ସାମାଜିକ ଜୀବନରେ ଚାପଗୋଷ୍ଠୀର ଭୂମିକା

ଅଲେଖ ଚନ୍ଦ୍ର ମିଶ୍ର

ପ୍ରଖ୍ୟାତ ଗ୍ରୀକ୍‍ ଦାର୍ଶନିକ ଆରିଷ୍ଟଟଲଙ୍କ ଭାଷାରେ ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ଜନ୍ମ, ସମାଜରେ ସ୍ଥିତି ଏବଂ ସମାଜରେ ହିଁ ତାର ବିଲୟ। ତେବେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମାଜର ଯେଉଁ ପ୍ରକ୍ରିୟା ମନୁଷ୍ୟର ଜୀବନଶୈଳୀକୁ ବିଶେଷ ଭାବରେ ପ୍ରଭାବିତ ଓ ଅନେକାଂଶରେ ନିୟନ୍ତ୍ରିତ କରିଥାଏ ତାହା ହେଉଛି ଚାପ ଶକ୍ତି। ଚାପ ପ୍ରକ୍ରିୟାର ସୃଷ୍ଟି ପରିବାରରୁ ହୁଏ ଏବଂ ପରିବେଶ ଦ୍ୱାରା ପୁଷ୍ଟ ହୋଇଥାଏ। ସାଇପଡ଼ିଶା, ବନ୍ଧୁବାନ୍ଧବ, ଗୁରୁଜନ, ବିଦ୍ୟାଳୟ, ସାଙ୍ଗସାଥୀ, କର୍ମକ୍ଷେତ୍ର ଇତ୍ୟାଦି ଯେଉଁମାନଙ୍କ ସଂସ୍ପର୍ଶରେ ସେ ଆସେ ସେମାନେ ସମ୍ମିଳିତ ଭାବରେ ଏକ ଚାପଗୋଷ୍ଠୀ ( ପ୍ରେସର୍‍ ଗ୍ରୁପ୍‍) ସୃଷ୍ଟି କରନ୍ତି, ଯାହାର ପ୍ରଭାବ ଏତେ ସୁଦୂରପ୍ରସାରୀ ହୋଇଥାଏ ଯେ ସେଥିରୁ ନିବୃତ୍ତ ହେବା ଅସମ୍ଭବ। ଶୈଶବ, କୈଶୋର, ଯୌବନ, ପ୍ରୌଢ,ବାର୍ଦ୍ଧକ୍ୟ ଇତ୍ୟାଦି ଯେତେସବୁ ସ୍ତର ଦେଇ ସେ ଗତିକରେ ପ୍ରତ୍ୟେକ କ୍ଷେତ୍ରରେ ସେ ଏପରି ଶିକ୍ଷାଲାଭ କରେ ଯେ ସେ ସବୁ ଦ୍ୱାରା ପରିଚାଳିତ ହୋଇ ଶେଷରେ ସେ ନିଜର ମାତାପିତାଙ୍କୁ ବି ବେଳେ ବେଳେ ନିଜର ନୂତନ ଲବ୍ଧଜ୍ଞାନ ଦ୍ୱାରା ପ୍ରଭାବିତ କରିବାକୁ ଚେଷ୍ଟା କରେ ଏବଂ ସେହିଠାରୁ ହିଁ ଆରମ୍ଭ ହୁଏ ପିଢ଼ିର ବ୍ୟବଧାନ ବା ଜେନେରେଶନ ଗ୍ୟାପ୍‍।
ବିଦ୍ୟାଳୟ ଶିକ୍ଷା ପ୍ରଦାନ କରେ, କିନ୍ତୁ ପରିବେଶ ବାସ୍ତବ ଅଭିଜ୍ଞତା ଦିଏ। ଏହି ଅଭିଜ୍ଞତାର ଉତ୍ସ ହେଉଛି ସମାଜରେ ପ୍ରଚଳିତ ନାନା ପ୍ରକାରର ଚଳଣି, ଚାଲିଚଳନ,ବିଧିବିଧାନ, ନୀତି ନିୟମ, ରୀତିନୀତି, ବୋଲିବାଣୀ, ଢଗଢମାଳି, ଲୋକଚରିତ୍ର, ଲୌକିକ ବଚନିକା, ପ୍ରବାଦ, ପ୍ରହେଳିକା ଆଦି ଚାପଗୋଷ୍ଠୀ। ଏହାର ପରିସର ଏତେ ବ୍ୟାପକ ଯେ ସେ ସବୁର ଅବତାରଣା କରିବା ସମ୍ଭବ ନୁହେଁ। ତେବେ କେତୋଟିର ଉଦାହରଣ ଦିଆଯାଇପାରେ।
ସମାଜ ଦୃଷ୍ଟିରେ କେତେକ କର୍ମ ସହିତ କୁଅଭ୍ୟାସ ଏପରି ଓତପ୍ରୋତ ଭାବରେ ଜଡ଼ିତ ଯେ ସେଥିରେ ଯେତେ ଭଲ ଉଦ୍ଦେଶ୍ୟ ଥିଲେ ବି କେହି ବିଶ୍ୱାସ କରନ୍ତିନି ଯେପରି ଖଜୁରି ଗଛ ମୂଳରେ ବସି କ୍ଷୀର ପିଇଲେ କଣ ପିଉଛି ନ ଦେଖି, ନ ଜାଣି ଲୋକେ ଧରିନେବେ ଯେ ମଦ ପିଉଛି, କାରଣ ଏହା ଏକ ଜନଶ୍ରୁତି ସମ୍ବଳିତ ସାଧାରଣ ଧାରଣା। ବାଟରୁ ଉଠ ମୁଁ ହାଟକୁ ଯିବି ସେହିଭଳି ଏକ ଲୌକିକ ବଚନିକା ଯାହା ସ୍ବୈରିଣୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକ ପରୋକ୍ଷ ଉକ୍ତି। ବାଲ୍ୟାବସ୍ଥାରେ ବିଦ୍ୟା ଓ ଧର୍ମ ସଞ୍ଚୟ କରିବା ପାଇଁ ଏକ ଉପଦେଶାତ୍ମକ ବାଣୀ ହେଲା , ବାଲ୍ୟକାଳୁ ବିଦ୍ୟା ଧର୍ମ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ। ସେହିପରି ଠେକୁଆ କଇଁଛ କଥା କାହାକୁ ଅବା ଅଜଣା? ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଉପରେ ଆଧାରିତ ଏହି ଉପାଖ୍ୟାନଟି ଯୁଗ ଯୁଗ ଧରି ଲୋକ ଚରିତ୍ରକୁ ଦିଗ୍ଦର୍ଶନ ଦେଇ ଆସିଛି। ସାଧାରଣତଃ ନୀଚ ଲୋକଟିଏ ଉଚ୍ଚ ସ୍ଥାନ ଅଧିକାର କରିଲା ପରେ ଆପଣାର ପୂର୍ବାବସ୍ଥାକୁ ଭୁଲି ଯାଇ ଧରାକୁ ସରା ଜ୍ଞାନ କରୁଥିବା ବେଳେ ସମାଜ ତାକୁ ପରୋକ୍ଷ ଉକ୍ତିରେ ଉପହସିତ କରେ, କାଣ୍ଡିଆ କୁଣ୍ଡାରେ ଦିନ ସରେନି ଏବେ ରୁଚୁ ନାହିଁ ସର ଲବଣୀ । ଏହାଛଡା ଲୋକଲଜ୍ଜା, ଚକ୍ଷୁ ଲଜ୍ଜା ବା ଧର୍ମକୁ ଆଖିଠାର ଏହିଭଳି ଏକ ସାମାଜିକ ପ୍ରତିବନ୍ଧକ ଯାହା କୁକର୍ମ କରିବାରୁ ନିବୃତ୍ତ ହେବା ପାଇଁ ଲୋକଙ୍କ ଉପରେ ନୈତିକ ଚାପ ପ୍ରୟୋଗ କରେ, ଯାହାଫଳରେ ସର୍ବସାଧାରଣରେ ମଦ୍ୟପାନ, ନିଶା ସେବନ, ଚୋରି, କୁତ୍ସାରଟନା ଭଳି କର୍ମ ନ କରି ଲୋକଟିଏ ସୁଯୋଗକୁ ଅପେକ୍ଷା କରେ। ସମାଜରେ ପ୍ରଚଳିତ ଅନ୍ୟ ଏକ ଚାପ ପ୍ରୟୋଗକାରୀ ଶକ୍ତି ହେଉଛି ଘରର ଭିତିରି କଥା, ଗୁମର, ଗୋଇ ବା ଇଜ୍ଜତ। ଥରେ ସେଥିରେ ଦାଗ ଲାଗିଗଲେ ଆଉ ଲିଭେନା। ଲୋକମୁଖରେ ପିଢ଼ି ପିଢ଼ି ଧରି ସଂପୃକ୍ତ ପରିବାରର ଏକ କଳଙ୍କ ଭାବରେ ତାହା ଗଡିଚାଲେ। ତେଣୁ ଯେତେ ବଡ଼ ହେଲେ ମଧ୍ୟ ଏଭଳି ଦୁର୍ବଳତା ଥିବା ପରିବାରର ବଂଶଧରମାନେ ମଥାନତ କରିବାକୁ ବାଧ୍ୟ ହୁଅନ୍ତି।
ଏହିପରି ଭାବରେ ଆମ ସମାଜରେ ଅସଂଖ୍ୟ ଚଳଣି ଓ ପରମ୍ପରା ରହିଛି ଯାହାକୁ ପ୍ରଶ୍ନ କରିହେବ ନାହିଁ, କାରଣ ଏସବୁ ଯୁଗ ଯୁଗର ଅଭିଜ୍ଞତା ଏବଂ ଆବଶ୍ୟକତା ଉପରେ ପର୍ଯ୍ୟବସିତ ତଥା ପରୀକ୍ଷିତ। ତେଣୁ ବାହୁ, ଧନ, ଜନ ବଳରେ ଯେତେ ବଳୀୟାନ ହେଲେ ଶକ୍ତି, କ୍ଷମତା, ପ୍ରତିପତ୍ତି,ପ୍ରାଧାନ୍ୟ ଆଦି ଯେତେ ଥିଲେ ବି ଏଭଳି ଚାପଶକ୍ତିକୁ ମାନି ନେବାକୁ ଲୋକ ବାଧ୍ୟ ହୁଏ। କେହି କେହି ଆତ୍ମଗର୍ବୀ ବା ହେତୁବାଦୀ ଏ ସବୁକୁ ଅନ୍ଧବିଶ୍ୱାସ ବୋଲି ହେୟଜ୍ଞାନ କରିବାକୁ ଚାହିଁଲେ ସେଥିପାଇଁ କିଛି ଅନ୍ତରାୟ ନ ଥାଏ; କିନ୍ତୁ ଯେତେବେଳେ ସେମାନେ କୌଣସି ଅଘଟଣର ସମ୍ମୁଖୀନ ହୁଅନ୍ତି ସେତେବେଳେ ତାଙ୍କ ମନ ଭିତରେ ଚାପି ହୋଇ ରହିଥିବା ଚାପଗୋଷ୍ଠୀର ଉପାଦେୟତାକୁ ସେମାନେ ମନେପକାନ୍ତି।
ଆଗେ ବୟୋଜ୍ୟେଷ୍ଠ ବ୍ୟକ୍ତି, ଗୁରୁଜନ, ଶିକ୍ଷକ, ପଡୋଶୀ, ସମ୍ପର୍କୀୟ ଏମାନେ ସମସ୍ତେ ଅଳ୍ପ ବହୁତେ ଚାପଶକ୍ତିର ବାହକ ଥିଲେ। ଗ୍ରାମ୍ୟ ଚଳଣିକୁ ଶୃଙ୍ଖଳିତ କରିବା ପାଇଁ ମୁଖିଆ, ପୂଜକ, ମୁରବି, ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ଯେଉଁମାନେ ଗ୍ରାମ ବା ସହର ମଧ୍ୟରେ ଉପୁଜୁଥିବା ମନୋମାଳିନ୍ୟ କିମ୍ବା ଅବୁଝାମଣାକୁ ନିଜ ନିଜ ଭିତରେ ସମାଧାନ କରି ଦେଉଥିଲେ। ସେହିପରି ଧାର୍ମିକ ଅନୁଷ୍ଠାନ ତଥା ମଠ ମନ୍ଦିର ଇତ୍ୟାଦି ଆଧ୍ୟାତ୍ମିକ ଚାପ ମାଧ୍ୟମରେ ସାମାଜିକ ସଂହତି ରକ୍ଷା କରୁଥିଲେ। କାଳକ୍ରମେ ଗଣମାଧ୍ୟମ(ଛାପା ଓ ବୈଦ୍ୟୁତିକ) ନିଜ ନିଜ ସ୍ତରରେ ଏ ବିଷୟରେ ସଚେତନତା ସୃଷ୍ଟି କରି ଆଦର୍ଶ ସମାଜର ବାର୍ତ୍ତା ପ୍ରସାର କରୁଛନ୍ତି ଏବଂ ସରକାରୀ ତଥା ବେସରକାରୀ ସ୍ତରରେ ଘଟୁଥିବା ଅନିୟମିତତାକୁ ଲୋକଲୋଚନକୁ ଆଣିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ସମ୍ପ୍ରତି ବହୁଳ ବ୍ୟବହୃତ ହେଉଥିବା ଇଣ୍ଟରନେଟ୍‍, ୱାଇଫାଇ, ଆଇଟି, ସ୍ମାର୍ଟଫୋନ ଇତ୍ୟାଦି ପୃଥିବୀର କୋଣ ଅନୁକୋଣରେ ଘଟୁଥିବା ଘଟଣାବଳୀକୁ ନିମିଷକରେ ସର୍ବତ୍ର ପହଞ୍ଚେଇ ଦେଇ ସାମଗ୍ରିକ ଚାପଗୋଷ୍ଠୀର ଭୂମିକା ନିଭାଉଛି। ଚାପଗୋଷ୍ଠୀ ଆଦର୍ଶ ଓ ଶୃଙ୍ଖଳିତ ଜୀବନ ଗଠନର ଏକ ବଳିଷ୍ଠ ମାଧ୍ୟମ ହେବା ବ୍ୟତୀତ ବାସ୍ତବ ଜ୍ଞାନର ଅଧିକାରୀ କରେଇ ଥାଏ, ଯାହାର ଅଭାବରେ ସାଧାରଣ ଶିକ୍ଷାଗତ ଯୋଗ୍ୟତା ମୂଲ୍ୟହୀନ ହୋଇଯାଏ। ଅତଏବ ଏକ ସ୍ବୟଂସମ୍ପୂର୍ଣ୍ଣ ଜୀବନଯାପନ ପାଇଁ ଚାପଗୋଷ୍ଠୀର ଆବଶ୍ୟକତାକୁ ଏଡେଇ ହେବନାହିଁ।
ଶାସ୍ତ୍ରୀନଗର, ୟୁନିଟ -୪, ଭୁବନେଶ୍ୱର ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?