଂଘାତିକ ଅପରାଧ କରି ଖସିଯାଉଥିଲେ ଓ ତାଙ୍କୁ ପୋଲିସ ଧରିପାରୁ ନ ଥିଲା, ସେ ଆତ୍ମସମର୍ପଣ କରିବା ପରେ ବାବୁମାନଙ୍କ ଗୁମର ଖୋଲିଯିବା ଭୟରେ ତାଙ୍କୁ ହାଜତରେ ଗୁଳି କରି ମାରିଦିଆଗଲା। ସମ୍ବିଧାନ ଅନୁଯାୟୀ ତାଙ୍କର ବିଚାର କରାଗଲା ନାହିଁ ଏବଂ ବିନା ନ୍ୟାୟିକ ପ୍ରକ୍ରିୟାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା।
ତେବେ କେବଳ ଏହି ଆଧାରରେ ଭାରତ ଏକ ଆଇନହୀନ ରାଷ୍ଟ୍ର ବୋଲି ମୁଁ କହୁନାହିଁ। ଭାରତରେ କିମ୍ବା ଉତ୍ତରପ୍ରଦେଶରେ ମଧ୍ୟ ଏହା ପ୍ରଥମ ଏନ୍‌କାଉଣ୍ଟର ନୁହେଁ। ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେଠାରେ ୧୧୯ ଜଣଙ୍କୁ ଏପରିଭାବେ ହତ୍ୟା କରାଯାଇଛି ଏବଂ ଦେଶସାରା ଏମିତି ଅନେକ ମାମଲା ରହିଛି। ଦୋକାନ ଖୋଲିଥିବାରୁ ଜଣେ ବାପା ଓ ତାଙ୍କ ପୁଅକୁ ପୋଲିସ ନିର୍ଯାତନା ଦେଇ ହତ୍ୟା କରିପାରେ। ଏହା ଭାରତରେ ଘଟୁଛି। ଅନ୍ୟ ଅରାଜକ ଦେଶରେ ମଧ୍ୟ ଏହା ଘଟେ ଏବଂ ତାହା ସତ୍ୟ। ଯେଉଁମାନଙ୍କର କ୍ଷମତା ଅଛି ସେମାନେ ଏକ ଅରାଜକ ଦେଶରେ ତାକୁ ଯାହା ବିରୋଧରେ ଇଚ୍ଛା ପ୍ରୟୋଗ କରିପାରିବେ।
ଭାରତ ଭଳି ଆଇନହୀନ ଦେଶରେ ସରକାରଙ୍କୁ ମଧ୍ୟ ଆଇନ ଜଣା ନାହିଁ। ନରେନ୍ଦ୍ର ମୋଦି ସରକାର ପଶୁ ବଜାରରେ ବଧ ପାଇଁ ଗାଈ ଓ ବଳଦଙ୍କ ବିକ୍ରି ଉପରେ ନିଷେଧାଦେଶ ଜାରି ଏକ ଆଇନ ପାସ୍‌ କରିଦେଲେ। ମୋଦି ଗାଈମାନଙ୍କୁ ଭଲ ପାଆନ୍ତି କିନ୍ତୁ ଜାଣି ନ ଥିଲେ ଯେ ତାଙ୍କର ଏପରି ଆଇନ କରିବାର ଅଧିକାର ନାହିଁ। ଏହାର କାରଣ ହେଉଛି ସମ୍ବିଧାନରେ ଏହା କେନ୍ଦ୍ର ତାଲିକାରେ ନୁହେଁ ବରଂ ରାଜ୍ୟ ତାଲିକାରେ ଅଛି। କେନ୍ଦ୍ର ସରକାର ଆଇନ କରିବା ପୂର୍ବରୁ ଏହା ଜାଣି ନ ଥିଲେ।
ସୁପ୍ରିମ୍‌କୋର୍ଟ ଏହା ଦର୍ଶାଇବା ପରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। ଆଇନହୀନ ଦେଶରେ ଏମିତି ସବୁ ଘଟେ। ସରକାର ନିଜେ ଆଇନ ନ ଜାଣିଲେ କେମିତି ଏହାକୁ ପାଳନ କରିବେ? ରାଜ୍ୟ ସରକାର ବି ଜାଣନ୍ତି ନାହିଁ ଏବଂ ବେଳେବେଳେ ସୁପ୍ରିମ୍‌କୋର୍ଟ ମଧ୍ୟ ଜାଣନ୍ତି ନାହିଁ। ୧୯୬୭ ମସିହାରେ ଓଡ଼ିଶା ସରକାର ଧର୍ମପରିବର୍ତ୍ତନକୁ ନିଷିଦ୍ଧ କରି ଏକ ଆଇନ ପ୍ରଣୟନ କରିଥିଲେ, ଯାହା ସମ୍ବିଧାନର ଧାରା ୨୫ର ସ୍ପଷ୍ଟ ଉଲ୍ଲଂଘନ। ବିଧାନସଭା ବିତର୍କରୁ ଜଣାପଡିଛି ଯେ, ଧର୍ମାନ୍ତରୀକରଣର ନିର୍ଦ୍ଦିଷ୍ଟ ଅର୍ଥ ସହିତ ଧର୍ମ ପ୍ରଚାର କରିବାର ଅଧିକାର ଧାରା ୨୫ରେ ନିଶ୍ଚିତ ହୋଇଛି।
ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ଖଣ୍ଡନ କଲାବେଳେ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଥିଲେ। ଏହାର ଫଳାଫଳ ହେଉଛି ଯେ, ୧୦ଟି ରାଜ୍ୟ ବର୍ତ୍ତମାନ ଧର୍ମାନ୍ତରୀକରଣ ବିରୋଧୀ ଆଇନ ପ୍ରଣୟନ କରିଛନ୍ତି। ପ୍ରତାରଣାପୂର୍ଣ୍ଣ ଭାବେ ଏହାକୁ ‘ଧର୍ମଗତ ସ୍ବାଧୀନତା ଆଇନ’ ବୋଲି ନାମକରଣ କରାଯାଇଛି। ଏହି ଆଇନ ପ୍ରଣୟନ କରିବାରେ ଉତ୍ତରପ୍ରଦେଶ ଏକାଦଶ ରାଜ୍ୟ ହେବାକୁ ଯାଉଛି।
ଆଦିତ୍ୟନାଥ ତାଙ୍କ ପୋଲିସକୁ ଯାହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏକ ଅପରାଧ, ଯେଉଁଥିପାଇଁ ସାମ୍ବିଧାନିକ ଭାବେ ସେ ଦଣ୍ଡିତ ହେବା ଉଚିତ।
ଏପରି ଘଟଣା ଏକ ଆଇନହୀନ ଦେଶରେ ଘଟେ। ଅଦାଲତଗୁଡ଼ିକ କ୍ରିୟାହୀନ, ଅନେକ ବିଚାରପତିଙ୍କୁ ଆଇନ ଜଣାନାହିଁ, ବ୍ୟବସ୍ଥାପକ ସଭା ନିୟମିତ ବସେ ନାହିଁ, ନିର୍ବାଚିତ ଜନପ୍ରତିନିଧିମାନେ ଆଇନକୁ ଅନୁସରଣ କରନ୍ତି ନାହିଁ ଏବଂ ପୋଲିସ୍‌ ତାଙ୍କ ହାଜତରେ କାହାକୁ ହତ୍ୟା ବି କରିପାରନ୍ତି। ଏହା ହେଉଛି ଆମ ଭାରତ।
aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri