କେତେ ସୁରକ୍ଷିତ ବୋତଲ ପାଣି

ଡ. ଜୟକୃଷ୍ଣ ପାଣିଗ୍ରାହୀ

ଜଳ ହେଉଛି ସଜୀବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ସୁରକ୍ଷିତ ଜଳ ସେବନ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଅତ୍ୟନ୍ତ ଜରୁରୀ। ତେବେ ସାମ୍ପ୍ରତିକ ମୁହୂର୍ତ୍ତରେ ମାନବଜାତି ଦ୍ୱୈତ ଜଳଜନିତ ଆହ୍ବାନର ସମ୍ମୁଖୀନ ହେଉଛି। ବିସ୍ଫୋରିତ ଜନସଂଖ୍ୟାର ବର୍ଦ୍ଧିତ ଜଳ ଆବଶ୍ୟକତା ଏବଂ ଅଧିକାଂଶ ଭୂପୃଷ୍ଠ ଜଳଉତ୍ସର ବ୍ୟାପକ ପ୍ରଦୂଷଣ ବିଶୁଦ୍ଧ ଜଳକୁ ଏକ ଦୁଷ୍ପ୍ରାପ୍ୟ ପଦାର୍ଥରେ ପରିଣତ କରିଛି। ହୁଏତ ୪୦/୫୦ ବର୍ଷ ପୂର୍ବେ ନଦୀ, ହ୍ରଦର ଜଳକୁ ସିଧାସଳଖ ପାନୀୟ ଭାବରେ ବ୍ୟବହାର କରିବା ସମ୍ଭବପର ଥିଲା, ଯାହା ଆଜି ପ୍ରଦୂଷଣ ପ୍ରଭାବରୁ ଅସମ୍ଭବ । ଏପରି ପଟ୍ଟଭୂମିରେ ବୋତଲରେ ପାଣି ବିକ୍ରି ହେବା କ୍ରମଶଃ ବିଶ୍ୱରେ ଏକ ସର୍ବଜନ ଗ୍ରହଣୀୟ ପ୍ରକ୍ରିୟା ଏବଂ ବିଶାଳ ବ୍ୟବସାୟରେ ପରିଣତ ହୋଇଛି। ଏହା ମୁଖ୍ୟତଃ ପ୍ଲାଷ୍ଟିକ ବୋତଲରେ ଅଥବା ପାଉଚରେ ପ୍ୟାକେଜ କରାଯାଇ ପାନୀୟ ଜଳ ରୂପେ ସର୍ବତ୍ର ଉପଲବ୍ଧ ହେଉଛି। ବୋତଲ ପାଣି ବା ଜଳ ଶିଳ୍ପର ପ୍ରମୁଖ କମ୍ପାନୀମାନଙ୍କ ମଧ୍ୟରେ ନେସଲେ, ଡାନୋନ, ପେପ୍ସିକୋ ଏବଂ କୋକା-କୋଲା ପରି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ସହିତ ବିଶେଷକରି ଭାରତରେ ବିସ୍ଲେରି, କିନଲି, ଆକ୍ୱାଫିନା, କିଙ୍ଗ୍‍ ଫିସର୍‍, ବେଇଲି ଏବଂ ମାଉଣ୍ଟ ଏଭରେଷ୍ଟ ଭଳି ବ୍ରାଣ୍ଡ୍‍ଗୁଡ଼ିକ ସହ ବହୁ ସ୍ଥାନୀୟ ଉତ୍ପାଦ ଅନ୍ତର୍ଭୁକ୍ତ। ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ବିଶ୍ୱ ବୋତଲ ପାଣି ବଜାରର ମୂଲ୍ୟ ଥିଲା ୩୩୩.୨ ବିଲିୟନ ଆମେରିକୀୟ ଡଲାର, ଯାହା ଆକଳନ ଅନୁଯାୟୀ ୨୦୩୨ ସୁଦ୍ଧା ୫୩୮.୯ ବିଲିୟନ ଡଲାରରେ ପହଞ୍ଚତ୍ବ। ଏହା ୨୦୨୩-୩୨ର ଅବଧି ମଧ୍ୟରେ ଜଳ ବ୍ୟବସାୟର ୫.୬୭% ବାର୍ଷିକ ଅଭିବୃଦ୍ଧି ହାରକୁ ଦର୍ଶାଏ।
ତେବେ ସମଗ୍ର ବିଶ୍ୱରେ ଖାଦ୍ୟନଳୀ ବା ପେଟ ରୋଗର ବ୍ୟାପକତା ଏବଂ ଏହା ସହ ଜଡ଼ିତ ଗୁରୁତର ଆର୍ଥିକ ଓ ସାମାଜିକ ପରିଣାମ ହିଁ ମୁଖ୍ୟତଃ ବୋତଲ-ଜଳ ବଜାରକୁ ବିସ୍ତାରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜାତିସଂଘ ଅନୁଯାୟୀ ବିଶ୍ୱର ପ୍ରାୟ ୨୨୦ କୋଟି ଲୋକଙ୍କ ନିମନ୍ତେ ସମ୍ପ୍ରତି ନିରାପଦ ପାନୀୟ ଜଳ ଅପହଞ୍ଚ । ଅତଏବ ଉଭୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ଲୋକେ ଏହି ଅଭାବ ପୂରଣ ନିମନ୍ତେ ପ୍ରଦୂଷକ ମୁକ୍ତ, ପାନୀୟଯୋଗ୍ୟ ବୋତଲ ଜଳ ଉପରେ ନିର୍ଭରଶୀଳ। ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ପାଣି ବୋତଲ କିଣିବା ଏବେ ଅନେକଙ୍କର ଅଭ୍ୟାସରେ ପରିଣତ ହେଲାଣି। ସୁରକ୍ଷିତ ଜଳ ଡିସେଣ୍ଟେରି, ଡାଇରିଆ ଏବଂ ଟାଇଫଏଡ ଭଳି ବିଭିନ୍ନ ଜଳବାହିତ ରୋଗକୁ ରୋକିଥାଏ। ସହଜସାଧ୍ୟ ଉପଲବ୍ଧତା ହେତୁ ଯାତ୍ରୀ, କାର୍ଯ୍ୟରତ ଅଧିକାରୀ ଏବଂ ଘରୋଇ ଗ୍ରାହକଙ୍କ ମଧ୍ୟରେ ତଥା ସାମାଜିକ କର୍ମକାର୍ଯ୍ୟରେ ଏହି ବୋତଲର ଚାହିଦା କ୍ରମାଗତ ବୃଦ୍ଧି ପାଇଚାଲିଛି ଏବଂ ବଜାର ନିମନ୍ତେ ନୂତନ ସୁଯୋଗ ସୃଷ୍ଟି ହେଉଛି। ଏତଦ ବ୍ୟତୀତ ବଜାରରେ ଉପଲବ୍ଧ ପୁଷ୍ଟିସାର, ଆମିନୋ ଏସିଡ, ଇଲେକ୍ଟ୍ରୋଲାଇଟ୍ସ, ଭିଟାମିନ, ଖଣିଜ ପଦାର୍ଥ ଏବଂ ଅମ୍ଳଜାନଯୁକ୍ତ କିମ୍ବା ଜୈବ-ସକ୍ରିୟ, ରସାୟନଯୁକ୍ତ ପୁଷ୍ଟିକର ଜଳକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି ।
ତେବେ ବୋତଲ ଜଳ ସୁବିଧାଜନକ ବୋଧହେଲେ ସୁଦ୍ଧା ବାସ୍ତବରେ ଏହା ସ୍ବାସ୍ଥ୍ୟ ନିମନ୍ତେ କେତେ ସୁରକ୍ଷିତ ତାହା କ୍ରମଶଃ ଏକ ବିତର୍କର ପ୍ରସଙ୍ଗ ପାଲଟିଛି। ପ୍ୟାକେଜ ପାଣିର ଲୁକ୍କାୟିତ ସ୍ବାସ୍ଥ୍ୟ ସମସ୍ୟାର ବିଭିନ୍ନ ଦିଗ ଉପରେ ସମ୍ପ୍ରତି ବିଶେଷଜ୍ଞମାନେ ଆଲୋକପାତ କରୁଛନ୍ତି। ନିକଟରେ କର୍ନାଟକରେ ଅନୁଷ୍ଠିତ ପରୀକ୍ଷଣ ଏକ ଚିନ୍ତାଶୀଳ ତଥ୍ୟ ଲୋକଲୋଚନକୁ ଆଣିଛି, କାରଣ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଗୁଣାତ୍ମକ ବିଶ୍ଳେଷଣ ନିମନ୍ତେ ସମଗ୍ର ରାଜ୍ୟରୁ ସଂଗୃହୀତ ବୋତଲ ଜଳ ନମୁନାର ଦୁଇ-ତୃତୀୟାଂଶ ହେଉଛି ସମ୍ପୂର୍ଣ୍ଣ ଅସୁରକ୍ଷିତ କିମ୍ବା ନିମ୍ନମାନର। ଏହା ଏକ ଗୁରୁତର ପ୍ରସଙ୍ଗ ରୂପେ ଉଭା ହୋଇଛି, ଯାହା ସମସ୍ତ ରାଜ୍ୟକୁ ଅନ୍ତର୍ଭୁକ୍ତ କରି ଏକ ଜାତୀୟ ସ୍ତରର ଅଧ୍ୟୟନକୁ ଆହ୍ବାନ କରେ। ୨୦୨୪ର ଅନ୍ୟ ଏକ ବୈଜ୍ଞାନିକ ଅନୁସନ୍ଧାନ ସୂଚ଼ାଇଛି ଯେ ବୋତଲ ଜଳରେ ପୂର୍ବରୁ ଜଣାଥିବା କଣିକା ପରିମାଣ ଅପେକ୍ଷା ୧୦ରୁ ୧୦୦ ଗୁଣ ଅଧିକ ପ୍ଲାଷ୍ଟିକ କଣିକା ଥିବା ସମ୍ଭାବନା ରହିଛି। ଏହି କ୍ଷୁଦ୍ର କଣିକାଗୁଡ଼ିକ ଜଳଧାରଣକାରୀ ବୋତଲରୁ ଏବଂ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ୟାନ୍ୟ ଉତ୍ସରୁ ସଂଗୃହୀତ ହୋଇଥାଏ। ଏହି ଗବେଷକମାନେ ପ୍ରତି ଲିଟର ବୋତଲ ପାଣିରେ ହାରାହାରି ୨,୪୦,୦୦୦ ପ୍ଲାଷ୍ଟିକ କଣିକା ଚିହ୍ନଟ କରିଛନ୍ତି। ଏକଥା ଜ୍ଞାତ ଯେ ଅଦୃଶ୍ୟ ପ୍ଲାଷ୍ଟିକ କଣିକା ଏବଂ ଏହା ସହ ଅନ୍ୟ ବିଷାକ୍ତ ରାସାୟନିକ ପଦାର୍ଥ ନିଃଶ୍ୱାସ, ଜଳ ଏବଂ ଖାଦ୍ୟ ମାଧ୍ୟମରେ ଶରୀରରେ ଅହରହ ପ୍ରବେଶ କରି କୋଷରେ ଜମିରହି ଦୀର୍ଘକାଳୀନ ଭିତ୍ତିରେ ବହୁ ସ୍ବାସ୍ଥ୍ୟ ସମସ୍ୟା, ଏପରିକି କର୍କଟ ରୋଗ ସୃଷ୍ଟିର କାରଣ ହେଉଛନ୍ତି।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‍ଏସ୍‍ଏସ୍‍ଏଆଇ)ପ୍ୟାକେଜ ପାନୀୟ ଜଳ ଏବଂ ମିନେରାଲ ଜଳର ଗୁଣବତ୍ତା ନିୟନ୍ତ୍ରଣ ନିମନ୍ତେ ଡିସେମ୍ବର ୨୦୨୪ରେ ଏହାକୁ ଉଚ୍ଚ-ବିପଦପୂର୍ଣ୍ଣ ଖାଦ୍ୟ ବର୍ଗରେ ଶ୍ରେଣୀଭୁକ୍ତ କରିଛି। ଏହି ବର୍ଗର ଖାଦ୍ୟଗୁଡ଼ିକ କ୍ଷତିକାରକ ଅଣୁଜୀବ କିମ୍ବା ରାସାୟନିକ ପଦାର୍ଥ ଦ୍ୱାରା ପ୍ରଦୂଷଣର ଶିକାର ହେବାର ସମ୍ଭାବନା ଯଥେଷ୍ଟ ଥାଏ। ଏସବୁର ଠିକ୍‍ ଭାବରେ ପରିଚାଳନା, ସଂରକ୍ଷଣ କିମ୍ବା ପ୍ରସ୍ତୁତି ନ ହେଲେ ଖାଦ୍ୟଜନିତ ରୋଗ କିମ୍ବା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ବୃଦ୍ଧିପାଏ। ପୁନଶ୍ଚ, ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ ବୋତଲ ପାଣିରେ ପ୍ରାୟତଃ ଟ୍ୟାପ ପାଣି ଅପେକ୍ଷା ଯଥେଷ୍ଟ ଅଧିକ ପରିମାଣର ପ୍ଲାଷ୍ଟିକ ପ୍ରଦୂଷକ ରହୁଛି।
ଏପରି ଦୃଶ୍ୟପଟ୍ଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କଠୋର ନିୟମ, ବାରମ୍ବାର ଯାଞ୍ଚ, ଉନ୍ନତ ଗ୍ରାହକ ସଚେତନତା ଏବଂ ସୁରକ୍ଷା ମାନଦଣ୍ଡର ଉତ୍ତମ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛି। ଜାତିସଂଘ ଅନୁଯାୟୀ, ଭାରତ ୨୦୨୨ରେ ମୂଲ୍ୟ ଅନୁସାରେ ବିଶ୍ୱରେ ବୋତଲ ଜଳର ୧୨ତମ ଏବଂ ପରିମାଣ ଅନୁସାରେ ୧୪ତମ ବୃହତ୍ତମ ଗ୍ରାହକ ଥିଲା, ଯେତେବେଳେ କି ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ପ୍ରତିବର୍ଷ ସର୍ବାଧିକ ବୋତଲ ଜଳ ବ୍ୟବହାର କରୁଥିବା ରାଷ୍ଟ୍ରର ଆଖ୍ୟା ଅର୍ଜନ କରିଥିଲେ। ଏହି କ୍ରମରେ ଉତ୍ତର ଆମେରିକା ଦ୍ୱିତୀୟ ଏବଂ ୟୁରୋପ ତୃତୀୟ ସର୍ବାଧିକ ବୋତଲ ଜଳ ବଜାର ଅଂଶ ହାସଲ କରିଥିଲା।
ମୁଖ୍ୟତଃ ପଲିଥିଲିନ ଟେରେପଥାଲେଟ (ପେଟ)ରୁ ତିଆରି ପ୍ଲାଷ୍ଟିକ ବୋତଲଗୁଡ଼ିକ ଉତ୍ପାଦନ, ପରିବହନ ଏବଂ ନିଷ୍କାସନ ପ୍ରକ୍ରିୟାରେ ପରିବେଶ ପ୍ରଦୂଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ପରିତ୍ୟକ୍ତ ବୋତଲଗୁଡ଼ିକ ଦଶନ୍ଧି ଧରି ପରିବେଶରେ ଜମିରହେ, ଯେଉଁଥିରୁ ମାଇକ୍ରୋପ୍ଲାଷ୍ଟିକ (୫ ମିମିରୁ କମ) ଏବଂ ନାନୋପ୍ଲାଷ୍ଟିକ କଣିକାସବୁର ସୃଷ୍ଟି ହୁଏ। ସମୟକ୍ରମେ ଏସବୁ ସମୁଦ୍ରଠାରୁ ଜଙ୍ଗଲ ପର୍ଯ୍ୟନ୍ତ ସମସ୍ତ ପରିସଂସ୍ଥା ଏବଂ ସେସବୁର ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଶରୀରରେ ପ୍ରବେଶ କରୁଛି। ପ୍ଲାଷ୍ଟିକରେ ସାଧାରଣତଃ ଉପଲବ୍ଧ ଥିବା ଥାଲେଟ୍ସ ଏବଂ ବିସ୍ଫିନଲ ଶରୀରର ହରମୋନଗୁଡ଼ିକୁ ବିପର୍ଯ୍ୟସ୍ତ କରିପାରନ୍ତି, ଯାହା ପ୍ରଜନନ ଏବଂ ବିପଚନ (ମେଟାବୋଲିକ) ସମସ୍ୟା ସୃଷ୍ଟି କରେ। ଏପରି ଗମ୍ଭୀର ସମସ୍ୟା ପରିପ୍ରେକ୍ଷୀରେ ବ୍ୟକ୍ତିଗତ ସ୍ତରରେ, କାଚ଼ ବା ଷ୍ଟିଲ ନିର୍ମିତ ପୁନଃବ୍ୟବହାରଯୋଗ୍ୟ ପାଣି ବୋତଲକୁ ପରିବର୍ତ୍ତନ କରିବା ଏବଂ ଉତ୍ତମ ମାନବିଶିଷ୍ଟ ଘରୋଇ ଫିଲ୍ଟ୍ରେଶନ ପ୍ରକ୍ରିୟାର ବ୍ୟବହାର କରି ପ୍ଲାଷ୍ଟିକ ଅପଚୟ ଏବଂ କ୍ଷୁଦ୍ର ପ୍ଲାଷ୍ଟିକ ସଂସ୍ପର୍ଶକୁ ଯଥେଷ୍ଟ ହ୍ରାସ କରାଯିବା ସହ ଜଳରୁ ଅନ୍ୟାନ୍ୟ ପ୍ରଦୂଷକ ଓ ରୋଗ ଜୀବାଣୁଙ୍କୁ ଅପସାରଣ କରିବା ଏକାନ୍ତ ଅପରିହାର୍ଯ୍ୟ। ଉତ୍ତମ ଗୁଣବତ୍ତାର ଜଳଯୋଗାଣ ସହ ଜନସଚେତନତା ଅଭିଯାନ ମାଧ୍ୟମରେ ଟ୍ୟାପ ପାଣି ଉପରେ ବିଶ୍ୱାସ ପୁନଃସ୍ଥାପିତ କରିବା ଏବଂ ନିରନ୍ତର ବ୍ୟବହାର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପ୍ରଶାସନର ଲକ୍ଷ୍ୟ ହେବା ବାଞ୍ଛନୀୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri